ଯମୁନା ଏଥିରେ ହଁ ନ ଭରି କରିବ ଆଉ କଅଣ? କିନ୍ତୁ ସୁଦାମ ଯେତେବେଳେ ଗଣ୍ଡିରାଟି କାନ୍ଧରେ ପକେଇ ବାହାରିଲା, ଯମୁନା ଆଖିରେ ଦେଖିଲା ଲୁହର ଜୁଆର। ଦେଖିଲା ଏ ଛଳ ନୁହେଁ, ଅଭିମାନ ନୁହେଁ, ଖାଲି ଜଳ, ସ୍ୱଚ୍ଛ, ନିର୍ମଳ। ଦୁଃଖ, ଦୁର୍ଦ୍ଦଶାର ଆଘାତ ସେତେବେଳେ ଦୁହିଁଙ୍କୁ ପରସ୍ପରର ନିକଟତର କରି ଦେଇଥିଲା। ଏଇ ଛାଡ଼ିଆସିବା ମୁହୂର୍ତ୍ତଟିରେ ହିଁ ସେ ଯମୁନାକୁ ସବୁଠାରୁ ଆପଣାର କରିପାଇଥିଲା। ସୁଦାମର ଆଖିପତା ଓଦା ହୋଇଆସିଲା।
ରାଧୁ ଯେଉଁମାନଙ୍କର ଚିଠି ଆଣିଥିଲା ସମସ୍ତଙ୍କୁ ଦେଲା। ସୁଦାମ ପାଇଁ କଅଣ ଚିଠିପତ୍ର କିଛି ନାହିଁ? ଶେଷରେ ରାଧୁ ପଚାରିଉଠିଲା- ସୁଦାମ ଭାଇ, କଅଣ ନାହିଁ କି? ସୁଦାମ ପଛରୁ ମୁହଁଟେକି ଚାହିଁଲା। ଛାତି ତାର ଦପ୍ ଦପ୍ ହୋଇଉଠିଲା। କି ବଜ୍ର ଉପରେ ଆସି ପଡ଼ିବ? ରାଧୁ କହିଲା, “ଆରେ ଭାଇ, ଯମୁନା ପାଖକୁ ଚିଠି ନାହିଁ କି ଟଙ୍କା ନାହିଁ। ସେ ବିଚାରି ଚଳେ କେମିତି ଭଲା? ବିଚାରି ଦୁଃଖଧନ୍ଦା କରି ଖୁବ୍ ଚଳିଲା। ଆଉ ବି ଯାହା ଚଳିଥାନ୍ତା, ଜମିଦାର ଟୋକାର ଯଉ ଦାଉ! ଟୋକାର ପୁଣି କି ହସ, କି ଚାହାଣୀ। ମନକୁ ତା’ର ଲଙ୍ଗଳ ଦଉଡ଼ି ପାଇବ ନାହିଁ। ଗାଁ’ଗଣ୍ଡାରେ ବୋହୁ ଭୁଆସୁଣୀ ଆଉ ପଦାକୁ ବାହାରୁନାହାନ୍ତି। ପୋଖରୀ ଘାଟ ତ ବନ୍ଦ…. ଯମୁନା କେକତେଦିନ ହେଲା କାହାସାଙ୍ଗେ ପଳାଇଯାଇଛି। ମାଇପିଲୋକ କାହିଁକେ ଆଉ ସମ୍ଭାଳିବ। ଦିନୁ ସାହୁ ତ ଏବେ ଜମିବାଡ଼ି ସବୁ ନିଲାମ ନେଲାଣି।”
ସୁଦାମ ଜଡ଼ପରି ସବୁ ଶୁଣିଲା। ଚାଷବସ୍ତୁ ଘରକରଣାକୁ ପୁଣି ଥରେ ଭଲକରି ଫେରିବାଇବା ଲାଗି ତ ତାକୁ ସେ ସବୁ ଛାଡ଼ିବାକୁ ହୋଇଥିଲା। ସେଥିପାଇଁ ତ ପ୍ରାଣ ପ୍ରାୟଶ୍ଚିତ ହୋଇ ଲାଗିଥିଲା। ତାର ଜମିବାଡ଼ି କିଏ ନେଲା? ତାର ଘରଦ୍ୱାର କିଏ ଭାଙ୍ଗିଲା? କିଏ ତା’ଠାରୁ ଯମୁନାକୁ ଚିରଦିନ ଲାଗି ଅଲଗା କରିଦେଲା? କିଏ ତାକୁ ଏପରି ନିଃସ୍ୱ, ଗୃହହୀନ, ସର୍ବହରା କଲା? ମହାଜନ, ଜମିଦାର ନାଁ, ଏବେ ଯେଉଁ ମାଲିକ ପାଖରେ ସେ କାମ କରୁଚି? ସମସ୍ତେ, ଏ ସମଗ୍ର ସାମାଜିକ ବ୍ୟବସ୍ଥା?
ସୁଦାମର ହାତମୁଠା ଶକ୍ତ ହୋଇଆସିଲା। ତା’ର ଦେହ ମନ ସମସ୍ତ ବିଦ୍ରୋହ ଭାବ ଏହି ହାତମୁଠାରେ ଯେମିତି ଠୁଳ ହୋଇଥିଲା। ଯମୁନା ତେବେ ଆଉ ନାହିଁ! ସୁଦାମ ଗୋଟିଏ ଦୀର୍ଘଶ୍ୱାସ ପକାଇଲା। ସବୁ ସ୍ନେହ, ଶ୍ରଦ୍ଧା ଏଇ କେତେଟା ଦିନ ଭିତରେ ଭୁଲିଗଲା। ବିଦାୟ ବେଳର ସେଇ ଛଳଛଳ ଜଳଭରା ଆଖି ଦିଓଟି ଯମୁନାର ତା’ ଆଗରେ ଦେଖାଦେଲା। ସେଇ ଯମୁନା ସେ ଆଉ କାହା ସଙ୍ଗେ ପଳାଇ ଯାଇଛି! ସୁଦାମ ବିଶ୍ୱାସ କରିପାରିଲା ନାହିଁ। ଅସମ୍ଭବ ବା କଣ? ସେ ନିଜେ ବା କୋଉ ନିରୋଗ ହୋଇ ରହିପାରିଛି! ନିଜେ ତ ଆସିବାର ମାସ ଦୁଇଟା ହୋଇଛି କି ନାହିଁ ରୋଗ ନେଇ ବସିଛି। ଲଜ୍ଜାରେ ଭାବନାଗୁଡ଼ିକୁ ମନରେ ଜାଗା ନ ଦେବା ଲାଗି ସେ ଗୋଟାଏ ନିଶ୍ୱାସ ମାରି କହିଉଠିଲା, ଆରେ ଭାଇ, ଆମପାଇଁ କ’ଣ ଦାରିଘର ନାହିଁ।”
ଶାମା କହିଲା, “କ’ଣ ଆଜି ଯିବା? ହପ୍ତାତ ଆଜି ମିଳିଛି।” ସେ ବହୁବେଳେ ଖାଲି ଏଇ ସୁଯୋଗ ଖୋଜୁଥାଏ।
ସୁଦାମ ଭାବିଲା-ମୂଲିଆ ମଣିଷର ପୁଣି ଘରଦ୍ୱାର ପିଲା ମାଇପ! ଥିଲାବାଲାଙ୍କର ସିନା ସବୁ ସଉକ। ମୂଲିଆ ମଜୁରିଆ ଯେ ଖାଲି ପେଟଚିନ୍ତା। ତାର ପୁଣି ଗୋଟାଏ ସଉକ କଅଣ, ପ୍ରିୟାପ୍ରୀତି କ’ଣ? ଜମିଦାର ଖଜଣା ଆଦାୟ କରେ ତା’ ସଉକ ରଖିବା ପାଇଁ, ମହାଜନ ସୁଧ ନିଏ, ବ୍ୟବସାୟୀ ଲାଭ ପାଏ ସେଇଥିଲାଗି। ଖାଲି ଖଟି ଖଟି ଉଚ୍ଛନ୍ନ ହୁଏ ଚଷା ଆଉ ମଜୁରିଆ। ତାକୁ ସବୁ ତ୍ୟକ୍ତ କରିଦେବାକୁ ହୁଏ, ଏହିମାନଙ୍କ ସୁଖ ସଉକ ଲାଗି। ମୂଲିଆ ମଜୁରିଆର କଅଣ ତେବେ ପ୍ରେମ ସୁଆଗ କିଛିନାହିଁ।
ସୁଦାମ ଆଚ୍ଛାକରି ଦୁଇଥର ଚିଲମ ଟାଣିନେଲା। କିଛି ସମୟ ପରେ ଦୁଇଚାରିଜଣ ସଜବାଜ ହୋଇ ବାହାରିପଡ଼ିଲେ। ସୁଦାମ ଅନ୍ୟମାନଙ୍କୁ ସଙ୍ଗେ ଯନ୍ତ୍ରଚାଳିତ ପରି ଚାଲିଥାଏ। ଶାମା ଏମାନଙ୍କ ଭିତରେ ଓସ୍ତାଦ୍। ସେ ସାଥିମାନଙ୍କୁ ରାସ୍ତା ଉପରେ ଠିଆ କରାଇ ଦେଇ, ପ୍ରଥମେ ଗୋଟିଏ ଘରେ ପଶିଲା। ଅଳ୍ପ ସମୟ ପରେ ବାହାରି ଆସି କହିଲା, “ଭାଇ, ଏକଦମ ତାଜାମାଲ୍, ଟିକିଏ ଚଢ଼ାଦର ଏକା, ଅଣ୍ଟାରେ ଧନ ଅଛିତ ଆସ।” ଅନ୍ୟମାନଙ୍କ ସଙ୍ଗେ ସୁଦାମ ଭିତରକୁ ଚାଲିଲା। କିନ୍ତୁ ଆଜି ସେ ଚମକି ଉଠିଲା କାହିଁକି? ସେମିତି କିଛି ନୂଆ ହୋଇ ଏମିତି ଜାଗାକୁ ଆସୁନାହିଁ। ସେ ଦେଖିଲା ଶାମା ଯାହା କାନ୍ଧରେ ହାତପକାଇ ହସଖୁସି ହୋଇ ଆସୁଛି, ସେ ଆଉ କେହି ନୁହେଁ, ସେ ଯମୁନା!
ତା’ରି ପାଖକୁ ଏମାନଙ୍କ ସାଙ୍ଗେ ସେ ସଜ ହୋଇ ଆସିଛି!
-୦-