ସହରର ରାସ୍ତାଘାଟେ ଆଲୁଅ ଜଳିଉଠୁଥିଲା। କୁଲିମାନଙ୍କର ବସାର ଅନ୍ଧାରିଆ କୋଣରେ ବାଜିଉଠିଲା ଖଞ୍ଜଣୀ, ତାହା ସଙ୍ଗେ ସଙ୍ଗେ ଗୀତ-

ମନ ପରମ ଦୁହିଁଙ୍କର ବିଚାର
ଚାଲ ଏ ଘରୁ ହୋଇଯିବା ବାହାର
ଆସିଲେଣି ଖଣ୍ଟ ତାଡ଼ିନେବେ କବାଟ
ଛାତିରେ ଲଦିଦେବେ ପଥରରେ ପଥର,
ଚାଲ ଏଘରୁ ହୋଇଯିବାର ବାହାର।

ଦିନମାନ ଜାହାଜରୁ ମାଲ ଖଲାସ କରି ସନ୍ଧ୍ୟାରେ ସମସ୍ତେ ଆସି ବସାରେ ଠୁଳ ହୋଇଥିଲେ। ଦିନର ଶ୍ରମଶିଥିଳ ଦେହ ମନକୁ ଟିକିଏ ସତେଜ କରିବା ଲାଗି ଖଞ୍ଜଣୀ ଗୀତ ଓ ସାଙ୍ଗେ ସାଙ୍ଗେ ଚିଲମ ନେଇ ସମସ୍ତେ ବସିଯାଇଥିଲେ ସେଇ ଗୋଟିଏ ସନ୍ତସନ୍ତିଆ ବଖରା ଭିତରେ ଚାଳିଶ ଜଣ ମଶା-ଛାରପୋକଙ୍କ ଭିତରେ ଦିନ କାଟନ୍ତି। ସକାଳ ହେଲେ କାମ ଉପରକୁ ବାହାରନ୍ତି। ବିଶ୍ରାମ ବେଳେ ତାଙ୍କର ରକ୍ତ ପିଇ ମୋଟ ହୁଅନ୍ତି ମଶା, ଛାରପୋକ, କାମବେଳେ ବ୍ୟବସାୟୀ ମାଲିକ।

ଦୁଆର ପାଖରେ ଶୁଣାଗଲା, “ମଣିଭାଇ, ଅଛୁକି ହୋ, ମଣିଭାଇ” ମଣି ପଧାନ ଅନ୍ୟ ହାତକୁ ଚିଲମଟା ବଢ଼ାଇ ଦେଇ ଉଠିଆସିଲା- “କିଏ। ଆରେ ରାଧୁ! କୋଉ ଦିନ ଆଇଲୁମ।
“କାଲି, ନିଅ, ତମ ଚିଠି ସବୁ।”

ଖଞ୍ଜଣୀ ଆଡ୍ଡା ଭାଙ୍ଗିଗଲା। ସମସ୍ତେ ରାଧୁ ଚାରିପାଖେ ଘେରିଗଲେ ଗାଁ’ଗଣ୍ଡା, ଘରଦ୍ୱାର ହାଲ ଶୁଣିବା ଲାଗି। ରାଧୁଠାରୁ ଖବର ଜାଣିବା ଲାଗି ସବୁଠାରୁ ବେଶି ବ୍ୟାକୁଳ ସେ ସମସ୍ତଙ୍କ ପଛରେ ଦୋଷୀପରି ଠିଆ ହୋଇ ରହିଲା। କଅଣ ଘଟିଛି, କ’ଣ ନାହିଁ- ପଚାରିବାକୁ ସୁଦାମ ଜେନାର ସାହାସ ପାଇଲା ନାହିଁ।

ଦୁଇବର୍ଷ ହେଲା ସେ ଘର ଛାଡ଼ି ଆସିଛି। ବର୍ଷକ ଯାଏ ଖବର ଅନ୍ତର ଦିଆନିଆ ଚାଲିଥିଲା। ଗତ ବର୍ଷେହେଲା ସବୁ ବନ୍ଦ। ଖାଲି ଘରେ ଯୌବନର ଭାର ଯମୁନା ଉପରେ ଲଦି ନେଇ ସେ ଚାଲିଆସିଛି। ରାଧୁ ଗାଁ’ରୁ ଫେରିଛି। କି ଖବର ସେ ତା’ପାଇଁ ଆଣିଛି ଭଲ ନାଁ ମନ୍ଦ। ଭଲ ଖବର ବା କଅଣ ଆଣିଥିବ? ବର୍ଷେହେଲା ସେ କିଛି ଖବର ପାଇନାହିଁ କି ଦେଇନାହିଁ। ଟଙ୍କାଏ ବି ପଠାଇ ନାହିଁ।

କେମିତିବା ପଠାନ୍ତା! ଯାହା କିଛି ବଳିଥାନ୍ତା, ବେମାର ପଡ଼ିତ ସବୁ କୁଆଡ଼େ ଗଲା। କି ଅଶୁଭ ଖବର ରାଧୁ ତା’ଲାଗି ଆଣିଛି? ସେ କ’ଣ ସେ ଲାଖି ତିଆରି ହୋଇନାହିଁ? ହେଲେ ବି ଦୋଷୀପରି ତା’ ଛାତି ଦପ୍‌ ଦପ୍‌ କରିଉଠିଲା। ସେ ଯେତେମତେ ନିଜର ପକ୍ଷ ସମର୍ଥନ କଲା, ତା’ର ସବୁ ଜବାବ ଯମୁନାର ଅଭିଯୋଗ ସାମନାରେ ଅର୍ଥହୀନବୋଧ ହେଲା। କି ନର୍ମମ ସମ୍ୱାଦ ଯମୁନା ତା’ ପାଖକୁ ପଠାଇଛି, ଶୁଣିବା ଲାଗି ସମସ୍ତଙ୍କ ପଛରେ ସଙ୍କୁଚିତ ହୋଇ ବସିରହିଲା। ସେ ନିଦାରୁଣ ସମ୍ୱାଦକୁ ମୁହଁ। ମୁହିଁ ଭେଟିବାକୁ ତା’ର ଅନ୍ତର କୁଣ୍ଠିତ ହୋଇଉଠିଲା।

ରାଧୁ କହିଲା, “ଭାଇ, ଏବର୍ଷ ଯେଉଁ ବଢ଼ି, ବିଲକୁ ଆଉ ଦା’ ଯିବନାହିଁ। ଚଷାର ମୂର୍ଦ୍ଧନା ଫାଟିଯାଉଛି ବିଲକୁ ଦେଖିଲେ। କେତେଯେ ଏ ସାଲ ବିଦେଶକୁ ଆସୁଛନ୍ତି-ଗାଁ’ଗଣ୍ଡା ତ ସବୁ ଶୁନ୍‌ ପଡ଼ିଯିବ ଏକାବେଳେ। ନ ଦେଲେ କରିବେ ଆଉ କଅଣ? କିଛି ନ ହଉ ପଛେ, ଜମିଦାରକୁ ତ ଖଜଣା ମୁଠାକ ଗଣିବେ ଆଗ?”

ସୁଦାମ ମନେ ମନେ ଭାବିଲା, ଏଇ ଜମିଦାରର ଖଜଣା ଲାଗି ସେ ଘରଦ୍ୱାର ଜମିବାଡ଼ି ଛାଡ଼ି ଆଜି କଲିକତାରେ ମଜୁରିଆ। ସେ ଯମୁନାକୁ ଛାଡ଼ିଆସିଛି। ସବୁ ମାୟାମମତା କାଟି ଏଇ ଅନ୍ଧାରିଆ ଘରର ଗୋଟିଏ କୋଣକୁ କରିଛି ନିଜର ଘର। ଜମିଦାରର ପୁଅ ଯେଉଁଦିନ ତାକୁ ଖଜଣା ପାଇଁ ତଲବ କଲା, ଘଟଣାଟି ମନେ ପଡ଼ିବାମାତ୍ରେ ତାର ମାଂସପେଶୀ ସବୁ କଠିନତର ହୋଇଉଠିଲା-ଯେମିତି ସେ କାହାକୁ ଆଘାତ କରିବାକୁ ତିଆରି ହେଉଛି। ଜମିଦାର ପୁଅ ଗାଳିଗୁଲଜ କରି କହିଲା-ଖଜଣା ଦେଇ ନପାରିବୁତ ତୋ ଭାରିଜାକୁ ଦେ।”

କଅଣ ଗୋଟାଏ କରିପକାଇବ ବୋଲି ସୁଦାମ ଯାଉଥିଲା- ତା’ର ଠେଙ୍ଗାଟି ଉପରେ ହାତ ମୁଠା ଶକ୍ତ ହୋଇଉଠିଲା, କିନ୍ତୁ ଦେଖିଲା- ହାକିମ ପୁଲିସ୍‌, ଆଇନ୍‌କାନୁନ୍‌, ଅସ୍ତ୍ରଶସ୍ତ୍ର ଓ ଧର୍ମଶାସ୍ତ୍ର ସବୁ ଯେ ଜଗି ରହିଛନ୍ତି- ଜମିଦାରର ମାନସମ୍ମାନ, ଧନ ଜୀବନରେ କୌଣସି ହସ୍ତକ୍ଷେପ ଯେପରି ନ ହୁଏ। ଜମିଦାର ଯା ଇଚ୍ଛା ତା’ କରିପାରେ, ତା’ର ପ୍ରତିଶୋଧ କରିବାକୁ ଗଲେ ପୁଲିସ୍‌ର ଅଛି ବେତ, ଜେଲଖାନାର ହାତକଡ଼ି ନହେଲେ କଳାପାଣି, ଫାସିକାଠ! ଜମିଦାରର ଏଇ ଯଥେଚ୍ଛାରିତା- କିପରି ନିର୍ବିଘ୍ନରେ ଚଳିବ ତାହାରି ପାଇଁ। ସୁଦାମର ରକ୍ତ ପୁଣି ଶୀତଳ ହୋଇଆସିଲା।

ସେହିଠାରୁ ସୁଦାମ ସିଧା ଚାଲିଲା ଦିନୁ ସାହୁ ମହାଜନ ପାଖକୁ। ଏ ଲୋକଟା ଜମିଦାରଠାରୁ ଆହୁରି ଭୟଙ୍କର। ଜମିଦାର ତ ଧନୀ? ଏ ଲୋକଟା ଧନୀ ହେବାପାଇଁ ଖାସ ଲାଗିପଡ଼ିଚି। ତାହାର ଲୋଭର ମାପଖାପ ନାହିଁ। ଜମିବାଡ଼ି, ଘରଦ୍ୱାର ସବୁ ବନ୍ଧାଦେଇ ତା’ଠାରୁ କରଜ ଆଣିଲା। ଜମିଦାରର କରଜ ପୈଠ କଲା। ଜମିଦାରକୁ ସିନା କରଜ କରି ଖଜଣା ଗଣିଲା, ମହାଜନ ହାତରୁ ଜମି ଦିଖଣ୍ଡ ମୁକୁଳେଇବ କେମିତି? କଲିକତା ଯିବ, ମାସ ଚାରିଟାରେ ସବୁ ଶୁଝିଦେବ, ସୁଦାମ ବ୍ୟସ୍ତ କଲା।

Pages: 1 2