ସାହିତ୍ୟର ପାଠକମାନଙ୍କୁ ଆଗକୁ ଜଣାଅଛି ଯେ, ବର୍ତ୍ତମାନ ମୁଁ ପୂର୍ବପରି ଅମାୟିକ ସାଧା ସିଧା ମଣିଷ ନୁହେଁ; ବର୍ତ୍ତମାନ ଥୋଡ଼ା ଦିନ ହେଲା ମୁଁ ପୁରା ସଂସାରୀ ବନିଅଛି, ଗାଁରେ (ଅର୍ଥାତ୍‌ ଗେର୍ଦ୍ଦ ଓଡ଼ିଶା, ଜିଲ୍ଲେ କଟକ, ପ୍ରଗନ୍ନେ କୋଦିଣ୍ଡା) ଖଣ୍ଡେ କୁଡ଼ିଆ କରି କିଛି ଚଳିବା ମାଫିକେ ଚାଷବାସ କରି ସପରିବାର ନିପଟ ମଫସଲରେ ମୁଁ ବର୍ତ୍ତମାନ ଜଣେ ବାସିନ୍ଦା। ପୈତୃକ ଘରରେ ମୋର ଯାହା ଭ୍ରାତୃକ ହିଂସା ପଡ଼ିଲା, ସେଥିରେ ମୋର ଚଳାଚଳ ହେବାକୁ ନଅଣ୍ଟ ପଡ଼ିବାରୁ ମୁଁ ଆସି, ଆମ ଗାଁର ପଶ୍ଚିମ ପାଖ ମୁଣ୍ଡରେ (ମୁଁ ଗ୍ରାମର ଯେଉଁ ମୁଣ୍ଡ ନୂଆ ଘର କରିଅଛି, ତାକୁ ସମସ୍ତେ ଖଣ୍ଡିଆ ମୁଣ୍ଡ ବୋଲି ଡାକନ୍ତି) ଖଣ୍ଡେ ଘର କରି ବାସ କରୁଅଛି। ମୋର ଚରା ଭୂଇଁ ହେଲା ବିଚ୍‌ବଜାର ସହରର କଚେରିରେ, ମୋର ଗୋଠ ହେଲା ନିପଟ ମଫସଲ ପଡ଼ାଗାଁ ପଥର କୁଡ଼ିଆରେ, ଅତଏବ ‘ଗତାଗତ’ ହୋଇ ପେଶାଦାର କର୍ମ ଓ ଗୃହସ୍ଥ ଧର୍ମ ମତେ ସମ୍ଭାଳିବାକୁ ପଡ଼ୁଅଛି। ଏ ଦୋନାବୁଡ଼ିଆ ରୀତିରେ ଯାହା ଫଳ ପାଠ ଡାକୁଛି ମୋର ମଧ୍ୟ ସେହିତା ଫଳ ଘଟୁଅଛି-ଏଥିଯୋଗୁଁ ମୋର ବେଶି ସମୟ ହଲ-ଟହଲରେ ଯାଉଅଛି ଓ ଉଭୟତ୍ର ମୁଁ ‘ଏକଘରିକିଆ’ ହୋଇ ଚଳୁଅଛି।

ପରିବାର-ପରିଜନ, ଜ୍ଞାତିକୁଟୁମ୍ବ, ବନ୍ଧୁ ପ୍ରତିବେଶୀ ଏମାନେ ସମସ୍ତେ ଜାଣନ୍ତି ଯେ, ମୁଁ ଉଡ଼ିଗଲା ଚଢ଼େଇ; ସେମାନଙ୍କର ଲୋଡ଼ା ପଡ଼ିଲା ବେଳେ ମୁଁ ଘରେ ନ ଥିବି। ଭକ୍ଷଭୋଜି, ମଡ଼ାସାଙ୍ଗିଆ, ନିମିତ୍ତ-ପର୍ବକାମରେ ମୁଁ ସେମାନଙ୍କ ସଙ୍ଗେ ନିୟମିତ ରୂପେ ଯୋଗ ଦେଇପାରିବି ନାହିଁ; ଏଥିପାଇଁ ସମାଜରେ ମତେ ଏକଘରିକିଆ କରିଅଛନ୍ତି। ସେମାନେ କହନ୍ତି, ମୋ ଭଳିଆ ଗାଉଁଲି-ଭାଇ ଦ୍ୱାରା ସମୟରେ କଡ଼ାକର ଉପକାରର ଆଶା ନାହିଁ। ଏଣେ କାର୍ଯ୍ୟକ୍ଷେତ୍ରରେ ସମବ୍ୟବସାୟୀମାନଙ୍କ ମହଲରେ ମଧ୍ୟ ମୋର ଆଦର ନଦାରଦ। କାରଣ ସେମାନେ ସମସ୍ତେ ଜାଣନ୍ତି ଯେ, ମୁଁ ‘ଗୋଠଖଣ୍ଡିଆ’ ଅର୍ଥାତ୍‌ କେବଳ କଚେରି ଛଡ଼ା ଅନ୍ୟ କୌଣସି କାର୍ଯ୍ୟରେ ମୋର ଯୋଗ ନଦାରଦ। କଚେରିରୁ ଓ ବ୍ୟବସାୟ କର୍ମରୁ ଅବସର ପାଇବା ମାତ୍ରକେ ମୁଁ ଘରକୁ ଦଉଡ଼ିବାରେ ଲାଗିଥାଏଁ, ମୋର ମୋ ପେସା ପ୍ରତି ଭକ୍ତି ନାହିଁ, ସ୍ନେହ ନାହିଁ, ଆକର୍ଷଣ ନାହିଁ; କେବଳ ପେସା ନ ହେଲେ ପେଟ ପୋଷା ନ ହେବ ବୋଲି ଯେନତେନ ପ୍ରକାରେଣ ଦୁଇପଇସା ରୋଜଗାର କରି ବାଏଁ ବାଏଁ ଅର୍ଜନଯାକ ବାନ୍ଧିବୁନ୍ଧି ଗାଁକୁ ନେଇ ପଳାଇବି, ସେଥିରୁ କାଣିଏ କଉଡ଼ି ସହରରେ କିମ୍ବା କୌଣସି ଦେଶ ହିତକର ଅନୁଷ୍ଠାନରେ ଖରଚ କରିବି ନାହିଁ, ସହରର କୌଣସି ସଭାସମିତିରେ ଯୋଗ ନଦେଇ ହରଘଡ଼ି ଗାଁକୁ ଦଉଡ଼ିଥିବି, ଏସବୁ କାରଣରୁ ପେସାଦାର ଭାଇମାନେ ମଧ୍ୟ ମତେ ‘ଏକ-ଚଉକିଆ’ କରିଥାନ୍ତି। ବୁଝିଲା ବେଳକୁ ମୁଁ ନା ଗୃହସ୍ଥ, ନା ବ୍ୟବସାୟୀ-ଦୁଇ କଥାରୁ କେଉଁ ଆଡ଼କୁ ନୁହେଁ।

ସବୁବେଳେ ଘରେ ରହି ନ ପାରିବା ଯୋଗୁଁ ଘର ପ୍ରତି ଦୃଷ୍ଟି ରଖିପାରେ ନାହିଁ-ଘରତକ ବେମରାମତ, ଘର ଦୁଆରେ ଅଳିଆ ଓ ଅରମା। ଅଳିଆ ଅରମା ଯୋଗୁଁ ଉଇ, ମଶା, ମୂଷା, ଲମ୍ବଜନ୍ତୁ, ଶଁବାଳୁଆ, ତେଲୁଣୀପୋକ, ଗଉଡ଼ୁଣୀପୋକ, ସାଧବଘର ବୋହୂ, କଙ୍କଡ଼ାବିଛା, ଚୁଚୁନ୍ଦ୍ରା, ଅସରପା, ବୁଢ଼ିଆଣୀ ସମସ୍ତଙ୍କର ମୋ କଳାକୁଡ଼ିଆ ଉପରେ ଅଧିକାର ଓ ରାଜତ୍ୱ। ଗୃହକର୍ତ୍ତାଙ୍କ ତତ୍ତ୍ୱାବଧାନର ଅଭାବରୁ ମୋ ହଳିଆ, ମୂଲିଆ, କୋଠିଆଣୀ କାମରେ ଢିଲମଢ଼ିଲା କରନ୍ତି, ମୋ ବିଲ ବାଡ଼ିତକ ଅବଛା ଓ ଅବେଉଷଣିଆ ହୁଏ, ମୋ ଧାନତକ ଅଣଉଡ଼ା ଓ ଅଣପାଛୁଡ଼ା ରହେ, ମୋ ଦାଣ୍ଡ ଘରଖଣ୍ଡି ଅଛୁଆଁ ରହେ, ମୋ ବଳଦତକ ଅମଣିଆଁ; ଏସବୁ ମୋର ଅମଣିଷ ପଣିଆର ଫଳ। ଏଣେ ମଧ୍ୟ ବ୍ୟବସାୟ କ୍ଷେତ୍ରରେ ଦେଖିଲା ବେଳକୁ ଓକିଲଙ୍କର ଘନ ଘନ ଅନୁପସ୍ଥିତି ଯୋଗୁଁ ମୋ ମହକିଲଯାକ ଥରେ ହାତରୁ ଛୁଟିଲେ ଅଣବାହୁଡ଼ା: ମୋ ସିରସ୍ତାରେ ବସ୍ତାନି ଅଫିଟା। ମୋ ଓକିଲ ମୋହରିର ଅକାମିକା ଓ ଅଖିଆ ଅପିଆ, ମୋର ରୋଜଗାର, ଯୋଗ୍ୟତା ଓ କରାମତ ମଧ୍ୟ ତଥୈବଚ। ଅଥଚ ଏ ଦୁଇ କଥାରେ ମୁଁ ଏପରି ଅଖଞ୍ଜିଆ ରୂପରେ ଛନ୍ଦଣି ମନ୍ଦଣି ହୋଇଅଛି ଯେ, ଗୋଟିକରୁ ଖସି ଗୋଟିଏ ଇଲାକାରେ ମନ ମୁନ ଚଇତନ ଲଗାଇବାର ବର୍ତ୍ତମାନ ବଳ ନାହିଁ, ବୟସ ନାହିଁ କି ଇଚ୍ଛା ମଧ୍ୟ ନାହିଁ।

ସବୁଥିରେ ଦୋଷଗୁଣରେ ମାତ୍ରା ପୂର୍ଣ୍ଣ ରହିଅଛି। ଗୃହସ୍ଥ ହୋଇ ମଫସଲରେ ବାସ କରିବାରେ ସୁବିଧା ଯେତେ, ଅସୁବିଧା ମଧ୍ୟ ତେତେ। କୌଣସି ପେସାରେ ପଶି ପେସା ଅନୁରୋଧରେ ସହରରେ ବାସ କରିବାରେ ମଧ୍ୟ ଅନେକ ସୁବିଧା ଓ ଅନେକ ଅସୁବିଧା ଅଛି। କିନ୍ତୁ ଯେ ଉଭୟତ୍ର ହାତ ଦେବାକୁ ବସେ, ତା କପାଳରେ ଉଭୟ ଅବସ୍ଥାରେ ଅସୁବିଧାଗୁଡ଼ିଏ ବେଶି ପରିମାଣରେ ଘଟିଥାଏ। ମୋ ଭାଗ୍ୟରେ ମଧ୍ୟ ତାହା ଘଟିଅଛି ଓ ଘଟୁଅଛି।

ଆଜି ମଫସଲର କେତେଗୁଡ଼ାଏ ଅସୁବିଧାର ଉଲ୍ଲେଖ କରିବି। ଆମ ଦେଶରେ କଣ, ଅନ୍ୟ ଦେଶରେ କଣ ଦେଖୁଥାଇଁ ଯେ, ଆଧୁନିକ ସଭ୍ୟତା ମଫସଲର ଘରମାନ ଭାଙ୍ଗି ସହରମାନ କୋଠାମୟ କରିବାରେ ବ୍ୟସ୍ତ। କାର୍ଯ୍ୟ ଉପଲକ୍ଷରେ ମଫସଲରୁ ଲୋକମାନେ ଚାଲିଆସି ସହରରେ ରୁଣ୍ଡ ହୁଅନ୍ତି। ମଫସଲର ବାସିନ୍ଦା ସଂଖ୍ୟା କମେ ଓ ସହରର ଲୋକସଂଖ୍ୟା ବଢ଼େ। ଦୋକାନଦାରି, ସରକାରୀ ଚାକିରି, ଓକିଲାତି, ବେପାର, କଳକାରଖାନାରେ ଚାକିରି ବା ମଜୁରିଦାରୀ, ସରକାରୀ ଓ ବେସରକାରୀ ଅଫିସ୍‌ରେ କାର୍ଯ୍ୟ, ମ୍ୟୁନିସିପାଲିଟିର କାର୍ଯ୍ୟ, ସହରର ସ୍କୁଲ କଲେଜ୍‌ରେ ଶିକ୍ଷା ଓ ଶିକ୍ଷକତ୍ବ, ସହରରେ ବୃଦ୍ଧି ପାଉଥିବା ଲୋକସଂଖ୍ୟାକୁ ଚାହିଁ କୋଠାବାଡ଼ି, ଖାଦ୍ୟ ସାମଗ୍ରୀ ଯୋଗାଡ଼, ସହରର ନର୍ଦ୍ଦମା, ପାଇଖାନା ଓ ରାସ୍ତା ଆଦି ପରିଷ୍କାର କରିବା ଓ ରଖିବା ଆଦି କାର୍ଯ୍ୟ, ସହରର ଲୋକଙ୍କ ଚିକିତ୍ସା ପାଇଁ ଡାକ୍ତରଖାନା, ଔଷଧାଳୟ, ସହରବାସୀଙ୍କ ଆମୋଦ ପ୍ରମୋଦ ପାଇଁ ଭୋଜନାଗାର, ନାଟ୍ୟାଗାର ଅଧିକାଂଶ ମଫସଲିଆଙ୍କ ହାତରେ ଚଳେ। ଏ ସବୁ କାର୍ଯ୍ୟ ଯୋଗୁଁ ମଫସଲରୁ ଲୋକେ ଉଠିଆସି ପ୍ରଥମେ ପ୍ରଥମେ ସହରରେ ବସା କରି ରହନ୍ତି, ଦିନାକାତେ ବାଦ ସପରିବାର ବସା କରି ରହନ୍ତି, ଶେଷକୁ ସହରର ସ୍ଥାୟୀ ଅଧିବାସୀ ହୋଇ ବଂଶାନୁଗତ ସହରର ପକ୍କା-ବାସିନ୍ଦା ପାଲଟିଯାଆନ୍ତି। ଏହା ଆଧୁନିକ ସଭ୍ୟତାର ଗୋଟିଏ ପ୍ରଧାନ ଲକ୍ଷଣ।

କାଲି ଯେଉଁ ସ୍ଥାନ ପଡ଼ିଆ ମରୁଭୂମି ଥିଲା, ଆଜି ତାହା ସମୃଦ୍ଧିଶାଳୀ ମହାନଗରୀରେ ପରିଣତ ହୋଇଅଛି; କେତେ ବର୍ଷ ତଳେ ଯେଉଁ ଗ୍ରାମ ଲୋକପୂର୍ଣ୍ଣ ଓ କୋଳାହଳ-ମଧୁର ହୋଇ ମୁଖରିତ ହେଉଥିଲା, ଆଜି ସେ ଗାଁରେ ଅଧିକାଂଶ ମେଲା ଡିହ ଓ କେତେ ଡିହରେ ବିଲୁଆ ଡେଉଁଅଛନ୍ତି ଓ କେତେ ଦୁଆରେ କଣ୍ଟା ଛଟା ହୋଇଅଛି, ଗ୍ରାମରେ କେବଳ ଗୁଡ଼ିଏ ନିକମା ମନୁଷ୍ୟ, ଲଙ୍ଗଳା ପିଲା ଓ ରାଣ୍ଡ ମାଇପେ ଆତଯାତ ହେଉଅଛନ୍ତି। ଆଗ କାଳର ଗ୍ରାମର ଭାଗବତ ଟୁଙ୍ଗି, ଆଖଡ଼ାଘର, ଜାଗାଘର, ସନ୍ଧ୍ୟାବେଳେ ଗ୍ରାମରେ ପାଞ୍ଚଜଣଙ୍କ ବୈଠକି, ଗ୍ରାମଦେବତାଙ୍କ ନିକଟରେ ପୁରାଣପାଠ, ଉତ୍ସବ ଆନନ୍ଦ ଏ ସବୁ ଆଉ ନାହିଁ। ଯେଉଁମାନେ ଏଥିରେ ସବୁ ଯୋଗ ଦେଉଥିଲେ, ସେମାନେ ଆଜି ଯାଇ ଦେଶ ବିଦେଶରେ କର୍ମକ୍ଷେତ୍ରରେ ସହରରେ ବାସ କରୁଅଛନ୍ତି!

ସଭ୍ୟତାର ଏ ସବୁ ଶୁଭ ଲକ୍ଷଣ କି ଅଲକ୍ଷଣ, ତାହା ଭଗବାନ ଜାଣନ୍ତି। ମୁଁ ନିଜେ ମୋ ପିଲାଦିନେ ଏପରି ଘରକରଣା-ପରିବାର ସ୍ୱଚକ୍ଷୁରେ ମଫସଲରେ ଦେଖିଅଛି ଯେ, ଲୁଣ ଛଡ଼ା ଗୃହବାସ୍ତୁର ସୀମା ମଧ୍ୟରେ ଗୃହସ୍ଥର ଦୈନିକ ଓ ସାମୟିକ ପ୍ରୟୋଜନୀୟ ଅନ୍ୟ ସମସ୍ତ ପଦାର୍ଥ (ଲୁଗାପଟା, ଜାଳିବା ଓ ଲଗାଇବା ତେଲ, ଦୈନିକ ଖାଦ୍ୟ ଓ ପିଷ୍ଟକାଦି, ବସିବା ଓ ଶୋଇବାର ଆସନ ଆଦି) ଉପକରଣମାନ (କପା, ସୋରିଷ, ରାଶି, ଗବ, ଧାନ, ମୁଗ, ବିରି, କୋଳଥ, ପୋଖରୀରୁ ମାଛ, ନଡ଼ିଆ, ଆଖୁ, ଗୁଆ, ନାସପତ୍ର ପନିପରିବା ଆଦି) ଫଳୁଥିଲା ଓ ମିଳୁଥିଲା। ଅଧିକାଂଶ ଗ୍ରାମରେ ବଢ଼େଇ, କମାର, କୁମ୍ଭାର, କେଉଟ, ତନ୍ତି, ତୁଳାଭିଣା, ଗୁଡ଼ିଆ, ତେଲି, ଗଉଡ଼, ଭଣ୍ଡାରି ମିଳୁଥିଲେ।

ଗ୍ରାମର ଦୈନନ୍ଦିନ ଅଭାବ ମୋଚନ ନିମନ୍ତେ ଗ୍ରାମ ସୀମାରୁ ପଦାକୁ ଗୋଡ଼ ବଢ଼ାଇବାକୁ ପଡ଼ୁ ନଥିଲା। କିନ୍ତୁ ଆଧୁନିକ ସଭ୍ୟତା ଆମ୍ଭମାନଙ୍କର ଅଭାବ, ଅସୁବିଧା, ଅଭ୍ୟାସକୁ ଏତେ ମାତ୍ରାରେ ବଢ଼ାଇ ଦେଲାଣି ଯେ, ଫି’ କଥାରେ ଦାଣ୍ଡକୁ ନ ବାହାରିଲେ, ପରମୁଖାପେକ୍ଷୀ ନ ହେଲେ ଦଣ୍ଡେ ନ ଚଳେ। କ୍ଷେତରେ ଫଳୁଥିବା କପାକୁ ଭିଣାଇ ଓଜନ କରି ତନ୍ତୀବାପୁଡ଼ାକୁ ଦେଲେ ତନ୍ତୀବାପୁଡ଼ା ତାର କରମୂଲ ନେଇ ପିନ୍ଧା ପାଛୁଡ଼ା, ମଠାଚାଦର, ଦରି ଦସିଆ ଆଣି ଦୁଆର ମୁହଁରେ ଦେଇ ଯାଉଥିଲା। ବାଡ଼ିରେ ହେଉଥିବା ଗବ, ପୁଲାଙ୍ଗ, ସୋରିଷ, ରାଶି ନେଇ ତେଲୀପୁଅ ତାର ପାରିଶ୍ରମିକ ପାଇ ଗୃହସ୍ଥକୁ ତେଲ ଆଣି ଦେଇଯାଉଥିଲା, ବାଡ଼ିବଗାଏତରୁ ଜାଳେଣି କାଠ କାମ ଚଳୁଥିଲା, ବାଡ଼ିରୁ ବାଉଁଶ ବଗାଏତରୁ ଜାମୁ, ପୁଲାଙ୍ଗ ଗଛ, ଅନାବାଦୀ ଜଙ୍ଗଲରୁ ବେତ ଆଣି, ବିଲରୁ ନଡ଼ା ବାଡ଼ିଆ ମାଟି ଆଣି ଗାଁ ବଢ଼େଇ ଗାଁ ମୂଲିଆ ଦ୍ୱାରା ବାସଗୃହ ତିଆରି ହେଉଥିଲା; କିନ୍ତୁ ଏଣିକି ମଫସଲରୁ ଏସବୁ ଲୋପ ପାଇଲା ଓ ପାଇବ।

ଗ୍ରାମରେ କୌଣସି ବିବାଦ ଉପସ୍ଥିତ ହେଲେ, କୌଣସି ଅଡ଼ୁଆ ଲାଗିଲେ ଗ୍ରାମ ମହାଜନେ ବସି ଦିଅଁଙ୍କ ଚକଡ଼ାରେ ସେସବୁ ଅଡ଼ୁଆକୁ ମୀମାଂସା କରି ଦେଉଥିଲେ ଓ ଗ୍ରାମରେ ଅବସ୍ଥାପନ୍ନ ବ୍ୟକ୍ତିମାନଙ୍କ ସାହାଯ୍ୟ, ବଦାନ୍ୟତା ଓ ସଚ୍ଛଳତା ଦ୍ୱାରା ଗ୍ରାମର ଦୂରବସ୍ଥାପନ୍ନ ପରିବାର ଓ ଗରିବଗୁରୁବାମାନେ ଚଳି ଯାଉଥିଲେ। ଜମିଦାରମାନେ ରୟତମାନଙ୍କର ଫଳତଃ ‘ମା ବାପ’ ଥିଲେ; ତାଙ୍କ ଘର ସବୁବେଳେ ପ୍ରଜାମାନଙ୍କ ପାଇଁ ଅବାରିତ ଦ୍ବାର ଖୋଲା ଥିଲା, ସେ ଯେପରି ଗରିବଠାରୁ ତଣ୍ଡିକରି ଜୋରିମାନା ଓ ବେଠି ନେଉଥିଲେ, ଅସମୟ ପଡ଼ିଲେ ନ’ଅଙ୍କରେ ଛତ୍ର ଦେଇ ଗରିବଙ୍କୁ ବଞ୍ଚାଉଥିଲେ, ଖାଇବାକୁ ନ ଥିଲେ ପରିବାରକୁ ପୋଷୁଥିଲେ, ପୁଣ୍ୟପର୍ବରେ ପିଠା ବାଣ୍ଟୁଥିଲେ, ବାଧିକି ପଡ଼ିଥିଲେ ଔଷଧ ପଥ୍ୟର ବ୍ୟବସ୍ଥା କରି ଦେଉଥିଲେ, ନିରୁପାୟ ପିତୃମାତୃଶୂନ୍ୟ ପିଲାମାନଙ୍କୁ ଭରଣପୋଷଣ କରୁଥିଲେ। ଏବେ ରାଜ୍ୟ-ପ୍ରଜାଙ୍କର ଅନେକ ସ୍ଥଳରେ ଚିହ୍ନା ପରିଚୟ ସୁଦ୍ଧା ନଦାରଦ। ଏବେ ଜମିଦାର ପ୍ରଜାଠାରୁ ଖଜଣା ଗଣ୍ଡାକ ନେଇ ମାଲଗୁଜାରୀ ପଇଠ କରି ଦେଇ ମାଲିକାନା-ଲଫାତକ ନେଇ ଆପଣା ଅୟସରେ ଖରଚ କରୁଅଛନ୍ତି ଓ ଜମିଦାର ପ୍ରଜାକୁ ପାଟି ଫିଟାଇଲେ ସେ ଯାଇ ଖଣ୍ଡେ ଦରଖାସ୍ତ ଧରି କଚେରିରେ ହାଜର।

ଆଧୁନିକ ସଭ୍ୟତାର ଏ ଯେଉଁ ଗତି ହେଉଅଛି, ସେଇଟା ଭଲ ଆଡ଼କୁ କି ମନ୍ଦ ଆଡ଼କୁ, ତାହା ଭଗବାନ ଜାଣନ୍ତି। ତା’ପରେ ଆଧୁନିକ ସଭ୍ୟତା ଲୋକଙ୍କୁ ଶିଖାଇଅଛି – Division of Labour ବା କାର୍ଯ୍ୟ ବିଭାଗ। ଏଥିରେ ଅର୍ଥ ଏହି କି, ସମସ୍ତେ ସବୁ କାର୍ଯ୍ୟ ନ କରି ଜଣେ ଜଣେ ଲୋକ ଏକ ଜାତିର କାମ କରିବେ। ଉଦାହରଣ ସ୍ୱରୂପ-ଯେ ସୂତା କାଟିବ, ସେ ଲୁଗା ବୁଣିବ ନାହିଁ; ଯେ ଲୁଗା ବୁଣିବ, ସେ ଦାଣ୍ଡରେ ଲୁଗା ବିକିବ ନାହିଁ। ଏଥିରେ ସୁବିଧା ଏହିକି, ଜଣେ ମନୁଷ୍ୟ ଗୋଟିଏ କାମରେ ଦିନରାତି ମନ ଦେଲେ ସେ ବିଭାଗରେ ସେ ପାରଙ୍ଗମ, ବିଚକ୍ଷଣ ଓ ଅନୁଭବୀ ହେବ। ଫଳତଃ ସେ କାର୍ଯ୍ୟ ଅପେକ୍ଷାକୃତ କୌଶଳ ଓ କୃତିତ୍ୱ ଦ୍ୱାରା ସମ୍ପନ୍ନ ହେବ-ଏପରି ଗୋଟିଏ ଗୋଟିଏ କାର୍ଯ୍ୟରେ ଯେଉଁମାନେ କୃତିତ୍ୱ ଲାଭ କରନ୍ତି, ସେମାନଙ୍କୁ ଓସ୍ତାଦ୍‌ ବୋଲାଯାଏ, କିନ୍ତୁ ଏଥିରେ ମଧ୍ୟ ଅସୁବିଧାର ମାତ୍ରା କମ ନୁହେଁ। ଏ specialist(ଓସ୍ତାତ୍‌) ତାଙ୍କ ଆଦରିଥିବା କର୍ମ ଛଡ଼ା ଅନ୍ୟ କର୍ମମାନ ଅନଭ୍ୟାସ ଯୋଗୁଁ ବିବାକ ପାଶୋରି ପକାନ୍ତି। ଫଳତଃ କୌଣସି ଅନୁଷ୍ଠାନ ସାଙ୍ଗୋପାଙ୍ଗ କଲାବେଳକୁ ଓସ୍ତାଦ୍‌ ପଣେ ଖଣ୍ଡେ ଲୋଡ଼ା ହୁଅନ୍ତି। ଏଥିରେ ପରମୁଖାପେକ୍ଷିତା ଅତ୍ୟଧିକ ବଢ଼ିଯାଏ।

ତା’ପରେ ଆଉ ଗୋଟିଏ କଥା-ପୂର୍ବେ ଭାରତରେ ଯେଉଁ ଜାତି ବିଭାଗ ହୋଇଥିଲା, ତାହା ଗୁଣକର୍ମ ବିଭାଗ ଅନୁସାରେ ହୋଇଥିଲା- ଯେ ଯେଉଁ ବଂଶରେ ଜନ୍ମଗ୍ରହଣ କରୁଥିଲା, ସେ ବ୍ୟକ୍ତି ଆଜନ୍ମ ସେହି ବଂଶାନୁଗତ କାର୍ଯ୍ୟ କରୁଥିଲା ଓ ଫଳତଃ ବଂଶାନୁଗତ ଅନୁଧାବନ ଅନୁଚିନ୍ତା ଓ ଅନୁଭବ ଦ୍ୱାରା କାର୍ଯ୍ୟ ରୀତି ଉନ୍ନତି ଲାଭ କରୁଥିଲା ଓ ସେ ବ୍ୟବସାୟରେ ଉନ୍ନତିର ଗୁପ୍ତ ରହସ୍ୟମାନ ସେହି ବଂଶରେ ଲୋକମାନେ ଉତ୍ତମରୂପେ ସାଧ୍ୟାୟତ୍ତ କରି ପାରୁଥିଲେ। ଆଧୁନିକ ସଭ୍ୟତା ଏ ଜାତି ବିଭାଗକୁ ସମୂଳେ ଉତ୍ପାଟନ କରିଦେଇ ‘ବାର ଜାତି ତେର ଗୋଲା’ଙ୍କୁ ଏକ ନୂଆପ୍ରକାର ଘାଣ୍ଟ ତିଅଣ କରିଦେଲା। ବର୍ତ୍ତମାନ କୌଣସି କାର୍ଯ୍ୟକ୍ଷେତ୍ରକୁ ଯାଅ (କଚେରି, କଳକାରଖାନା, ରେଳ, ବିଚାରାସନ, ବାରିକ, ମିସ୍ତ୍ରୀ) ଦେଖିବ, ସେଥିରେ ବ୍ରାହ୍ମଣ, ବୈଷ୍ଣବ, ତେଲି, ତାମିଲି, ତନ୍ତି, ତୁଳାଭିଣା, କରଣ, ଖଣ୍ଡାୟତ, କେଉଟ, ଗୁଡ଼ିଆ, ବାଉରି, କଣ୍ଡରା, ଗଉଡ଼, ଭଣ୍ଡାରି, ବଢ଼େଇ, କମାର, ସମସ୍ତଙ୍କର ଅବାଧ ଗତି ଓ ପ୍ରବେଶ। ତେଲୀ ତା’ ଘଣାକୁ ଭୁଲି ସାରିଲାଣି, ତନ୍ତି ତା’ ତନ୍ତକୁ ପାସୋରି ଦେଲାଣି, ଗଉଡ଼ ଗାଈକୁ ଦୁହିଁ ପାରୁନାହିଁ ଇତ୍ୟାଦି ଇତ୍ୟାଦି।

ସମସ୍ତେ ଏହି ‘ଚାହିକିଚିକା’ରେ ଲାଗି ଘର ଛାଡ଼ି, ଗାଁ ଛାଡ଼ି, ଆପଣା ସହଜ କର୍ମ ଓ ବଂଶଗତ ଏବଂ ଜାତିଗତ ବ୍ୟବସାୟ ଛାଡ଼ି ଧନ ଅର୍ଜିବା ପାଇଁ ସହରରେ ରୁଣ୍ଡ ହୋଇ ଏ ଅଢ଼େଇ ଦିନିଆ ହରିଲୁଟରେ, ଏ ମେଣ୍ଢା-ଲଢ଼େଇରେ ଲାଗିଛନ୍ତି। ଆଧୁନିକ ସଭ୍ୟତାର ଏ ଲକ୍ଷଣଟା ସୁଲକ୍ଷଣ କି କୁଲକ୍ଷଣ, ତାହା ସେହି ଭଗବାନଙ୍କୁ ଗୋଚର। କିନ୍ତୁ ମତେ ଏ ସବୁ ଅଡ଼ୁଆତଡ଼ୁଆ ଲାଗୁଅଛି।

ଗତ ୫ ବର୍ଷର ମହାସମରଜନିତ ଓ ସମରାନ୍ତ ଅନୁଭବରୁ ମୁଁ ଏତିକି ଉପଲବ୍ଧି କରି ପାଇଅଛି ଯେ, ପାଶ୍ଚାତ୍ୟ ସଭ୍ୟତାର ଚାକଚକ୍ୟ ଅଚିରସ୍ଥାୟୀ ଓ ଟିକିଏ ସାମାନ୍ୟ ଦୈବୀ ଘଟଣା ବା ଅନିୟମ ବା କୋଡ଼ମାଡ଼ ହେଲା ମାତ୍ରକେ ଏ ସଭ୍ୟତାର ସ୍ବର୍ଣ୍ଣମୟୀ ଲଙ୍କାରେ ଏକା ଘଡ଼ିକେ କଳାକନା ବୁଲିଯିବ। ବର୍ତ୍ତମାନ ଦେଖାଗଲା ଯେ, ପାଶ୍ଚତ୍ୟ-ସଭ୍ୟତାଭିମାନୀ ଜାତିମାନେ ମନୁଷ୍ୟର ଆଦିମ ବନ୍ୟ ସ୍ୱଭାବ, ବର୍ବର ପ୍ରକୃତି, ପରଧନଲିପ୍ସା, ଲୋଭ, କାମୁକତା, ପରିଶ୍ରୀକାତରତା ଆଦି କିଛି ଛାଡ଼ି ନାହାନ୍ତି; କେବଳ ଏ ସବୁକୁ ଗୋଟାଏ କାଚ ଢାଙ୍କୁଣୀରେ ଘୋଡ଼ାଇ ପକାଇ ଅଢ଼େଇ ଦିନ ସକାଶେ ଚାପି ରଖିଅଛନ୍ତି ମାତ୍ର। ଖଣ୍ଡିଏ ଟେକା ବାଜିବା ମାତ୍ରକେ ସେ କାଚଘୋଡ଼ଣୀଟିି ଶତଧା ଭାଙ୍ଗି ଯାଉଅଛି ଓ ସେହି ଆବରଣ ଭିତରୁ ହିଂସ୍ର, ଘାତୁକ, ଭୀଷଣ ଜୀବମାନେ ବାହାରି ଜଗତକୁ ରକ୍ତାକ୍ତ ଓ ବ୍ୟତିବ୍ୟସ୍ତ କରି ପକାଉ ଅଛନ୍ତି।

ଏ ସଭ୍ୟତା ମତେ ‘କଳଘଣ୍ଟା’ର ଆଦର ଶିଖାଇଲା, କଳଘଣ୍ଟା ନହେଲେ ଏବେ ମୋର ଦଣ୍ଡେ ଚଳିବ ନାହିଁ। କିନ୍ତୁ କଳଘଣ୍ଟା କିପରି ତିଆରି ହେବ, ଦମ୍‌ ଦିଆଯିବ ଓ ମରାମତ ହେବ, ସେତକ ମୁଁ ଶିଖିପାରିଲି ନାହିଁ। ଯେଉଁ ସଭ୍ୟତା ମତେ ଅଭାବଗ୍ରସ୍ତ, ପରମୁଖାପେକ୍ଷୀ ଓ ସର୍ବଦା ଶାନ୍ତିବିରହିତ କରାଇଲା, ଅଥଚ ଏ ଅଭାବମାନ ପୂରଣ କରିବାକୁ ମତେ ଉପଯୁକ୍ତ ବା କୃତି କରାଇ ନ ପାରିଲା, ସେପରି ସଭ୍ୟତା ପ୍ରତି ମୋର ଆନ୍ତରିକ ଭକ୍ତି ନାହିଁ। ମଫସଲରେ ରହି ଚାଷବାସ କରି ଚିରଦିନ ମୁଠିଏ ଖାଇ ଖଣ୍ଡେ ପିନ୍ଧି ସୁସ୍ଥ ଶରୀରରେ କାଳ କାଟିବା ଭଲ, କି ସହରକୁ ଆସି ଅଢ଼େଇ ଦିନ ବ୍ୟବସାୟରେ ମାତି କ୍ରୋଡ଼ପତି ହୋଇ ‘କାକସ୍ନାନ, ଗଧଭୋଜନ, କୁକୁରଧାଉଡ଼ି’ କରି ଦେହକୁ ବ୍ୟାଧି ଓ ଚିନ୍ତାର ମନ୍ଦିର କରି, କାଲି ଦେବାଳିଆ ଉଠି ‘ଭିକ୍ଷାଦେହି’ କରିବା ଶ୍ରେୟସ୍କର, ତାହା ଚିନ୍ତା କରିବା ସମସ୍ତଙ୍କର ଉଚିତ୍‌।

ଆଧୁନିକ ସଭ୍ୟତାର ଭକ୍ତମାନଙ୍କର କ୍ରମଶଃ ତହିଁରୁ ଭକ୍ତି କମି ଯାଉଅଛି। ଏ ଯେଉଁ ହଟ୍ଟଗୋଳ, ସଭାସମିତି, କାଗଜ କଲମରେ ଲେଖାଲେଖି, ଆନ୍ଦୋଳନ, ଆସ୍ଫାଳନ, ଆଲୋଡ଼ନ, ସଂସାରଯାକ ଲାଗିଅଛି, ଏଥିର ଫଳରେ ଯେବେ ମନୁଷ୍ୟ ଶାନ୍ତି ଭୋଗ ନ କଲା, ସୁଖ ଭୋଗ ନ କଲା, ମୁଠାଏ ପେଟ ପୂରାକରି ଖାଇବାକୁ ଓ ଖଣ୍ଡେ ପିଠି ଘୋଡ଼େଇ ପିନ୍ଧିବାକୁ ଓ ଘଡ଼ିଏ ନିଶ୍ଚିନ୍ତ ହୋଇ ବସିବାକୁ ନ ପାଇଲା, ଯେବେ ଦିନକୁ ଦିନ ଅଭାବ ଅସୁବିଧା ବଢ଼ିଲା, ତେବେ ଏପରି ସଭ୍ୟତାକୁ ମୋର ଦୂରରୁ ଜୁହାର। ବର୍ତ୍ତମାନ ଅଧିକାଂଶ ଜାଗାରେ ମୁଁ ଦେଖୁଅଛି ଯେ, ସମସ୍ତେ ହାତ ସାଫିଆନା ଦେଖାଇବାରେ ବ୍ୟସ୍ତ, ଥାଟ ସଜାଡ଼ିବାରେ ବ୍ୟସ୍ତ, କାଗଜ କଲମ ଦୋରସ୍ତ ରଖିବାରେ ବ୍ୟସ୍ତ। ଭିତରେ ଯାହା ଇଚ୍ଛା ତାହା ଥାଉ, ଯେବେ ଶିଶିଟି ଛିଟକନାରେ ଗୁଡ଼ିଆ ହୋଇ ଚକଚକିଆ ଘୋଡ଼ଣୀ ଭିତରେ ରହି ଦୋକାନରେ ସଜାଇ ରଖାଯିବ, ତେବେ ଲୋକେ ସେହି ଛାପଚିକଣିଆ ଚେହେରା ଦେଖି, ସେ ଶିଶିଟି ନେବେ, ଭିତରେ ବାସନା କେରୋସିନିି ତେଲ ଥାଉପଛକେ ଚିନ୍ତା ନାହିଁ। ଏହିସବୁ ବାହାରର ଲୋକଭୁଲାଣିଆ ଢଙ୍ଗରେ ଯେଉଁ ସଭ୍ୟତାର ଛାଞ୍ଚ ଗଢ଼ା ହେଉଅଛି, ତାହାର କରାମତ ବେଶି ଦିନର ନୁହେଁ। ମୋର ବିଶ୍ୱାସ ଯେ, ବର୍ତ୍ତମାନ ସଭ୍ୟତା ବାହାରର ଚାକଚକ୍ୟ ଆଡ଼କୁ, କପଟାଚାରିତା ଆଡ଼କୁ, ପରମୁଖାପେକ୍ଷିତା ଆଡ଼କୁ ଗତି କରୁଅଛି। ଏ ସ୍ରୋତ ବନ୍ଦ ନ ହେବାଯାକେ ସଭ୍ୟ ଜଗତର ରକ୍ଷା ନାହିଁ। ଆମେ ସମସ୍ତେ ସେହି ସୁଅରେ ଭାସୁଥାଉଁ। ଏ ଅବସ୍ଥାରେ ପରିବର୍ତ୍ତନ ନ ହେବା ପର୍ଯ୍ୟନ୍ତ ଆମର ଥଳକୂଳ କିଛି ଠିକଣା ନାହିଁ, କି ନ ହେବ। ଆଜି ଥାଉ।
-୦-

ଏହି ଲେଖାଟି ପ୍ରଥମେ ସେତେବେଳର ପରିଚିତ ସାହିତ୍ୟ ପତ୍ରିକା ‘ଉତ୍କଳ ସାହିତ୍ୟ’ର ୨୪ଶ ଭାଗ-୫ମ/୬ଷ୍ଠ ସଂଖ୍ୟାରେ ୧୩୨୭/୧୩୨୮ ସାଲରେ ପ୍ରକାଶିତ ହୋଇଥିଲା। ଏହି ଲେଖାଟି ପ୍ରାୟ ୧୨୦ ବର୍ଷ ପୂର୍ବେ ଲେଖାଯାଇଥିଲେ ମଧ୍ୟ ସାମ୍ପ୍ରତିକ ସମୟରେ ଏହାର ପ୍ରାସଙ୍ଗିକତା ରହିଛି।