୫. ‘ବର୍ଗ୍ୟ ବ’ ‘ଅବର୍ଗ୍ୟ ବ’ ର ଉଚ୍ଚାରଣ ପୃଥକ୍‌ ଥିବା ସ୍ଥଳରେ ଆମ୍ଭେମାନେ ଏହି ପାର୍ଥକ୍ୟ ରକ୍ଷା କରୁ ନଥିବାର ଦେଖାଯାଏ। ସଂସ୍କୃତରେ ‘ବାଣ’, ‘ବାଳକ’ ଆଦି ଶବ୍ଦରେ ଥିବା ‘ବର୍ଗ୍ୟ ବ’ ର ଉଚ୍ଚାରଣ ‘ବାକ୍ୟ’, ‘ବାୟୁ’ ଆଦି ଶବ୍ଦରେ ଥିବା ଅବର୍ଗ୍ୟ ବ-ର ଉଚ୍ଚାରଣଠାରୁ ସ୍ୱତନ୍ତ୍ର ହେଲେହେଁ ଓଡ଼ିଆରେ ଆମ୍ଭେମାନେ ଏ ଦୁଇ ‘ବ’ ର ଏକ ବର୍ଗ୍ୟ ‘ବ’ ଉଚ୍ଚାରଣ କରି ଆସିଥାଇଁ।

ଓଡ଼ିଆରେ ବ୍ୟବହୃତ ସଂସ୍କୃତ ଓ ସଂସ୍କୃତମୂଳକ ଶବ୍ଦମାନଙ୍କରେ ଥିବା ବର୍ଗ୍ୟ ଓ ଅବର୍ଗ୍ୟ ବ କୁ ଅମେ ବର୍ଗ୍ୟ ବ ଉଚ୍ଚାରଣ କରୁଥାଉଁ। ତଥାପି ଓଡ଼ିଆ ଭାଷା ‘ଅବର୍ଗ୍ୟ ବ’ ର ସ୍ୱତନ୍ତ୍ର ଆବଶ୍ୟକତାରୁ ତ୍ରାହି ପାଇ ନାହିଁ। ଦେଶଜ ଓଉ। ସଂସ୍କୃତ ଉଦ୍ଦାଳକ, ବହୁବାର; ଲାଟିନ Cordia myxa Cordia Latifalia କୁ କେହି କେହି ଉଆଉ, କେହି କେହି ୱାଉ ବୋଲି ଲେଖନ୍ତି ଓ ଉଚ୍ଚାରଣ କରନ୍ତି। ଇଂରାଜୀ, ଫାର୍ସୀ, ଆରବୀ ଭାଷାରୁ ଆଗତ ‘ଅବର୍ଗ୍ୟ ବ’ ଯୁକ୍ତ ଶବ୍ଦରେ ଥିବା ‘ଅର୍ବଗ୍ୟ ବ’- କୁ ଲେଖକ ଓ ମୁଦ୍ରାକରମାନେ ‘ୱ’ ବା ‘ୱ୍ୟ’ ରୂପେ ଚିହ୍ନିତ କରନ୍ତି; କିନ୍ତୁ ସ୍ୱରବର୍ଣ୍ଣ (ଓ) ରେ ବ ଫଳା ବା ଯ ଫଳା ଲଗାଇବା ବ୍ୟାକରଣ ବିଶୁଦ୍ଧ ଥିବାରୁ କେହି କେହି ଅବର୍ଗ୍ୟ ବ କୁ ‘ଉଅ’ ରୂପେ ଲେଖନ୍ତି, ଯଥା-ୱାଚ୍‌, ଉଆଚ୍‌; ବେୱା, ବେୱ୍ୟା, ବେଉଆ; ୱାରଣ୍ଟ, ଓୟାରଣ୍ଟ, ଉଆରଣ୍ଟ। କବିବର ରାଧାନାଥ ଇଂରାଜୀ warrant ଶବ୍ଦରୁ ‘ବାରେଣ୍ଟି’ କରିଅଛନ୍ତି। ଫାର୍ସୀ ୱକିଲ ଶବ୍ଦ ଓଡ଼ିଆରେ ଓକିଲ ରୂପ ଧାରଣ କରିଅଛି।

ଯା ହେଉ, ଅବର୍ଗ୍ୟ ବ କୁ ଗୋଟିଏ ସ୍ୱତନ୍ତ୍ର ଉଚ୍ଚାରଣବିଶିଷ୍ଟ ଅକ୍ଷର ରୂପେ ବର୍ଣ୍ଣମାଳାରେ ରଖିବା ଓଡ଼ିଆ ଭାଷା ପକ୍ଷରେ ପ୍ରୟୋଜନୀୟ ହୋଇପଡ଼ିଅଛି। କିନ୍ତୁ ଏହି ଦୁଇ ବର୍ଣ୍ଣପାଇଁ ଓଡ଼ିଆରେ ପୃଥକ୍‌ ଅକ୍ଷର ନାହିଁ। ସଂସ୍କୃତରେ ଓ ହିନ୍ଦୀରେ ‘ବର୍ଗ୍ୟ ବ’ କୁ ଓ ‘ଅବର୍ଗ୍ୟ ବ’ କୁ ରୂପେ ଚିହ୍ନିତ କରାଯାଏ। ବଙ୍ଗଳାରେ ପୂର୍ବେ ଏ ଦୁଇ ଅକ୍ଷର ମଧ୍ୟରେ ଲେଖାରେ ପ୍ରଭେଦ ରହୁ ନ ଥିଲା, ସମ୍ପ୍ରତି କେତେକ ଲେଖକ (ଯଥା ରାୟବାହା ଦୂର ଯୋଗେଶ ଚନ୍ଦ୍ର) ‘ବର୍ଗ୍ୟ ବ’ କୁ ‘ଏ’ ଅବର୍ଗ୍ୟ ବ କୁ ‘ଐ’ ରୂପେ ଓ କେହି କେହି (ଯଥା ଅଭିଧାନାକାର ଜ୍ଞାନେନ୍ଦ୍ର ମୋହନ) ‘ଏ’ ରୂପେ ଚିହ୍ନିତ କରୁଅଛନ୍ତି। ଗୁଜରାଟୀ ଭାଷାରେ ‘ବର୍ଗ୍ୟ ବ’ ଓ ‘ଅବର୍ଗ୍ୟ ବ’ ପାଇଁ ସ୍ୱତନ୍ତ୍ର ଦୁଇଟି ଅକ୍ଷର ଅଛି। ମରହଟ୍ଟୀ ଭାଷା ସଂସ୍କୃତ ବା ଦେବନାଗରର ରୀତି ଅନୁସରଣ କରିଅଛି।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ‘ବର୍ଗ୍ୟ ବ’ କୁ ବର୍ତ୍ତମାନ ପ୍ରଚଳିତ ‘ବ’ ପରି ରଖି ‘ଅବର୍ଗ୍ୟ ବ’, ନିମନ୍ତେ ଅଧୁନା ବ୍ୟବହୃତ ‘ଓ-ରେ’ ‘ବ’-ଫଳାର ଅନୁକରଣରେ ଓ ଅକ୍ଷରର ରୀତି ଆରବ୍ଧ କରା ହୋଇଅଛି। ଜୟପୁରର ରାଜା ସାହିତ୍ୟସମ୍ରାଟ ଶ୍ରୀ ବିକ୍ରମ ଦେବ ବର୍ମା ‘ଅବର୍ଗ୍ୟ ବ’ କୁ ‘ବ’ (ପେଟ କୀଳା ତଳପୁଡ଼ା) ରୂପେ ଚିହ୍ନିତ କରୁଅଛନ୍ତି। ରାଜା ବିକ୍ରମ ଦେବଙ୍କ ବ୍ୟବହାରର ପୋଷକତାରେ କରଣୀ ଲେଖାରେ ‘ବ’ ଅକ୍ଷର ରୂପେ ଲେଖା ହେଉଥିବାର ନଜିର ଅଛି। ଯା ହେଉ, ବର୍ଗ୍ୟ ଓ ଅବର୍ଗ୍ୟ ‘ବ’-ର ପ୍ରଭେଦଜ୍ଞାପକ ଚିହ୍ନ ଓଡ଼ିଆ ଭାଷାରେ ଚଳିବା ଆବଶ୍ୟକ ବୋଲି ମୁଁ ସାହିତ୍ୟିକମାନଙ୍କଠାରେ ଏ ପ୍ରସଙ୍ଗ ଉତ୍ଥାପନ କରୁଅଛି। ଏ ପ୍ରସଙ୍ଗ ନବ ଭାରତର ସମ୍ପାଦକଙ୍କ ନେତୃତ୍ୱରେ ସାହିତ୍ୟ କ୍ଷେତ୍ରରେ ସମ୍ୟକ୍‌ ଆଲୋଚିତ ଓ ଆଲୋଡ଼ିତ ହେଉ ଓ ଏ ସମ୍ବନ୍ଧେ ବହୁବାର ସମ୍ମତ ପଦ୍ଧତି ଭାଷାରେ ସ୍ଥାନ ପାଉ।
-୦-
ଉକ୍ତ ଲେଖାଟି ବିଦ୍ୟାପୁରୀ ପ୍ରକାଶନ ସଂସ୍ଥା ଦ୍ୱାରା ଗୌରାଙ୍ଗ ଚରଣ ଦାଶଙ୍କ ସମ୍ପାଦନାରେ ୨୦୦୫ ମସିହାରେ ପ୍ରକାଶିତ ଗୋପାଳ ଚନ୍ଦ୍ର ପ୍ରହରାଜ ଗ୍ରନ୍ଥାବଳୀ-୩ୟ ଭାଗ ପୁସ୍ତକରୁ ସଂଗୃହୀତ।

ଏହି ଲେଖାଟି ପ୍ରଥମେ ୧୯୩୪ ମସିହାରେ ପଣ୍ଡିତ ନୀଲକଣ୍ଠ ଦାସଙ୍କ ସମ୍ପାଦନାରେ ପ୍ରକାଶିତ ‘ନବଭାରତ’ ସାହିତ୍ୟ ପତ୍ରିକାର ପ୍ରଥମ ବର୍ଷ ଚତୁର୍ଥ ସଂଖ୍ୟାରେ ପ୍ରକାଶ ପାଇଥିଲା।

Pages: 1 2