ସଉରି ପାଇକରାୟ ସେମିତି ଖୁଣ୍ଟଟା ପରି ବସିଛି। ହୁଙ୍କୁ ନାହିଁ କି ଚଙ୍କୁ ନାହିଁ। ଗଲା ଦୁଇତିନି ଦିନ ହବ ଅନବରତ ଝଡ଼ି ବରଷା ଗାଜି ଦେଇ ଯାଉଛି। ଭୋଦୁଅ ମାସ ଶେଷ ମୁଣ୍ଡରେ ଧାରା ଶ୍ରାବଣ ଅଜାଡ଼ି ପଡ଼ିଲା। କି ଅକାଳ କଥା! ଦାଣ୍ଡରେ ସୁଅ ଚାଲିଛି। ପୁରୁଣା ଦରମଲା ତାଳଗଛଟାଏ ତଳଆଡୁ ଫାମ୍ପଡ଼ା ଧରିଥିଲା କି କ’ଣ?, ଗଡ଼ି ପଡ଼ିଲା। ତା’ରି ଉପରେ ବାୟା ଚଢ଼େଇ ବସା, ବାଆ କଲେ ଦୋହଲୁଥାଏ, ଆଜି ତଳେ ପଡ଼ିଛି ଛିନ୍‌ଛତର୍‌। ଅଣ୍ଡା କେଇଟି ଛତୁ ହୋଇଯାଇଛି। ଚଡ଼କ ପଡ଼ି ମିଶ୍ରଘର ନଡ଼ିଆ ଗଛଟାଏ ଜଳିଗଲା। ବୁଢ଼ା ପାଇକରା ଖୁଣ୍ଟଟା ପରି ଚାହିଁଛି। ଦମ୍ଭିଲା ବୁଢ଼ା। ବୟସ ଷାଠିଏ କି ପଇଁଷଠି ହେବ। ବୁଢ଼ା ଏବେ ବି ମଜଭୁତ୍‌ ଅଛି।

‘ଏମିତି ଝଡ଼ କାହିଁ ଦେଖା ନଥିଲା ସାନ୍ତେ।’ ସଦେଇ, ପଖିଆ ମୁଣ୍ଡରେ ପକେଇ କହି କହି ଯାଉଥାଏ।
‘ହଁ ଦକ୍ଷିଣା ପକେଇଲାଣି। ବ୍ରାହ୍ମଣ, ବରଷା, ବଢ଼ି କୁଆଡ଼େ ଛାଡ଼ି ପଳେଇବ।’

‘ଆମ ସାହିରେ ଗଉରା, ଚେମା, ସଇତାଙ୍କ ଘର କାନ୍ଥ ସବୁ ପଡ଼ିଗଲା।-ଏ ଯେଉଁ ତୁଫାନ୍‌ ପିଟୁଛି।’ ଧରମୁ ଜେନା କହିଗଲା।

ଯାଉ! ଏମିତି କେତେ ଯିବ। ପୁଣି ନୂଆ ତୋଳେଇ ନେବେ। କି ଘର ଯେ, କ’ଣ ଘରକୁ ଲେଖା? ଏକା ଦିନକେ ମନ କଲେ ଦି’ ଦି’ଟା ଘର ଠିଆ ହୋଇଯିବ।

ଘର ତ ସଉରି ପାଇକରାର ଘର, ଯାହାକୁ କହନ୍ତି ଘର। ଦଶ ପାଞ୍ଚଟା ଗାଁରେ ଏମିତି ଘର ଖଣ୍ଡେ କାହାରି ନଥିବ। ବାପ ଦାଦି ସପତ ସପତାଣି ଭୋଗ କଲେଣି, ଏଇ ଡିହ ଖଣ୍ଡିକ। ତା’ରି ଉପରେ କେତେଥର କାନ୍ଥ ଉଠିବଣି, କେତେ ବର୍ଷ ପରେ ବର୍ଷ ଅସୁମାରି ଛାଉଣି ସରିବଣି, କୋଉ ଅମଳରୁ କିଏ କହିବ? ଏଇ ବର୍ଷ ସଉରି ଇଟା ପକେଇ ପକାକାନ୍ଥ ଉଠେଇଛି। ରୋଜ୍‌ଗାରିଆ ପୁଅ। ତା’ର କ’ଣ ହବ? କିଛି ହବ ନାହିଁ। ଗାଁଟାଯାକ ଭାସିଗଲେ ବି ସେ ଥିବ, ବି ତା’ ଘର ଥିବ।

ନୂଆଘରର ନିଅଁ ଦେଲାବେଳେ ପୁଅର ମନ ମାନିଲା ନାହିଁ, ପୁରୁଣା ଖଞ୍ଜାରେ। ପଇସା ତ ତା’ରି। ପୁଅ କଥା ରହିଲା। ଘରଟାଏ ତୋଳାଗଲା ‘ବଙ୍ଗ୍‌ଲୋ ପ୍ୟାଟର୍ଣ୍ଣ’ ରେ। ବୁଢ଼ାର ମନ ରଖିବା ପାଇଁ ଛଟପଟ ପାରିଛିତ୍‌ଟାଏ ବୁଲି ଆସିଲା ଖାଲି- ଆବୁରୁ ରହିବ, ମାଇପେ ଚଳପରଚଳ ହେବେ।

ମାଟି ଘର ଯାଇ ପକ୍କା ଘର ହେଇଛି। ହେଲେ ଛଣ ଛିଆଣି। ଯୋଉ ଛପରକୁ ସେଇ ଛପର। ଛୋଟ ଛୋଟ ଘରଗୁଡ଼ାକ ଫଇଲାତ୍‌ ହେଉଛି। ଖାଲି ଯାହା ଭାଗବତ ଗାଦିଟା ଏଡ଼େ ବଡ଼ ଗୋଟାଏ ଘର ମାଡ଼ି ବସିଥିଲା, ତା ପାଇଁକି ଛୋଟ ଚୋର କୋଠରୀଟିଏ ହେଇଛି ପକ୍କାରେ। ଖରାତରା ପାଣି ପବନରୁ ଫାରିକିତି।
ବୁଢ଼ା ମନେ ମନେ ମାଟି ଘରକୁ ଉଠି ଠାକୁରେ ପକାଘରେ ରହିଲେ-ଏଣିକି ତାଙ୍କ କଥା ସେ ଜାଣନ୍ତି। ପୁଅ ମନେ ମନେ ଏଡ଼େ ବଡ଼ ଘରଟା ଅକାରଣେ ପୁରୁଣା ଉଇଖିଆ ତାଳପତ୍ରଗୁଡ଼ାକ ମାଡ଼ି ବସିଥିଲା- ଅସନା ଅବର୍ଯ୍ୟାରୁ ରକ୍ଷା ମିଳିଲା।

ଘର ବଢ଼ିଲା, ଘରକରଣା ବି ବଢ଼ିଲା, ତା’ ସାଙ୍ଗରେ ମାଟି କାନ୍ଥର ଛୋଟ ଠଣାଟି ମଧ୍ୟ ବଢ଼ି ବଢ଼ି ବିଶାଳ କାନ୍ଥ ଆଲମାରିର ରୂପ ନେଇଛି।

ବୁଢ଼ୀ ଥାଆନ୍ତେ, ଯାବତ ଦିଅଁ ଦେଉଣୀଙ୍କ ଧଣ୍ଡା ତୁଳସୀ ଏକାକାର ହେଇ ପଡ଼ିଥାଏ ତା’ରି ଭିତରେ କାଇଞ୍ଚ ପେଡ଼ିଟିରେ। ଜର ନୂଆର, ଝାଡ଼ାଝପକା, ବାନ୍ତିଉଚ୍ଛଳା, ନଅନୁଆଣୀଠାରୁ ଆରମ୍ଭ କରି ଛୁଆଛଁଅସ୍ତା; ଚିଆଁ ଚମକା ସବୁଥିରେ ଧଣ୍ଡା ପାଣି ଟିକିଏ। ତା’ ସାଙ୍ଗରେ ମୁଣ୍ଡିଆ ଆଉ ମାନସିକ।

ବୁଢ଼ୀ ନାହିଁ। ବୁଢ଼ୀ ଯିବାର ଆଜିକି ଦଶ ବର୍ଷ ହେଲାଣି, ତା’ ସାଙ୍ଗେ ସାଙ୍ଗେ ସେ ପେଡ଼ି ପେଟରା ବି ଯାଇଛି। ଶେଷରେ ଠଣାଟା ବି ଗଲା। କାନ୍ଥ ଆଲମାରିରେ ଅଛି- କୁଇନାଇନ୍‌, କର୍ପୂରାରିଷ୍ଟ; ଟିଞ୍ଚ୍‌ର ଆୟୋଡିନ୍‌, ତୁଳା, ବ୍ୟାଣ୍ଡେଜ୍‌, ସଲଫାଗୁଆନଡ଼ିନ୍‌, ଏକୁଆ ସାଇକଟିସ୍‌ ଓ ପିପରମେଣ୍ଟ ସାଙ୍ଗକୁ ଅମୃତାଞ୍ଜନ। ଏତକ ପୁଅ ଦେଇ ପଠେଇଛି। ରୋଗ ବାଧିକାରେ କାମରେ ଆସିବ। ଗାଁ ଯାକ ସମସ୍ତେ ଅନେଇ ବସିଥାନ୍ତି ସେଇ ଆଲମାରିକି।

କିଏ ଆସି କହିଲା-‘ସଉରାଇ, ଏଥର ମାଳିକା ଫଳିଲା। ଘାଇ ଭାଙ୍ଗିବ, ବଉଳା କୁମ୍ଭୀର ଯିବ ଠାକୁରାଣୀ ଦର୍ଶନକୁ। ପାଣି ଅଠେଇଶି ଫୁଟ ହେଲା। ବନ୍ଧରେ ଘଳି ଫୁଟିଲାଣି ବୋଲି ରଥିଆ ଦେଖି ଆସି କହୁଛି।’

ବୁଢ଼ା ସଉରା ହସିଦେଲା। କହିଲା-ଯାଆରେ ଯା, ଏମନ୍ତ ଘାଇ ଭାଙ୍ଗିବ। ଆମ ସରକାର କ’ଣ ମିଛେରେ ବସିଛନ୍ତି-ଏଡ଼େ ଏଡ଼େ ଇଞ୍ଜିନିୟରମାନେ ଗୁନା କୁମ୍ପାସ ଯେ ମାପୁଛନ୍ତି- ଖାଲି ମାହାଳିଆ?

ବୁଢ଼ା ସଉରିର କିନ୍ତୁ ଛାତି ଟିକିଏ ଦବିଗଲା। ଘରଟାକୁ ଚାହିଁଲା। ନାଃ, ଗାଁଯାକ ଭାସିଯିବ ପଛେ, ଏ ଘର ଭାଙ୍ଗିବ ନାହିଁ।

ଖୁବ୍‌ ଜୋର୍‌ରେ ଗୋଟାଏ ତୁଫାନ୍‌ ପିଟିଦେଲା। ବୁଢ଼ା ଉଠିପଡ଼ିଲା। ପୁଣି ମନକୁ କ’ଣ ଭାବି ବସିଲା।

କିଛି ଚିନ୍ତା ନାହିଁ ଯେତେ ବଢ଼ି ଆସୁ, ସଉରି ଘରେ ପାଣି ନ ପଶେ। ଏକେତ ଉଚ୍ଚ ଡିହ- ତହିଁରେ ପୁଣି ଉଚ୍ଚ ପିଣ୍ଡା। ପାଣି ପଶିବାକୁ ଲାଗେ ଦଣ୍ଡେ। ପଶିଲେ ବି ଡର ନାହିଁ, ଏ ନିଅଁକୁ ଯେତେ ବଡ଼ ବଢ଼ି ହେଉ ସହଜରେ ଟଳେଇ ପାରିବ ନାହିଁ। ଏ ବନ୍ଧ ଯିଏ ପକେଇଛି ସେ ଏମିତି ସେମିତି ଲୋକ ନୁହେଁ। ତାକୁ ମାଟି ବିଦ୍ୟା ଜଣା ଥିଲା।

ତଥାପି ବୁଢ଼ାର ଗୋଟାଏ ଦକ-ବନ୍ଧଟା ଯେଉଁ ମୁସ୍ତରରେ କୋଉଁ ପୁରୁଷକୁ ପଡ଼ିଥିଲା- ଟିକିଏ ସେଥିରେ ହେର‌୍‌ଫେର୍‌ ହୋଇଛି-ପୁଅ ବୁଦ୍ଧିରେ। ଅଗଣାଟା ଟିକିଏନାକୁ ଦକ୍ଷିଣଶୁଳିଆ ଧରିଛି। ପହିଲୁ ବାଆଁ ପାଖକୁ ଘରଟା ଲମ୍ବ ଚଉପାଢ଼ୀ ପରି ଏବେ ଦାଣ୍ଡ ଦୁଆରର ଦୁଇ ପାଖରେ ସମାନ ସମାନ ଦି’ଟା ଘର ବୈଠକଖାନା।

ବୁଢ଼ାର ମନ ଦୁଡ଼ବୁଡ଼ିଆ ଜାଣି ପୁଅ ଗୋଟାଏ ଇଞ୍ଜିନିୟର ସାଙ୍ଗକୁ ଧରି ଆଣିଥିଲା। ସେ କେମନ୍ତେ ବିଲାତ୍‌ ଫେରତ୍‌। ବିଲାତରେ ପରା ଏଇ ଏଞ୍ଜେନର୍‌ମାନେ ପାତାଳ ଫୁଟେଇ ରାସ୍ତା କରିଛନ୍ତି-ଉପରେ ନଈ ସଡ଼କ। ଏମାନଙ୍କୁ କ’ଣ ଅଜଣା। ବର୍ଷ କେଇଟାରେ ଗୋଟାଏ ରାକ୍ଷସ ଭଳି ହାବଡ଼ା ପୋଲ ଗଢ଼ି ତିଆରି ଦେଲେ। ଏମାନେ ସାକ୍ଷାତେ ବିଶ୍ୱକର୍ମା। ତାଙ୍କ କଥା କ’ଣ ଅନ୍ୟଥା ହବ? ପୁଣି ବିଲାତରୁ ପାଠପଢ଼ି ଆସିଛନ୍ତି।

ସେଇ ସାହେବ ଏଞ୍ଜେନର୍‌ମାନେ ତ କହିଛନ୍ତି-ବନ୍ଧ କିଛି ହେବ ନାହିଁ। ଆମ ସରକାର ଥାଉଁ ଥାଉଁ କଂଗ୍ରେସ ସରକାର ଥାଉଁ ଥାଉଁ ବନ୍ଧ ଭାଙ୍ଗିବ?-କେଭେ ନୁହେଁ। ବୁଢ଼ା ଦମ୍ଭକରି ରହିଲା।
‘ଆଜ୍ଞା, ବନ୍ଧ ଯଦି ଭାଙ୍ଗେ ତେବେ ଆମ ଗାଁ’ଟା ତ ସୁଅ ମୁହଁରେ ପଡ଼ିଯିବ। ଲୋକେ ସବୁ ପଳେଇବାକୁ ଆରମ୍ଭ କଲେଣି।’ କିଏ ଜଣେ କହିଲା।

‘ହଁ-’ ବୁଢ଼ା ଓଠଟାକୁ ଲମ୍ବେଇ ଦେଇ କହିଲା- ‘ହବ ତ ହବ, ଶିଳଶିଳପୁଆ ଯଦି ଗଗନେ ଉଡ଼ିବ- ଶିମିଳି ତୁଳା କ’ଣ କହିବ- ମତେ ରଖ୍‌? ଯିବା ତ ଯିବା।’ ଏତିକିବେଳେ ମହିଆ ଚମାର ଆସି କହିଲା- ‘ବନ୍ଧ ଆଉ ଥାକିବନି ବାବୁ। ଏଞ୍ଜନର୍‌ମାନେ ସବୁ ଯନ୍ତ୍ର ନଗେଇ ଦେଖୁଛନ୍ତି। ଚାଲନ୍ତୁ, ଜୀବ ଥିଲେ ସମ୍ପତ୍ତି।’

ବୁଢ଼ା ଚିଡ଼ି ଉଠିଲା-‘ଯାଃ ଯାଃ- ଶହସ୍ର ପୁରାଣ କାଢ଼ୁଛି। ମରିବାର ଥିଲେ କେହି ବଞ୍ଚେଇ ପାରିବ ନାହିଁ; କି ବଞ୍ଚିବାର ଥିଲେ କେହି ମାରି ପାରିବ ନାହିଁ। ଯା-ଯା-ସବୁ ପଳାଇ ଯା’। ମରଣ କାଳେ ନିଦ୍ରା ଗଲେ- ଯମ କି ଛାଡ଼ିଦେବ ଭଲେ?’

ଗାଁରେ ଶଙ୍ଖ ହୁଳହୁଳୀ ଉଚ୍ଛୁଳି ପଡ଼ିଲା। ହରିବୋଲ ଶବଦରେ ଆକାଶଟା ଯିମିତି ଫାଟି ପଡ଼ୁଛି। ବୁଢ଼ା ହସିଲା। ବାରମାସିଆ ମୂଲିଆଟା କଥା ନ ଶୁଣି ଗୋରୁଗୁଡ଼ାକ ଫିଟାଇ ଦେଲା।

ନିଶବ୍ଦ ରାତି। କି ଏ ଗୋଟାଏ ହୁଡ଼ି ପକେଇ ଗଲା ‘ସରକାର ବନ୍ଧ ଉପରେ ଲାଲବତି ଜଳେଇ ଦେଇ ଗଲାଣି। ବନ୍ଧ ଭାଙ୍ଗିଲା ହୋ, ପଳେଇ ଆସ।

ବୁଢ଼ା ଚମକି ପଡ଼ିଲା। ପୁଣି ଭାବିଲା- ‘ଏଗୁଡ଼ାକ ମୂର୍ଖ। ନଈ ନଦେଖୁଣୁ ଲଙ୍ଗଳା। ଏମାନେ ବୁଡ଼ିବେ ନାହିଁ ତ ଆଉ କିଏ ବୁଡ଼ିବ। ସରକାର କହିଛନ୍ତି- ସରକାରୀ ଇଞ୍ଜିନିୟରମାନେ କହିଛନ୍ତି- ବନ୍ଧ ଭାଙ୍ଗିବ ନାହିଁ। ସମସ୍ତେ ଥୟଧର। କ’ଣ ନା-ବନ୍ଧ ଭାଙ୍ଗିଗଲା। ଭାଙ୍ଗିବା କ’ଣ ଶସ୍ତା ପଡ଼ିଛି? ଏଞ୍ଜିନର୍‌ କଥା ମିଛ ହୋଇଯିବ।’

ଘରେ ବୁଢ଼ୀ ଭାଉଜ ଆଉ ଗୋଟାଏ ନିଅଁଶୀ ତେଲୁଣୀ। ତେଲୁଣୀ ୟାଙ୍କରି ଘରେ ଖାଏ, ରହେ-ଧାନ ଉଁସାଏ, କୁଟେ, କାଣ୍ଡେ, ବାସନ ମାଜେ, କୋଳାହଳ ଶୁଣେ। ସମସ୍ତଙ୍କୁ କହୁଥାଏ- ଚିନ୍ତା ନାହିଁ, ଆମର କ’ଣ ହବ? ବିଲାତ ଫେରତ୍‌ ଏଞ୍ଜିନର କହିଛି, ଏଘର କିଛି ହବ ନାହିଁ।

‘ବନ୍ଧ ଭାଙ୍ଗିଗଲା। ତାଳଗଛ ପ୍ରମାଣରେ ପାଣି ମାଡ଼ି ଆସୁଛି-ପଳେଇ ଚାଲ-ପଳେଇ ଚାଲ। ଯିଏ ଯେଉଁଠି ଅଛ ପଳେଇ ଚାଲ।’

ବୁଢ଼ା କାନକୁ ଗୋଟେ ଗର୍ଜନ ଶୁଭିଲା। ଭାବିଲା-ତୁଫାନ-ତୁଫାନ। ମୂଲିଆଟା ଦଉଡ଼ି ଆସି କହିଲା- ‘ସତ୍ୟାନାଶ ବାବୁ, ସତ୍ୟାନାଶ। ଚାରିଆଡ଼େ ବଢ଼ି ପାଣି-ଦାଣ୍ଡରେ ସୁଅ ଛୁଟିଛି। ଆଉ ରକ୍ଷା ନାହିଁ!’ କହି ସେ ଡିଆଁଟେ ମାରିଦେଇ ଚମ୍ପଟ୍‌। ଏତେବେଳକୁ ବୁଢ଼ା ଟିକିଏ ହସିଲା। ଘର ଚାରିପଟେ ଥରେ ବୁଲି ଆସିଲା ଓ କିଛି ହବ ନାହିଁ ମୋର! ଜବର୍‌ ଘର। ଦୋତାଲା ନିଅଁ ପଡ଼ିଛି। କ’ଣ ହବ?

ଘର ଭିତରକୁ ଗଲା। ଦେଖିଲା କଂସା ବାସନ, ଗହଣାଗାଣ୍ଠି, ଲୁଗାପଟା ସବୁ ଯେମିତି ସେମିତି ଅଛି, ବଢ଼ିପାଣି ତାକୁ ଛୁଇଁ ନାହିଁକି ଛୁଇଁବ ନାହିଁ। ବନ୍ଧ ଭାଙ୍ଗି ନାହିଁ କି ଭାଙ୍ଗିବ ନାହିଁ।

ଗାଦି ଘରକୁ ଗଲା। ଚାହିଁଲା। ଧର୍ମନାବ- ଏଇ ଏକା ସତ୍ୟ! ଏ ଥାଉଁ ଥାଉଁ ବୁଢ଼ା ଘରେ ପାଣି ପଶିବ? ଅସମ୍ଭବ।

ଶୋଇଲା ଘରେ କାଚ ଆଲମାରିଟାକୁ ଚାହିଁଲା। ଅନେକ ଔଷଧ। ସବୁଦିନେ ଗାଁବାଲା ମାଗି ଆସନ୍ତି। ଆଜି ତ କେହି ଆସିନାହାନ୍ତି ମାଗି। ଏଥିରୁ କେହି ତ ବଢ଼ି ମରୁଡ଼ିରୁ ରକ୍ଷାକରି ପାରିବ ନାହିଁ। ଯଉ ଔଷଧ ଯଉଥିପାଇଁ। ରେଳଗାଡ଼ି ନାଇନ୍‌ ଉପରୁ ଟଳିବ ନାହିଁ, ଜର ଔଷଧ ଝାଡ଼ାକୁ ହବ ନାହିଁ। କିନ୍ତୁ-କିନ୍ତୁ…

ଆଜି ଅନେକ ଦିନ ପରେ ଖୁବ୍‌ ଜୋର୍‌ରେ ମନେ ପଡ଼ିଲା-ଶରତ ବୋଉ କଥା। ସେ ଥିଲେ ହୁଏତ କହିଥାନ୍ତେ- ଏହି ଧଣ୍ଡା ଟିକିଏ ପାଅ- ବିପଦ ଟଳିଯିବ।

ବୁଢ଼ା ହସିଲା। ଏଞ୍ଜେନର୍‌ମାନେ ତ କହିଛନ୍ତି କିଛି ହବନାହିଁ। ଧଣ୍ଡାଫଣ୍ଡାରୁ ଗୁଡ଼ାଏ କ’ଣ ହବ?

ବୁଢ଼ୀ ଭାଉଜ ଆସି ତନାଘନା କଲେ, ‘କ’ଣ କରୁଛ ସଉରି? ପାଣି ଯେ ଆସି ପିଣ୍ଡାକୁ ଲାଗିଲା।’

‘ଏଁ-ପିଣ୍ଡାକୁ ଲାଗିଲା?-ବାଉରିଆ କାହିଁଗଲା- ସେ ତେଲୁଣୀ ମାଇକିନିଆଟା କୁଆଡ଼େ ଗଲା?’

‘ସେ ଦୁହେଁଯାକ ପଳେଇଗଲେଣି।’

ବୁଢ଼ା ହସି ହସି କହିଲା-ପାଗଳ, ପାଗଳ! ଏଞ୍ଜେନର୍‌-ବିଲାତ୍‌ବିଲାତ୍‌ତ ଫେରତ୍‌ ଏଞ୍ଜେନର୍‌ଙ୍କ କଥା ମିଛ ହବ?

କହୁଁ କହୁଁ ପାଣି ମାଡ଼ି ଆସିଲା ପିଣ୍ଡା ଟପି ଘର ଭିତରକୁ।
‘ସଉରି!’ ବୁଢ଼ୀ ଚିତ୍କାର କରି ଉଠିଲା।

ବୁଢ଼ା ଦାଣ୍ଡକୁ ଯାଇ ବାଡ଼ିଟା ପକାଇଲା ମାପିବାକୁ-ପାଣି କେତେ? ବୁଢ଼ାର ଦଲକ ଉଠିଲା। ନିଶ୍ବାସ ଶୁଖିଗଲା- ସେଇ ଥଣ୍ଡା ପବନରେ ବି।

ବୁଢ଼ା ପୁଣି ଆସିଲା ଘର ଭିତରକୁ। ନାଃ, କିଛି ହବ ନାହିଁ। ଏ ଘରର କିଛି ହବ ନାହିଁ।ବିଲାତ୍‌ତ ଫେରତ୍‌ ଏଞ୍ଜେନର୍‌ମାନେ କହିଛନ୍ତି- ଘର ଭାଙ୍ଗିବା କ’ଣ ସହଜ ପଡ଼ିଛି?

‘ଚଢ଼ ନୂଆ’ଉ-ପିଢ଼ାକୁ ଚଢ଼।’ ବୁଢ଼ା ଖଟ ଉପରେ ଖଟ ପକେଇ ଦେଇ ବୁଢ଼ୀକି ଚଢ଼େଇ ଦେଲା ପିଢ଼ା ଉପରକୁ। ନୋଟ୍‌ ବିଡ଼ାଟା ଅଣ୍ଟାରେ ମାରି ବୁଢ଼ା ବି ଯାଇ ବସିଲା ପିଢ଼ା ଉପରେ।

ପାଣି ଆସି ଢୋ ଢୋ ବାଡ଼େଇ ହେଲା କାନ୍ଥ ଉପରେ।

ବୁଢ଼ୀ ଚିହିଡ଼ା ଛାଡ଼ୁଥାଏ-ଗଲା-ଗଲା ସବୁ ଗଲା- କିଏ କଉଠି ଅଛ ଉଦ୍ଧାର କର ହୋ-ଆମେ ଭାସିଗଲୁଁ-ଆମେ ଭାସିଗଲୁଁ।

ବୁଢ଼ା ତଥାପି କହୁଥାଏ-‘ଡର ନାହିଁ-ନୂଆଉ-ଏଘର ଏଞ୍ଜେନର୍‌ ଦେଖା ଘର-ପାଣି ମାଡ଼ରେ-ହୁଙ୍କିବ ନାହିଁ।’

ଧଡ଼ାସ୍‌କିନା କାନ୍ଥଟା ପଡ଼ିଗଲା। ଘର ଛପର ଅଲଗା ହୋଇଗଲା କାନ୍ଥଠୁ।

ଆଉ ବୁଢ଼ା ସମ୍ଭାଳି ପାରିଲା ନାହିଁ- ଭୋ-ଭୋ କାନ୍ଦି ଉଠିଲା-ନୂଆ’ଉ-ମୁଁ କ’ଣ ଜାଣିଥିଲି ୟା’ ହେବ ବୋଲି।

ଚାଳି ଖଣ୍ଡ ସୁଅରେ ଭାସି ଚାଲିଲା। ରାତି ପାହିଲାଣି କେତେବେଳୁ। ଚାରିଆଡ଼େ ଫରଚା। ଜଳରେ ଜଳାର୍ଣ୍ଣବ। ଗଛ ବୁରୁଛ କଉଠି କିମିତି ଦିଶୁଛି। ଜନମାନବ ଶୂନ୍ୟ। ବୁଢ଼ା ଦେଖିଲା ଗାଁ ମୁଣ୍ଡ ବାସୁଳେଇ ବରଗଛ ଆଗରେ। ଚାହୁଁ ଚାହୁଁ ଗୋଟାଏ ଡଅଁର ଚାଳଟାକୁ ଘୂରେଇ ଘୂରେଇ ବାଡ଼େଇ ଦେଲା ସେ ଗଛ କାଣ୍ଡରେ। ଚାଳ ଦି’ଖଣ୍ଡ ହୋଇଗଲା। ବୁଢ଼ା କୁଣ୍ଢେଇ ପକେଇଲା ଗଛକୁ। ଜାବ ପଡ଼ିଯାଇଛି। ଚେତାନାହିଁ।

ବଢ଼ି କୁଆଡ଼େ ଗଲା ସେ ଜାଣେ ନାହିଁ। ବଢ଼ି ଛାଡ଼ିଯାଇଛି। ଗଛ ଉପରୁ ବୁଢ଼ା ତଳକୁ ଆସିଛି। ଗଛ ତଳର ମା’ ବାସୁଳେଇ କେଉଁ ପାତାଳରେ ଯାଇ ପଡ଼ିଛନ୍ତି କେହି ଜାଣନ୍ତି ନାହିଁ।