ସେମାନଙ୍କ ସହିତ ଆମର ଅନେକ ଦିନରୁ ପରିଚୟ ଓ ବନ୍ଧୁତା
ଚାଟଶାଳୀ ଅବଧାନଙ୍କର ଓ ବାପାବୋଉଙ୍କ ଝାମେଲାରୁ ମୁକ୍ତିପାଇ
ଆମେ ମୁହଁସଞ୍ଜରେ ଗାଁ ଦାଣ୍ଡରେ ବୋହୁଚୋରି
ଲୁଚକାଳି ଆରମ୍ଭ କଲାବେଳକୁ
ସେମାନେ ବି ସୁର୍ଯ୍ୟଙ୍କ ଡରରେ, ଆକାଶର ହିଡ ତଳେ ବାଡ କରେ
ଲୁଚିଥିବା ଜାଗାରୁ ଖପ୍ଖାପ୍ ଡେଇଁ ଆସି
ଆକାଶର ଦାଣ୍ଡ ଆଉ ଅଗଣାରେ
ସଢେଇ ଖେଳ ଓ ଲୁଚକାଳି ଖେଳନ୍ତି
ଆଉ ଆମକୁ ଅନେଇ ଆଖି ମିଟ୍ମିଟ୍ ବି କରନ୍ତି॥
ଆମେ ତାଙ୍କ ହିସାବ ରଖିଥିଲୁ:
ଏକ ତାରା ମଣିଷ ମରା, ଦୁଇ ତାରା କତରା ଘୋରା
ତିନି, ଚାରି, ପାଞ୍ଚ, ଛଅ କାହାଣ ଓ ପଣ
ତାଳଗଛ ପାଖ ତାରା, ଆମ ବାଡି ବାଉଁଶ ସନ୍ଧିରେ,
କେଳା ସାହି ପାଖ ତାରା, ଆମ୍ବତୋଟା ଆକାଶ ଚେନାରେ
ଆମେସବୁ ଗଣିଥିଲୁ ଖଡି ଘୋଷି, ପଣିକିଆ ସବୁ ଗାଇସାରି
ଆକାଶର ଖତିଆନ୍ ବାଣ୍ଟିନେଇ ଅରା ଅରା କରି॥
ତାରା ସବୁ ତୋଳିଥିଲୁ ପେନ୍ଥା ପେନ୍ଥା ତାରା
ଆମା ବାଡିପଟ ଥୁଣ୍ଟା ଆମ୍ବଗଛେ ଚଢି
ତରାଟଫୁଲର ପରି ଚାଙ୍ଗୁଡିରେ ଭରି
ଆଙ୍କୁଡା ନଗି ବଢେଇ ପାଣିଧାରେ ରହି
ବାଛି ବାଛି ଗାଁ ଦୀଘି କଇଁଫୁଲ କଢି॥
ସିଏ ମୋର ମଲା ବୁଢୀ ମାଆ ଆଖି ସରଗରେ ଜୁଳୁଜୁଳୁ କରେ
କାଚକେନ୍ଦୁ ଦୀଘି ପାଣିସ୍ଥିର ତରଙ୍ଗର ବୁକେ
ସେଇ ଆଖି ଦର୍ପଣରେ ମୁହଁଦେଖେ ନିଶୀଥର ଗଭୀର ଅନ୍ଧାରେ
ଥର ଥର କମ୍ପନରେ ଲୁହଝରେ ସେ ଆଖି କଣରେ॥
ଉର୍ବଶୀ, ମେନକା, ରମ୍ଭା, ଦେବସଭା, ବୈକୁଣ୍ଠ, ଅମୃତ
(ଯାହା ସବୁ ପୃଥିବୀରୁ ହାୟ ଅପହୃତ!)
ସେ ତାରାର ରାଜ୍ୟ ଥିଲା ଆମ ହାତ ପାହାନ୍ତାରେ
ଆମେ ସବୁ ଜିଇଥିଲୁ, ଗୀତଗାଇ କୁଦାମାରି, ସ୍ବପ୍ନ
ଦେଖି ତାରାରେ ତାରାରେ॥
ଆଜି କିନ୍ତୁ ତାରାମାନେ ଜ୍ବଳମାନ ଅଗ୍ନିର ଗୋଲକ
କେତେଯେ ଆଲୋକବର୍ଷ ସୀମାନା ସେପାରେ
ତାରାଗଣା, ମାଆ ଆଖି, ଫୁଲତୋଳା ଓ ମେନକା,
ସବୁକଥା ଯାଇଅଛି ସରି
ତାରା ଆଜି ମୃତପିଣ୍ଡ, ଦୂରବସ୍ତୁ ଅପ୍ରାପତ
ସ୍ନେହପରି ପ୍ରୀତି ପରି ମଣିଷର ହୃଦୟ ପରି।