ଶବ୍ଦ ସହ ଖେଳି ଖେଳି
କ୍ଲାନ୍ତ ହୋଇପଡ଼ିଥିବା ଯାଦୁକର
ଶୋଇଯାଇଛି ଏବେ ନିଘୋଡ଼ ନିଦରେ।
ଶାନ୍ତ, ସୁଧାର, ବିଭୋର ଏବେ ଶବ୍ଦମାନେ
କ୍ରମଶଃ ଫିଟି ପଡ଼ୁଛନ୍ତି କବିତାରୁ
ଦାୟ, ଶୃଙ୍ଖଳା, ଅଙ୍ଗୀକାରବଦ୍ଧତା
ବନ୍ଦୀତ୍ବ ଓ ଅର୍ଥମୟତାରୁ
ସେମାନେ ଏଣିକି ନିଜ ଇଚ୍ଛାରେ
ଦିଗ-ବିଦିଗ ଖେଦିଯିବେ
ଓ ନିଜେ ହିଁ ପାଲଟିଯିବେ ସବୁକିଛି
ଯେମିତିକି’
କଦାପି ମେଣ୍ଟୁ ନଥିବା ଆମର ତୃଷ୍ଣା
କି’ ଏଯାବତ୍ ଆମେ ଦେଖି ପାରି ନଥିବା
ଆମର ଆସନ୍ତା କାଲି ପରି।
ଧରିନିଅ–
ଶବ୍ଦଟିଏ ପାଲଟିଗଲା ଗୋଟେ ଗୋଡ଼ି
ଯାହା ଦିଶୁଥିବ ଠିକ୍ ଗୋଟାଏ ଗଛ ପରି
ଓ ଗଛ ବି ଏବେ ଆଉ ଗଛ ନୁହଁ
ସତେକି’ ଚଳ-ପ୍ରଚଳ ଖଣ୍ଡେ ପାଚେରୀ।
ଏବେ ସବୁକିଛି ଆକସ୍ମିକ ଓ ଅସ୍ଥିର
ଯଦିଓ ଏଇ ଆକସ୍ମିକତା ବି
ଅର୍ଥହୀନ, ଅବାନ୍ତର
ଧର୍ମଗ୍ରନ୍ଥ, ମନ୍ଦିର, ମସ୍ଜିଦ୍, ଗୀର୍ଜାଘର,
ବାଲି, ସମୁଦ୍ରର ଢେଉ, ବେଶ୍ୟାଳୟ
ଖାଁ ଖାଁ ତୋଟାମାଳରୁ ବାହୁଡ଼ି ଯାଇଥିବା
ଛାଇ ଛାଇ ଖରା
ମହମର ପ୍ରତିମୂର୍ତ୍ତି, ଚମ୍ପାଗଛ, ମହୁଘରା..
କେମିତି ଗୋଟେ ଉନ୍ମୁକ୍ତ ଏସବୁ
ଯେମିତି ଫିଟି ପଡ଼ୁଥାନ୍ତି ନିଜଠୁଁ, ଅର୍ଥଠୁଁ।
ଏତେବେଳେ ଚୁପ୍ଚାପ୍
ନିଦେଇ ଯିବା ଛଡ଼ା
ବିଚରା ଶବ୍ଦର ସ୍ଥପତି ଆଉ କରେ କ’ଣ?
ପାଣିର ଆତ୍ମାକୁ
ଆଗ୍ରହରେ ଆଉଁଷି ଦେବାବେଳେ
ତାହା ଯଦି ପାଲଟିଯାଏ ପଥର,
ପଥରକୁ ପଥରର ଅର୍ଥରେ ଚିହ୍ନୁ ଚିହ୍ନୁ
ତାହା ଯଦି ପାଣି ହୋଇ
ବୋହି ଯାଉଥାଏ ଥରକୁ ଥର, ବାରମ୍ବାର!