ଅନନ୍ତ ଯାଏଁ ଲମ୍ବିଛି ଏଇ ରାସ୍ତା।
ତହିଁରୁ କେବଳ ଚାରିପାଦ ଆମର ଆୟୁଷ୍କାଳ
ଯେ, ସେତକ ବି ଚାଲିହେଲାନି ଠିକ୍ଭାବେ।
କେତେ ସହଜ ଥିଲା କୁହ
ଜହ୍ନଗୀତ ଗୁଣୁଗୁଣେଇ ଗୁଣୁଗୁଣେଇ
ବୁଟଭଜା ଗୋଟେ ଗୋଟେ ପାଟିରେ ପକେଇ ପକେଇ
ଅପରିଚିତ ରାତିର ଅନ୍ୟମନସ୍କ ମୋରମ୍ରାସ୍ତାକୁ ବି
ପାରି ହେଇଯିବା
କେତେ ସହଜ ଥିଲା
ଅଥଚ ଦୁଇପାଦ ବି ଚାଲିହେଲାନି ଠିକ୍ଭାବେ।
ରାସ୍ତାସାରା
ଭଙ୍ଗାଡ଼େଣା,ରକ୍ତଛିଟା ଲାଗିଥିବା ଅହଙ୍କାର
ଓ କୀଟଦ୍ରଂଷ୍ଟ ସମ୍ପର୍କର ସାପକାତିରେ ଭର୍ତ୍ତି
ଖାଲଖମା।
ରାସ୍ତାସାରା
ଆମର ପଚିଶଢ଼ି ଯାଇଥିବା ଶ୍ବାସପ୍ରଶ୍ବାସର
ପୂତିଗନ୍ଧମୟ ଅସ୍ମିତା।
ଯାହାକୁ ଆଡ଼େଇ ତଡ଼େଇ ବାଟ ଚାଲୁଚାଲୁ
ମେରୁମଣ୍ଡଳରେ ତରଳି ସାରିଲାଣି ବରଫ
କଣା ପକେଟ୍ ଦେଇ ଗଳି ସାରିଲାଣି ସବୁ
ବୁଟଭଜା।
ଟିକିଏ ବି ବେଳ ମିଳିଲାନି କୋଉଠି
ଜହ୍ନ ସାଙ୍ଗରେ ପଦେ କଥା ହେଇଯିବାକୁ
ପବନ ସାଙ୍ଗରେ ମିଶି ପଦେ ଗୀତ ଗାଇଦେବାକୁ
କି ଦୂର ଜଙ୍ଗଲର ବାତିନି ନେଇ ଉଡ଼ିଆସୁଥିବା
ଶାଳଫୁଲର ମଥା ସାଉଁଳି ଦେବାକୁ।
ବାଟ ଖର୍ଚ୍ଚକୁ ମିଳିଥିଲା ଯୋଉ ଦୁଇଅଣା
ତା’ବି ଲାଗିଲାନି କୋଉ କାମକୁ।