ଅଫିସ୍‌ରୁ ଫେରୁଥିବା କେଉଁ ଏକ କିରାଣିର ବ୍ୟସ୍ତ ଓ
ବିବ୍ରତ ମନ ପରି
ସାଇକେଲ୍ ଚକ ମୋର ଘିର୍ ଘିର୍ ଘୂରେ ଆହା
ଏ ସହର ଧୂସର ରାସ୍ତାରେ;

ମଣିଷର ଦେଖା ନାଇଁ ଏଠି ଏତେ କିଣାବିକା ଲୋକଙ୍କ ଗହଳି
ଏଠି ଏତେ ପାଟିତୁଣ୍ଡ ପେଁ ପେଁ ଟିନ୍ ଟିନ୍, ରେଡିଓର ସ୍ବର
ଅଥଚ ସେ ଗୀତ କାହିଁ? ଏଠି ଏତେ ସ୍ନୋ ଓ ଅତର,

କିନ୍ତୁ ସେ ସୌରଭ କାହିଁ?
ଏଠି ଏତେ ନାଲି ନେଳି ଆଲୁଅ ଓ ଲୁଗା,
କଣ୍ଢେଇ ଓ ଗୋଲ୍ ମୁହଁ କାନ୍ଥ ଦେହେ
ଧାଡ଼ି ଧାଡ଼ି ସିନେମା ପୋଷ୍ଟର,
କିନ୍ତୁ ସେ ସୌନ୍ଦର୍ଯ୍ୟ କାହିଁ!
ରୂପହୀନ ବର୍ଣ୍ଣହୀନ ସବୁ।

ଆମେ ଏତେ ସାଙ୍ଗସାଥୀ କିନ୍ତୁ ଆମେ ପରସ୍ପରଠାରୁ
ପରସ୍ପର କେତେ ଭିନ୍ନ, ଆମର ଏ ଅଖଣ୍ଡ ଦୂରତ୍ବ
ସତ୍ତ୍ବେ ଏତେ ହସ ଖୁସି ନମସ୍କାର ଓ କରକମ୍ପନ
ଯାହା ଦିନ ପରି ଯୋଡ଼େ ବିଦ୍ବେଷର ଅସଂଖ୍ୟ ରାତ୍ରିକୁ;

ଏଇ ସବୁ କୋଠାଘର ମୋର ବନ୍ଧୁ ଜନାର୍ଦ୍ଦନଙ୍କର,
(ଆଃ) ସବୁ ଯଦି ଭାଙ୍ଗିଯାନ୍ତା ଅବା ସବୁ ଯଦି ପୋଡିଯାନ୍ତା
ନିରୋ ପରି ଘରେ ବସି ଆନନ୍ଦରେ ବେହେଲା ବଜାନ୍ତି।

ଆଉ ଟିକେ ଆଗେଇଲେ ଆସିଯିବ ଚୌଧୁରୀବଜାର।

ମୃମୂର୍ଷୁ ସନ୍ଧ୍ୟାର ପ୍ରାଣ ଛଟପଟ ଆକାଶର ମଇଳା ଶେଯରେ।
ଏଇ ଯେ ରିକ୍‌ସାରେ ଗଲେ ତାଙ୍କ ନାଁ ମୀନାକ୍ଷୀ ମହାନ୍ତି,
ସମାଜମଙ୍ଗଳ ନେତ୍ରୀ, ଅଭିନେତ୍ରୀ ଓ ସୁଲେଖିକା,

ସତେ ଅବା ପାଣ୍ଡୋରା ସେ ବୁଣିଯାନ୍ତି ଭ୍ୟାନିଟି ବ୍ୟାଗରୁ
ଅସଂଖ୍ୟ ବିଷ ପତଙ୍ଗ ନିନ୍ଦା କୁତ୍ସା ଏବଂ କଳଙ୍କର!

ବାଁ ହାତି ବୁଲ ଟିକେ ଯିବା ପରା ବହି ଦୋକାନକୁ,
ନୂତନ ଗ୍ରନ୍ଥର ଗନ୍ଧ ପାଳଗଦା ମସ୍ତିଷ୍କ ପ୍ରସୂତ
ବିଜ୍ଞାନ ଦର୍ଶନ ଏବଂ ଆଳୁଚାଷ କୁକୁଡାପାଳନ।

ଚରୈବେତି! ଚରୈବେତି! ଆଗେଇ ଚାଲ ଅଗ୍ରଗତି କର,
ଆଃ ପାଟି କିଆଁ ଭାଇ ଆମେ କଣ ଆଗେଇ ଚାଲୁନୁ?

ଦେଖୁନା କେମିତି ଆମେ
ଫୁଟ୍‌ବଲ୍ ଖେଳ ଦେଖୁ ଦେଖୁ
ଭଞ୍ଜ ମାନସିଂହ କାବ୍ୟ ଆଲୋଚନା କରୁ
ଏବଂ ଶାସ୍ତ୍ରୀୟ ସଙ୍ଗୀତ
ଉପରେ ମନ୍ତବ୍ୟ ବାଢୁ-
ଇଏ କଣ ଅଗ୍ରଗତି ନୁହେଁ,

ଆମେ କିଛି ଜାଣିନାହୁଁ କେଉଁ ସଇତାନ୍ ଏୟା କୁହେ?
ଟାଉନ୍ହଲ୍ ସଭାରେ ମୁଁ ଏ ସବୁର କୈଫିୟତ୍ ଚାହେଁ।

ଘରେ ଘରେ କଫ କାଶ ଶର୍ଦ୍ଦି ଜ୍ବର
ଚାଲ ଚାଲ ଏଇଠୁ ଫେରିବା,
ଅନ୍ଧାର ଆସୁଚି ମାଡ଼ି;
ରାସ୍ତାଯାକ ବିଜୁଳି ଆଲୁଅ,

ତଥାପି ମାଡ଼ୁଚି ଡର ନାଲିଛକଯୁକ୍ତ ମଟରର
ଏତେ ଯିବା ଓ ଆସିବା, ପେଟ୍ରୋଲ୍‌ର ଗନ୍ଧ ଚମତ୍କାର,
ଏଣ୍ଡୁଅ ଓ ବେଙ୍ଗର ବ୍ୟର୍ଥ ମୃତ୍ୟୁ,
ଏ ଯୁଗର ଶହୀଦ୍ ସେମାନେ।

ଟିନ୍ଟିନ୍ ଚାଲ ଭାଇ ଗଡିଚାଲେ ସାଇକେଲ୍ ମୋର
“ଅସଲି ଉକୁଣୀମାରି ଚୂର୍ଣ୍ଣ ନେବେ
ଆଶ୍ଚର୍ଯ୍ୟ ବିଜୁଳି ମଲମ?”
ଥାଉ ଥାଉ ଧନ୍ୟବାଦ-
“ବାଟ ଛାଡ଼ ସୁଘଟନାଗର।”