ଦଶ ଦିଗେ ଆଗ୍ନେୟ ଉତ୍ତରୀ ଲେଖି
ଦକ୍ଷିଣରୁ ଆସିଅଛି ମଳୟ ସନ୍ତ୍ରାସ,
ସମସ୍ତ ପତ୍ରରେ ଲେଖା
ଓଡିଶା ମୋ’ ରକ୍ତରଙ୍ଗା କରବୀର ଦେଶ।
ସୃଜନ ସାଜିଛି ଗଙ୍ଗା…ମହେନ୍ଦ୍ରର ସୀମା ଉଚ୍ଛୁଳିଛି
ଋଷିକୂଲ୍ୟା କାର ରକ୍ତେ ଲାଲ୍ ହୋଇ ଡୁଡୁମାରେ ଅଶ୍ରୁ ଝରାଇଛି
ତା’ରେ ମୁହିଁ ଜାଣିଛି ଜାଣିଛି
ସିଏ ଏକ ତ୍ୟକ୍ତ ଶାଖା ଭବିଷ୍ୟତ ଯହିଁ ଲେଖାଅଛି।
କାମ୍ବୋଡ଼ିଆ କାହିଁ ଦୂରେ….
ତା’ର ନାମ କୋରାପୁଟ ଅଥବା ଗଞ୍ଜାମ୍
ସମସ୍ତ ପଞ୍ଚମ ସୁରେ ବହିଅଛି ମଳୟ ସନ୍ତ୍ରାସ
ସେ କହୁଛି, ଓଡ଼ିଶା ଦିନେ ରେ ହେବ ନୂଆ ଭିଏତ୍ନାମ୍!
ଗରଳର ମାଳା ପିନ୍ଧି ଜ୍ବାଳାର ପଇତା ତଳେ,
ଭୂ, ଭୂବ, ସ୍ବଃ ଉଚ୍ଚାରଣେ
ଜାଗିବରେ ବନବୀଥି ଏ ମଣିଷ ଗରିଲା ଆହ୍ବାନେ।
ଭାଙ୍ଗିଯିବ ଶୋଷଣର କୋଠାସବୁ ସେ ତିଆରି ସବୁ ଜଉବାଡ଼
ଧଷିଁତ ଯୌବନ ଦେହୁ ଭଙ୍ଗା ହେବ ସଭ୍ୟତାର କଳଙ୍କିତ ଗଡ଼।
ସମସ୍ତ ଖାତକମାନେ ନିଦ୍ରାରୁ ଉଠିବେ ନିଶ୍ଚେ ଆଗାମୀ ସକାଳେ
ଆକାଶରେ ଲଞ୍ଜାତାରା ହୁତୁ ହୁତୁ ଜଳେ।
ସତେ ଅବା ଆକାଶର କପାଳକୁ କେ ଦେଇଛି ଚିରି
ରକ୍ତ କି ଝରୁଛି ସେଠୁ ନୀଳଦେହୁ ଭାଙ୍ଗିବାକୁ ତାରାଙ୍କ କିଆରି।
ଆକାଶ ଫାଟିବ ଏଠି ଚିଲିକାରୁ ବିପ୍ଳବର ପଦଧ୍ବନି ହେବ
ସମସ୍ତ ଅଜଣା ସରେ ପଦ୍ମବନ ସେ ଦିନ ହସିବ।
ମଣିଷ ହାଡ଼ରେ ଗଢ଼ା ହାର ମୋର, ଦେଇ ମାଆ ଗଳେ-
ତା’ସ୍ତନକୁ ଚିରିବି ମୁଁ କେଶ ତା’ର ରକ୍ତେ ରଙ୍ଗାଇବି,
ତା’ ଦେହର ସମସ୍ତ ପୃଷ୍ଠାରେ ‘ନଚିକେତା’ ନାମ ଲେଖିବି।
ଖୋଲରେ ଦରଜା ଖୋଲ, ଖୋଲ ବନ୍ଧୁ ରୁଦ୍ଧ ବାତାୟନ
ମଳୟ ସନ୍ତ୍ରାସ ଡାକେ
ମାତୃହତ୍ୟା-ଭ୍ରୁଣହତ୍ୟା….ନୂଆ ମୂଲ୍ୟାୟନ।
ପାଷାଣ ଶିଳାକୁ ଆମେ କରିବାରେ ନୂଆ ବୁମେରାଂ,
ସିଂପାଜି, ଗରିଲା ଆମେ ଗଞ୍ଜାମର ନୂଆ ଓରାଓଟାଂ।
ମାଳର ଶିଳାରେ ଲେଖି ଜ୍ବାଳାର ଦଲିଲ୍
ଚିଲିକାର ନୀଳ ଜଳେ ନିଜ ରକ୍ତ କରିବା ସାମିଲ୍।
ଯିବା ଚାଲ ସମୁଦ୍ରର ଦେଶେ
ଯିବା ଆମେ କୃତ୍ତିବାସ…. ଅବା ଏଠୁ ରାଜଗୁରୁ ବେଶେ।
ଖୋର୍ଦ୍ଧାଗଡ…ବରୁଣେଇ….ବାଣପୁର….ମାଟିରୁ ସଂତ୍ରାସ,
ପ୍ରେତ ଦେହ କରିବ ବର୍ଜନ….
ସମସ୍ତ ଅଯୋନି ମାତା….
ଆରମ୍ଭିବେ ପ୍ରାୟଶ୍ଚିତ୍ତ ଯୁଗର ପୁରାଣ।
( ପରବର୍ତ୍ତୀ ପୃଷ୍ଠା ଦେଖନ୍ତୁ → ) ………………….