କାହାର ମନେ ନଥିବ
କାଲି ରାତି ଅନ୍ଧାରରେ
ମୁଁ ତୁମ ଉପରେ
ସନ୍ତର୍ପଣରେ ହାତ ରଖିଲି
କାଳେ ଚମକିପଡ଼ି
ତୁମ ନିଦ ଭାଙ୍ଗିଯିବ ବୋଲି।
ତୁମେ କିନ୍ତୁ ନିଘୋଡ଼ ନିଦରେ
ଅଚେତ ଥିଲ
ଦିନଯାକର ଖେଳକୁଦ ପରେ
କ୍ଲାନ୍ତ ଶିଶୁଟିଏ ପରି।
ତୁମ ଶ୍ବାସ ପ୍ରଶ୍ବାସର
ଗଳିକନ୍ଦିରେ
ତୁମ ସ୍ପନ୍ଦନର ଗିରି କାନ୍ତାରରେ
ମୁଁ ବୋଧହୁଏ ଖୋଜିଲି
ତୁମ ଆତ୍ମାକୁ।
ଜାଣେ, କାଲି ସକାଳକୁ
କାହାରି ହେଲେ
ମନେ ନ ଥିବ
ଯେ ଆମେ କାଲି ପୂରା ଦିନଟା
ସାଙ୍ଗ ହୋଇ ବିତାଇଥିଲେ,
ଘର ସଜାଡ଼ି, ପରସ୍ପରର
ଝାଳ ପୋଛି, ଗୀତ ବୋଲି
ହସି କାନ୍ଦି ଗପି ଖେଳି
ପୃଥିବୀର
କାହାରି ମନେ ନ ଥିବ
ଯେ ଆମେ କାଲି
ଏଇ ଘରେ
ସାଙ୍ଗ ହୋଇ ଥିଲେ!
ଏପରିକି ତୁମର ବି ମନେ ନ ଥିବ
ଯେ ତୁମ ପାଖରେ ସାରାରାତି
କାଲି ମୁଁ ଶୋଇଥିଲି
ଓ ତୁମ ଆତ୍ମାକୁ
କେତେଥର ଛୁଇଁଥିଲି।