ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ଗୋଟେ ସମୟ ଥିଲା

ସମୟ କେତେ ଜିନିଷ ବଦଳେଇ ଦିଏ। ଗୋଟିଏ ସମୟରେ ଯାହା ଅତି ମୂଲ୍ୟବାନ୍‌ ମନେ ହେଉଥିଲା, ଆଜି ତାହା ସାଧାରଣ ହୋଇଗଲାଣି। ପୁଣି ଗୋଟେ ସମୟରେ ଯାହା ନିହାତି ସାଧାରଣ ମନେ ହେଉଥିଲା, ଆଜି ତାହାହିଁ ମନେ ହୁଏ ଅତି ମୂଲ୍ୟବାନ୍।

ସତୁରୀ ଦଶକର ମଝାମଝିରେ ମୁଁ ସ୍କୁଲ ଡେଇଁ କଲେଜ ଗଲି। ଆମ ଭିତରୁ ଅଧିକାଂଶଙ୍କର ସେତେବେଳେ ହାତଘଣ୍ଟା ନଥିଲା। ପରୀକ୍ଷା ଦିନମାନଙ୍କରେ ବାପାଙ୍କ ଘଣ୍ଟା ମାଗି ପିନ୍ଧୁଥିଲୁ। ଆମର ଜଣେ ସାଙ୍ଗ ଗେଲୁ ଦିନେ ଗୋଟିଏ ହାତବନ୍ଧା ଘଣ୍ଟା ଆଣି ଦେଖେଇଲା। ସେମିତି ଘଣ୍ଟା ଆମେ ଆଗରୁ ଦେଖି ନଥିଲୁ। ସେଥିରେ ଟିକ୍‌ ଟିକ୍ କରି ଚାଲୁଥିବା ମିନିଟ୍‌ କଣ୍ଟା, ସେକେଣ୍ଡ କଣ୍ଟା ନଥିଲା। ସମୟ ପୁରା ଜଳ ଜଳ ହୋଇ ଦିଶୁଥିଲା ଅକ୍ଷରରେ। ସୁଇଚ୍‌ ଟିପିଦେଲେ ପୁଣି ଲାଇଟ୍‌ ଜଳୁଥିଲା ସେ ଘଣ୍ଟା ଭିତରେ।

ଆମେ ଘଣ୍ଟା ଦେଖି ଟେରା। ଗେଲୁ କହିଲା, ଜାଣିଛୁ ଏଥିରେ ଆଲାର୍ମ ବି ଅଛି। ଆମେ ଆହୁରି ଟେରା।

ଗେଲୁ କହିଲା, ଏ ଘଣ୍ଟାଟା ମୋ ଭାଇ ପଠେଇଛି ଆମେରିକାରୁ। ଗେଲୁର ଭାଇ ଆମେରିକାରେ ରହୁଥିଲେ। ସେଠି ସେ କେଉଁ ବିଶ୍ବବିଦ୍ୟାଳୟରେ ଅଧ୍ୟାପକ। ଆମ ସହରର ଗର୍ବ ଓ ଗୌରବ। ଆମ ସହରରେ ତାଙ୍କ ପୂର୍ବରୁ କେହି ବିଦେଶ ଯାଇ ନ ଥିଲେ। ସେତେବେଳେ ବିଦେଶ ଯାଉଥିବା ଲୋକ ଥିଲେ ହାତଗଣତି।

-ଜାଣିଛୁ ୟାର ଦାମ୍‌ କେତେ? ଗେଲୁ ଆମକୁ ପଚାରିଲା।
-କେତେ?
-୫୦ ଡଲାର।

ଗୋଟିଏ ଡଲାର ସେତେବେଳେ ୧୫ ଟଙ୍କା। ଆମେ ଘଡ଼ି ଦାମ୍‌ ଶୁଣି ଥମ୍‌ ମାରି ରହିଗଲୁ। ଗେଲୁ ସେ ଘଡ଼ିରେ ଆମକୁ ହାତ ମରେଇ ଦେଉ ନଥିଲା। ଆମେ ଏ ଘଡ଼ି ପାଇଁ ତାକୁ ଇର୍ଷା କରୁଥିଲୁ। ଆମ କଲେଜରେ ସବୁ ଝିଅମାନେ ସେ ଘଣ୍ଟା ଦେଖିବାକୁ, ସମ୍ଭବ ହେଲେ ଛୁଇଁ ଦେଖିବାକୁ ବ୍ୟାକୁଳ ଥିଲେ। ଘଣ୍ଟା ପାଇଁ ଗେଲୁ ଭାରି ହିରୋ ହୋଇଗଲା।

ଏବେ ମୋ ଛ’ ବର୍ଷର ପୁଅ ସେମିତି ଘଡ଼ି ପିନ୍ଧି ଚାରିଟାବେଳେ କ୍ରିକେଟ ଖେଳିବାକୁ ଯାଏ। ଢେଙ୍କାନାଳର ଲକ୍ଷ୍ମୀପୂଜା ମେଳାରେ କୋଡିଏ ଟଙ୍କାରେ ମୁଁ ତାକୁ ସେ ଘଣ୍ଟାଟା କିଣି ଦେଇଛି। ଶୁଣିଛି ଦିଲ୍ଲୀର ସଦରବଜାରରେ କୁଆଡେ ଓଜନ ଦରରେ ଏମିତି ଘଡି ମିଳୁଛି।

ଆମ ସମୟରେ (ସେତେ ପୁରୁଣାବି ନୁହେଁ, ମୁଁ ୭୦-୮୦ ଦଶକ କଥା କହୁଛି) ଟେଲିଫୋନ ଗୋଟେ କରିବାକୁ ଗଲେ ନାନା ଝାମେଲା। ଟ୍ରଙ୍କକଲ୍‌ଟିଏ ବୁକ୍‌ କରିଥିବ ତ ବସିଥା। ଦି ଘଣ୍ଟା ତିନି ଘଣ୍ଟା। ଭଦ୍ରକରୁ କଟକ କଥା ହେବାକୁ ଗଲେ ଚାତକ ଭଳି ଚାହିଁ ବସିଥା। ଟେଲିଫୋନ୍‌ ଯାହା ଘରେ ଥିଲା ସେ ଭାରି ବଡ଼ଲୋକରେ ଗଣା ହେଉଥିଲା। ଏବେ ଆମ ଧୋବା କହୁଛି ମୋ ଟେଲିଫୋନ୍‌ ନମ୍ବରଟା ରଖନ୍ତୁ। ଘରେ ମଇଳା କପଡ଼ା ଅଧିକ ହୋଇଗଲେ ମୋତେ ଖବର ଦେଇଦେବେ। ଆସିଯିବି। ତୁଛାରେ କାହିଁକି ପ୍ରତି ଦି’ ଦିନ ଛାଡ଼ି ଆସୁଥିବି। ଆମ ଛକମୁଣ୍ଡରେ ଯେତେଟି ଅଟୋବାଲା ବସିଥାନ୍ତି, ସେମାନେ ସମସ୍ତଙ୍କ ପକେଟରେ ମୋବାଇଲ ଫୋନ୍‌।

ଗୋଟିଏ ସମୟ ଥିଲା ବଜାଜ ସ୍କୁଟରଟିଏ କିଣିବାକୁ ଗଲେ ପାଞ୍ଚବର୍ଷ ଅପେକ୍ଷା କରିବାକୁ ପଡୁଥିଲା। ଭେସ୍‌ପା ସ୍କୁଟର କିଣିବାର ଫର୍ମ ବ୍ଲାକରେ ବିକ୍ରି ହେଉଥିଲା। ଆଜି ଆପଣ ସ୍କୁଟର ମୋଟର ସାଇକେଲ କିଣିବେ ବୋଲି କହିଲେ କମ୍ପାନିବାଲା ଆପଣଙ୍କ ଘରେ ଆସି ଦେଇଯିବେ। ଟଙ୍କା ନଥିଲେ ଋଣ ଦେଇ, ଜ୍ବାଇଁ ଆଦରରେ ଗାଡ଼ି ଆଣି ଘରେ ଦେଇଯିବେ। ଗୋଟିଏ ସମୟଥିଲା ମାଗୁର ମାଛର ଦାମ୍‌ ରୋହି, ମିରିକାଳିଠୁଁ କମ୍‌ ଥିଲା। କୁକୁଡା ମାଂସର ଦାମ୍‌ ଖାସି ମାଂସର ଡବଲ ଥିଲା। ଆତ ଥିଲା ଶସ୍ତା ଆଉ ଆପେଲ ମହଙ୍ଗା। ଏବେ ଅବସ୍ଥା ଠିକ୍ ଓଲଟା।

ଗୋଟିଏ ସମୟ ଥିଲା, ଶିକ୍ଷକମାନେ କ୍ଲାସରେ ଆସିଲେ ଛାତ୍ରମାନେ ଠିଆ ହେଉଥିଲେ। ବାଟରେ ଶିକ୍ଷକଙ୍କୁ ଦେଖିଲେ ସିଗାରେଟ୍‌ ଲୁଚାଉଥିଲେ। ଏବେ ସେ ସବୁ ଆଉ ପ୍ରାୟ ନାହିଁ। ଛାତ୍ର ଶିକ୍ଷକ ଦୋସ୍ତ ହେଲେଣି। ସାଙ୍ଗରେ ସିଗାରେଟ୍ ଆଉ କ’ଣ କ’ଣ ଖାଉଛନ୍ତି।

ଗୋଟିଏ ସମୟ ଥିଲା ଯେତେବେଳେ ପ୍ରେମ କରିବାଟା ଭାରି ସାହାସର କାମ ବୋଲି ଗଣ୍ୟ ହେଉଥିଲା। ପ୍ରେମିକ ପ୍ରେମିକା ପରସ୍ପରକୁ ଲମ୍ବା ଲମ୍ବା ଚିଠିସବୁ ଲେଖୁଥିଲେ। ପ୍ରେମ ଚିଠି ଲେଖିବାଟା ଗୋଟିଏ କଳା ଥିଲା। ସେ ଚିଠିକୁ ପୁଣି ସେମାନେ ଡାକ ଜରିଆରେ ପରସ୍ପର ପାଖକୁ ପଠାଉଥିଲେ। ପ୍ରତିଦିନ ଡାକବାଲାକୁ ଚାତକ ଭଳି ଚାହିଁ ରହୁଥିଲେ। ଏବର ଇ-ମେଲ, ଏସ୍‌ଏମ୍‌ଏସ୍‌, ଏମ୍‌ଏମ୍‌ଏସ୍‌ ଯୁଗରେ ଏସବୁ ଗଳ୍ପଭଳି ଲାଗିବ।

ଗୋଟିଏ ସମୟ ଥିଲା ଯେତେବେଳେ ବାହାଘର ଆଗରୁ ଡିଭୋର୍ସର କଥା ହେଉ ନଥିଲା। ଦୁର୍ନୀତି କରି ଧରା ପଡ଼ିଲେ ସମାଜରେ ଭାରି ବଦନାମ ହେଉଥିଲା। ଗୋଟିଏ ସମୟ ଥିଲା ଯେତେବେଳେ ପୃଥିବୀଟା ଆଉ ଟିକେ ବେଶୀ ସବୁଜ ଓ କୋଳାହଳମୟ ଥିଲା।

ସେ ସମୟଟା ଭଲ ଥିଲା କି ଆଜିର ସମୟଟା ଭଲ କହି ପାରିବିନି। ତେବେ ଏମିତି ଗୋଟେ ସମୟ ଥିଲା।

ପାଠକୀୟ ଆଦୃତି

63 ଦୃଷ୍ଟି ଆକର୍ଷଣ
ମତାମତ ସଂଖ୍ୟା

ତୁଣ୍ଡ ବାଇଦ

ମୃଣାଳ ଚାଟାର୍ଜୀ

ପ୍ରଥମେ ଜଣେ ସାମ୍ବାଦିକ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିବା ମୃଣାଳ ଚାଟାର୍ଜୀ ସମ୍ପ୍ରତି ଢେଙ୍କାନାଳ ସ୍ଥିତ ଭାରତୀୟ ଗଣଯୋଗାଯୋଗ ପ୍ରତିଷ୍ଠାନର ମୁଖ୍ୟ ଭାବେ କାର୍ଯ୍ୟରତ। ମୁଖ୍ୟତଃ ରମ୍ୟ ରଚନା ଏବଂ ବ୍ୟଙ୍ଗ ଗଳ୍ପ ଲେଖୁଥିବା ମୃଣାଳ ଏବେ ରାଜ୍ୟର ବିଭିନ୍ନ ଓଡ଼ିଆ ସମ୍ବାଦପତ୍ରରେ ନିୟମିତ ସ୍ତମ୍ଭ ଲେଖିବା ସହ ଏକାଧିକ ପତ୍ରିକାରେ ମଧ୍ୟ ଲେଖନୀ ଚାଳନା ଜାରି ରଖିଛନ୍ତି।

ନିଜର ଲେଖା ପାଇଁ ଅଜସ୍ର ପାଠକୀୟ ସ୍ବୀକୃତୀ ହାସଲ କରିଥିବା ମୃଣାଳ ବହୁ ପୁରସ୍କାର ଓ ସମ୍ମାନରେ ସମ୍ବର୍ଦ୍ଧିତ। ତାଙ୍କର ପ୍ରକାଶିତ ପୁସ୍ତକ ଗୁଡ଼ିକ ମଧ୍ୟରେ “ଜଗତେ ଥିବ ଯେତେଦିନ”, “ଯମରାଜ-୫୦୦୩ ଉପନ୍ୟାସ”, “ରଙ୍ଗଢଙ୍ଗ” ଆଦି ବେଶ୍ ପରିଚିତ।

କ୍ରମେ ସବିଶେଷ →
ଆଉ କେତୋଟି ସଂଗ୍ରହ

ଗମ୍ଭାରୀ ଗଛ

ବିଛଣାରେ ପଡି ପଡି ଶମ୍ଭୁନାଥ ବିଳିବିଳି ହେଉଥିଲେ। ଅସ୍ପଷ୍ଟ ପାଟିରେ ପୁଅକୁ କହୁଥିଲେ, ଗମ୍ଭାରୀ ଗଛଟାକୁ ଆଇତିରେ ରଖିଥିବୁରେ ବେନୁଆ, ସେଇଟା ତୋ ବୋଉର ଶେଷ ସନ୍ତକ।…

ଇଚ୍ଛା ପୁରଣ

ବିଶାଳ ଘଞ୍ଚ ବଣ। ବଣ ଭିତରେ ଥାଆନ୍ତି ଜଣେ ସିଦ୍ଧ ଯୋଗୀ। ଅନ୍ୟାନ୍ୟ ବହୁ ଜଙ୍ଗଲ ସହ ସେ ବଣଟି ବି କଟା ଚାଲିଥାଏ ନିର୍ବିଚାରରେ। ବିଶ୍ବ…

-: ପାଠକୀୟ ମତାମତ :-

ଆପଣଙ୍କ ମତାମତ କ’ଣ?

କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡ଼ିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ପୃଷ୍ଠାର ଶୀର୍ଷ ଭାଗରେ ପ୍ରଦତ୍ତ ଓଡ଼ିଆ କି-ବୋର୍ଡ୍ ନିର୍ଦ୍ଧାରଣ କରି ଲେଖନ୍ତୁ। ଓଡ଼ିଆରେ ଲେଖିବା ପାଇଁ, ଏହି ବ୍ୟବସ୍ଥା କେବଳ କମ୍ପ୍ୟୁଟର ଓ ଲାପ୍‌ଟପ୍ ରେ ଉପଲବ୍ଧ।

ଆପଣଙ୍କ ନାମ *

ଇ-ମେଲ୍ *

ସହର ଓ ରାଜ୍ୟ/ଦେଶର ନାମ

ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

ପାକ୍ଷିକ ସାହିତ୍ୟ ଇ-ପତ୍ର
ads
ସର୍ବାଧିକ ଦୃଷ୍ଟି ଆକର୍ଷଣ
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP