ଏହିପରି ସମୟରେ ଜଳଧର ଉଗ୍ରମୂର୍ତ୍ତି ଧାରଣ କରି ଆସି ଉପସ୍ଥିତ। ସୌଦାମିନୀ ଆଜି ୭/୮ ଦିନ ପରେ ସ୍ୱାମୀଙ୍କର ଚରଣ ଦର୍ଶନରେ ଆହ୍ଲାଦିତ ହୋଇ ଅତି କଷ୍ଟରେ ଶଯ୍ୟା ଉପରେ ବସିଲା। କିନ୍ତୁ ଜଳଧରଙ୍କର ସେ ଆଡ଼କୁ ଦୃଷ୍ଟିପାତ ନାହିଁ-‘‘ଦେ ପାଞ୍ଚଟା ଟଙ୍କା ଦେ, ମୋର ଦରକାର ଅଛି।’’ ଏହିପରି ତାଡ଼ନା ବାକ୍ୟ।
ଏ କଥା ଶୁଣି ସୌଦାମିନୀର ମସ୍ତକରେ ବଜ୍ରପାତ ହେଲା। ସେ କ୍ଷଣକାଳ ମୂର୍ଚ୍ଛିତା ହୋଇ ରୋଗ ଶଯ୍ୟାରେ ଏକ ପାର୍ଶ୍ୱରେ ପତିତା। କେହି ଦେଖିବାକୁ ନାହିଁ, ପଚାରିବାକୁ ନାହିଁ, ବାଳିକା କମଳା ମାତାଙ୍କୁ ଏପରି ଜଡ଼ବତ୍ ପତିତ ଦେଖି ଆର୍ତ୍ତସ୍ୱରରେ କ୍ରନ୍ଦନ କରି କେତେ ହଲାହଲି କଲା। କିଛି ହେଲା ନାହିଁ। ଶେଷକୁ ନିରୁପାୟ ହୋଇ ମାଙ୍କ ମୁହଁକୁ ଚାହିଁ ବସି କାନ୍ଦିବାକୁ ଆରମ୍ଭ କଲା।
କିନ୍ତୁ ବିଧାତାର ବିଚିତ୍ର ଲୀଳା! ସୌଦାମିନୀର ଅଦୃଷ୍ଟରେ ଏହାଠାରୁ ଆହୁରି ଅଧିକ ଯାତନା ଭୋଗ କରିବାକୁ ଅଛି-ଆହୁରି ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ଅଛି-ତାହାର ଏ ନିଦ୍ରା ଅନ୍ତିମ ନିଦ୍ରା ହେଲା ନାହିଁ-ପେଟ ପୁରାଇ ଖାଇବାକୁ ଅକାଳେ ସକାଳେ ଥରେ ମିଳେ କି ନାହିଁ ସନ୍ଦେହ-ଟଙ୍କା କେଉଁଠାରୁ ପାଇବ-କିଏ ଦେବ-କେଉଁଠାରୁ ଆଣିବ? ଚରଣ ଧରି କରୁଣ ସ୍ୱରରେ କାନ୍ଦି କାନ୍ଦି କେତେ କହିଲା, ‘‘ମୋତେ କ୍ଷମା କର, ମୁଁ ଟଙ୍କା କେଉଁଠାରୁ ପାଇବି? ତୁମେ ମୋର ଧନ, ମୋର ମାନ, ମୋର ଟଙ୍କା କଉଡ଼ି ସବୁ ତୁମେ-ତୁମର ଟଙ୍କା ତୁମକୁ କ’ଣ ଦିଅନ୍ତି ନାହିଁ, କାହା ପାଇଁ ରଖନ୍ତି?’’
ନିର୍ମମ ହୃଦୟ ପାଷାଣ୍ଡ ଜଳଧରର ହୃଦୟ ଏଥିରେ ବିଗଳିତ ହେଲା ନାହିଁ। ପୁଣି କହିଲା,‘‘ଓଃ ଏତେ ଅପମାନ! ଟଙ୍କା ଦବୁ ନାହିଁ, ଏତେ ବଡ଼ କଥା-ମୋ’ ଆଗରେ ମିଛ କଥା-ଆଚ୍ଛା ଦେଖୁଛି।’’ ଏହା କହି ଉପୁର୍ଯ୍ୟପରି ପଦାଘାତ ଓ ପଳାୟନ! ଲେଖିବାକୁ ଲେଖନୀ ଚଳୁ ନାହିଁ-ହସ୍ତ କମ୍ପୁଅଛି-ନିଷ୍ଠୁର ପଦାଘାତ ମଧ୍ୟରୁ ଦିଓଟି ଗୋଟିଏ କମଳାର କୋମଳ ବକ୍ଷରେ ପତିତ ହେଲା! କମଳା ଦୁଇ ତିନି ଥର ମା’ ବୋଲି ଡାକିଲା। ଉତ୍ତର କିଛି ନାହିଁ-ପିତାର ପଦାଘାତ କୋମଳ ହୃଦୟରେ ଧାରଣ କରି ଇହଧାମ ତ୍ୟାଗ କଲା।
ଏଣେ ଅଭାଗିନୀ ସୌଦାମିନୀ ମା’ ମା’ ବୋଲି ଦୁଇ ତିନି ଥର ଡାକିଲା। କିଛି କଥା ନାହିଁ-ଶବ୍ଦ ନାହିଁ! ସବୁ ଜାଣିପାରିଲା-ଦାରୁଣ କ୍ରନ୍ଦନ ଶବ୍ଦରେ ଗଗନ ବିଦୀର୍ଣ୍ଣ ହେବାକୁ ଲାଗିଲା!
କି ଭାଷାରେ କନ୍ୟାଗତପ୍ରାଣା ମାତାର ଆକୁଳ ହୃଦୟ ବୁଝାଇବି? ଏହିଠାରେ ଯବନିକା ପତନ ହୋଇ ନାହିଁ-ସେ କନ୍ୟାକୁ କୋଳରେ ଧରି ବହିର୍ଗତ ହେଲା। ଦେଖ ବିଜୁଳି ଚମକୁଛି, ଘନ ଘନ ଘଡ଼ଘଡ଼ି ମାରୁଛି-ପବନ ପ୍ରଚଣ୍ଡ ବେଗରେ ବହୁଛି-ପ୍ରକୃତି ଦେବୀ ନିଜେ କରାଳ ମୂର୍ତ୍ତି ଧାରଣ କରିଅଛନ୍ତି-ସୌଦାମିନୀର ଜୀବନନାଟକର ଯବନିକା ପତନର ସମୟ ଉପସ୍ଥିତ! ଦେଖ, ସେ ଦୌଡ଼ି ଦୌଡ଼ି କନ୍ୟାକୁ ନେଇ ଯାଇ ଅଦୂରବର୍ତ୍ତୀ ନଦୀ କୂଳରେ ଉପସ୍ଥିତ। ଏହି ଦେଖ, କନ୍ୟାକୁ ଘନ ଘନ ଚୁମ୍ବନ କରୁଛି! ଊର୍ଦ୍ଧ୍ୱକୁ ଉତ୍ତୋଳନ କରୁଛି! ଥରେ ଥରେ କୋଳରେ ଚିପି ଧରୁଛି। ଆଉ କ’ଣ ଦେଖିବ! ପ୍ରକୃତିର କରାଳ ଗର୍ଜନ, ବୁଦ୍ୟୁତ ଓ ମେଘର ଗଗନଭେଦୀ ଶବ୍ଦ! ନଦୀକୂଳ!! କୁମାରୀ କମଳା ଓ ଦେବୀ ସୌଦାମିନୀ ନିମ୍ନ ଜଳରାଶି ମଧ୍ୟରେ ଉଭେଇଗଲେ!! ଦେବୀ ନଦୀର ନାମ ସାର୍ଥକ ହେଲା।
-୦-
ଉକ୍ତ ଗଳ୍ପଟି ଲେଖକଙ୍କ ଦ୍ୱାରା ଲିଖିତ ପ୍ରଥମ ଗଳ୍ପ ଯାହା ‘ଉତ୍କଳ ସାହିତ୍ୟ’ ପତ୍ରିକାର ପଞ୍ଚମ ଭାଗ, ଦଶମ ସଂଖ୍ୟାରେ ୧୯୦୧ ମସିହାରେ ପ୍ରକାଶିତ ହୋଇଥିଲା।
ଏହି ଗଳ୍ପଟି ୧୯୦୭ ମସିହାରେ କଟକ ସମ୍ମିଳନୀ ପ୍ରେସ୍ ଦ୍ୱାରା ପ୍ରକାଶିତ ତଥା ଲେଖକଙ୍କର ପ୍ରଥମ ପ୍ରକାଶିତ ଗଳ୍ପ ସଂକଳନ-‘ଚିତ୍ର’ ରୁ ସଂଗୃହୀତ।