
ହରି ସିଂହ ସରକାରୀ କର୍ମରେ ବାହାଲ ହେବା ଦିନଠାରୁ ମଫସଲର ସାନ ବଡ଼ ଅନେକ ପୋଷ୍ଟ ଅଫିସ୍କୁ ବଦଳି ହୋଇ କର୍ମ ଇଞ୍ଜାମ କରି ଆସିଲେଣି। ଆଜକୁ ଦଶ ବରଷ ହେଲା କଟକ ସଦର ପୋଷ୍ଟଅଫିସ୍ରେ ବରାବର ରହି କର୍ମ କରୁଛନ୍ତି। ଭଲରୂପେ କର୍ମ କରିବାରୁ ପ୍ରମୋଶନ ପାଇଲେଣି। ବର୍ତ୍ତମାନ ହେଡ଼ ପିଅନ, ଦରମା ମାସକୁ ନଅ ଟଙ୍କା। କଟକ ସହରରେ ସବୁ ଜିନିଷ କିଣା। ନିଆଁ ଟିକକ ପାଇଁ ଦିଆସିଲ୍ ଲାଇଟା ମଧ୍ୟ ନ କିଣିଲେ ନୁହେଁ। ଅତି କଷ୍ଟରେ ଚଳି ସୁଦ୍ଧା ମାସକୁ ପାଞ୍ଚ ଟଙ୍କାରୁ ଊଣା ଖରଚ ପଡ଼େ ନାହିଁ। କୌଣସି ରୂପେ ଘରକୁ ଚାରିଟଙ୍କା ନ ପଠାଇଲେ ନୁହେଁ। ଘରେ ସ୍ତ୍ରୀ ଆଉ ଆଠ ବରଷର ପୁଅ ଗୋପାଳ। ମଫସଲ ଜାଗା, ଚାରି ଟଙ୍କାରେ କୌଣସି ରୂପେ ଟାଣଟୁଣ ହୋଇ ଚଳିଯାଏ। ସେଥିରୁ ପଇସାଏ ଊଣା ହେଲେ ଅଚଳ।
ଗୋପାଳ ଅପର ପ୍ରାଇମେରୀ ସ୍କୁଲରେ ପଢ଼େ। ସ୍କୁଲରେ ଦରମା ମାସକୁ ଦୁଇଅଣା। ସ୍କୁଲ ଦରମା ଛଡ଼ା ଆଜି ବହି ଖଣ୍ଡେ, କାଲି ସ୍ଲେଟ୍, କାଗଜ ଏ ସବୁ ଜିନିଷ କିଣିବାକୁ କେବେ କେବେ କିଛି କିଛି ବେଶି ଖରଚ ପଡ଼େ। ଏପରି ଉପୁରି ଖରଚ ପଡ଼ିଗଲେ ସେ ମାସରେ ଭାରି କଷ୍ଟ। ଦିନେ ଦିନେ ବୁଢ଼ାକୁ ଉପାସ ରହିଯିବାକୁ ହୁଏ। ଉପାସ ହେଉ ପଛେ, ମୋ ଗୋପାଳଟି ପଢ଼ୁ।
ଦିନେ ପୋଷ୍ଟମାଷ୍ଟର ସର୍ଭିସ୍ ବୁକ୍ ଦେଖି କହିଲେ, “ହରି ସିଂହ, ତୁମ୍ଭର ପଞ୍ଚାବନ ବର୍ଷ ବୟସ ହୋଇଗଲା, ପେନ୍ସନ୍ ନେବାକୁ ହେବ, ଆଉ ଚାକିରି କରି ପାରିବି ନାହିଁ।” ସିଂହଙ୍କ ମୁଣ୍ଡରେ ତ ବଜ୍ର ଭାଙ୍ଗି ପଡ଼ିଲା। କଣ କରିବେ, ସଂସାର ଚଳିବ କିପରି? ସଂସାର ଯାହାହେଉ, ଗୋପାଳର ଯେ ପଢ଼ା ବନ୍ଦ। ଗୋପାଳ ଜନ୍ମଦିନଠାରୁ ସିଂହେ ମନ ମଧ୍ୟରେ ଭାରି ଗୋଟାଏ ଉଚ୍ଚ ଆଶା ପୋଷିଛନ୍ତି-ଗୋପାଳ ମଫସଲ ପୋଷ୍ଟଅଫିସ୍ରେ ସବ୍ପୋଷ୍ଟମାଷ୍ଟର ହେବ-ଅତି ନିକୁଛରେ ଭିଲେଜ୍ ପୋଷ୍ଟମାଷ୍ଟର ହେବ। ମାତ୍ର ଟିକିଏ ଇଂରାଜୀ ନ ଜାଣିଲେ ତେଡ଼େବଡ଼ ଚାକିରିଟା ମିଳିବା ମୁସ୍କିଲ। ମଫସଲରେ ସୁବିଧା ନାହିଁ, କଟକ ଆଣି ଇଂରାଜୀ ପଢ଼ାଇବାକୁ ହେବ। ଚାକିରି ଗଲେ ତେଡ଼େବଡ଼ ଆଶାରୁ ଏକାବେଳକେ ନିରାଶ। ସବୁବେଳେ ସେହି କଥା ଭାବି ଭାବି ଦେହଟା କଳାକାଠ ପଡ଼ିଗଲାଣି। ଦିନେଦିନେ ରାତିରେ ନିଦ ହୁଏ ନାହିଁ, ଭାବି ଭାବି ରାତି ପାହିଯାଏ।
ସିଂହଙ୍କ ଉପରେ ପୋଷ୍ଟମାଷ୍ଟର ବାବୁଙ୍କର ଭାରି ମେହେରବାନି। ବସାରେ ମୁକରରି ଚାକର ଥିଲେ ମଧ୍ୟ ସରକାରୀ କାମ ସାରି ସଞ୍ଜବେଳେ ସିଂହେ ବାବୁଙ୍କ ବସାରେ ଦୁଇ ଚାରିଟା କାମଦାମ କରିଦେଇ ଆସନ୍ତି। ସଞ୍ଜବେଳେ ଗୋଟାଏ ଆରାମ୍ ଚୌକିରେ ପଡ଼ି ବାବୁ ଇଂରାଜୀ ଖବରକାଗଜ ପଢ଼ିବାବେଳେ ସିଂହେ ଯେଉଁ ମିଠା କଡ଼ା ଗୁଡ଼ାଖୁ ଚିଲମେ ସାଜି ଦିଅନ୍ତି, ସେପରି କେହି ଜାଣେ ନାହିଁ। ଦିନେ ସଞ୍ଜବେଳେ ସିଂହେ ଭଲ କରି ଗୁଡ଼ାଖ ଚିଲମେ ସାଜି ଆଣି ଭଲ କରି ଚିଲମଟା ଫୁଙ୍କିଦେଲେ।
ବାବୁଙ୍କ ମୁହଁରୁ ଇଞ୍ଜିନ ପାଇପ୍ରୁ ବାହାରିଲା ପରି ଧୁଆଁଗୁଡ଼ାକ ଭକ୍ ଭକ୍ କରି ବାହାରୁଛି, ଟିକିଏ ଟିକିଏ ଆଖି ବୁଜି ଆସିଲାଣି। ସିଂହେ ବୁଝି ନେଲେ ଏଇଟା ଠିକ୍ ସମୟ। ସିଂହେ ବାବୁଙ୍କ ଗୋଡ଼ତଳେ ଦଣ୍ଡବତ ହୋଇ ହାତ ଯୋଡ଼ି ଖୁବ୍ ଭକ୍ତିରେ, ଖୁବ୍ ବିନୟରେ, ଖୁବ୍ ଧୀରେ, ଖୁବ୍ ମିଠା କଥାରେ ଆପଣାର ଦୁଃଖ ହାଲ ଚୁମ୍ବକ ଚୁମ୍ବକ ସମସ୍ତ କଥା ଜଣାଇଲେ। ଗୋପାଳ ସମ୍ବନ୍ଧରେ ତାଙ୍କର ଯେଉଁ ଉଚ୍ଚ ଆଶା, ତାହା ମଧ୍ୟ ଜଣାଇବାକୁ ପାସୋରିଲେ ନାହିଁ।
ବାବୁ ସେହିପରି ନୟନ ମୁଦ୍ରିତାବସ୍ଥା-ଧୀର ଗମ୍ଭୀର ଭାବରେ କହିଲେ, “ଆଚ୍ଛା, ଦରଖାସ୍ତ ଖଣ୍ଡେ ଲେଖି ଆଣ।” ବାବୁଙ୍କର ସାହସ ଥିଲା, କାରଣ ପୋଷ୍ଟାଲ ଇନ୍ସ୍ପେକ୍ଟର ବା ସୁପରିଣ୍ଟେଟେଣ୍ଡେଣ୍ଟ୍ ବାବୁମାନେ ଆସିଗଲେ ପୋଷ୍ଟମାଷ୍ଟର ବାବୁଙ୍କ ବସାରେ ରହନ୍ତି। ଉପର ହାକିମମାନଙ୍କ ମନ ସନ୍ତୁଷ୍ଟି ପାଇଁ ଖାଦ୍ୟପେୟ ବିଷୟରେ ଯେପରି ଆୟୋଜନ ହେବାର ଉଚିତ୍, ସେଥିରୁ ତ୍ରୁଟି ହୁଏ ନାହିଁ। ସେ ରାତ୍ରରେ ପୋଷ୍ଟମାଷ୍ଟର ବାବୁ ‘ହରି ସିଂ, ହରି ସିଂ’ କରି ଦଶଥର ପାଟି କରୁଥିବାର ଶୁଣାଯାଏ। ହରି ସିଂହେ, ପୁରୁଣା ଲୋକ, ଢେର ଢେର ହାକିମହୁକୁମା ଅମଳ କଲେଣି। କାହାର କି ରକମ ମିଜାଜ, କିଏ କାହିଁରେ ଖୁସି, ଜାଣନ୍ତି।
ସେ ଦିନ ଅଧରାତିଯାଏ ସିଂହଙ୍କୁ ବାବୁଙ୍କ ବସାରେ ରହିବାକୁ ହୁଏ। କାରଣ ଓଡ଼ିଶାର କଦର୍ଯ୍ୟ ହାଓଆ ହେତୁରୁ କେହି ବାବୁ ହଠାତ୍ ପୀଡ଼ିତ ହୋଇ ବାନ୍ତିଫାନ୍ତି କରି ପକାଇଲେ ହରି ସିଂହେ ସୋଡ଼ା କାଗଜିଲେମ୍ବୁ ପ୍ରଭୃତି ହାଜର କରାଇ ବାବୁଙ୍କୁ ସମ୍ଭାଳି ନିଅନ୍ତି। ବାବୁମାନେ ଆରାମରେ ଶୟନ କଲା ଉତ୍ତାରେ ସିଂହେ ଅଧରାତିରେ ବସାକୁ ଯାଇ ଆପଣା ପାଇଁ ରୋଷେଇ କରନ୍ତି। ଏହି ସୂତ୍ରରେ ସିଂହେ ଉପରବାଲା ହାକିମମାନଙ୍କଠାରେ ପରିଚିତ।
ହରି ସିଂହଙ୍କ ଦରଖସ୍ତ ପିଠିରେ ପୋଷ୍ଟମାଷ୍ଟର ବାବୁ ଭଲ ରୂପେ ସୁପାରିସ କରି ସଦରକୁ ପଠାଇ ଦେଲେ, ଅଳ୍ପଦିନ ମଧ୍ୟରେ ଏକଷ୍ଟେନ୍ସନ୍ ହୁକୁମ ପହଞ୍ଚଲା। ସିଂହେ ତ ମହାଖୁସି, ଏହି ଖୁସି ଖବରଟା ଗାଁକୁ ଲେଖି ପଠାଇଲେ। ବର୍ତ୍ତମାନସର୍ବସ୍ବ ଲୋକ ଉପସ୍ଥିତ ସୁଖ ବା ଦୁଃଖରେ ବିମୋହିତ ହୋଇ ପଡ଼ିଥାନ୍ତି। ଭବିଷ୍ୟତ ବିଧାତା ତାଙ୍କ ପାଇଁ କଣ ବିଧାନ କରୁଛନ୍ତି, ତେଣିକି ଥରେ ହେଲେ ଅନାଇବା ଦରକାର ମଣନ୍ତି ନାହିଁ। ସିଂହଙ୍କର ଏତେ ବଡ଼ ଆନନ୍ଦଟା ପାଣିଫୋଟକା ପରି ଫାଟିଗଲା। ଘରଠାରୁ ଚିଠି ଆସିଲା, ଗୋପାଳ ମାଆର ସନ୍ନିପାତ ରୋଗ, ଜୀବନର ଆଶା ନାହିଁ। ସିଂହେ ପୋଷ୍ଟମାଷ୍ଟର ବାବୁଙ୍କୁ ଚିଠିଖଣ୍ଡକ ଦେଖାଇଲେ। ବାବୁ ବଡ଼ ଦୟାଳୁ ଲୋକ, ତତ୍କ୍ଷଣାତ୍ ଛୁଟି ଦେଲେ। ସିଂହେ ଏକନିଶ୍ବାସରେ ଘରକୁ ଧାଇଁଲେ, ଘରେ ପହଞ୍ଚି ଯାହା ଦେଖିଲେ,ତାଙ୍କ ଆଖିର ଜ୍ୟୋତି ହଜିଗଲା। ଜଗତଟା ଯେମନ୍ତ ଅନ୍ଧକାରମୟ।
ବୁଢ଼ୀର କଥା ଶେଷ ପ୍ରାୟ ହେଲାଣି। ସ୍ବାମୀଙ୍କୁ କ୍ଷୀଣ ଦୃଷ୍ଟିରେ ଭଲ କରି ଅନାଇଲେ, ଦୁଇ ହାତ ଅଳ୍ପ ଉଠାଇ ଦଣ୍ଡବତ କଲେ, ସ୍ବାମୀଙ୍କ ଗୋଡ଼ଧୂଳି ନେବାକୁ ଠାରିଲେ। ସେହି ଧୂଳି ଟିକେ ପାଇଁ କି ଅନାଇ ରହିଥିଲେ ? ସବୁ ଶେଷ ହେଲା ! ସିଂହଙ୍କର ପ୍ରକୃତ ଗୃହ ଭଗ୍ନ ହେଲା। ସେ ଘର ମାଲମତା ଦୁଇ ଖଣ୍ଡ ବିକି ପିଲାଟିକୁ ଧରି କଟକ ପଳାଇ ଆସିଲେ।
ଗୋପାଳ ମାଇନର ପଢ଼େ। ସିଂହଙ୍କର ବର୍ତ୍ତମାନ ଭାରି କଷ୍ଟ, ପେନ୍ସନ୍ ହୋଇଗଲାଣି, ଭାରି ଅଚଳ। ଘରେ ଲୋଟାକଂସା ଯାହା ଦୁଇଖଣ୍ଡ ଥିଲା, ବିକିବାକି ଖାଉଛନ୍ତି, ଚାକିରିରେ ଥିବାବେଳେ ଅତି କଷ୍ଟରେ ମାସକୁ ଦୁଇ ଚାରି ଅଣା ସଞ୍ଚି ସେଭିଂସ୍ ବେଙ୍କ୍ରେ କିଛି ରଖିଥିଲେ, ଗୋପାଳ ପଛରେ ମାଇନର ପଢ଼ାରେ ସବୁ ସାରିଲେ। ସିଂହଙ୍କର ପ୍ରବଳ ଆଶା, ଗୋପାଳ ପାସ୍ କଲେ ସବୁ କଷ୍ଟ ମେଣ୍ଟିବ। ଗୋପାଳ ମଧ୍ୟ କେତେଥର ଭରସା ଦେଇ କହିଲାଣି, “ବାପା, ଧାର କରଜ କରି ମୋତେ ପଢ଼ାଅ, ଚାକିରି କରି ଶୁଝିବି।”
ହରି ସିଂହଙ୍କର ଆର୍ତ୍ତ ପ୍ରାର୍ଥନା ଦୀନବନ୍ଧୁ ପ୍ରଭୁ ଭଗବାନ ଶୁଣିଲେ। ଗୋପାଳ ମାଇନର ପାସ୍ କଲା। ସିଂହଙ୍କର ଆନନ୍ଦର ସୀମା ନାହିଁ। ସେହି ପୁରୁଣା ପୋଷ୍ଟମାଷ୍ଟର ବାବୁ ଅଛନ୍ତି, ସିଂହେ ତାଙ୍କୁ ଧରି ବହୁତ ନିବେଦନ କଲେ। ଉପର ହାକିମମାନଙ୍କର ମଧ୍ୟ କିଛି ଅନୁଗ୍ରହ ଥିଲା, ଗୋପାଳ ଏକାବେଳକେ ମଫସଲ ମକ୍ରାମପୁର ପୋଷ୍ଟ ଅଫିସରେ ସବ୍ ପୋଷ୍ଟମାଷ୍ଟର ନିଯୁକ୍ତ ହେଲେ, ବେତନ ମାସକୁ କୋଡ଼ିଏ ଟଙ୍କା। ବର୍ତ୍ତମାନ ସଦର ପୋଷ୍ଟଅଫିସରେ ଚାରିମାସ କାମ ଶିଖି ମଫସଲ ଯିବେ।