ତମେ ଚାଲିଯିବା ପରେ
ସମୟ ଦିଶିଲା ଏକ ରାତି ଅଧ ବିମାନବନ୍ଦର।
ରାତି ଭିତରକୁ ଲମ୍ବିଯାଇଥିଲେ ନୀଳବତୀମାନ।
ବକ୍ତବ୍ୟ ତ ପରିଷ୍କାର, ବତୀଙ୍କ ଉତ୍ତାରୁ
ଅପ୍ରମିତ ଅନ୍ଧକାର ଘୋଟିଥିବା ଚଉଦ ଭୁବନ।
ନଥିବ କୌଣସି ବତୀ ନୀଳ କିମ୍ବା ଦୋସରା ରଙ୍ଗର।
ବକ୍ତବ୍ୟ ତ ପରିଷ୍କାର, ବତୀ ବିନା ତମ ବିନା ଏବଂ
ଆଶା ବିନା ମୋ ଗନ୍ତବ୍ୟ ସେହି ଅନ୍ଧକାର।
ଆକ୍ଷି ବୁଜିଦେଲି, ଆକ୍ଷି ପଛଆଡ଼େ ଲାଗେ
କେଉଁଠାରେ ଭୀଷଣ ଯନ୍ତ୍ରଣା।
ସତେ ଅବା ଭାଙ୍ଗିଗଲା ବ୍ୟୋମଯାନ ଓହ୍ଲାଇଲା ବେଳେ,
ଲିଭିଗଲା ଆଲୁଅ ଓ ସରଳବିଶ୍ବାସୀ
ହସ ନିରୁଦ୍ଦିଷ୍ଟ ହେଲା ଅପ୍ରସ୍ତୁତ ଭବିଷ୍ୟତ କୋଳେ।
ସତେ ଅବା ଛାଡ଼ିଗଲା ରଙ୍ଗ ମୋର କୋଠରୀ କାନ୍ଥରୁ,
ସତେ ଅବା ଗାଲିଚା ଓ ଶେଯ ଓଦା କେବର ବର୍ଷାରେ।
ମତେ ଜଣାଗଲା ଆଉ ଏ କୋଠରୀ ମୋର ହୋଇ ନାହିଁ।
ଏଠାରେ ମୁଁ ଆଗନ୍ତୁକ, ମୋ ସମୟ ନଷ୍ଟ କରେ, ବସି
ହସଟିଏ ଉତ୍ପାଦନ କରିବାର ବିଫଳ ଚେଷ୍ଟାରେ,
ଅଥବା ଚାହୁଁଛି ଦେବି ଜୀବନ୍ୟାସ ସ୍ମୃତିଙ୍କୁ ଅଥବା
ଥୁରୁଥୁରୁ ହାତେ ଗଢ଼େ ଭାଗ୍ୟକୁ ବା ତଡ଼େ
ଖରାକୁ ଏଠାରୁ ମୋର ଦିକ୍ଦାର୍ ଅଜସ୍ର ହାଇରେ।
ତମେ ଚାଲିଯିବା ପରେ ଆଉ କିଛି ଯାଏ ଆସେ ନାହିଁ,
ମୋ ଦୃଷ୍ଟି ଶ୍ରବଣ ଆଉ ସ୍ପର୍ଶ ଶକ୍ତି ଆଦି
ମୋ ଆୟତ୍ତାଧୀନ ଅବା ଯାହା କିଛି ଘଟିଲା ତା ଯୋଗୁଁ
ଅସଂଯତ ମନ ଦେଖେ ଅବାସ୍ତବ ରୂପ ଧାଡ଼ି ଧାଡ଼ି।
ତମକୁ ତମର ଲୁହ ଗୀତକୁ ଧ୍ବଂସ କରୁଥିବା
ସତ୍ୟର ନିର୍ମଳ ଜ୍ୟୋତି କିଏ ଯିବ ଲୋଡ଼ି?
ତମେ ଦେଖାଯାଅ, ତମେ ଚାଲିଯିବା ପରେ
ନାନା ରୂପେ, କୌଣସି ରୂପର
ଅସ୍ତିତ୍ବ ଯଦିଓ ନାହିଁ ବର୍ତ୍ତମାନେ ଅବା ଭବିଷ୍ୟତେ,
ପ୍ରତି ରୂପ ଏଡ଼ିଦିଏ ତାଚ୍ଛଲ୍ୟରେ ସମୟକୁ ଯାହା
ବିନା ବାକ୍ୟବ୍ୟୟେ ବାଣ୍ଟିହୋଇଯାଏ ଅତୀତକାଳ ବା
ବର୍ତ୍ତମାନକାଳ କିମ୍ବା ଭବିଷ୍ୟତକାଳର ଖୋପରେ।
ଏଠାରେ କେବଳ ଅଛି ଗୋଟିଏ ସମୟ,
ସେଥିରେ ଜୀବନ ପରେ ମୁତ୍ୟୁ ନାହିଁ କିମ୍ବା ମୃତ୍ୟୁ ପରେ
ପ୍ରାୟଶ୍ଚିତ୍ତ ନାହିଁ, ସବୁ ମିଶାମିଶି ସେହି,
ସମୟରେ ଏବଂ ଯେବେ ସେ ସମୟ ସରିଯିବ, କିଛି
ନ ଥିବ କେବଳ ଥିବ ଅମାପ ଅନ୍ଧାର
ପ୍ରାଣହୀନ ସମୁଦ୍ର ଓ ପ୍ରାଣହୀନ ତରାଙ୍କ ଭିତରେ।


ଅପ୍ରାନ୍ତର ଏଇ ସୁନ୍ଦର ଉଦ୍ୟମ ଲାଗି ରହୁ। ବହୁତ ଦିନ ପରେ ରମାକାନ୍ତଙ୍କ କବିତାଟିଏ ପଢିବାର ସୌଭାଗ୍ୟ ମିଳିଲା। ଧନ୍ୟବାଦ।
ରମାକାନ୍ତଙ୍କ କବିତାରେ ରହିଛି ଅଦ୍ଭୂତ ମନ୍ତ୍ରଶକ୍ତି। ପ୍ରତିଥର ଯେତେବେଳେ ମୁଁ ତାଙ୍କର କବିତା ‘ଅତିଥି ସତ୍କାର’ ପଢ଼େ, ମୋ ଛାତି ଭିତରଟା ରୁନ୍ଧି ହୋଇଯାଏ, ଅସହ୍ୟ କୋହରେ ସେଭଳି ବିଷଣ୍ଣତା ଘେରିଯାଏ ଚନ୍ଦ୍ରମାର ଚୂଡି, ଶ୍ରୀରାଧା(୬୧), ମାଷ୍ଟ୍ରାଣୀ ଆଦି କବିତାରେ।
ଗତ ଅର୍ଦ୍ଧଶତାବ୍ଦୀର ଶହେଟି ଶ୍ରେଷ୍ଠକବିତା ଆପଣଙ୍କ ପୋର୍ଟାଲରେ ସ୍ଥାନିତ କରି ପାରିବେ କି?
କବି ରମାକାନ୍ତ ରଥ ଉତ୍ତର ୧୯୬୦ କାଳରେ କବିତାର ଭାବ ଓ ଶୈଳୀ ନିମନ୍ତେ ବେଶ୍ ପରିଚିତ।
ପ୍ରେମର ପ୍ରତୀକ ନୀଳ ଆଧାରରେ ତାଙ୍କ କାବ୍ୟ ନାୟକ ବା ନାୟିକା ସ୍ବପରିଚୟ ପାଇଛନ୍ତି।
ଅପୂର୍ଣ୍ଣ ପ୍ରେମ ଓ ବସ୍ତୁବାଦୀ ଭାବନାରେ ରମାକାନ୍ତଙ୍କ ଚରିତ୍ରମାନେ ବଳିଷ୍ଠ ଓ ସେ ପାଇଁ ସମୟର ପ୍ରତିନିଧି ସେମାନେ।
ମୁଁ ଶୁଣିଥିଲି ରମାକାନ୍ତ ମିଶ୍ର ମହୋଦୟ ସାଧାରଣ ଶବ୍ଦ ବ୍ୟବହାର କରି ବିଚକ୍ଷଣ ସାହିତ୍ୟ ସୃଷ୍ଟି କରିପାରନ୍ତି। ଏହି କବିତାରେ ଠିକ ସେୟା ହେଇଛି। ଭଗବାନ କରନ୍ତୁ ଆପଣଙ୍କ ରାତି ଅଧ ବିମାନବନ୍ଦରଟି, ନାତି ନାତୁଣୀଙ୍କ କଳରବରେ ହସିଉଠୁ।