ଭଲ ରୂପେ ତୁମେ ଜାଣ ଯେ
ନାରୀଟିଏ ମୁଁ, ମହାମନ୍ତ୍ର ମମତାର
ସବୁରି ଖୁସି ପାଇଁ କେବେ ସହିପାରେ
ଆକାଶ ପରି ବର୍ଷା, ବିଜୁଳି ଓ ଝଡ।
ସ୍ବାମୀ ଦେବତାଙ୍କ ମନୋରଞ୍ଜନ ପାଇଁ ବି କେବେ
ଘରଟାକୁ କୁଞ୍ଜବନ ଅବା ମନ୍ଦିର ସଜାଇ
ଛନ୍ଦ ତୋଳି ନାଚିପାରେ ଗୀତଗୋବିନ୍ଦ
ବସ୍ତ୍ରହରଣକାରୀ ଦୁର୍ଯ୍ୟୋଧନମାନଙ୍କ,
ଜାନୁଭଙ୍ଗ ପାଇଁ ଉଡ଼ାଇଦେଇପାରେ
ଫରଫର୍ ମୁକୁଳା କେଶକୁ।
କୀଚକମାନଙ୍କ ବଧ ପାଇଁ
ସ୍ମରଣ ବି କରିପାରେ ଭୀମଙ୍କ ବାହୁବଳକୁ।
ଜାଣ ବୋଲି ହିଁ ତ ତୁମରି କ୍ଷମତା ଓ
ସାମର୍ଥ୍ୟର ଦୀର୍ଘ ସୂତ୍ରରେ ବାନ୍ଧି
ମୋତେ ଡରାଇବାକୁ ସଦା ତତ୍ପର
ଜିଭର ଦି ଧାରୁଆ ଖଣ୍ଡାରେ
ଶିରାପ୍ରଶିରାକୁ ଲହୁଲୁହାଣ କର।
ଏସବୁ ସତ୍ତ୍ବେ ଜାଣିରଖ
ମରୁଭୂମିରେ ବି ସବୁଜ ଫସଲ ଆସିବା ପରି
ଦୁଃଖସୁଖ ସହ ସାଲିସ୍ କରିନେବାଟା
ମୋର ଚିରାଚରିତ ନିୟମ।
ତୁମେ ସ୍ବପ୍ନରେ ବି ଦୁଃଖର ଛାୟାକୁ ଦେଖି ଡରିଯାଅ
ହେଲେ ଦୁଃଖ ଭିତରେ ବି ସ୍ବପ୍ନ ଦେଖିବା
ମୋର ବହୁ ଦିନର ଅଭ୍ୟାସ।