ମୋ ମୁଣ୍ଡ, ମୋ ଧମନୀ
ମୋ ଛାତି, ମୋ ଉଲ୍ଲାସର ରକ୍ତରେ
ଗାଧୋଇ ଫେରିଛ ତ?
କାଇଁ ଟିକେବି ବିଭତ୍ସ
ଦିଶୁନ!
ଏଇ ଟିକକ ଆଗରୁ
କେତେ କେତେ ଆଲୋକ, ନକ୍ଷତ୍ରମାଳା
ପିନ୍ଧି ଶୁଭ୍ର ଦିଶୁଥିଲେ।
ମୁଁ ବାଟ ଦେଖେଇ ଦେଲି ବାଛି ନେବାକୁ
ତୁମକୁ ପତନର ପଥ!
ଏ କି ଗୋଟେ ପରାଜୟ? ତମେ
ଅସ୍ତ୍ର ଧରି ଆସିବ ବୋଲି ତ
ମୁଁ ନିରସ୍ତ୍ର।
କେତେ କାହାର ଭିକ୍ଷାରେ ଭରି ଯାଇଥିବା
ତମ ଯଜ୍ଞକୁଣ୍ଡ ପାଖରେ
ମୁଁ ବିଗଳିତ ଘୃତ।
ତମେ ଦେବୀ। ମୁଁ ମଣିଷ!
ଯେତେବେଳେ ବି କାହାଣୀରେ
ଲେଖାହେବ ଏ ଯୁଦ୍ଧ
ତମେ ଆହୁରି ଆହୁରି ଲାସ୍ୟମୟୀ
ରୂପସୀ ଦିଶିବ।
ତମେ ମୋହିନୀ ବୋଲି ତ
ମୁଁ ଏତେ ବିକଟାଳ!
କାହାର ଯାଚନା, କାହାର ଆୟୁଧକୁ ନେଇ
ଯୁଦ୍ଧକୁ ଆସେ ନାହିଁ ବୋଲି ତ
ଅହଂକାରକୁ ତୋଳିଧରେ
ଗିନାଏ ରକ୍ତ।
ପିଅ। ଆହୁରି ତୃଷିତ ହୁଏ।
ମନେ ରଖିବ କିନ୍ତୁ
ତମେ ଦେବୀ। ମୁଁ ମଣିଷ।
ତମେ ରାତିର ଗଭା। ମୁଁ ରକ୍ତଭିଜା॥


ଖୁବ୍ ଭଲ ଲାଗିଲା| ସୁନୀଲ୍ ଭାଇ, ଅନେକ ଧନ୍ୟବାଦ। ସମ୍ପୂର୍ଣ ସମପର୍ଣର କଥା ଏଠାରେ ଦେଖେଇଛନ୍ତି। ଆବେଗ ରହିଛି ଏ କବିତାରେ।