ମାଆ!
ତୁମେ ଆସିବ ବୋଲି
ମାଟି-ମଲାଟ ରେ
ବିଛେଇ ଯାଇଛି
ସବୁଜ ଘାସ-ଗାଲିଚା।
ନଈ, ପୋଖରୀର କାଚକେନ୍ଦୁ ପାଣି
ଅନାଇ ରହିଛି-
ପଦ ଯୁଗଳ ଧୌତ ପାଇଁ..
ଚାମର କରୁଛି
ଶୁଭ୍ର କାଶତଣ୍ଡୀ।
ରଜତ ଜୋଛନା
ବିଞ୍ଚି ଦେଇଛି ଜହ୍ନ
ଧରା-ଅଗଣାରେ।
ଶେଫାଳି ଗୁନ୍ଥିଛି ହାର
ସାଜିବାକୁ କବରୀରେ।
ଘରେ ଘରେ,
ପୁରେ ପୁରେ,
ସରୁଚକୁଳି, ଛୁଞ୍ଚିପତରରୁ
ମଣ୍ଡାପିଠା ଯାଏ
ଚାଲିଛି ତିଆରି
ନୈବେଦ୍ୟ ପାଇଁ ପୂଜାରେ।
ନୀଳ ପଦ୍ମ ଢ଼ଳ ଢ଼ଳ,
ସ୍ବାଗତ ପାଇଁ
ପ୍ରଜାପତି, ଭ୍ରମର ମାଳ ମାଳ।
ଆସ ମା!
ବାଢ଼ିବାକୁ ଭକ୍ତି ନୈବେଦ୍ୟ
ସମସ୍ତେ ବ୍ୟାକୁଳ।