ରହସ୍ୟ ଜର୍ଜର ଏକ ଉଷୁମ ପ୍ରତୀକ୍ଷା
କାଲିର ସକାଳ।
ଠିକ୍ କେଉଁ ଦିଗକୁ ଫିଟିବ ଝର୍କା
ଜଣାନାହିଁ।
ଆଖିବୁଜି ଡେଇଁ ପଡ଼ିଲେ ବି
ସଠିକ୍ କୋଳକୁ ଖସିବ ଜହ୍ନ!
ବଳକା ରାତିକୁ ଆଖିରେ ଶୋଷିଦେଇ
ଦିଶୁଥିବି ମୁଁ ପରିପୂର୍ଣ୍ଣ।
କାଲି ଫିଟିପାରେ ହୁଏତ ମହୁର ଝଣ୍ଡାଟିଏ!
ଅଳସ ମୁଦ୍ରାରେ ମୋର ଦେହ,
ଆତ୍ମା ମୋର ପତ୍ର ଶଯ୍ୟାରେ!
କାଲି ହୁଏତ ଆସିପାରେ ସବୁଠୁ ଦାରୁଣ
ଅଥଚ଼ ମଧୁରତମ ଶୀତ।
କିଏ ସେ କହୁଛି ହାତ ମେଲାଅ, ଛାତି ପସାର,
ଆତ୍ମାକୁ କର ଉନ୍ମୁକ୍ତ!
ମୁଁ ଫେରୁଛି ବାରମ୍ବାର
ସେଇ ଚଳନ୍ତି ପାହାଚ଼ର ସ୍ଥିର ଚିତ୍ରକୁ,
ମୋ ହାତରୁ କାଢ଼ୁଛି ତୁମର ପାପୁଲି
ଓ ମୁଠାଇ ଧରୁଛି।
କାଲି ସକାଳୁ ପୁଣି ଏ ସମୟ ଦୌଡ଼ିବ
ମୁଁ ଲୁଚାଇ ଦେବି ତୁମର ପାପୁଲି
ମୋର ଶୂନ୍ୟ ଅସହାୟ ଆଙ୍ଗୁଳି
ଫାଙ୍କ ଦେଇ
ଅନାୟାସେ ପବନ ବହିବ।
କାଲି ସକାଳକୁ ହୁଏତ
ମୋର ଅସ୍ତିତ୍ବଠାରୁ ବଡ଼ହୋଇ ଦିଶୁଥିବ
ମୋର ଏକାକୀତ୍ବ।