ଅନେକ ଦିନ ତଳର କଥା:
ମାଆ ପଚାରିଥିଲା ସେଦିନ-
କିଏରେ ସେ?
କାହା ସଙ୍ଗେ କଥା ହଉଥିଲୁ?

ଉତ୍ତର ଦେଲି, କଲେଜର ପୁରୁଣା ସାଙ୍ଗଟିଏ
ଅନେକ ଦିନ ହବ ଦେଖା ହେଇ ନାଇଁ ତ!
ଖ୍ରୀଷ୍ଟାନ?
ନାଇଁ, ହିନ୍ଦୁ ପିଲାଟି।

କାହିଁକି କେଜାଣି
ମାଆ ମୁହଁ ମୋଡ଼ିଦେଇଥିଲା।
ମାଆର ସେ ମୁହଁ ମନେ ରହିଚି ସବୁବେଳେ।

ହାଣ୍ଡିରେ ଫୁଟନ୍ତା ପାଣିରେ
ଜିଅନ୍ତା କଙ୍କଡ଼ା ଛାଡ଼ିଦେଲେ ଯେମିତି ଲାଗେ,
ସେମିତି: ହଠାତ୍‌ କଙ୍କଡ଼ା ଖୋଳ ନାଲି ହେଇଯାଏ।

ନୀତିକଥାର ବୁଲାକୁକୁରଟିଏ
ଲାଞ୍ଜ ହଲାଉଥିଲା
ମୋ’ ପିଲାଦିନ ଭିତରେ।
ଆଜି ବି ସେଇ କଥା ହୁଏ।

ଆଉ ଚୁପ୍‌ଚାପ୍‌ ହେଇଗଲି ଛୁଞ୍ଚି ମୁନ ପରି
ସେ କ୍ଷତ କରିବାର ନୀରବତା
ଯାଉଥିଲା, ନା ବାଁକୁ, ନା ଡାହାଣକୁ
ନା ତଳକୁ ନା ଉପରକୁ।

କ’ଣ ବୁଝୁଥିଲି ମୁଁ ସେବେ କେଜାଣି
କିନ୍ତୁ ଧୀରେ ଧୀରେ ଆରମ୍ଭ ହେଲା ମନରେ ମୋ’ର
ନିଜ ଉପରେ ଏକ ଅଜଣା ସନ୍ଦେହ
ଆକାର ନଥିଲା ତା’ର
ଆଉ ବ୍ୟାପିବାକୁ ଚାଲିଲା ଝାପ୍‌ସା ଦୋଷ କେମିତି ଗୋଟିଏ।

ଆଜି ଲାଗେ
ସେଦିନ ଗୋଟିଏ ମୁହୂର୍ତ୍ତରେ ଦେଖା ଦେଲା
ମାଆର ନିନ୍ଦିତ ଅଗଣା
ଆଉ ସେଇ ଧ୍ବଂସ ହେଇ ପଡ଼ିଥିବା ଦୁର୍ଗ,

ଆଉ ମୋ’ ପରି କେତେଜଣ
ବଡ଼ ହେଲୁ ଦୁନିଆରେ ବୟସରେ ଅନୁଭୂତିରେ
କେମିତି ଦୋଷୀ ମନୋଭାବ ଧରି-

ଆଜି ମୋ’ ପରି ମୁଁ
ଘରେ ବସି ଗପବହି ଖବରକାଗଜ ପଢ଼ିଲି
ଗୀତ ଗାଇ ଧର୍ମ କଥା କିଛି ନ ଭାବି
ସୁନ୍ଦର ଝିଅଙ୍କ ଆଖିର ଧର୍ମରେ ଭାସିଲି।

କିନ୍ତୁ ଜୁଆଖେଳ ପରି
ଜୀବନ ମୋ’ର ନଥିଲା ଭୟାବହ,
ନିରାପଦ ଥିଲା ଜୀବନ
ଧର୍ମକୁ ନେଇ ଜୁଆ କେବେ ଖେଳୁନଥିଲି,

ଧର୍ମ ଥିଲା ମୋ’ ମନରେ
ଅବୁଝା ଜହ୍ନରାତିଟି ପରି
ବୁଝୁନଥିଲି କାହିଁକି
ସେଇ ଜହ୍ନରାତିରେ କେତେ ଲୋକ
ଧର୍ମଗ୍ରନ୍ଥ ପୋଡ଼ି ନାଚିଚାଲିଥିଲେ।

କାହିଁକି କେଜାଣି
ସେଦିନ ମାଆ ମୁହଁ ମୋଡ଼ିଦେଇଥିଲା,

କାହିଁକି କେଜାଣି
ଆଜି ବନ୍ଧୁ ଜଣେ ମୁହଁ ମୋଡ଼ିଦେଲେ
ମତେ ପଚାରି:
ଆପଣ କ’ଣ ଖ୍ରୀଷ୍ଟାନ୍?
ଜୟନ୍ତ ଜାଣେ ନାଇଁ।