ବିରଳ ପ୍ରଜାତି
ପ୍ରେମ ବଦଳି ଯାଉଚି ଗୀତରେ
ଗୀତ ବଦଳି ଯାଉଚି ପ୍ରେମରେ
ଗଛରେ ଗଛେ ପକ୍ଷୀ
ଗଛେ ଗୀତ
ଗଛେ ପ୍ରେମ।

ମଣିଷ ପକ୍ଷୀଠୁ ଶିଖିଥିଲା ଘରତୋଳା
ମଣିଷ ପକ୍ଷୀଠୁ ଶିଖିଥିଲା ଗୀତ
ମଣିଷ ପକ୍ଷୀଠୁ ଶିଖିଥିଲା
ସବୁ ବିଫଳତାରେ ସଫଳ ହବାର ରହସ୍ୟ।

ମଣିଷକୁ ଶିଖେଇଥିଲା
ନିଆଁର କଣିକାକୁ ଖାଇ
କେମିତି ବଞ୍ଚିବାକୁ ହୁଏ
ଘନଘୋର ବର୍ଷା ଓ ବତାସୀ ପବନରେ।

ଆଉ, ତାର କୁନି କୁନି ଶାବକମାନଙ୍କୁ ଶିଖେଇଥିଲା
କେମିତି ବଞ୍ଚିବାକୁ ହୁଏ
ପକ୍ଷୀ-ଶାବକ ମଣିଷମାନଙ୍କ ଗହଳରେ।

ପକ୍ଷୀର ଘର ଅଛି, ଦେଶ ନାହିଁ
ପକ୍ଷୀର କଣ୍ଠ ଅଛି, ପରିଚୟ ନାହିଁ
ପକ୍ଷୀର ଡେଣା ଅଛି, ପରିତ୍ରାଣ ନାହିଁ
ନିଜ ଦେଶରେ ପକ୍ଷୀ ଦେଶାନ୍ତର
ସ୍ବାଧୀନତା ହୀନ ସ୍ବାଧୀନତା ଝୁଲୁଥିବା ବରଗଛର ଫଳ।

ଗୀତ କି ସୌନ୍ଦର୍ଯ୍ୟ ପାଇଁ ଯେତିକି ନୁହେଁ
ପ୍ରେମ ଓ ସୌହାର୍ଦ୍ଦ୍ୟ ପାଇଁ ଯେତିକି ନୁହେଁ
କଅଁଳ ମାଂସର ସ୍ବାଦ ପାଇଁ ପକ୍ଷୀ ମଣିଷର ପ୍ରିୟ।

ପ୍ରିୟ ପକ୍ଷୀ
ଆନନ୍ଦ ବେଦନା ପାରି ହୋଇ
ଜୀବନର ଅନ୍ତ ସହିତ ଗୋଳେଇ ହୋଇ
ପରିତୃପ୍ତିର ହାକୁଟିଟିଏ ହୋଇ ବଞ୍ଚିରହେ।

ଆଦିମ ଯୁଗର ସଭ୍ୟ ପକ୍ଷୀ
ସଭ୍ୟ ଯୁଗର ଆଦିମ ମଣିଷ
ପକ୍ଷୀ ପାଇଁ ରଖିଚି କ’ଣ

କଳା ଧୂଆଁ,କଳା ପାଣି
କଳା ଅଙ୍ଗାର,କଳା ଅଙ୍ଗାରକାମ୍ଳ
ଶିଶାର ଗୁଳି
ରଙ୍ଗଦିଆ ଧାତବ ପଞ୍ଜୁରୀ?

ଅଗଣତାନ୍ତ୍ରିକ ତେଲ କରେଇରେ
ରା-ରା କରେ
ଗଣତାନ୍ତ୍ରିକ ପକ୍ଷୀ
ଉଠେଇ ଦବାକୁ ଦାବୀ କରେ ସମ୍ବିଧାନିକ ସଂରକ୍ଷଣ।

ପ୍ରେମ ବଦଳି ଯାଉଚି କଳିରେ
କଳି ବଦଳି ଯାଉଚି ହିଂସାରେ
ଦେଶରେ ଦେଶେ ମଣିଷ
ଦେଶେ କଳି
ଦେଶେ ହିଂସା।

ପଞ୍ଜୁରୀ ଭିତରେ ପକ୍ଷୀ ଗୀତ ଗାଉଚି
ଗୀତ ଭୁଲି ଯାଇଚି ପ୍ରଜାତି ମଣିଷ।