ଟିକି ଚଢ଼େଇ ମୋ ଟିକି ଚଢ଼େଇ
ଟିକି ଟିକି ପର ଦେବୁ ହଲେଇ।
ଟିକି ଥଣ୍ଟେ କିଚିମିଚିରି କରି
ଟିକି ଟିକି ଆଖି ମିଟିକା ମାରି।
ଏ ଘରୁ ସେ ଘର ଉଡ଼ିବୁ ଟିକେ
ଟିକି ଆଶା ଭରି ତତେ ମୁଁ ଡାକେ।

ଚାଳ ଘର ଆଉ ନାହିଁ ତ’ ଆଜି
ସେଥିପାଇଁ ତୁହି ଗଲୁ କି ହଜି।
ଥୁଣ୍ଟାଗଛ ଭଳି କୋଠା ଅନେକ
ଗଢ଼ି ଉଠୁଅଛି ନଗର ଯାକ।
ତଥାପି ତତେରେ ଝୁରୁଛି ବସି
ପହଞ୍ଚି ଯିବୁ କି ମୋ ଘରେ ଆସି।

ଆମ ମାଟିଘର ଭାରି ସୁନ୍ଦର
ନଥାଏ ତହିଁରେ ଗରମ ଡର।
ଲାଗିଅଛି କାଠ ପଟା ଯୋଡ଼ାଏ
ରହିବୁ ଆନନ୍ଦେ ଘର ପରାଏ।

ଘର ଚଟିଆ ତୋ’ ଛୋଟିଆ ନାଆଁ
ତୋ ବିନା ଶୂନ୍ୟ ମୋ ବିରାଟ ଗାଆଁ।
ଯାଆନାରେ ଦୂର ଦେଶେ ତୁ ଉଡ଼ି
ମାନିଯା କଥା ମୋ ଆ ରେ ବାହୁଡ଼ି।
ଚଟିଆ ନଥିଲେ କି ଲାଭ ଘର
ଉଛନ୍ନ ହୋଇବ ପ୍ରକୃତି କୋଳ।