ମୁଁ କହିଲି, ‘ଆପଣ ମୋତେ ଭୁଲେଇବାକୁ ଚେଷ୍ଟା କରୁଛନ୍ତି। ମୋତେ ଆପଣ କେବେ ବି ଭୁଲେଇ ପାରିବେ ନାହିଁ। ମୁଁ କଅଣ ଆପଣଙ୍କୁ ଜାଣି ନାହିଁ ? ମୁଁ କଅଣ ଆପଣଙ୍କୁ ଦେଖିନାହିଁ ? ଆପଣଙ୍କୁ କିଏ ଦେଖିନାହିଁ ନା ଚିହ୍ନିନାହିଁ?’

‘ଏବେ ବି ଦେଖୁଛି। ହେଇ ଦେଖୁନାହାନ୍ତି?’ ମୁଁ ମୋ ଚେଆର ପଛପଟେ କାନ୍ଥରେ ଟଙ୍ଗା ଯାଇଥିବା ଫଟୋକୁ ହାତ ଦେଖାଇଲି।

ଆପଣ ତାଙ୍କୁ ଦେଖି ମୁଁ ବୋଲି ଭାବୁଛନ୍ତି? ସେ କହିଲେ ?

ମୁଁ ଆଶ୍ଚର୍ଯ୍ୟ ହେଲି। ଥରେ ଫଟୋକୁ ଦେଖିଲି ଏବଂ ପୁଣି ଥରେ ତାଙ୍କୁ ଦେଖିଲି। ଫଟୋରେ ସେ ଚାଦର ଘୋଡ଼ିଛନ୍ତି। ଆଉ ଏଠି ତାଙ୍କ ଦେହଟା ଫୁଙ୍ଗୁଳା। ପଞ୍ଜରା ହାଡ଼ଗୁଡ଼ିକ ବେଶ୍‌ ଗଣି ହେଇଯାଉଛି।ତାଙ୍କ ଖାଲି ଦେହକୁ ଥଣ୍ଡା ଲାଗିବ ଭାବି ମୁଁ ରୁମ୍‌ରେ ଚାଲୁଥିବା ଏସିଟାକୁ ବନ୍ଦ କରିଦେଲି। ରୁମ୍‌ ଭିତରେ ତଥାପି ଥଣ୍ଡା ଥିଲା। ମୁଁ କହିଲି, ‘ଗୋଟାଏ ଚାଦର ମଗେଇବି? ଥଣ୍ଡା ଲାଗୁଥିବ।’

ସେ କହିଲେ, ‘ଏମିତି ତ ଜନ୍ମ ହେଇଥିଲି ଖାଲି ଦେହରେ, ଯିବି ବି ଖାଲି ଦେହରେ। ଚାଦରଟେ ଆଉ କ’ଣ ହେବ? ଖାଲି ଦେହରେ ମୁଁ ଥଣ୍ଡା ଓ ଗରମ ସବୁ ସହିପାରେ।’ ସେ ଟିକିଏ ରହିଗଲେ, ତା’ପରେ କହିଲେ, ‘ସେ ଯନ୍ତ୍ରଟାକୁ ବନ୍ଦ କରିଦେଲେ ଆପଣଙ୍କୁ କଷ୍ଟ ହେବନି?’

ମୋ ଗାଲରେ ଯେମିତି କିଏ ଚାପୁଡ଼ାଏ ପିଟିଦେଲା। ମନକୁ ମନ ମୋ ହାତଟା ଉଠିଯାଇ ଗାଲକୁ ଆଉଁସି ପକେଇଲା।

ସେ କହିଲେ, ‘ହଉ ଛାଡ଼ନ୍ତୁ ସେକଥା। ଆପଣ ମୋତେ ଦେଖିଥିଲେ ଦେଖିଥିବେ। ମୋର ସେଥିରେ ଆଉ କିଛି କହିବାର ନାହିଁ। ମୁଁ କିନ୍ତୁ ଏମ୍‌.କେ.ଗାନ୍ଧୀ। ଆସିଚି ଗୁହାରି କରିବାକୁ। କେବେଠାରୁ ଆସିବି ବୋଲି ଭାବୁଥିଲି। କିନ୍ତୁ ପାରୁଚି କେଉଁଠି ?’

ମୁଁ କହିଲି ‘ମୋତେ କହିଥିଲେ ମୁଁ ଆପଣଙ୍କ ପାଖକୁ ଯାଇଥାଆନ୍ତି। ଆପଣ ଏତେ କଷ୍ଟ କରି…।’

ସେ ପୁଣି ହସିଲେ। ଏଥର ସେ ହସିଲାବେଳେ ତାଙ୍କ ଆଖିରେ ଲୁହ ଦେଖାଗଲା। ପୂରା ଆଖି ଦି’ଟାରେ ପାଣି ଭର୍ତ୍ତି ହୋଇଗଲା। ତାଙ୍କ କଣ୍ଠ କେମିତି ଜଡ଼ିଜଡ଼ି ଆସିଲା। ସେ ଯେମିତି କିଛି କହିବାକୁ ଚାହୁଁଛନ୍ତି, କହିପାରୁ ନାହାନ୍ତି। କିଛି ସମୟ ପରେ ନିଜ କୋହକୁ ସମ୍ଭାଳି ନେଇ ଏବଂ ଗୋଟାଏ ଦୀର୍ଘଶ୍ବାସ ପକେଇ ସେ କହିଲେ, ‘ସେଇ ସେତକ ଯଦି ହୋଇପାରୁଥାଆନ୍ତା, ତେବେ ଭାରତବର୍ଷ ଏତେବେଳକୁ ସୁନାର ଭାରତବର୍ଷରେ ପରିଣତ ହେଇସାରନ୍ତାଣି।’ ଏତକ କହିସାରି ଚୁପ୍‌ ହୋଇ ତଳକୁ ମୁହଁ ପୋତି ଚେୟାରରେ ବସି ରହିଲେ।ଗୋଲ ଟେବୁଲ୍‌ ବୈଠକରେ ମହାତ୍ମାଗାନ୍ଧୀ ଯେମିତି ମେମୋରେଣ୍ଡମ୍‌ଟା ଧରାଇ ଦେଇ ବଡ଼ ଗମ୍ଭୀର ହେଇ ବସି ରହିଥିଲେ।

ମୁଁ ତାଙ୍କ ମୁହଁକୁ ଦେଖୁଥିଲି। ଯେମିତି ଅନେକ ଦୁଃଖ ଓ ଚିନ୍ତାର ରଙ୍ଗସବୁ ତାଙ୍କ ମୁହଁରେ ଉକୁଟି ଉଠୁଚି। ତାଙ୍କରସେଇ ପଦେ କଥାରେ ମୁଁ ବଡ଼ ଅପ୍ରସ୍ତୁତ ହେଇପଡ଼ିଲି। ମୋ ପାଖରେ ସେଠୁ ଖସିଯିବାର ବାଟ ନ ଥିଲା। ଗୋଟେ ବିରାଟ ସାମ୍ରାଜ୍ୟ ଯେତେବେଳେ ତାଙ୍କ ହାତ ମୁଠାରୁ ଖସି ନ ଯାଇପାରି ତ୍ରାହିତ୍ରାହି ଡାକ ଛାଡ଼ିଥିଲା ଏବଂ ଶେଷରେ ଆତ୍ମସମର୍ପଣ କରି ଦେଶ ଛାଡ଼ି ପଳାଇଲା, ସେତେବେଳେ ମୁଁ କିଏ ? ମୁଁ ତ ଅତି ନଗଣ୍ୟ।

ମୁଁ ବି ଏଥର କେମିତି ତାଙ୍କଠାରୁ ମୁକ୍ତି ପାଇବି ସେକଥା ଚିନ୍ତା କରୁଥିଲି। ଏଥର ସାହସ ସଞ୍ଚୟ କରି କହିଲି, ‘ହଉ, ଆପଣଙ୍କ କଥା କୁହନ୍ତୁ। ଆପଣ ଯଦି ସେ ଏମ୍.କେ.ଗାନ୍ଧୀ ନୁହନ୍ତି, ତେବେ କୁହନ୍ତୁ ଆପଣ କ’ଣ ଗୁହାରି କରିବାକୁ ଆସିଛନ୍ତି, କୁହନ୍ତୁ ଶୀଘ୍ର। ମୋର ସମୟ ଯଥେଷ୍ଟ କମ୍‌। ଅନେକ କାମ ତେଣେ ବାକି ପଡ଼ିଛି। ଅନେକ ମିଟିଂ ଅଛି।ଚିଫ୍‌ଙ୍କ ସହିତ ଓ ହେଡ୍‌ସ ଅଫ୍‌ ଦି ଡିର୍ପାଟମେଣ୍ଟ ସହିତ। ଆସନ୍ତାକାଲିଠୁ ମାସିକିଆ ବିଧାନସଭାବସିବ। ସେଠି ଉତ୍ତର ଦରକାର ହୁଏନି। ଖାଲି ପ୍ରଶ୍ନ। ମୋତେ ପ୍ରସ୍ତୁତ ହେବାକୁ ପଡ଼ିବ। ଏଠି ଏସବୁ କାମରେ ବ୍ୟସ୍ତ ରହିବାକୁ ମୋର ବେଳ ନାହିଁ। ହଁ କୁହ। ଆଗରୁ ପ୍ରସ୍ତୁତ ହେଇ ଆସିଥାଆନ୍ତ ସିନା।’

ସେ ସେମିତି ହସିଲେ ଓ କିଛି କହିବା ପୂର୍ବରୁ କାଶିଲେ ବାରମ୍ବାର।

‘ଟିକିଏ ପାଣି ପିଇବ?’ ମୁଁ ପାଣି ଗ୍ଲାସ୍‌ଟିକୁ ତାଙ୍କ ଆଡ଼କୁ ବଢ଼େଇ ଦେଲି। ସେ ହାତ ହଲେଇ ମନା କଲେ। କହିଲେ ‘ସାତଦିନ ହେଲା ଜଳସ୍ପର୍ଶ କରିନାହିଁ। ଆଜି ଏଠି କେମିତି ପାଣି ପିଇଦେବି? ମୋତେ ସେମାନେ କ’ଣ କହିବେ?’

‘ଜଳସ୍ପର୍ଶ କରିନାହିଁ? କାହିଁକି? କିଏ କ’ଣ କହିବ? ମୁଁ ବୁଝିପାରୁନି।’

‘ସେଇ ଯୋଉମାନେ ଗେଟ୍‌ ସାମ୍ନାରେ ବସିଛନ୍ତି।’ ସେ କହିଲେ। ‘ଆଃ, ସେଥିରେ ତୁମର କ’ଣ ଅଛି? ସେଇଟା ଗୋଟାଏ ଭିନ୍ନ ପ୍ରଶ୍ନ।’ ମୁଁ ପି.ଏ.ଙ୍କୁ ଡକେଇଲି। ଶ୍ରୀକୃଷ୍ଣଙ୍କୁ ମଧ୍ୟ ଡାକିଲି। ସେମାନେ ଆସି ତାଙ୍କୁ ବୁଝାସୁଝା କରି ବାହାରକୁ ନେଇଗଲେ। ମୁଁ ଗୋଟାଏ ବିରାଟ ଅସ୍ବସ୍ତିକର ପରିସ୍ଥିତିରୁ ମୁକ୍ତି ପାଇଗଲି ବୋଲି ଭାବୁଥିଲି ଏବଂ ଟେବୁଲ ଉପରେ ମୁଣ୍ଡରେ ହାତଦେଇ ବସିଗଲି।
କିଛି ସମୟ ପରେ ବାହାରେ କ’ଣ ଗୋଟାଏ ଗୋଳମାଳ ହେବାର ଶୁଣି ମୁଁ ଦଉଡ଼ି ଆସିଲି। ଦେଖିଲି ସେ ଲୋକଟିକୁ ଘେରି ମୋର ପି.ଏ. ଓ ଅନ୍ୟ କେତେଜଣ ଠିଆ ହୋଇଛନ୍ତି। ମୁଁ ତାଙ୍କ ପାଖକୁ ଯିବାକୁ ଅନ୍ୟମାନେ ଆଡ଼େଇ ଗଲେ।

ପଚାରିଲି, ‘କଅଣ ହେଲା।’

ସେ କହିଲେ, ‘ମୁଁ ଆପଣଙ୍କ ଅଫିସ୍‌କୁ ଗଲାବେଳେ ମୋ ବାଡ଼ିଟା ଏଠି ପି.ଏ. ବାବୁଙ୍କୁ ଦେଇ ଯାଇଥିଲି। ସେ ବାଡ଼ି ଅଫିସର୍‌ଙ୍କ ରୁମ୍‌କୁ ନେବାର ନିୟମ ନାହିଁ ବୋଲି କହିଲେ। ଏବେ ଆସି ଦେଖୁଛି, ବାଡ଼ିଟା ନାହିଁ। ମୁଁ ଏବେ କ’ଣ କରିବି ?’

ଶ୍ରୀକୃଷ୍ଣ ଏତିକିବେଳେ ଦଉଡ଼ି ଦଉଡ଼ି ସେ ଆଡ଼ୁ ଆସିଲା। ସେ ଧଇଁସଇଁ ହେଇ କହିଲା, ‘ଗେଟ୍‌ ପାଖରେ ଗୋଳମାଳ ହେବାରୁ ଏଠୁ ପୋଲିସ୍‌ବାଲା ଦଉଡ଼ି ଗଲାବେଳେ ବାଡ଼ିଟାକୁ ନେଇଯାଇଛନ୍ତି। ଏ ବାବୁ ମୋ ସାଙ୍ଗରେ ଆସନ୍ତୁ। ମୁଁ ଗେଟ୍‌ ପାଖରୁ ସେ ବାଡ଼ିଟା ଆଣିଦେବି। ସେ ବାଡ଼ି ସେମାନଙ୍କର ଆଉ କ’ଣ ହେବ ?’

-୦-

Pages: 1 2 3