ମୋ ଟେବୁଲ୍ ଉପରେ ଭିଜିଟିଂ କାର୍ଡ଼ଟି ଦେଖି ମୁଁ ବିସ୍ମିତ ହେଲି। ଭିଜିଟିଂ କାର୍ଡ଼ ଦେଖି ମୁଁ ଜଣଜଣକୁ ଡାକି ବିଦା କରୁଥାଏ। ସପ୍ତାହକୁ ଗୋଟିଏ ଦିନ ଶନିବାର। ସରକାରଙ୍କ ନିୟମ ଅନୁସାରେ ସର୍ବସାଧାରଣଙ୍କୁ ସାକ୍ଷାତ ଦେଇ ତାଙ୍କ ହାରିଗୁହାରି ଶୁଣିବାକୁ ପଡ଼େ। ‘ହାରିଗୁହାରି’ ଶବ୍ଦଟା ରାଜାରାଜୁଡ଼ା ଅମଳରୁ ଏତେ ଲୋକପ୍ରିୟ ହୋଇଯାଇଛି ଯେ, ଏବେ ମଧ୍ୟ ସରକାର ତାଙ୍କ ଚିଠିପତ୍ର ଓ ସର୍କୁଲାରମାନଙ୍କରେ ସେ ଶବ୍ଦ ବ୍ୟବହାର କରି ଆସୁଛନ୍ତି। ଅବଶ୍ୟ ବେଳେବେଳେ ଅଣଓଡ଼ିଆ ମନ୍ତ୍ରୀ ଓ ଅଫିସର ତାକୁ ‘ଅଭିଯୋଗ’ ବୋଲି ବା ଇଂରାଜୀରେ ‘କମ୍ପ୍ଲେନ୍’ ବୋଲି ଲେଖୁଛନ୍ତି।
ନଚେତ୍ ସାଧାରଣତଃ ସେ ପୁରୁଣା ଶବ୍ଦକୁ ସମସ୍ତେ ବ୍ୟବହାର କରନ୍ତି। ମୋତେ ବି ଭଲ ଲାଗେ। ଅନେକ ଦିନର ପୁରୁଣା ଶବ୍ଦଟା ଏ ଯାଏ ଅତ୍ୟାଧୁନିକତାର ଅତ୍ୟାଚାର ସହ୍ୟ କରି ମଧ୍ୟ ଗର୍ବର ସହିତ ମୁଣ୍ଡଟେକି ଛିଡ଼ା ହୋଇଛି, ଏହା କମ୍ କଥା ନୁହେଁ। ମୁଁ ମୋ ପି.ଏ.ଙ୍କୁ ଶନିବାର ଦିନ ସେଇ ହାରିଗୁହାରି ରେଜିଷ୍ଟରଟି ମୋ ସାମ୍ନାରେ ରଖିବାକୁ ନିର୍ଦ୍ଦେଶ ଦେଇଥାଏ।
ସେଦିନ ସେମିତି ତିନିଚାରିଜଣଙ୍କ ଗୁହାରି ଶୁଣି ସାରିଲା ପରେ ଯେତେବେଳେ ଭିଜିଟିଂ କାର୍ଡ଼ଟି ଉପରେ ନଜର ପଡ଼ିଲା, ମୁଁ ଟିକିଏ ଅଧିକ ଉତ୍ସୁକ ହୋଇ ଉଠିଲି। ସେଥିରେ ଗୋଟେ ଅର୍ଡ଼ିନାରୀ ଡି.ଟି.ପି. ମେସିନ୍ରେ ଲେଖାଥିଲା, ‘ଏମ୍.କେ.ଗାନ୍ଧୀ’। କାର୍ଡ଼ଟାକୁ ଦେଖି ମୋ ଭିତରେ ଯେମିତି କୌତୂହଳ ସୃଷ୍ଟି ହେଉଥିଲା, ସେମିତି ବିରକ୍ତି ମଧ୍ୟ ଜାତ ହେଉଥିଲା। କେହି ଜଣେ ମୋ ସହିତ ରହସ୍ୟ କରିବାକୁ ଏମିତି ସ୍ଲିପ୍ ପଠାଇଥିବ ବୋଲି ଭାବିଲି। ହୁଏତ ଭାବୁଥିବ ଯେ ଏମିତି ନାଁଟିଏ ଦେଖିଲେ ମୁଁ ତାକୁ ପ୍ରାଧାନ୍ୟ ଦେଇ ପ୍ରଥମେ ଡାକିଦେବି।
ଏଥିପାଇଁ ଲୋକଟିର ଚତୁରପଣ ଦେଖି ମୋ ଭିତରେ ସାମାନ୍ୟ କ୍ରୋଧ ଜାତ ହେଉଥିଲେ ମଧ୍ୟ ପର ମୁହୂର୍ତ୍ତରେ ଭାବିଲି, ହେଇପାରେ ଲୋକଟା ଅସଲି। କିଛି ଗୁହାରି ଥିବ ନିଶ୍ଚୟ। ଆମ ଗଣତନ୍ତ୍ରରେ ଏମିତି କେହି ନାହିଁ ଯାହାର ଗୁହାରି କରିବାକୁ କିଛି ନଥିବ। ଗଣତନ୍ତ୍ର ଓ ଗୁହାରି ଏମାନେ ଓତଃପ୍ରୋତ ଭାବେ ଜଡ଼ିତ। ତାକୁ ଅଲଗା କରି ହୁଏ ନାହିଁ। ଏ ବିଷୟରେ ମୋର ଗୋଟାଏ ସ୍ବତନ୍ତ୍ର ମତ ରହିଛି। ମୋର ବିଶ୍ବାସ ଗୁହାରିର ଅର୍ଥ ଗଣତନ୍ତ୍ରର ମୃତ୍ୟୁ। ତେଣୁ ଏମ୍.କେ.ଗାନ୍ଧୀ ହେଲା ବୋଲି ଯେ ତା’ର କିଛି ଗୁହାରି ନଥିବ ତା’ର ମାନେ କିଛି ନାହିଁ।
‘ଡାକିବି?’ ମୋ ପିଅନ ଶ୍ରୀକୃଷ୍ଣ ଆସି ମୋତେ ପଚାରିଲା।
ଅଜବ ଲୋକ ଏଇ ଶ୍ରୀକୃଷ୍ଣ ଟି। ମୋତେ ବି ଖରାପ ଲାଗେ ଏଇଥିପାଇଁ ଯେ, ନାଁ ତା’ର ଶ୍ରୀକୃଷ୍ଣ, କିନ୍ତୁ ଅଫିସ୍ରେ ପିଅନ କାମ କରୁଛି। ତା’କୁ ଚା’ କପ୍ ଧୋଇବାକୁ କହିବାକୁ ଯେମିତି ଖରାପ ଲାଗେ, ବେଳେବେଳେ ଘରେ ଯାଇ ଲୁଗାପଟା ବି ଖଣ୍ଡେ କାଚି ଦେବାକୁ, ଅନ୍ୟ ପିଅନର ଅବର୍ତ୍ତମାନରେ, କହିବାକୁ ମଧ୍ୟ ଖରାପ ଲାଗେ। ସବୁ ଅଫିସର୍ ଯେମିତି ପିଅନକୁ ‘ତୁ’ ବୋଲି ସମ୍ବୋଧନ କରନ୍ତି, ଶ୍ରୀକୃଷ୍ଣକୁ ମୁଁ ସେମିତି କରେ ନାହିଁ। ତା’ର ଏଇ ନାଁ ପାଇଁ ମୁଁ ତାକୁ ଅନ୍ୟ ପିଅନମାନଙ୍କ ଭିତରେ ଉଚ୍ଚତର ସ୍ଥାନ ଦେଇଥାଏ।
ମୁଁ ଡାକିଲି, ‘ଶ୍ରୀକୃଷ୍ଣ ଏଆଡ଼େ ଆସିଲ।’ ସେ ଏ ଯାଏ ମୋର ଅନୁମତି ପାଇଁ ଅପେକ୍ଷା କରି କବାଟ ସାମାନ୍ୟ ଖୋଲି ଠିଆ ହୋଇଥିଲା। ବୋଧେ ଏମ୍.କେ.ଗାନ୍ଧୀ ବାହାରେ ନିଜ ପାଳି ପଡ଼ିଲାଣି ବୋଲି ଭାବି ଉଠିବାକୁ ସଜବାଜ ହେଉଥିବେ। ମୋ ଠାରୁ ଏତେ ଶୀଘ୍ର ଅନୁମତି ପାଇବାର ଆଶା ନ ଦେଖି ସେ ତାଙ୍କୁ ହାତ ଠାରି ଅପେକ୍ଷା କରିବାକୁ କହିଲା ଏବଂ ମୋ ପାଖକୁ ଆସି ହାତ ମଳିମଳି ଠିଆ ହେଲା। ଶ୍ରୀକୃଷ୍ଣ ହୁଏତଭାବୁଥିଲା ଯେ ତା’ ଭଳି ଲୋକଠାରେ ମଧ୍ୟ ବାବୁଙ୍କ କାମ ଅଛି ?
ମୁଁ ପଚାରିଲି, ‘ଏମ୍.କେ.ଗାନ୍ଧୀ ନାଁରେ ଯୋଉ ଲୋକଟି ସେଠି ଅପେକ୍ଷା କରିଛି, ତୁମେ ତାକୁ ଦେଖିଥିବ?’
‘କୋଉ ଲୋକ ସାର୍? ଗାନ୍ଧୀ?’
‘ହଁ, ଲୋକଟା ଦେଖିବାକୁ କେମିତି? ଆମ ମହାତ୍ମାଗାନ୍ଧୀଙ୍କ ଭଳି?’
‘ସାର୍, ମୁଁ ତ ମହାତ୍ମାଗାନ୍ଧୀଙ୍କୁ ଦେଖିନି। ଏ ଲୋକଟା ସାଧାରଣ ଲୋକ ପରି। ମାନେ କଛା ମାରି ଧୋତି ପିନ୍ଧିଛି। ଖାଲି ଦେହ, ଚନ୍ଦାମୁଣ୍ଡ, ଖଣ୍ଡେ ଅର୍ଡ଼ିନାରୀ ଚପଲ, ଲମ୍ବ ବାଡ଼ିଟାଏ ଧରିଛି। ବି.ପି.ଏଲ୍ ବାଲା ହୋଇଥିବ କି କ’ଣ।’ ସେ ବଡ଼ ଦମ୍ଭର ସହ କହିଲା।
କଥା ଛଡ଼େଇ ମୁଁ କହିଲି, ‘ଆଃ ତୁମେ ଆଉ ମହାତ୍ମାଗାନ୍ଧୀଙ୍କୁ ଦେଖି ଥାଆନ୍ତ କି? ସେ ତ କେବେଠୁ ମଲେଣି?’
‘ମଲେଣି? କିଏ କହିଲା? ସେଦିନ ଆମେ ତାଙ୍କ ଜୟନ୍ତୀ ପାଳନ କଲୁ। ସେଦିନ ସଭାରେ ତ ସମସ୍ତେ କହିଲେ, ଗାନ୍ଧୀ ମରି ନାହାନ୍ତି। ସେ ଅଛନ୍ତି।’
ଗାନ୍ଧୀଙ୍କ ବିଷୟରେ ଶ୍ରୀକୃଷ୍ଣର ଗଭୀର ଜ୍ଞାନ ଦେଖି ମୁଁ ଆଶ୍ଚର୍ଯ୍ୟ ହେଲି। ପିଅନ ପୋଷ୍ଟ ପାଇଁ ଆଜିକାଲି ମାଟ୍ରିକୁଲେଟ୍ମାନେ ଦରଖାସ୍ତ ଦେଉଛନ୍ତି। ଜଣେ ମାଟ୍ରିକ୍ପାଶ୍ ଲୋକର ଜ୍ଞାନ କେତେ ସୀମିତ ହେଲାଣି ଦେଖି ମୁଁ ଆଶ୍ଚର୍ଯ୍ୟ ହେଉଥିଲି।
‘ତେବେ ତୁମେ କଅଣ କହୁଛ ଗାନ୍ଧୀ ମରି ନାହାନ୍ତି?’ ମୁଁ ପଚାରିଲି।
‘ମୋଟେ ନୁହେଁ। ଗାନ୍ଧୀ ମରିଥିଲେ ଏ ଦେଶ ଥାଆନ୍ତା? ଇଏ ବି ମରି ସାରନ୍ତାଣି। ଆପଣ ସାର୍ ଆମ ଲୋକଙ୍କୁ ଚିହ୍ନି ନାହାନ୍ତି?’ ସେ ହସି ହସି କହିଲା।
ମୁଁ ତା’ କଥା ଶୁଣି ସ୍ତମ୍ଭୀଭୂତ ହେଇଗଲି। ମୋର ମନେ ହେଲା ଶ୍ରୀକୃଷ୍ଣ ମାଟ୍ରିକ୍ ନୁହେଁ, ଏମ୍.ଏ. ପାଶ୍ କରିଥିବ। ତା’ କଥାରୁ ମୋର ଇମିତି ଗୋଟିଏ ଧାରଣା ହେଲା ଯେ, ଯେଉଁମାନେ ଗାନ୍ଧୀ ବଞ୍ଚିଛନ୍ତି ବୋଲି କହୁଛନ୍ତି ସେମାନେ ପ୍ରକୃତରେ ଗାନ୍ଧୀଙ୍କୁ ମାରିଛନ୍ତି ଏବଂ ଶ୍ରୀକୃଷ୍ଣ ଭଳିଆ ଯୋଉଁମାନେ ଗାନ୍ଧୀଙ୍କ ଅସ୍ତିତ୍ବ କଥା ମୋଟେ କିଛି ଜାଣି ନାହାନ୍ତି, ସେଇମାନେ ହିଁ ଗାନ୍ଧୀଙ୍କୁ ବଞ୍ଚେଇ ରଖିଛନ୍ତି।