ଯଦି ଏହା ପଢ଼ି ପାରିବେ, ତେବେ ଆପଣ ଆମର ମୁଖ୍ୟମନ୍ତ୍ରୀ ନୁହଁନ୍ତି। ଦୂତ (ସେ ଯମପୁରରୁ ଆସିଥାଉ ବା ନର୍କରୁ, ଅଥବା ସେ ହେଇଥାଉ ଏ ମର୍ତ୍ତ୍ୟର ଆର୍ଯ୍ୟ କି ଦ୍ରାବିଡ଼) ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତିକୁ ଦେଇ ପାରିବା ପାଇଁ ସମୟ ଏବଂ ଉପୁଜି ଉତ୍କଟ ହୋଇ ଚାଲିଥିବା ସଂକଟର ଅନୁଧ୍ୟାନ ଓ ଅପନୋଦନ ପାଇଁ ଯଦି ଆପଣଙ୍କର ଅବସର ଥାଏ, ତେବେ ଆପଣ ମୁଖ୍ୟମନ୍ତ୍ରୀ ନୁହଁନ୍ତି।

ତା’ହେଲେ କାହା ଉଦ୍ଦେଶ୍ୟରେ ମୋର ଏ ନିବେଦନ, ଏ ଅଭିଯୋଗପତ୍ର? କାହା ଆଗେ ଜଣାଉଛି ଗୁହାରି ବା ଦୁଃଖ? ଯେତେବେଳେ ସମ୍ମୁଖୀନ ହେଉ ଆମେ ଯେଉଁ ସମସ୍ୟାର, ଯେବେ ବି ଯେଉଁଠି ଦେଖେ ଅବ୍ୟବସ୍ଥା, ଅନାଚାର: ସବୁ ଲେଖି ରଖୁଥିଲି ମୋ ଟିପାଖାତାରେ। ପରେ ପରେ ଅନୁଭବ ହେଲା, ସେହି ସବୁ କମ୍ବଳର ବାଳ ପରି, ଅଥବା ଖଜୁରିଗଛ ମୂଳରୁ ଶୀର୍ଷ ପର୍ଯ୍ୟନ୍ତ ପାହାଚ ପାହାଚ।

ଆପତ୍ତି ଓ ଫରିଆଦ ଶତାଧିକ। କେଉଁଟା ଗୁରୁତ୍ୱପୂର୍ଣ୍ଣ, କେଉଁଟା ବା ଗୌଣ? କମ୍ବଳର ବାଳ ସବୁ ବାଳ ହିଁ ତ କେବଳ।

ଖବର ପ୍ରଚାର ହେଲା, କିଏ ଜଣେ ପ୍ରତିନିଧି ଆସିବେ। ଗ୍ରାମପଞ୍ଚାୟତ ନିକଟସ୍ଥ ପଡ଼ିଆରେ ମହାସଭା ହେବ। ପ୍ରତିନିଧି ମହାଶୟ ଲୋକଙ୍କର ଗୁହାରି ଶୁଣିବେ। ଅଭିଯୋଗପତ୍ରମାନ ସଂଗ୍ରହ କରିବେ ଏବଂ ବୋହିନେଇ ରାଇଜ ମୁଖିଆଙ୍କର ବିବିକ୍ତ ଇଜଲାମରେ ଦାଖଲ ବି କରିବେ।

ଆମ ଗାଁରେ, ଗ୍ରାମବାସୀଙ୍କର ଏବଂ ମୋ ନିଜର ବି ଅନେକ ସମସ୍ୟା। ମୋର ବ୍ୟକ୍ତିଗତ ଓଜର ଗୁଡ଼ିକ ଅଲଗା ହୋଇପାରେ, କିନ୍ତୁ ସାମୂହିକ ପ୍ରତିବନ୍ଧ ବାବଦରେ ଶାସକ କି ଅବିଦିତ ରହିପାରେ କଦାପି! ଗାଁକୁ ରାସ୍ତା ନ ଥିଲା। ପାଣିର ଅଭାବ ଥିଲା। ବିଦ୍ୟୁତ୍ ସଂଯୋଗ ମଧ୍ୟ ହୋଇ ପାରି ନ ଥିଲା। ଏକବିଂଶ ଶତାବ୍ଦୀର ଆଗମନ ମାତ୍ରକେ କିଛି କିଛି ନୂଆକଥା ଘଟିଲା। ନିର୍ମାଣ କରାଗଲା ପିଚୁରାସ୍ତା। ବର୍ଷଟିଏ ବିତିଛି କି ନାଇଁ, ଅଦାର ଚୋପା ପରିକା ପିଚୁସବୁ ଉଠିଯାଇ ଭାସିଗଲା ମଧ୍ୟମ ବର୍ଷାରେ। ରାସ୍ତାସାରା ଖାଲଖମା, ଆବୁଡ଼ା ଖାବୁଡ଼ା। ଦି’ ତିନି ବର୍ଷରେ ଥରେ ମରାମତି ହୁଏ। ବର୍ଷକ ମଧ୍ୟରେ ପୁଣି ସମାନ ଅବସ୍ଥା। ହରିଲୁଟ୍…..ହରିଲୁଟ୍-ଲୋକମାନେ ଗୁରାଳି ଛାଡ଼ନ୍ତି। କଣ୍ଟ୍ରାକ୍ଟର, ଜେ.ଇ. କି ବି.ଡି.ଓ. କିମ୍ବା ସରପଞ୍ଚ, କେହି ଶୁଣନ୍ତିନି। ପାଣି ପାଇଁ ନଳକୂଅ ବସିଲା। ହ୍ୟାଣ୍ଡେଲ ଭାଙ୍ଗିବା ପରେ ମରାମତି ନୋହିଲା। ଏବେ ତିନି ବର୍ଷ ହେଲା ପାଣି ପଞ୍ଚାୟତ ଗୋଟେ ଟାଙ୍କି ବନାଇଛି। ସମସ୍ତଙ୍କ ଦୁଆର ପର୍ଯ୍ୟନ୍ତ ପାଇପ୍ ରେ ପାଣି ଆସୁଥିଲା ଯେତିକି ସମୟ ଆସେ ସେତିକିରେ ଘର ଚଳେନାହିଁ। ଦୁଇଟା ମାସ ମଧ୍ୟରେ ତାହା ମଧ୍ୟ ବନ୍ଦ ହୋଇଗଲା। ବିଦ୍ୟୁତ୍ ସଂଯୋଗ ହୋଇଥିଲେ ସୁଦ୍ଧା ଲାଭ କ’ଣ? ପ୍ରତିଦିନ ଚାଲିଥାଏ ବିଜୁଳିର ଲୁଚକାଳି ଖେଳ। ଥରେ ଥରେ ଆସେ ନାଇଁ ଦିନଦିନ ଧରି।

ସେପରି ବହୁ ସମସ୍ୟା ସବୁ ଲୋକଙ୍କର। କକର୍ଥନା ଭୋଗୁଛନ୍ତି ସମସ୍ତେ। ଅଛତ ଜଣେ ବି କିଏ ଅଭିଯୋଗ କରିବାକୁ ଆଗେଇ ଆସେନା। ସେମାନେ କହନ୍ତି-ଆମ ସରକାର ସବୁ ଭଲ କରୁଛନ୍ତି। ମାଗଣାରେ କେତେ କଣ ଖଞ୍ଜି ଦେଇଛନ୍ତି, ଜନମରୁ ମରଣ ପର୍ଯ୍ୟନ୍ତ। ଯାହାର ଖାଉଛୁ ତା’ର ନିନ୍ଦାକଲେ ପାପ ଲାଗିବନି? କୃତଜ୍ଞତା ପ୍ରାର୍ଥନାର ସର୍ବଶ୍ରେଷ୍ଠ ମାଧ୍ୟମ। କୃପାପ୍ରାର୍ଥୀ ଆମେ ଖାଲି ପ୍ରାର୍ଥନା କରିବୁ। ଇଛାପୂର୍ତ୍ତି ହେବାଯାକେ କୃତଜ୍ଞ ଓ ବଶମ୍ବଦ ରହିବୁ। ଖାଇବାକୁ, ପିନ୍ଧିବାକୁ ମିଳୁଥାଉ। ଜୀବନଟା ରହିଥାଉ। ରାସ୍ତାଘାଟ, ବିଜୁଳି ଆଲୁଅ ଆଉ ପାଣିକୁ କିଏ ପଚାରେ? ଆମେ କଣ ବିରୋଧୀ ଦଳର ଲୋକ?

ଯାହା ସମସ୍ତଙ୍କର ସମସ୍ୟା, ତାହା କେବଳ ମୋର ସମସ୍ୟା ନୁହେଁ। ମୁଁ ନିଜେ ଭୋଗୁଥିବା ଅସୁବିଧାଗୁଡ଼ିକର ଅଲଗା ତାଲିକା କଲି। ଅଭିଯୋଗ ପତ୍ରର ଆରମ୍ଭରେ ନିଜର ନାଁ, ଗାଁ, ଠିକଣା ଓ ପରିଚୟ ଦେବା ପରେ କ୍ରମାନ୍ବୟରେ କେତୋଟି ବିଷୟରେ ସୂଚନା ଦେଲି।

ମୋ ନାଁ ସୁନ୍ଦର ନାଇକ। ଦୁଇ ହଜାର ତେଇଶ ମସିହାରେ ସୁଦ୍ଧା ଆମ ଗାଁରେ ମୁଁ ନିମ୍ନ ଜାତିର ଜଣେ ଅଛବ ମଣିଷ। ଆବହମାନ କାଳରୁ ଆମ ଜାତିର ଲୋକମାନଙ୍କର ଗୋଟେ ଅଲଗା ସାହି ଅଛି, ତଥାକଥିତ ସବର୍ଣ୍ଣମାନଙ୍କ ଘରଠାରୁ ଦୂରରେ, ଗାଁ ନୈଋତ କୋଣରେ। ନୈଋତ କୋଣଟି ପରା ରାକ୍ଷସଙ୍କ ଦିଗ।

ଅଦ୍ୟାବଧି, ଆମ ସାହିର, ମୁଁ ସର୍ବାଧିକ ଶିକ୍ଷିତ ଲୋକ ବୋଲି ଗାଁର ସମସ୍ତେ କହନ୍ତି। କିନ୍ତୁ ମୁଁ ସେତେ ବେଶୀ ବା ସେପରି ଶିକ୍ଷାପ୍ରାପ୍ତ ନୁହେଁ ଯେ, ସରକାର ମୋତେ ଜ୍ବାଇଁପୁଅ ପରି ଆଦର ଓ ସମ୍ମାନ ଦେଖାଇ କୌଣସି ଚାକିରିରେ ବାହାଲ କଲେନି ବୋଲି କ୍ଷୋଭ ପ୍ରକାଶ କରିବି। ଅଳ୍ପ କିଛି ପୈତୃକ ଚାଷଜମିରେ ଖଟି ମୁଁ ମୋର ପରିବାର ଚଳାଇ ପାରୁଛି। ଥରେ ଥରେ ଆତ୍ମହତ୍ୟା କଲା ଭଳି ପରିସ୍ଥିତି ଉପୁଜେ। ତଥାପି ମୁଁ ହାରିମନା ହୁଏନା। ଧୈର୍ଯ୍ୟ ଧରେ। ଘରେ ମୋର ସ୍ତ୍ରୀ ଆଉ ଛୋଟ ଛୋଟ ପିଲା ଯୋଡ଼େ ଅଛନ୍ତି। ମଝି ଦରିଆରେ ତାଙ୍କୁ ଭସାଇଦେବି କି! କାହା ଉପରେ କାହିଁକି, ଅଭିମାନ କରିବି?

ଗାଁର ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ାଯାଏ। ତିନିଜଣ ଶିକ୍ଷକଙ୍କ ମଧ୍ୟରୁ କେବେ ମାତ୍ର ଜଣେ, କେବେ, ଦୁଇଜଣ ଆସନ୍ତି। ଆମ ସାହିର ପିଲାଏ, ମୋର ଦୁଇ ଛୁଆଙ୍କ ସମେତ, ଅନ୍ୟ ପିଲାମାନଙ୍କଠୁ ଦୂରଛଡ଼ା ଦେଇ ଭିନ୍ନ ଜାଗାରେ ବସନ୍ତି। ସରକାର, ବୋଧହୁଏ, ସେତେ କଥା ଜାଣି ପାରନ୍ତିନି। ଶିକ୍ଷକ ସାମ୍ୟବାଦର ପ୍ରଶ୍ନ ଉଠାନ୍ତିନି। ଶିକ୍ଷକ କି ସରକାର ନୁହଁନ୍ତି? ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ବିଦ୍ୟାଳୟର ଗୋଟିଏ କୋଠରିକୁ ମାଡ଼ି ବସିଛନ୍ତି। ସେଠାର ମିଟିଂ ହୁଏ, ସେମାନେ ଏକାଠି ବସି ପାମ୍ପଡ଼ ଓ ଛତୁଆ ବନାନ୍ତି। ଶିକ୍ଷକଙ୍କ ନିର୍ଦ୍ଦେଶରେ ଛାତ୍ରଛାତ୍ରୀ ସେମାନଙ୍କୁ ସାହାଯ୍ୟ କରନ୍ତି।

Pages: 1 2