ଶ୍ରୀକୃଷ୍ଣର ଗାନ୍ଧୀ ବିଷୟରେ ଜ୍ଞାନ ଦେଖି ମୋର କୌତୂହଳ ବଢ଼ିଲା। ମୁଁ କହିଲି, ‘ତୁମେ ତେବେ କଅଣ କହୁଛ, ଗାନ୍ଧୀ ମରି ନାହାନ୍ତି?’
‘ମୁଁ କହୁନି ସାର୍‌, ସମସ୍ତେ କହୁଛନ୍ତି। କିନ୍ତୁ ମୁଁ କହୁଛି ଗାନ୍ଧୀ ହଜି ଯାଇଛନ୍ତି।’

‘ହଜି ଯାଇଛନ୍ତି? ମାନେ ମରି ନାହାନ୍ତି କି ବଞ୍ଚି ନାହାନ୍ତି?’ ମୁଁ କହିଲି।

ଶ୍ରୀକୃଷ୍ଣ ଚମକି ପଡ଼ି ତା’ ପାଟିରେ ଆଙ୍ଗୁଳି ରଖିଲା। ଗୋଟାଏ ଗୁରୁତ୍ତର ଭୁଲ୍‌ ହେଇ ଯାଇଛି ବୋଲି ସେ ଭାବିଲା। ପୁଣି ପର ମୁହୂର୍ତ୍ତରେ ସେଭାବିଲା ତେବେ ଠିକ୍‌ କଥାଟା ଆଉ କଅଣ ହୋଇପାରେ? ଏପରି କଅଣ କହିଲେ, ପ୍ରଶ୍ନର ଉତ୍ତର ଠିକ୍‌ ହେବ? ଅଧିକନ୍ତୁ ତାକୁ ତା’ ସାର୍‌ ବୋକା ବୋଲି ଭାବିବେ ନାହିଁ? ସେ ମୁଣ୍ଡ କୁଣ୍ଡେଇଲା।
ଏତେବେଳେ ମୋର ପ୍ରଶ୍ନ ଥିଲା, ‘ଏତେ ବଡ଼ ଲୋକଟା ହଜିଯିବ କେମିତି?’

ଏଥର କି ଉତ୍ତର ଶ୍ରୀକୃଷ୍ଣ ଦେବ ତାକୁ ଶୁଣିବା ପାଇଁ ମୁଁ ଉଦ୍‌ଗ୍ରୀବ ହୋଇ ତା’ ମୁହଁକୁ ଚାହିଁ ବସିଲି। କିନ୍ତୁ ତା’ର ଉତ୍ତରଟା ଯେ ଏତେ ସହଜ ଓ ସୁନ୍ଦର ହେବ, ମୁଁ ତା ଭାବି ନଥିଲି। ସେ କହିଲା, ‘କାହିଁକି ସୁଭାଷ ବୋଷ କଅଣ ମରିଛନ୍ତି କି? ସେ ଯଦି ମରି ଥାଆନ୍ତେ, ତେବେ ତାଙ୍କୁ ଏତେ ଲୋକ ଏତେବର୍ଷ ହେଲା ଖୋଜୁ ଥାଆନ୍ତେ? କିଏ ଜଣେ ମୋତେ ସେଦିନ କହୁଥିଲା ଯେ, ଭାରତ ସରକାର ପୁଣି ଥରେ ତଦନ୍ତ କରୁଛନ୍ତି।’

ସେ ଟିକିଏ ରହିଗଲା ଏବଂ ପୁଣି କହିଲା, ‘ସାର୍ ଗୋଟିଏ କଥା।’ ସେ କାନମୂଳରେ ହାତ ଦେଇ ମୋତେ କହିଲା।
‘କଅଣ କୁହ।’ ମୁଁ କହିଲି।

ସେ ଯେ ଗୋଟାଏ ଅଜବ କଥା କହିବ, ଏକଥା ମୁଁ ଜାଣିଥିଲି।

ସେ କହିଲା, ‘ଆମ ଗାଁ ଗୋପାଳପୁର ଥାନାବାବୁ ବହୁତ ଭଲ ଲୋକ।’

‘ଆଚ୍ଛା ? ଭଲ ହେଲା। କିନ୍ତୁ ତୁମେ କଅଣ କହିବାକୁ ଚାହୁଁଛ ?’ ମୁଁ କହିଲି।

‘ସୁଭାଷଙ୍କୁ ଖୋଜିବାକୁ ଏତେ ବଡ଼ ବଡ଼ ଲୋକ ନ ପଠେଇ, ତାଙ୍କୁ କହିଲେ ଦି’ଦିନରେ ସେ ପାତାଳରୁ ଆଣି ଠିଆ କରେଇ ଦିଅନ୍ତେ। କେତେ ବଡ଼ ବଡ଼ ଚୋରଙ୍କୁ….’
ମୁଁ ହସି ପକେଇଲି। ମୁଁ ହସିବା ଦେଖି ସେ ଭାବିଲା କଥାଟା ବୋଧେ ଭଲ ହେଲା ନାହିଁ। ଏମିତି କଥାଟା କହିବା ତା’ର ଉଚିତ ହେଲା ନାହିଁ।

ମୁଁ ପଚାରିଲି, ‘ଆଚ୍ଛା ମହାତ୍ମା ଗାନ୍ଧୀଙ୍କୁ ତେବେ କିଏ ଖୋଜି ଆଣିପାରିବ?’

‘ଆମେ ସମସ୍ତେ। ଗୋଟିଏ ହୁଲିଆ ଜାରି ହେଲେ ସମସ୍ତେ ଏଥିରେ ଲାଗିପଡ଼ିବେ। ସମସ୍ତେ ନ ହେଲେ ହଜିବା ଲୋକଙ୍କୁ ଖୋଜି ହେବ ନାହିଁ।’
ମୋ ପି.ଏ. ପଶିଆସି କହିଲେ, ‘ସାର୍‌ ଆଉ ଜଣେ ମାତ୍ର ଅଛି ଗୁହାରି କରିବାକୁ। ମୁଁ ତାକୁ ଆଉ ଦିନେ ଆସିବାକୁ କହନ୍ତି, କିନ୍ତୁ ସେ ତ ମୋଟେ ଚଙ୍କୁ ନାହିଁ। ପଥରଟେ ପରି ବସିଚି ଯେ ବସିଚି। ଟିକେ ବି ହଲୁ ନାହିଁ। ତପସ୍ୟା କଲା ପରି ବସିଛି।’

ମୁଁ ଏଥର ଶ୍ରୀକୃଷ୍ଣକୁ କହିଲି, ‘ଯାଅ, ପଠେଇ ଦିଅ।’

ସେ ଆସିଲେ। ମୁଁ ତାଙ୍କୁ ଦେଖି ଚମକି ପଡ଼ିଲି। ଇଏ ତ ସେଇ ଏମ୍‌.କେ.ଗାନ୍ଧୀ। ହଁ ତ, ଠିକ୍‌ ସେଇ ଚେହେରା। ଶୀର୍ଣ୍ଣ ଶରୀର। ଏକଦମ୍‌ ଚନ୍ଦାମୁଣ୍ଡ। ଖାଲି ଦେହ। ଆଣ୍ଠୁ ଉପରକୁ ଲୁଗା। ସିଧା ଠିଆ ହୋଇ ପାରୁନାହାନ୍ତି। କିନ୍ତୁ ହାତରେବାଡ଼ି ନାହିଁ। ମୁଁ ଚେଆର ଛାଡ଼ି ଠିଆ ହେଲି। ହାତଯୋଡ଼ି କାକୁସ୍ଥ ହୋଇ କହିଲି, ‘ବାପୁ ଆପଣ।’

ସେ ହସିଲେ। ସେଇ ହସ। ନିର୍ମଳ ଓ ପ୍ରାଣଖୋଲା ହସ। ମୋର ମନେ ହେଲା ଦାନ୍ତ ନଥିବା ପାଟିର ହସ ମୁଁ ଯେତେ ଯୋଉଠି ଦେଖିଛି, ବାପୁଙ୍କ ହସ ତା’ ଭିତରେ ସର୍ବଶ୍ରେଷ୍ଠ। କେବଳ ମାଆ କସ୍ତୁରବା ସେ ହସଟିକୁ ଭଲ ପାଆନ୍ତି ନାହିଁ। ତା’ନହେଲେ ପୃଥିବୀରେ ଆଉ କେହି କେବେ ସେ ହସକୁ ବାଛିଦେଇ ନାହିଁ। କେବଳ ମାଆ କସ୍ତୁରବା କହନ୍ତି, ‘ତୁମେ ସବୁକଥାରେ ଗୋଟାଏ କ’ଣ ହସୁଛ? ଜଣେ ଭଲ କହିଲେ ହସିବ, ଖରାପ କହିଲେ ହସିବ? ଜଣେ ତୁମକୁ ଗାଳି ଦେଲେ ହସିବ, ଜଣେ ତୁମକୁ ଶ୍ରଦ୍ଧା କଲେ ହସିବ? ଈଶ୍ବର ତୁମକୁ ହସ ଏଥିପାଇଁ ଦେଇଛନ୍ତି?’ ମାଆ ଏଥିପାଇଁ ବାପୁଙ୍କୁ ତାଗିଦ୍‌ କରୁଥିଲେ।

ସେମିତି ହସୁ ହସୁ ସେ କହିଲେ, ‘ଆପଣ ଭୁଲ୍‌ କରନ୍ତୁ ନାହିଁ। ମୁଁ ସିଏ ନୁହେଁ, ଯାହାଙ୍କ କଥା ଆପଣ ଭାବୁଛନ୍ତି। ମୁଁ ଆଉ ଜଣେ। ସେ ଏମ୍‌.କେ.ଗାନ୍ଧୀର ତ କେବେଠୁ ମୃତ୍ୟୁ ହୋଇଯାଇଛି। ଆପଣ ତ ଜାଣିଥିବେ-ଭସ୍ମୀଭୂତସ୍ୟ ଦେହସ୍ୟ ପୁନରାଗମନଂ କୁତଃ? ସିଏ ମରି ସାରିଛନ୍ତି, ଆଉ କେଉଁଠୁ ଆସିବେ?’

ମୋର ସେତେବେଳେ ଶ୍ରୀକୃଷ୍ଣ କଥା ମନେ ପଡ଼ିଲା। ମୋର ତାକୁ ପାଟିକରି ଡାକିବାକୁ ଇଚ୍ଛା ହେଉଥିଲା। କିନ୍ତୁ ଦରଜା ଭିତରକୁ ଡାକିଲେ କିଏ ଶୁଣିବ? ପାଟି କରି ଡାକିବାକୁ ହେଲେ କବାଟ ଖୋଲା ଦରକାର। ଡାକିବାକୁ ହେଲେ ଯେ ବେଲ୍‌ ଚିପିବାକୁ ହୁଏ ସେକଥା ଆଉ ମୋର ମନେ ପଡ଼ିଲା ନାହିଁ। ଗାନ୍ଧୀ ଯେ ମରି ନାହାନ୍ତି, ଏକଥା ଶ୍ରୀକୃଷ୍ଣ ହିଁ ଜୋର ଦେଇ କହୁଥିଲା ଏଇ ଟିକକ ଆଗରୁ।

Pages: 1 2 3