ମୁଁ ସବୁକଥା କହିବି ନାହିଁ
କାରଣ ଜୀବନ ମୋତେ ମନା କରିଚି
କହିଚି-ମଞ୍ଚ ଉପରେ ଠିଆ ହ’
ହେଲେ ମଞ୍ଜକଥା କହିବୁ ନାଇଁ ଜମ୍ମାରୁ
ଖୋଲିବୁ ନାଇଁ କେବେ ବି
ରହସ୍ୟର ଦ୍ବାର, ଗୁମର।

କୋଉ ଅନନ୍ତ କାଳରୁ
ନଈ ବି ଏମିତି ଦୁଇ ଭାଗ,
ଭାଗେ ଆଲୁଅ ତ’ ଭାଗେ ଅନ୍ଧାର।
ଜୀବନ କହିଚି-ଅନ୍ଧାରରେ ପହଁରିବୁ
ହେଲେ ଆଲୁଅରେ ବୁଡ଼ିବୁ ନାହିଁ
ଅନ୍ତତଃ ଗଛ-ବୃଚ୍ଛ ସ୍ଥିର ହେବା ଯାଏଁ
ପବନରୁ ଆର୍ଦ୍ରତା କି,
ଆକାଶରୁ ନୀଳିମା ହଜିବା ଯାଏଁ।

କେଜାଣି, କେମିତି ଥିଲି ମୁଁ
ଜୀବନ ମୋତେ ଛୁଇଁଲା ତ’ ଜାଣିଲି
ମୁଁ ଅଛି,
ତେଣିକି ପକ୍ଷୀର ହଳେ ଡେଣା ପରି
ସକ୍ରିୟ ହେଲା ମୋର ପାଦ
ପବନ ପରି ଇତସ୍ତତଃ ହେଲା ମୋର ମନ
ଜୀବନ ମୋତେ ଅନେକ କଥା ବୁଝେଇଲା
ହାତ ଧରି ଚାଲି ଶିଖେଇଲା
କହିଲା-ଚାଲୁଥା…

ସିଏ ମୋତେ ଘୂରା-ଫେରା କଲା ମନଇଚ୍ଛା
ଖୁବ୍‌ ଦୂରରେ ଦିକ୍‌ ଦିକ୍‌ କରୁଥିବା
ଗୋଟେ ନକ୍ଷତ୍ର ଆଡ଼େ ଦେଖେଇ କହିଲା
ତୁ’ ସେଇ ତାର
ତା’ପରେ ମୁଁ ନିଜ ଭିତରେ ଜଳିବା ଆରମ୍ଭକଲି,
ଦିଗନ୍ତ ଆଡ଼େ ଅଙ୍ଗୁଳି ନିର୍ଦ୍ଦେଶ କରି କହିଲା
ଝାପ୍‌ସା ଦିଶୁଥିବା ତୁ’ ସେଇ ବରଫର ପାହାଡ଼
ଏବଂ ମୁଁ ନିଜ ଭିତରେ ଜମାଟ ବାନ୍ଧିଗଲି।

ଖରାର ଦିଶୁ ନଥିବା ଛାଇରେ
ଠିଆହେଲି ଅଣ୍ଟା ସଳଖି,
ଛାଇର ଅଜଣା ଭତ୍ତାପର ଆକ୍ରୋଶରେ
ସିଝିଲି ସାରୁ କି’ କନ୍ଦମୂଳ ପରି।

ଯୁଗ ଯୁଗର ଅପେକ୍ଷା ପରେ
ଜୀବନ ମୋତେ ସେଇ ସୀମାରେଖା ଯାଏଁ ନେଲା
ଯାହାର ସେପଟେ ଜୀବନ ହିଁ
ମୃତ୍ୟୁର ଅଲିଭା ଦୀପଟିଏ ହେଇ ଜଳୁଥିଲା ..

ହେଲେ ତା’ର ନିଷ୍କପଟ ଆଲୁଅରେ ଭିଜିବା
ହୁଏତ ମୋ କପାଳେ ନଥିଲା।