ଭିଖାରୀ ଗାଉଛି ଗୀତ, ଗାଆରେ ଭିଖାରୀ,
ଶୁଣୁଛି ମୁଁ, ବାତାୟନ ପାଶେ କାନ ପାରି।
ଧୂଳି-ବିମଳିନ ଦେହୁ, ଜୀର୍ଣ୍ଣ ଦେହ-ବାସ,
ଶୀର୍ଣ୍ଣମୁଖେ ଦାରିଦ୍ର୍ୟର ବିଶଦ ବିଳାସ,
ଦାଣ୍ଡେ ଉଭା ଧୂଳିପରେ, ଭୟେ ସଂକୋଚରେ
କେ କିଛି କହିବ ଭାବି,ତଥାପି କଣ୍ଠରେ
ମଧୁର ସଙ୍ଗୀତ ଫୁଟେ, ଗାଆରେ ଭିଖାରୀ
ଶୁଣୁଛି ମୁଁ ବାତାୟନ ପାଶେ କାନ ପାରି।

ଗୀତ ଶୁଣି କିନ୍ତୁ ତିକ୍ତ ହେଲେଣି ଗୃହିଣୀ;
ତିକ୍ତତର ଗୃହ-ଭତ୍ୟ, ଖାଇ ଯିବେ ଭିଣି
ପରାଏ ଭିଖାରୀ-ପଲ! ଏକଇ ସକାଳେ
ଏ ହେଲା ସପ୍ତମ କାଳ! ଫେରଇବା କା’ରେ
ଦେବୁଁ ଗୃହସ୍ଥର ଦ୍ବାରୁ? ତଥାପି, ଘରଣୀ
ଦେଲେ ଶେଷ ଭିକ୍ଷା ଢ଼ାଳି ମନେ କିବା ମଣି;
ଶୁଣିଲେଣି ଗୀତ ପୁଣି;-ମିଠା ଲାଗେ କାନେ,
ଭିଖାରୀ ଦେଉଛି କିଛି ଭିଖ-ପ୍ରତିଦାନେ!

କ୍ଷୁଧାପାଇ କଣ୍ଠ ସୁଧା ଢ଼ାଳଇ ଭିଖାରୀ
ଦାରୁଣ ଦାରିଦ୍ର୍ୟେ ମଧ୍ୟ, ନର ସୃଷ୍ଟି-କାରୀ।
ଭିଖାରୀ ଜାଣେନା ନିଜେ କି ଅବା ସେ ଗାଏ ;
ତଥାପି ଲାଗଇ ଯେହ୍ନେ ମାଟି ଭାଷା ପାଏ
ନିଖିଳ ଏ ଧରଣୀର ; ସଂଗୀତ ତାହାର
କର୍ଣ୍ଣେ ପଶି ହୃଦେ କରେ ଉଦାସ ସଂଚାର।
ଏ ମର୍ତ୍ତ୍ୟେ ମାନବ ଜାତି ଶାଶ୍ବତ ଭିଖାରୀ
ମାଗଇ ପ୍ରସାଦ କର ଯୁଗଳ ପ୍ରସାରି
ଅଜ୍ଞାତ ଈଶ୍ବର ପଦେ, ଅନ୍ତରୀକ୍ଷେ ଚାହିଁ?

ସେ ଭିଖାରୀ-ଧରଣୀର ହୃଦୟର ଭାଷା
ଏ-ଭିଖାରୀ କଣ୍ଠେ ଫୁଟେ। ଦେହର ପିପାସା
ପ୍ରାଣ-ପିପାସାର ସଖୀ, ଏ ଭିଖାରୀ ବାଣୀ
ପିପାସୀ ଧରଣୀ କଥା ତେଣୁ, ଯେହ୍ନେ ଆଣି
ଫଟାଏ ସ୍ବ-ଯାଚନାରେ, ଗାଆରେ ଭିଖାରୀ
ତୋ ଗୀତେ ଧରଣୀ-ବ୍ୟଥା ଶୁଣେ କାନ ପରି।

– o –

ଏହି କବିତାଟି ଲେଖକଙ୍କ ଦ୍ୱାରା ସମ୍ପାଦିତ ସାହିତ୍ୟ ପତ୍ରିକା ‘ଶଙ୍ଖ’, ପ୍ରଥମ ବର୍ଷ (୧୯୪୫), ତୃତୀୟ ସଂଖ୍ୟାରୁ ଆନୀତ।