ପରିଣୟ-ପୀଠ ପରେ ଚାରି-ଚକ୍ଷୁ-ବିସ୍ମିତ-ମିଳନ
ପ୍ରଥମେ ଯିବନେ ସେ ଯେ ଘେନି ସ୍ୱପ୍ନ-ରସୋଚ୍ଛଳ ମନ,
ଆଜି ସଖି ମନେପଡ଼େ, ଲାଜେ ଲାଜେ ଟେକି ଉତ୍ତରୀୟ
କିଶୋରୀ-ନୟନ ଦେଇ ଚାହିଁଥିଲ ଦେଖିବାକୁ ପ୍ରିୟ। ।୧।

ଆଜି ସଖି ମନେପଡ଼େ ଜୀବନର ଶେଷ ଥାପେ ଏଇ
ଜୀବନର ଅନୁଭୂତି, ଜୀବନର ଯାହା ଦିଆ ଦେଇ,
ସ୍ମୃତିର ଭଣ୍ଡାରେ ବାଛେ ମହାର୍ଘ ସେ କେଉଁ ଅନୁଭବ
ଯା ପାଇଁ ଇଛି ମୁଁ ପାରେ ପୁଣି ଏଇ ଧରାରେ ସମ୍ଭବ। ।୨।

ଆଜି ସଖି ପଡ଼େ ମନେ ଜୀବନର ନାନା ଅଭିଜ୍ଞତା
ନାନା ଭ୍ରାନ୍ତି, ନାନା ଅଶ୍ରୁ, କ୍ଷୁଦ୍ର ନେଇ କେତେ ତିକ୍ତ କଥା,
ଜୀବନ-ସଂଗ୍ରାମେ ଯେତେ ରକ୍ତ-କ୍ଷୟ ଯେତେ ପରାଜୟ
ସବୁ ସଖି, ପଡ଼େ ମନେ-ଚିତ୍ତ ଆଜି ଖାଲି ସ୍ମୃତିମୟ। ।୩।

ବିଚାରରେ କିନ୍ତୁ ସଖି, ଯଉବନେ ପ୍ରଣୟ-ମୟୀରେ
ସେ-ଆଦ୍ୟ-ଚାହିଁବା-ପାଇଁ ଆସିଥିଲି ଯେପରି ମହୀରେ,
ସବୁ ଏ ଜଞ୍ଜାଳେ ବରି ନେଇଥିଲି ଜୀବନ-କ୍ଷେତ୍ରର
ମଧୁ ଭୋଗିବାକୁ ଦୁଇ ରସୋଚ୍ଛଳ କିଶୋରୀ-ନେତ୍ରର। ।୪।

ଉଚ୍ଛଳ ଜୀବନ ଘେନି ଯୌବନର ବାସନ୍ତି ଦୁଆରେ
ଜୀବନର ଦୋସରକୁ ଭେଟିବାକୁ କମ୍ପିତ ହିଆରେ,
ଜୀବନର ସାର୍ଥକତା ଦେଖିବାକୁ ତାହାରି ନୟନେ
ହେ ସଖି, ଆସୁଛି ମୁଁ କି ବାରମ୍ବାର ଏ ମର୍ତ୍ତ୍ୟ ଅୟନେ? ।୫।

ଧନ, ମାନ, ପରିବାର, ଜୀବନର-ଆହବେ ବିଜୟ
ସବୁ ଆଜି ସ୍ମୃତିତଳେ ହୋଇଯାଏ ଧୀରେ ଧୀରେ ଲୟ,
ସବୁ ଯାଇ ରହିଯାଏ କେବଳ ସେ କେମନ୍ତେ କେଜାଣି
ମୁଗ୍‌ଧା ଏକ କିଶୋରୀର ଲାଜ-ପ୍ରେମ-ମଧୁର ଚାହାଣି।।୬।

ନିଷ୍ପାପ ସେ, ସ୍ୱପ୍ନମୟ, ରସମୟ ବିମଳ ଦି’ ଆଖି
ପ୍ରାଣର ଦି’ ବାତାୟନ, ଅନ୍ତରର ସତ୍ୟ-ବାହୀ ସାଖୀ,
ପାଇବାକୁ ସେ ଦୁଇର ପରିପୂର୍ଣ୍ଣ ଆତ୍ମ-ସମର୍ପଣ
ହେ ସଖି, କରୁଛି ମୁଁ କି ଜନ୍ମେ ଜନ୍ମେ ଧରାବତରଣ! ।୭।