ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ରୂପର ମୂଲ୍ୟ

ରୂପର ମୂଲ୍ୟ

‘ତଦ୍‌ଗଚ୍ଛ ସିଦ୍ଧୌ କୁରୁ ଦେବକାର୍ଯ୍ୟମ୍‌।’-(କୁମାରସମ୍ଭବମ୍‌)

ସମ୍ବଲପୁରର ପଶ୍ଚିମ ଦିଗରେ ସହରରୁ ପ୍ରାୟ ଏକମାଇଲ ଦୂରରେ ମଦଲିଆ ମୁହାଣ। ଏଠାରେ ଗୋଟିଏ ପ୍ରାଚୀନ ମନ୍ଦିର ଅଛି। କଳନାଦିନୀ ଚିତ୍ରୋତ୍ପଳା ମନ୍ଦିରର ଚରଣ ପ୍ରକ୍ଷାଳିତ କରି ଶିଳାବନ୍ଧୁର ମାର୍ଗରେ ଅଗ୍ରସର। ଲୋକେ କହନ୍ତି, ମନ୍ଦିରରେ ପ୍ରଚୁର ଧନରତ୍ନ ଓ ଅସ୍ତ୍ରଶସ୍ତ୍ର ଲୁକ୍କାୟିତ ଅଛି। ଏ ଉକ୍ତିର ସତ୍ୟତା ନିରୂପିତ କରିବାକୁ ଆମ୍ଭମାନଙ୍କର ଶକ୍ତି ନାହିଁ। ଆଜିଯାଏ କେହି ଏ ବିଷୟରେ ଅନୁସନ୍ଧାନ କରିନାହାଁନ୍ତି। ଏବଂବିଧ ପ୍ରତ୍ନତତ୍ତ୍ବ ସଂଗ୍ରହ ଓଡ଼ିଶାର ଆଧୁନିକ ଜଳବାୟୁର ପ୍ରତିକୂଳ ପରା ! ସେ ଯାହାହେଉ, ମନ୍ଦିରକୁ ନୀଳମାଧବଙ୍କ ମନ୍ଦିର ବୋଲି କହନ୍ତି।

ଏଠାରେ ଦେବପୂଜାର କୌଣସି ଚିହ୍ନ ପରିଲକ୍ଷିତ ହୁଏ ନାହିଁ। ମନ୍ଦିରରେ କୌଣସି ଦେବ ବିଗ୍ରହ ମଧ୍ୟ ନାହିଁ। ମନ୍ଦିରର ଏପରି ନାମକରଣ କିପରି ହେଲା, ପୁରାତତ୍ତ୍ବ ଜିଜ୍ଞାସୁମାନଙ୍କ ଅନୁସନ୍ଧେୟ। ପୁଣି ଏଠାରେ କୌଣସି ନଦୀର ସଙ୍ଗମସ୍ଥଳ ନ ଥିଲେ ସୁଦ୍ଧା ସ୍ଥାନଟିର ନାମ ମଦଲିଆ ମୁହାଣ କାହିଁକି ହୋଇଅଛି? ବୋଧହୁଏ କାଳକ୍ରମେ ସେ ନଦୀ ଲୋପ ପାଇଅଛି କିମ୍ବା ଦୁର୍ଗରକ୍ଷାର୍ଥ ସମ୍ବଲପୁରର ନରପତିମାନେ ନଦୀର ଗତିକୁ ପରିବର୍ତ୍ତିତ କରିଥିବେ। ନଦୀ-ସଙ୍ଗମ-ସୂଚକ ପ୍ରଶସ୍ତତା କେବଳ ମୁହାଣ ନାମର ସାର୍ଥକତା ସମ୍ପାଦନ କରୁଅଛି।

ଜଗତରେ ବିଭବ ହିଁ ସମସ୍ତ ଆକର୍ଷଣର କେନ୍ଦ୍ର। ମନୁଷ୍ୟର ଦୃଷ୍ଟି ଯେପରି ଊର୍ଦ୍ଧ୍ୱକୁ ଚାହିଁ ଚାହିଁ ଊର୍ଦ୍ଧ୍ବମୁଖୀ ହୋଇଗଲାଣି। ପ୍ରଜା ଜମିଦାରର ଅନୁସରଣ କରୁଅଛି। ଜମିଦାର ରାଜାର ଅନୁସରଣ କରୁଅଛି। କିନ୍ତୁ ଲୋକଲୋଚନ ଅଗୋଚରରେ ଯେ କେତେଶତ ପ୍ରାଣୀ ଦୁର୍ବିଷହ ଯାତନା ଭୋଗ କରୁଛନ୍ତି, ତହିଁର ଖବର ରଖୁଛି କିଏ?

ନୀଳମାଧବଙ୍କ ମନ୍ଦିର ଅଧୁନା ଜୀର୍ଣ୍ଣ କଳେବର। ତାହାର ସେ ପୂରାତନ ଗୌରବ ଆଉ ନାହିଁ। ମନ୍ଦିର ବାଟେ କେତେ ଶତ ଲୋକ ପ୍ରତିଦିନ ଯାତାୟତ କରୁଛନ୍ତି; କିନ୍ତୁ କେହି ଦିନେ ମନ୍ଦିର ଆଡ଼କୁ ମୁହଁ ଫେରାଇ ଦେଖୁ ନାହାଁନ୍ତି। ମନ୍ଦିରଟି ପୂରାତନର ଗୋଟିଏ ଅଂଶ, ତାହା ବର୍ତ୍ତମାନର କିଛି ନୁହେଁ, କିନ୍ତୁ ଏହାର ଅବସ୍ଥା ଚିରଦିନ ଏପରି ନ ଥିଲା। ଆମ୍ଭେମାନେ ଯେଉଁ ସମୟର କଥା କହୁଅଛୁଁ, ସେ ସମୟରେ ମନ୍ଦିରର ମହିମା, ଜଗତକୁ ମୁଗ୍ଧ ଓ ବିସ୍ମିତ କରୁଥିଲା।

ବିମଳା ପ୍ରତିଦିନ ସନ୍ଧ୍ୟା ସମୟରେ ମନ୍ଦିରକୁ ଆସେ ଓ ନିଜ ମନକୁ ଗୀତ ଗାଇ ପୁଣି ଚାଲିଯାଏ। ସେଠାରେ ପ୍ରକୃତିର ଚାରୁ ଛବି ଦେଖି, ପ୍ରକୃତିର ସୁମଧୁର ସଙ୍ଗୀତ ଶୁଣି ସେ ସଙ୍ଗୀତମୟ ପ୍ରାଣରେ ନିଜେ ଗୀତ ଗାଏ। ସେ ସଙ୍ଗୀତର ତୁଳନା ଜଗତରେ ବିରଳ। ତାହା ମନ୍ଦାକିନୀର ସ୍ୱଚ୍ଛ ସ୍ରୋତ ସଦୃଶ ଆକାଶ ବକ୍ଷରେ ମୃଦୁମନ୍ଦ ଭାବରେ ନୃତ୍ୟ କରେ।

ଆଜି ଜ୍ୟେଷ୍ଠ ପୂର୍ଣ୍ଣିମା। ପୂର୍ଣ୍ଣଚନ୍ଦ୍ର ପ୍ରାଚୀ ଲଲାଟରେ ଚନ୍ଦନ ବିନ୍ଦୁ ରୂପେ ବିରାଜିତ ହୋଇ ସୁଧାମୟ ଜ୍ୟୋତ୍ସ୍ନାରେ ଜଗତକୁ ସିକ୍ତ କରିଛନ୍ତି। ଆକାଶର ସ୍ଥାନେ ସ୍ଥାନେ କ୍ଷୁଦ୍ର କ୍ଷୁଦ୍ର ମେଘଖଣ୍ଡ। ନଭଃ ପ୍ରାଙ୍ଗଣରେ ଚନ୍ଦ୍ର ଏହି ମେଘଗୁଡ଼ିକ ସଙ୍ଗେ ଲୁଚକାଳି ଖେଳ ଖେଳୁଅଛି। ଏପରି ଆନନ୍ଦ ଓ ନିରାନନ୍ଦର ସନ୍ଧି ସମୟରେ ଏ ନିର୍ଜନ ସ୍ଥଳରେ ବିମଳା ନୀଳମାଧବ ମନ୍ଦିରରୁ ବହିର୍ଗତ ହୋଇ ସୋପାନାବଳି ଉପରେ ଯାଇ ବସିଲା।

ବିମଳାର ବୟସ ପ୍ରାୟ ଚଉଦ ବର୍ଷ ହେବ। ପରିଧେୟ ଗୋଟିଏ ନୀଳରଙ୍ଗର ଶାଢ଼ୀ, ନାସିକାରେ ଦଣ୍ଡୀ ଏବଂ ହସ୍ତରେ ସ୍ବର୍ଣ୍ଣବଳୟ। ତାହାର କାନ୍ତି ଚମ୍ପକ ପୁଷ୍ପ ସଦୃଶ, ବେଣୀ ଅସଂଯତ। ନୈଶ ସମୀର ବିମଳାର କପାଳନ୍ୟସ୍ତ ଅଳକ ସଙ୍ଗେ ନୃତ୍ୟ କରି ତାହାର ମୁଖକୁ ମେଘ ଦ୍ୱାରା ଅର୍ଦ୍ଧ ଲୁକ୍କାୟିତ ଚନ୍ଦ୍ରମାର କାନ୍ତିରେ ବିଭୂଷିତ କରୁଅଛି।

ବିମଳାର ମନ ଆଜି ଚିନ୍ତାମଗ୍ନ, ମୁଖ ଗମ୍ଭୀର। ସେ ଯେପରି କାହାକୁ ଖୋଜୁଛି, କିନ୍ତୁ ପାଉନାହିଁ। ସେ ହସ୍ତୋପରେ ଗଣ୍ଡଦେଶ ନ୍ୟସ୍ତ କରି ଆକାଶର ଚନ୍ଦ୍ର ଆଡ଼କୁ ଅନାଇଲା। ଚନ୍ଦ୍ରର ଲୁଚକାଳି ଖେଳ ଦେଖି ଦେଖି ମନ ମଧ୍ୟରେ କ’ଣ ଭାବି ଗୀତ ଗାଇବାକୁ ଲାଗିଲା-

କର କିମ୍ପା ପ୍ରବଞ୍ଚନା?
ଆହେ ଶଶଧର ସୁଧାର ଆକାର ଶୁଣ ବାରେ ମୋ ପ୍ରାର୍ଥନା।
ସରୋବର ବକ୍ଷେ ନୀର-ଆସନେ
ଖେଳେ କୁମୁଦିନୀ ମନ୍ଦ ପବନେ,
ଲୁଚକାଳି ଖେଳେ ମାତି ଅବହେଳେ ଦେଉଛ କିମ୍ପା ଯାତନା।

ତବ ଆଲିଙ୍ଗନ ସୁଧା ନିର୍ଝର
ଅଟେ କୁମୁଦିନୀ ହୃଦ ସମ୍ବଳ,
କାଦମ୍ବିନୀ କୋଳେ ଲୁଚି ଅନ୍ତରାଳେ ନ ଲୁଚାଅ ସେ ଜୋଛନା।

କରୁଛି ମିନତି, କୁମୁଦବନ୍ଧୁ,
ଦେଖାଅ ନିର୍ମଳେ ବଦନ ମଧୁ,
ସୁଧା-ପାରାବାରେ ଭାସି ପ୍ରେମଭୋରେ ଲଭିବ ଧନୀ ସାନ୍ତ୍ୱନା।

ସ୍ୱରଲହରୀ ବନ୍ଦ ହେଲା; କିନ୍ତୁ ବିମଳାର ପ୍ରାଣ ଅଧୁନା ସଙ୍ଗୀତମୟ। ସଙ୍ଗୀତ ବନ୍ଦ ହେଲେ ସୁଦ୍ଧା ଜଗତ ତାକୁ ସଙ୍ଗୀତମୟ ଦିଶିବାକୁ ଲାଗିଲା। ରଜନୀର ନିସ୍ତବ୍ଧତା କେଉଁଆଡ଼େ ଉଭେଇଗଲା। ଜଗତର ଅଜ୍ଞାତରେ, ନିସ୍ତବ୍ଧତାର ଅଜ୍ଞାତରେ ଧରଣୀବନ୍ଧରେ ସୁମଧୁର ସଙ୍ଗୀତ ରାଜ୍ୟ ପ୍ରତିଷ୍ଠିତ ହେଲା।

ବିମଳା ଆବେଗରେ, ଉଚ୍ଛ୍ୱାସରେ ଆତ୍ମବିସ୍ମୃତି ହୋଇ ନିବିଷ୍ଟଚିତ୍ତରେ ମହାନଦୀ ବକ୍ଷରେ ଜ୍ୟୋତ୍ସ୍ନାର ସୁମଧୁର ଲାସ୍ୟ ଦେଖିବାକୁ ଲାଗିଲା। କିନ୍ତୁ ଏ କ’ଣ? ତା’ ମନ ଏପରି କାହିଁକି? ଏ କାହାର ପାଦଶବ୍ଦ? ଏ କାହାର ଉଷ୍ଣ ନିଶ୍ବାସ? ବିମଳା ପଛକୁ ଫେରି ଅନାଇଲା। କି ସୁନ୍ଦର ଯୁବାମୂର୍ତ୍ତି, ଯେପରି ନୀଳ ବ୍ୟୋମ ପଟରେ ଚିତ୍ରିତ ତରୁଣ ଅରୁଣ ମୂର୍ତ୍ତି! ସେ ମୂର୍ତ୍ତି ଦେଖି ବିମଳା ମୁଗ୍ଧ ହୋଇଗଲା। ତାହାର ନୟନ ସମକ୍ଷରେ ଯେପରି ସୌନ୍ଦର୍ଯ୍ୟ ଭଣ୍ଡାରର ସର୍ବଶ୍ରେଷ୍ଠ ମଣି ପ୍ରତିଭାତ ହେଲା। ସେ ଯୁବକଙ୍କ ନିକଟକୁ ଯାଇ କମ୍ପିତ କଣ୍ଠରେ କହିଲା, ‘ଆଜିଯାଏ ତୁମର ଶାରୀରିକ ଦୁର୍ବଳତା ଯାଇନାହିଁ। ତା’ପରେ ପୁଣି ଏତେ ପରିଶ୍ରମ, ମୋ ରାଣ, ଦେହରେ ବଳ ହେବାଯାଏ ଆଉ ରାତିରେ ଏପରି ବୁଲ ନାହିଁ।’

ବିମଳାର କଥା ଶୁଣି ଯୁବକର ସମଗ୍ର ଶରୀର କଣ୍ଟକିତ ହୋଇଗଲା। ବିମଳାର ଅଜ୍ଞାତରେ ତାଙ୍କର ନୟନ କୋଣରେ ଅଶ୍ରୁକଣା ବିଲୀନ ହୋଇଗଲା। ସେ ତାହାର ହସ୍ତ ଧରି କହିଲେ, ‘କାହିଁକି, ବିମଳା! ମୋର ଦେହ ତ ବେଶ୍‌ ସବଳ ହେଲାଣି। ଆଜି ସଞ୍ଜବେଳେ ମହାନଦୀ ଆରପାରିରେ ଗୋଟିଏ ନିଆଁହୁଳା ଦେଖାଯାଉଥିଲା। ସେଠାକୁ ଯାଇ ଦେଖେ ଯେ, ମରହଟ୍ଟାମାନେ ଦଳବଳ ବାନ୍ଧି ଆସିଛନ୍ତି। ସେଦିନ ନାନାସାହେବ ଭୋଁସ୍‌ଲା ଯେଉଁ ଅପମାନ ପାଇଥିଲେ, ତହିଁର ପ୍ରତିଶୋଧ ନେବାପାଇଁ ଏ ଆୟୋଜନ। ମୁଁ ଏହିକ୍ଷଣି ଦୁର୍ଗକୁ ଯାଇ ଏ ସମ୍ବାଦ ଦେବି।’

ଯୁବକ ନୀରବ ହେଲେ। ଯୁବତୀଠାରୁ ଉତ୍ତର ପ୍ରତ୍ୟାଶା କରି ତା’ମୁଖକୁ ଅନାଇବାକୁ ଲାଗିଲେ। ଅଶ୍ରୁସିକ୍ତ ଲୋଚନା ବିମଳା ରୁଦ୍ଧ କଣ୍ଠରେ କହିଲା, ‘କିନ୍ତୁ ତୁମ ଦେହ ଯେ ଭଲ ହୋଇନାହିଁ।’

ଯୁବକ କହିଲେ, ‘ଦେହ ପାଇଁ ଏତେ ଚିନ୍ତା କାହିଁକି? ଯଦି ଦରକାର ହୁଏ, ଯୁଦ୍ଧକ୍ଷେତ୍ରକୁ ଯିବାକୁ ହେବ।’

ବିମଳାର ଜ୍ୟୋତ୍ସ୍ନା-ପ୍ରତିଫଳିତ ଅଶ୍ରୁସିକ୍ତ ଗଣ୍ଡ ପ୍ରତି ଯୁବକଙ୍କ ଦୃଷ୍ଟି ପଡ଼ିଲା। ତାଙ୍କ ହସ୍ତ ଶିଥିଳ ହୋଇଗଲା। ସେ ଆଉ ବିମଳାର ହସ୍ତ ଧରି ପାରିଲେ ନାହିଁ। ବିମଳା ନୀରବରେ କ୍ରନ୍ଦନ କରିବାକୁ ଲାଗିଲା। ଏ ସମୟରେ ଯଦି ଆକାଶର ତାରକାଖଚିତ ଚାରୁ ଚନ୍ଦ୍ରାତପ ଭାଙ୍ଗିଯାଇ ଯୁବକଙ୍କ ମସ୍ତକ ଉପରେ ପଡ଼ିଥାନ୍ତା, ତାହେଲେ ସେ ତିଳେ ମାତ୍ର ଦୁଃଖିତ ହୋଇ ନ ଥାନ୍ତେ। କିନ୍ତୁ ବିମଳାର ହୃଦୟର ଆବେଗ ଦେଖି ସେ ଆଉ ସମ୍ଭାଳି ପାରିଲେ ନାହିଁ। ତାଙ୍କ ଚକ୍ଷୁ ମଧ୍ୟ ଲୋତକପୂର୍ଣ୍ଣ ହୋଇଗଲା। ପରେ ବହୁ କଷ୍ଟରେ ଆତ୍ମଗୋପନ କରି କହିଲେ, ‘ଛି ବିମଳା, ଦେଶର ଶତ୍ରୁକୁ ଦାଣ୍ଡଦୁଆରରେ ଦେଖି ଏପରି କଥା କହୁଛ!’

ବିମଳା ମସ୍ତକ ଉତ୍ତୋଳନ କରି ସ୍ଥିର ଦୃଷ୍ଟିରେ ଯୁବକଙ୍କ ମୁଖକୁ ଅନାଇଲା। ତାହାର ମୁଖର ରଙ୍ଗ ଅଧୁନା ପରିବର୍ତ୍ତିତ-ନୟନ ଅଶ୍ରୁବିମୁକ୍ତ। ସେ ଯୁବକଙ୍କ ହସ୍ତକୁ ବାରମ୍ବାର ଚୁମ୍ବନ କରି କହିଲା, ‘ଦେଶର କାର୍ଯ୍ୟ-ଦେବତାଙ୍କ କାର୍ଯ୍ୟ-ମୁଁ ବାଧା ଦେବି ନାହିଁ-ଯାଅ। କିନ୍ତୁ…’

ବିମଳାର କଣ୍ଠରୁଦ୍ଧ ହୋଇଗଲା। ତା’ମୁଖରୁ ଆଉ କଥା ବାହାରି ପାରିଲା ନାହିଁ। ଯୁବକ ସହାସ୍ୟ ବଦନରେ କହିଲେ, ‘ଯଦି ଈଶ୍ୱରଙ୍କ ଇଚ୍ଛା ହୁଏ, ନିଶ୍ଚୟ ଦେଖାହେବ।’ ଏହା କହି ସେ ବିମଳାଠାରୁ ବିଦାୟ ନେଇ ବୃକ୍ଷାନ୍ତରାଳରେ ଅଦୃଶ୍ୟ ହୋଇଗଲେ।

ଦ୍ୱିତୀୟ ପରିଚ୍ଛେଦ: ବିଶ୍ୱାସଘାତକ

“I give him curses, yet he gives me love.” -Shakespeare

‘ଏତେ ରାତ୍ରିରେ, ନିର୍ଜନରେ ପରପୁରୁଷ ସଙ୍ଗେ, ଛି, ବିମଳା!’

ବିମଳା ପଛକୁ ଅନାଇ ଦେଖିଲା, ଆଉ ଜଣେ ଯୁବକ ଛିଡ଼ା ହୋଇ ତାକୁ ଏପରି କହୁଛନ୍ତି। ଯୁବକଙ୍କୁ ଚିହ୍ନିବା ପାଇଁ ବିମଳାର ବେଶି ବିଳମ୍ବ ହେଲା ନାହିଁ। ସେ ଶୈଶବରୁ ପିତୃମାତୃହୀନା। ସମ୍ବଲପୁର ରାଜ୍ୟର ସ୍ୱାଧୀନ ନରପତି ଜୟନ୍ତ ସିଂହଙ୍କର ସେନାପତି ବୀରେଶ୍ୱର ସିଂହଙ୍କର ଲାଳନ ପାଳନରେ ବର୍ଦ୍ଧିତା ହୋଇ ଭକ୍ତିଭାଜନ ପିତା ଏବଂ ସ୍ନେହମୟୀ ମାତାଙ୍କୁ ସୁଦ୍ଧା ଭୁଲିଯାଇଥିଲା। ବୀରେଶ୍ୱର ତାହାର ପିତା ଓ ମାତା ଦୁହିଁଙ୍କ ସ୍ଥାନ ଅଧିକାର କରିଥିଲେ। ସେ ତାକୁ ନିଜ ଝିଅରୁ ବଳି ସ୍ନେହ କରୁଥିଲେ। ବିମଳା ମଧ୍ୟ ବୀରେଶ୍ୱରଙ୍କ ପରିବାରକୁ ନିଜ ପରିବାର ବୋଲି ଭାବୁଥିଲା। ବୀରେଶ୍ୱରଙ୍କର ଏକ ମାତ୍ର ପୁତ୍ର ଉଦିତ୍‌ପ୍ରତାପ ସିଂହଙ୍କୁ ସେ ନିଜ ଅଗ୍ରଜପ୍ରାୟେ ଭକ୍ତି କରୁଥିଲା। ଉଦିତ୍‌ପ୍ରତାପଙ୍କ କଥା ଶୁଣି ତାଙ୍କ ନିକଟକୁ ଯାଇ କହିଲା, ‘ଦାଦା, ବାପା ତ କହିଛନ୍ତି, ରାତିରେ କେବେ କିପରି ଏଠାକୁ ଆସୁଥିବୁ ବୋଲି। ମୋ ମନରେ କଷ୍ଟ ଥିଲେ ମୁଁ ଏଠାକୁ ଆସି ଗୀତ ଗାଏ-ଗୀତ ଗାଇ ଗାଇ ତାପିତ ପ୍ରାଣକୁ ଶୀତଳ କରେ। ତୋ ଦୁଃଖିନୀ ଭଉଣୀ ଉପରେ କାହିଁକି ରାଗୁଛୁ?’

‘କିନ୍ତୁ ପରପୁରୁଷ ସଙ୍ଗେ!’ ଏହା କହି ଉଦିତ୍‌ପ୍ରତାପ ଜିଭ କାମୁଡ଼ି ବିମଳାର ମୁଖ ଆଡ଼କୁ ଅନାଇଲେ। ଲଜ୍ଜାରେ ବିମଳାର ମୁଖ ତଳକୁ ହୋଇଗଲା। ଉଦିତ୍‌ପ୍ରତାପ ପୁନରାୟ କହିଲେ, ‘ବିମଳା! ତୋ ପିଲାଳିଆ ସ୍ୱଭାବ କେବେ ଛାଡ଼ିଲୁ ନାହିଁ। ତୁ ବଡ଼ ହେଲୁଣି, ସଂସାରର ଗତିରୀତି ସବୁ ଦେଖୁଛୁ। ତୋର ଏ ବୟସରେ ଅନ୍ୟ ଲୋକ ସଙ୍ଗେ ନିର୍ଜନରେ କଥାବାର୍ତ୍ତା କରିବା ଠିକ୍‌ ନୁହେଁ।’

‘କିନ୍ତୁ ପ୍ରସନ୍ନକୁମାର ଯେ ମୋର ପିଲାକାଳର ସଙ୍ଗୀ। ତାଙ୍କ ସଙ୍ଗେ ଏକାନ୍ତରେ କଥାବାର୍ତ୍ତା କଲେ ଦୋଷ କ’ଣ?’

‘ସେ ତୋର ପିଲାକାଳ ସାଥୀ ହୋଇପାରନ୍ତି। ପିଲାବେଳେ ସେ ସବୁ ଶୋଭା ପାଉଥିଲା। ଆଜି ତୋର ଏ ଆଚରଣ ଶୁଣିଲେ ବାପା କ’ଣ କହିବେ?’

‘ଛି, ଦାଦା! ତୁ କ୍ଷତ୍ରିୟ ଯୁବକ ହୋଇ ଏପରି କହୁଛୁ?’
‘ନା ବିମଳା, ତୁ ଏପରି କଲେ ମୋ ମନରେ କଷ୍ଟ ହେବ। ପ୍ରସନ୍ନକୁମାରଙ୍କ ଚରିତ୍ର ଭଲ ନୁହେଁ। ଅସଚ୍ଚରିତ୍ର ଲୋକଙ୍କ ସଙ୍ଗେ ତତେ ଦେଖିଲେ ମୁଁ ରାଗିବି।’

ପ୍ରସନ୍ନକୁମାର ବିମଳାର ଅନ୍ତରଙ୍ଗ ପ୍ରତିବେଶୀ। ପିଲାଦିନରୁ ଦୁହେଁଯାକ ଏକାସାଙ୍ଗରେ ଖେଳୁଥିଲେ…ଦୁହେଁ ଦୁହିଁଙ୍କ ଦୁଃଖରେ ଦୁଃଖୀ ଓ ସୁଖରେ ସୁଖୀ ହେଉଥିଲେ। ଦୁହେଁ ଗୋଟିଏ ବୃନ୍ତର ଯୁଗଳ ପୁଷ୍ପ ସଦୃଶ ଶୋଭା ପାଉଥିଲେ। ଦୁହିଁଙ୍କ ପ୍ରାଣ ଏକ, ମନ ଏକ। ପ୍ରସନ୍ନକୁମାରଙ୍କ ନିନ୍ଦା ଶୁଣି ବିମଳା ମନରେ କଷ୍ଟ ହେଲା। ସେ ଉଦିତ୍‌ପ୍ରତାପଙ୍କ ଉଦ୍ଦେଶ୍ୟ ବୁଝିପାରିଲା। ଉଦିତ୍‌ପ୍ରତାପ ବିମଳାର ସୌନ୍ଦର୍ଯ୍ୟମୁଗ୍ଧ, ତା’ର ପ୍ରଣୟପ୍ରାର୍ଥୀ।

ବିମଳା ତାଙ୍କୁ ଅନେକ ଥର ବୁଝାଇ କହିଥିଲା…ତାଙ୍କୁ ଭଗିନୀର ସ୍ନେହ, ଦୟା, ଭକ୍ତି ଅର୍ପଣ କରିଥିଲା। କିନ୍ତୁ ଉଦିତ୍‌ପ୍ରତାପ ତହିଁରେ ସନ୍ତୁଷ୍ଟ ନ ହୋଇ ତା’ ହୃଦୟ ରାଜ୍ୟର ରାଜା ହେବାକୁ ଇଚ୍ଛା କରିଥିଲେ। ତାଙ୍କ ଅଭିଳାଷ ସିଦ୍ଧି ପଥରେ ପ୍ରସନ୍ନକୁମାରଙ୍କୁ ପ୍ରଧାନ ଅନ୍ତରାୟ ଭାବି ତାଙ୍କ ବିରୁଦ୍ଧରେ ନାନା ମିଥ୍ୟାପ୍ରବାଦ ରଟନା କରି ବିମଳା ସଙ୍ଗେ ତାଙ୍କ ଦେଖା-ସାକ୍ଷାତ୍‌ ବନ୍ଦ କରିଦେଲେ। ଦଗ୍ଧ ହୃଦୟା ବିମଳା ମନ୍ଦିରକୁ ପ୍ରତିଦିନ ଗୀତ ଗାଇବା ଛଳରେ ଆସି ପ୍ରସନ୍ନକୁମାରଙ୍କ ସଙ୍ଗେ ଦେଖା କରିଯାଏ। ଦ୍ୱାର

ଏ କଥା ମଧ୍ୟ ଉଦିତ୍‌ପ୍ରତାପଙ୍କୁ ଅସହ୍ୟ ହୋଇପଡ଼ିଲା। ସେମାନଙ୍କର ସେ ମଧୁର ଆଳାପ, ପରସ୍ପର ହୃଦୟ ଦ୍ୱାର ଉଦ୍‌ଘାଟନ ବନ୍ଦ କରିବା ସକାଶେ ସେ ଚେଷ୍ଟା କରିବାକୁ ଲାଗିଲେ। ଆଜି ତାଙ୍କ ମୁଖରୁ ଏ ଅସଙ୍ଗତ, ଅସଂଯତ କଥା ଶୁଣି ବିମଳା କହିଲା, ‘ଦାଦା, ମୁଁ ନାନା ଦୋଷରେ ଦୋଷୀ ହୋଇପାରେ; କିନ୍ତୁ ପ୍ରସନ୍ନକୁମାର ନିର୍ଦ୍ଦୋଷ। ମୁଁ ତାଙ୍କୁ ଭଲକରି ଜାଣେ। ଯଦି ମୋତେ ଭଉଣୀ ବୋଲି ସ୍ନେହ କରୁ, ଏପରି କଥା କେବେ କହିବୁ ନାହିଁ।’

‘ମୁଁ ପୁଣି କହୁଛି ପ୍ରସନ୍ନକୁମାର ଅସଚ୍ଚରିତ୍ର। ବାପା ମଧ୍ୟ ଏ କଥା ଜାଣନ୍ତି। ବାପାଙ୍କ ଆଦେଶ ମତେ ମୁଁ ଏଠାକୁ ଆସିଛି। ଆଉ ଏଣିକି ତୁ ଘରୁ ବାହାରି ପାରିବୁ ନାହିଁ।’

ଉଦିତ୍‌ପ୍ରତାପଙ୍କ କଥା ଶୁଣି ବିମଳା ଦଳିତା ଫଣିନୀ ସଦୃଶ କ୍ରୋଧରେ ଜର୍ଜରିତ ହୋଇଗଲା। ସେ ତାଙ୍କ କୂଟ ବୁଝିପାରିଲା। ଅବଳା ନାରୀ ତଳକୁ ମୁହଁ କରି କାନ୍ଦିବାକୁ ଲାଗିଲା। ବିମଳାର ଏ ଅବସ୍ଥା ଦେଖି ଉଦିତ୍‌ପ୍ରତାପଙ୍କ ନୟନକୋଣରେ ଈଷତ୍‌ ଆନନ୍ଦ-ରେଖା ଫୁଟିଉଠିଲା। ତାଙ୍କ ଓଷ୍ଠପ୍ରାନ୍ତରେ କୁଟିଳ ହାସ୍ୟର ଜ୍ୟୋତି ପ୍ରକଟିତ ହୋଇ ପର ମୁହୂର୍ତ୍ତରେ ବିଲୀନ ହୋଇଗଲା। ବିମଳାକୁ ଚତୁର୍ଦ୍ଦିଗ ଘୋର ତମସାଚ୍ଛନ୍ନ ପ୍ରତୀତ ହେଲା। ସେ କମ୍ପିତ କଣ୍ଠରେ କହିଲା, ‘ଦାଦା, ତୋର ଏସବୁ କୂଟ ବୃଥା। ମୁଁ ତତେ ଭଗିନୀର ସର୍ବସ୍ୱ ଅର୍ପଣ କରିସାରିଛି। ଏଥିରୁ ବେଶି ତୁ ଆଉ କିଛି ପାଇପାରିବୁ ନାହିଁ। ତୁ ମୋତେ ବାନ୍ଧିପାରୁ; କିନ୍ତୁ ମୋ ହୃଦୟକୁ ବାନ୍ଧିପାରିବୁ ନାହିଁ। ଉପରେ ଈଶ୍ୱର ଅଛନ୍ତି।’

ଏହା କହି ସେ ଦ୍ରୁତ ପଦକ୍ଷେପରେ ସେଠାରୁ ଚାଲିଗଲା। ବିମଳାର ଭାବ ଦେଖି ଉଦିତ୍‌ପ୍ରତାପ ପ୍ରମାଦ ଗଣିଲେ। ପାଳିତା କନ୍ୟାର ପୁଣି ଏତେଦୂର ଆସ୍ପର୍ଦ୍ଧା! ହୀରାଖଣ୍ଡ ଛତ୍ରପତି ମହାରାଜଙ୍କ ସେନାପତି ପୁତ୍ରକୁ ଖାତିର କରେ ନାହିଁ! କ୍ରୋଧରେ ତାଙ୍କ ମୁଖ ଲାଲ ହୋଇଗଲା। ଦଶନରେ ଅଧର ଚାପି ବିମଳାର ଏ ଆଚରଣର ପ୍ରତିଶୋଧ ନେବା ନିମନ୍ତେ ସେ ବିମଳାର ଅନୁସରଣ କଲେ।

ତୃତୀୟ ପରିଚ୍ଛେଦ: କ୍ଷୁଦ୍ରମେଘ

‘ଶିବିରେ ପ୍ରତୀକ୍ଷା କରି ବହୁଦିନ
ଶତ୍ରୁ ଯୋଦ୍ଧେ ହୋଇଛନ୍ତି ଧୈର୍ଯ୍ୟହୀନ,
ସ୍ବଦେଶେ ବାହୁଡ଼ି ଯିବାକୁ ବାସନା-
ବଶୁଁ କରୁଛନ୍ତି ବିଜନେ ମନ୍ତ୍ରଣା।’
(ନନ୍ଦିକେଶ୍ବରୀ)

ଏ କେତେଦିନ ହେଲା ବିମଳାର ମନରେ ଜମା ସୁଖ ନାହିଁ। ଉଦିତ୍‌ପ୍ରତାପଙ୍କ କଟୁକ୍ତି- ‘ତୁ ଆଉ ଘରୁ ବାହାରିପାରିବୁ ନାହିଁ’ ସର୍ବଦା କର୍ଣ୍ଣକୁହରରେ ପ୍ରତିଧ୍ୱନିତ ହେଉଅଛି। ସରଳା ବାଳିକାର ସ୍ୱାଧୀନ ମତ ଉପରେ ଏ ଅତ୍ୟାଚାର! ବିମଳା ଉଦିତ୍‌ପ୍ରତାପଙ୍କୁ ସ୍ପଷ୍ଟରୂପେ କହିଅଛି ଯେ ସେ ତାଙ୍କ ପ୍ରଣୟକାଙ୍କ୍ଷିଣୀ, ନୁହେଁ। ତଥାପି ତାକୁ ଶୃଙ୍ଖଳିତ କରିବା ପାଇଁ ଏ ପ୍ରୟାସ କାହିଁକି?

ପୂର୍ବେ ବିମଳା ନିଜ ହସ୍ତରେ ସବୁ ଗୃହକର୍ମ କରୁଥିଲା। କିନ୍ତୁ ଆଉ ଏଣିକି ସେ ଆଡ଼କୁ ଜମା ମନ ଗଲା ନାହିଁ। ତାହାର ମାନସ-ଚକ୍ଷୁ ସମକ୍ଷରେ ପ୍ରସନ୍ନକୁମାରଙ୍କ ପ୍ରେମମୟ ପ୍ରତିମା ଅହରହ ନୃତ୍ୟ କରିବାକୁ ଲାଗିଲା। ସେ ତାଙ୍କୁ ଛାଡ଼ି କିପରି ଆଉ ଅନ୍ୟ ବିଷୟ ଭାବିପାରିବ? ତା’ର ବିମଳ ପ୍ରେମର ପ୍ରବଳ ବନ୍ୟାରେ ଶତ ଉଦିତ୍‌ପ୍ରତାପ ବାଲିବନ୍ଧ ପ୍ରାୟ ଭାସିଯିବେ।

ପ୍ରଥମେ ପ୍ରଥମେ ବିମଳା ମନଦୁଃଖରେ ଘରକଣରେ ବସି ଭାବନା କରୁଥାଏ। ଭାବି ଭାବି ଲୋତକରେ ଗଣ୍ଡଦେଶ ସିକ୍ତ କରେ। ଭୋଜନରେ କିମ୍ବା ଶୟନରେ ତା’ର ଆଉ ଆସ୍ଥା ନାହିଁ। ଶରୀର ଦିନକୁ ଦିନ କୃଶ ହୋଇଗଲାଣି। ତାହାର ଶାରୀରିକ ଓ ମାନସିକ ପରିବର୍ତ୍ତନ ଦେଖି ପରିବାରସ୍ଥ ସମସ୍ତେ ଚିନ୍ତାକୁଳ ହୋଇପଡ଼ିଲେ। ତାକୁ ସାନ୍ତ୍ୱନା ଦେବା ନିମନ୍ତେ ଅନେକ ଯତ୍ନ କଲେ; କିନ୍ତୁ ସେମାନଙ୍କ ସମସ୍ତ ଚେଷ୍ଟା ବ୍ୟର୍ଥ ହେଲା। ଗୃହ ବର୍ତ୍ତମାନ ତାହା ପକ୍ଷରେ କାରାଗାର। ଏ କାରାଗାରରୁ ମୁକ୍ତି ପାଇଲେ ରକ୍ଷା।

କିଛିଦିନ ଗଲା ପରେ ଅକସ୍ମାତ୍‌ ରାଷ୍ଟ୍ର ହେଲା ଯେ ବିମଳା ନିରୁଦ୍ଦିଷ୍ଟା ହୋଇଛି। ସେ କେଉଁଠିକି ଗଲା, କେହି ଜାଣନ୍ତି ନାହିଁ। ତାକୁ ଖୋଜିବା ପାଇଁ ବୀରେଶ୍ୱର ଚାରିଆଡ଼କୁ ଲୋକ ପଠାଇଲେ; କିନ୍ତୁ ବିମଳାର ସନ୍ଧାନ ମିଳିଲା ନାହିଁ। ରାଜ୍ୟଯାକ ଚାରିଆଡ଼େ ଚହଳ ପଡ଼ିଗଲା। ସମସ୍ତଙ୍କ ମୁଖରେ ବିଷାଦର କାଳିମା। ବୀରେଶ୍ୱରଙ୍କୁ ଆଉ କିଛି ଭଲ ଲାଗୁନାହିଁ। ସଂସାର ତାଙ୍କୁ ବିଷମୟ ପ୍ରତୀତ ହେଉଛି। ବିମଳା ବିଷୟରେ ଅନେକ ଲୋକ ଅନେକ କଥା କହୁଛନ୍ତି। କିଏ କହେ ବିମଳା ପାଣିରେ ବୁଡ଼ି ମରିଛି। ତାହାର ମତ ସମର୍ଥନ କରିବା ସକାଶେ କେହି କହେ ଯେ, ସେ ବିମଳାର ମୃତ ଦେହ ଦେଖିଛି। ଏପରି ନାନା ମୁଖରେ ନାନା କଥା ଶୁଣାଗଲା।

ଏ ସମ୍ବାଦ ଯାଇ ଉଦିତ୍‌ପ୍ରତାପଙ୍କ କାନରେ ପଡ଼ିଲା। ସେ ଅଧୁନା ସମ୍ବଲପୁର ଦୁର୍ଗରେ ଯାଇ ମରହଟ୍ଟାମାନଙ୍କ ସଙ୍ଗେ ଭୀଷଣ ଯୁଦ୍ଧରେ ପ୍ରବୃତ୍ତ ଅଛନ୍ତି। କ୍ରମାନ୍ବୟ ଛ’ମାସ କାଳ ମରହଟ୍ଟାମାନେ ଦୁର୍ଗ ଅଧିକାର କରିବାକୁ ଚେଷ୍ଟା କଲେ, କିନ୍ତୁ ଓଡ଼ିଆମାନଙ୍କ ବୀରତ୍ୱ ସମ୍ଭାଳି ନ ପାରି ପ୍ରତିଥର ପଛଘୁଞ୍ଚା ଦେବାକୁ ବାଧ୍ୟ ହେଲେ। ଦୁର୍ଗ ମଧ୍ୟରେ ଆଦୌ ପ୍ରବେଶ କରିପାରିଲେ ନାହିଁ।

ଏଆଡ଼େ ଉଦିତ୍‌ପ୍ରତାପଙ୍କର ପୂର୍ବପରି ଉତ୍ସାହ ନାହିଁ। ଯୁଦ୍ଧ କରିବାକୁ ତାଙ୍କୁ ଆଉ ଭଲ ଲାଗୁନାହିଁ। ତାଙ୍କର ଏପରି ଭାବ ଦେଖି ପ୍ରସନ୍ନକୁମାର ବ୍ୟଥିତ ହେଲେ। ଈର୍ଷାପରାୟଣ ହୋଇ ଉଦିତ୍‌ପ୍ରତାପ ସମରାଙ୍ଗନରେ ପ୍ରସନ୍ନକୁମାରଙ୍କ କ୍ଷତି କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଭଗବାନ ଏ ବିପଦରୁ ରକ୍ଷା କଲେ। ପ୍ରସନ୍ନକୁମାର ଏପରି ଦକ୍ଷତା ସହକାରେ ଯୁଦ୍ଧ କରିବାକୁ ଲାଗିଲେ ଯେ, ଜୟନ୍ତ ସିଂହ ତାଙ୍କର ରଣକୌଶଳରେ ଅତ୍ୟନ୍ତ ସନ୍ତୁଷ୍ଟ ହୋଇ ତାଙ୍କୁ ତୋରଣ ରକ୍ଷୀ ସୈନିକମାନଙ୍କ ଅଧିନାୟକ ପଦରେ ନିଯୁକ୍ତ କଲେ। ଏ ଗୁରୁ ଦାୟିତ୍ୱ ମସ୍ତକରେ ବହନ କରି ସଂସାରର ସମସ୍ତ ଚିନ୍ତା ଭୁଲି ପ୍ରସନ୍ନକୁମାର କର୍ତ୍ତବ୍ୟପଥରେ ଅଗ୍ରସର ହେଲେ।

କିନ୍ତୁ ପ୍ରସନ୍ନକୁମାରଙ୍କ ଉନ୍ନତି ଉଦିତ୍‌ପ୍ରତାପଙ୍କୁ ଭଲ ଲାଗିଲା ନାହିଁ। ପ୍ରସନ୍ନକୁମାରଙ୍କୁ ଦେଖିଲେ, କେଜାଣି କାହିଁକି, ତାଙ୍କ ମୁହଁ କ୍ରୋଧରେ ଲାଲ ହୋଇଯାଏ। ତାଙ୍କ ଚକ୍ଷୁରୁ ଅଗ୍ନି-ସ୍ଫୁଲିଙ୍ଗ ନିର୍ଗତ ହୁଏ। ଯେଉଁଦିନ ଉଦିତ୍‌ପ୍ରତାପ ବିମଳାର ନିରୁଦ୍ଦିଷ୍ଟ ହେବାର ସମ୍ବାଦ ଶୁଣିଲେ, ସେହିଦିନ ତାଙ୍କର ମୁଖ ଗମ୍ଭୀର ହୋଇଗଲା, ଯେପରି ସେ ସବୁବେଳେ କ’ଣ ଚିନ୍ତା କରୁଛନ୍ତି। ରଣ କୋଳାହଳ ଆଉ ତାଙ୍କ ପ୍ରାଣକୁ ନଚାଇ ପାରିଲା ନାହିଁ। ସେ ନୀରବରେ ନିର୍ଜନରେ ବସି ଚିନ୍ତା କରିବାକୁ ଲାଗିଲେ।

କିଛିଦିନ ପରେ ପୁଣି ଦୁର୍ଗ ଭିତରେ ହୁରି ପଡ଼ିଗଲା, ଉଦିତ୍‌ପ୍ରତାପ ଦୁର୍ଗରେ ନାହାଁନ୍ତି। ସରଳ-ହୃଦୟ ପ୍ରସନ୍ନକୁମାର ଏଥିର କାରଣ କିଛି ବୁଝିପାରିଲେ ନାହିଁ। ଯୁଦ୍ଧ ସମୟରେ ସେନାପତି ପୁତ୍ରଙ୍କ ଈଦୃଶ ଆଚରଣ ଦେଖି ସମସ୍ତେ ବ୍ୟଥିତ ହେଲେ। କିନ୍ତୁ ଜଗତର ଦୁଃଖ ହେଉ ବା ସୁଖ ହେଉ, ସମସ୍ତେ ନିଜ ନିଜ କାର୍ଯ୍ୟ ନେଇ ବ୍ୟସ୍ତ। ମନୁଷ୍ୟ ଦେବତା ନୁହେଁ-ସମୟେ ସମୟେ ହେବାକୁ ଚେଷ୍ଟା କରିଥାଏ ମାତ୍ର। ସଂସାରରେ ଏହି ଦେବତ୍ବାଭିଳାଷୀ ମନୁଷ୍ୟଙ୍କ ସଂଖ୍ୟା ନିତାନ୍ତ କମ୍‌….ନାହିଁ କହିଲେ ଚଳେ। ପ୍ରକାଶ୍ୟରେ ହେଉ ବା ଗୋପନରେ ହେଉ, ସଭିଏଁ ନିଜ ନିଜ ସ୍ୱାର୍ଥରେ ମାତିଛନ୍ତି। ଯେଉଁମାନେ ଏହି ନିୟମର ବହିର୍ଭୂତ ସେମାନେ ନମସ୍କାରଣୀୟ।

ଓଡ଼ିଆମାନଙ୍କ ହସ୍ତରେ ବାରମ୍ବାର ପରାସ୍ତ ହୋଇ ମରହଟ୍ଟାମାନେ ଅତିଶୟ କାତର ହୋଇପଡ଼ିଥିଲେ। ଓଡ଼ିଶାକୁ ଜୟ କରିବା ସେମାନେ ଯେପରି ସହଜ ବୋଲି ଭାବିଥିଲେ, କାର୍ଯ୍ୟରେ ତହିଁର ଠିକ୍‌ ବିପରୀତ ଦେଖିବାକୁ ପାଇଲେ। ସ୍ୱାଧୀନ ଜାତିକୁ ପରାଧୀନ କରିବା ସହଜ କଥା ନୁହେଁ।

ସମ୍ବଲପୁରାଧିପତି ଅଭୟ ସିଂହଙ୍କ ହସ୍ତରେ ମରହଟ୍ଟାମାନେ ଯେ ପରାଜୟ ସ୍ୱୀକାର କରିଥିଲେ, ତହିଁର ଯନ୍ତ୍ରଣା ଆଜିଯାଏ ଯାଇନାହିଁ। ତା’ପରେ ପୁଣି ଜୟନ୍ତ ସିଂହଙ୍କ ହସ୍ତରେ ଏ ଅପମାନ! ନାନାସାହେବ ଭୋଁସ୍‌ଲା ଏପରି ଅବସ୍ଥାରେ କ’ଣ କରିବେ, କିଛି ଠିକ୍‌ କରିପାରିଲେ ନାହିଁ। ସମସ୍ତ ସାମନ୍ତମାନଙ୍କୁ ଏକତ୍ରିତ କରି ସେ ମନ୍ତ୍ରଣା କରିବାକୁ ଲାଗିଲେ। ଦୁର୍ଗକୁ ଅଧିକାର କରିବାର ଅନେକ ଉପାୟ ଉଦ୍ଭାବିତ ହେଲା, କିନ୍ତୁ ସେଗୁଡ଼ିକ ଅସମ୍ଭବ ଜ୍ଞାନରେ ପରିତ୍ୟକ୍ତ ହେଲା। ମରହଟ୍ଟା ଶିବିରରେ ବିଷାଦର ରାଜ୍ୟ ପ୍ରତିଷ୍ଠିତ ହେଲା।

ନାନାସାହେବ ଚିନ୍ତାକୁଳ ମନରେ ଶିବିର ପରିତ୍ୟାଗ କରି ମହାନଦୀ କୂଳରେ ବିଚରଣ କରିବାକୁ ଲାଗିଲେ। ଜ୍ୟୋତ୍ସ୍ନାସ୍ନାତ ଲହଣ୍ଡା ପର୍ବତର ସ୍ୱର୍ଗୀୟ କାନ୍ତି ତାହାଙ୍କର ଦୃଷ୍ଟିପଥାରୂଢ଼ ହେଲା। କି ଅଲୌକିକ ସୌନ୍ଦର୍ଯ୍ୟ ସମ୍ମୁଖରେ ସୌନ୍ଦର୍ଯ୍ୟରେ କମ୍ପମାନା କଳନାଦିନୀ ପର୍ବତ-ସ୍ରୋତସ୍ବତୀ। ମସ୍ତକରେ ନୀଳ ଆକାଶ, ସତେ ଯେପରି ଉପରୁ ନୀଳିମା ଥପ ଥପ ହୋଇପଡ଼ୁଛି। ନାନାସାହେବ ମୁଗ୍ଧ ନେତ୍ରରେ ଏ ଅପରୂପ ସୌନ୍ଦର୍ଯ୍ୟ ଦେଖିବାକୁ ଲାଗିଲେ। କିନ୍ତୁ ପର ମୁହୂର୍ତ୍ତରେ ସବୁ ଅନ୍ଧକାର ହୋଇଗଲା। ପ୍ରକୃତିର ସେ ଚାରୁଶିଳ୍ପ କେଉଁଆଡ଼େ ଉଭେଇଗଲା। ସେ ବିଷର୍ଣ୍ଣ ମନରେ ରୋଦନ କରିବାକୁ ଲାଗିଲେ।

କିଛିକ୍ଷଣ ପରେ ଚକ୍ଷୁ ଉନ୍ମୀଳନ କରି ଦେଖିଲେ ଯେ ଜଣେ ଯୁବକ ମହାନଦୀ ବକ୍ଷରେ ଶିଳା ଉପରେ ବସିଛନ୍ତି। ଯୁବକଙ୍କ ପରିଚ୍ଛଦ ଦେଖି ତାଙ୍କୁ ଶତ୍ରୁପକ୍ଷୀୟ ଭାବି ଭୀଷଣ ଗର୍ଜନ ସହ ତାଙ୍କ ଉପରେ ଲମ୍ପ ପ୍ରଦାନ କଲେ। କିନ୍ତୁ ଯୁବକ ପର୍ବତପ୍ରାୟ ଅଟଳ। ପ୍ରତ୍ୟାକ୍ରମଣର ଚେଷ୍ଟା ମାତ୍ର ବିରହିତ। ସେ ନାନାସାହେବଙ୍କ ଆଡ଼କୁ ନୀରବରେ ଅଗ୍ରସର ହୋଇ ତାଙ୍କୁ ଆଲିଙ୍ଗନ ପାଶରେ ଆବଦ୍ଧ କଲେ। ଯୁବକଙ୍କର ଏପରି ରୀତି ଦେଖି ନାନାସାହେବ ଆଶ୍ଚର୍ଯ୍ୟାନ୍ବିତ ହୋଇଗଲେ। ସେମାନଙ୍କ ମଧ୍ୟରେ ଅନେକ କଥାବାର୍ତ୍ତା ହେଲା; କିନ୍ତୁ ସେ ଗୁପ୍ତ କଥାବାର୍ତ୍ତା କେହି ଶୁଣିନାହାନ୍ତି। ଏଣୁ ପାଠକମାନଙ୍କୁ ତାହା ଉପହାର ଦେଇ ନ ପାରି ଆମ୍ଭେମାନେ ଦୁଃଖିତ। କେବଳ ଲୋକଙ୍କ ମୁହଁରୁ ଶୁଣିଛୁଁ ଯେ, ସେ ଯୁବକଙ୍କ ନାମ ଉଦିତ୍‌ପ୍ରତାପ।

ଚତୁର୍ଥ ପରିଚ୍ଛେଦ: ଘୋର ଅନ୍ଧକାର

‘ଧନ୍ୟ ସେ ପ୍ରୀତିକି ମରଣ-ଭୀତିକି
ପ୍ରୀତି ସେ ପାରଇ ଜିଣି,
ଶିରୀଷ-ମୃଦୁଳା ଲବଣୀ-ପିତୁଳା
ପ୍ରୀତି କଲା ସାହସିନୀ।’
(କେଦାରଗୌରୀ)

‘କିନ୍ତୁ ଏ ରକ୍ତପାତରେ ତୁମ୍ଭର ଲାଭ?’

‘ଲାଭ! ଦେଶର ଶତ୍ରୁକୁ ବିନାଶ କରି ଜନ୍ମଭୂମିର ସ୍ବାଧୀନତା ରକ୍ଷା କରିବି। ଏହା କ’ଣ କ୍ଷତ୍ରିୟ ବୀରର ଚରମ ଲାଭ ନୁହେଁ?’

‘ଏପରି ଭାବିବା ମୂର୍ଖତା ଭିନ୍ନ ଆଉ କିଛି ନୁହେଁ। ମରହଟ୍ଟାମାନେ ଚିର ବିଜୟୀ। ସେମାନଙ୍କ ସଙ୍ଗେ ଯୁଦ୍ଧ କରି ପରାଜିତ ହେବ, ବରଂ ସେମାନଙ୍କୁ ସାହାଯ୍ୟ କଲେ ଜମି-ଜାଗିରି ପାଇ ବଡ଼ଲୋକ ହୋଇପାରିବ।’

‘ସେ କି ଉଦିତ୍‌ପ୍ରତାପ! ତୁମ ମୁହଁରେ ଏପରି କଥା! କ୍ଷମା କରିବ। ମୁଁ ସେ କାର୍ଯ୍ୟ କରିପାରିବି ନାହିଁ। ଆଜି ସୁଦ୍ଧା ଧର୍ମ ଅଛି। ପୂର୍ବପରି ଆଜି ସୁଦ୍ଧା ଚନ୍ଦ୍ର ସୂର୍ଯ୍ୟ ଉଦିତ ହେଉଛନ୍ତି। ତୁମେ ସେ କୁଟିଳ ମନ୍ତ୍ରଣା ଛାଡ଼। ଦେଶର ଶତ୍ରୁକୁ ବିନାଶ କରି ଧନ୍ୟ ହୁଅ।’

‘ଶତ୍ରୁ ବିନାଶ! ଯୁଦ୍ଧ! ନା, ଜୟ ପରାଜୟର ଅନିଶ୍ଚିତ ସ୍ଥାନକୁ ଯିବା ମଧ୍ୟ ଠିକ୍‌ ନୁହେଁ।’

‘ନା, ହେଲା! ସେପରି କହନା।’ ଏହା କହି ପ୍ରସନ୍ନକୁମାର ତୀକ୍ଷ୍ଣ ଦୃଷ୍ଟିରେ ଉଦିତ୍‌ପ୍ରତାପଙ୍କ ମୁଖ ଆଡ଼କୁ ଅନାଇବାକୁ ଲାଗିଲେ, କିନ୍ତୁ ଉଦିତ୍‌ ପ୍ରତାପ ସ୍ଥିର ସଂକଳ୍ପ। ସେ ମରହଟ୍ଟାମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ ନାହିଁ। ପ୍ରସନ୍ନକୁମାରଙ୍କ କଥା ଶୁଣି ତାଙ୍କର ଭ୍ରୂ-ଯୁଗଳ ଈଷତ୍‌ କୁଞ୍ଚିତ ହେଲା। ନୟନରୁ ବକ୍ର ଜ୍ୟୋତି ନିର୍ଗତ ହେଲା। ସେ କିଛି ନ କହି ବଂଶୀବାଦନ କଲେ। ବଂଶୀବାଦନ ସଙ୍ଗେ ସଙ୍ଗେ ବହୁସଂଖ୍ୟକ ମରହଟ୍ଟା ସୈନିକ ‘ବମ୍‌ ବମ୍‌ ମହାଦେଓ’ ରବ କରି ତୋରଣ ଆଡ଼କୁ ଧାବମାନ ହେଲେ ଓ ପ୍ରସନ୍ନକୁମାରଙ୍କୁ ଘେରି ପକାଇଲେ।

ପ୍ରସନ୍ନକୁମାର କିଂକର୍ତ୍ତବ୍ୟବିମୂଢ ହୋଇ ଏସବୁ ଦେଖିବାକୁ ଲାଗିଲେ। ଉଦିତ୍‌ପ୍ରତାପ ପ୍ରତିହିଂସା ସାଧନର ଉପଯୁକ୍ତ ସମୟ ପାଇ ଖଡ୍ଗ-ହସ୍ତରେ ପ୍ରସନ୍ନକୁମାରଙ୍କ ଆଡ଼କୁ ଧାବମାନ ହେଲେ। କିନ୍ତୁ ପ୍ରସନ୍ନକୁମାରଙ୍କ ମୁଣ୍ଡ ନ ଛିଣ୍ଡୁଣୁ ପଛରୁ କିଏ ଆସି ତାଙ୍କ ମସ୍ତକକୁ ଶରୀରରୁ ବିଚ୍ଛିନ୍ନ କଲେ। ସୈନିକମାନେ ବିସ୍ମୟାବିଷ୍ଟ ନେତ୍ରରେ ଦେଖିଲେ ଯେ, ଜଣେ ସନ୍ନ୍ୟାସିନୀ ଉଦିତ୍‌ପ୍ରତାପଙ୍କ ଛିନ୍ନ ମସ୍ତକକୁ ହସ୍ତରେ ଧରି କେଉଁଆଡ଼େ ଚାଲିଗଲା। ତାକୁ ଖୋଜିବାପାଇଁ ସେମାନେ ଅନେକ ଚେଷ୍ଟା କଲେ; କିନ୍ତୁ କୌଣସିଠାରେ ପାଇଲେ ନାହିଁ। ପ୍ରସନ୍ନକୁମାର ବିସ୍ମିତ, ସ୍ତମ୍ଭିତ ହୋଇ ଏହା ଦେଖିବାକୁ ଲାଗିଲେ।

ଉଦିତ୍‌ପ୍ରତାପଙ୍କ ମସ୍ତକ ଶରୀରରୁ ବିଚ୍ୟୁତ ହେଲା। ସେଥି ସଙ୍ଗେ ସଙ୍ଗେ ସମ୍ବଲପୁରର ସ୍ବାଧୀନତା-ରବି ମଧ୍ୟ ଅସ୍ତମିତ ହେଲା। ମରହଟ୍ଟାମାନେ ଅପ୍ରତ୍ୟାଶିତ ଭାବରେ ସମଲାଈ ଫାଟକ ବାଟେ ଦୁର୍ଗ ମଧ୍ୟରେ ପ୍ରବେଶ କରି ଜୟନ୍ତ ସିଂହ ଓ ତଦୀୟ ପୁତ୍ର ମହାରାଜା ସାଏଙ୍କୁ ବନ୍ଦୀ କଲେ। ସମ୍ବଲପୁର ଦୁର୍ଗ ଶତ୍ରୁମାନଙ୍କ ହସ୍ତଗତ ହେଲା। ପ୍ରସନ୍ନକୁମାର ପ୍ରାଣ ପଣେ ଚେଷ୍ଟା କରି ସୁଦ୍ଧା ଦୁର୍ଗ ରକ୍ଷା କରିପାରିଲେ ନାହିଁ। ତାଙ୍କ ଆହତ ଶରୀର ଧରାଶୟୀ ହେଲା। ସମ୍ବଲପୁର ମୁଖ ବିଷାଦ-କାଳିମା ରଞ୍ଜିତ ହେଲା। ସ୍ୱାଧୀନ ଜାତି ପରାଧୀନ ହେଲା। ହାୟ ଉଦିତ୍‌ପ୍ରତାପ! ଶେଷକୁ ବିମଳାର ରୂପର ମୂଲ୍ୟ ସ୍ୱରୂପ ସ୍ୱଦେଶର ସ୍ବାଧୀନତା ବିକ୍ରୟ କଲ !!!

କିନ୍ତୁ ଏ ସନ୍ନ୍ୟାସିନୀ କିଏ? ତମୋମୟୀ ରଜନୀରେ ଶ୍ମଶାନରେ ବସି କ’ଣ କରୁଛି? ସନ୍ନ୍ୟାସିନୀ ବ୍ୟଥିତ ମନରେ, ଆକୁଳ ପ୍ରାଣରେ ଆକାଶକୁ ଅନାଇ ଗାଇବାକୁ ଲାଗିଲା :

କିମ୍ପା ଦୟାମୟ ହୋଇଣ ନିର୍ଦ୍ଦୟ
ଦେଲ ଏ ହୀନ ଜନମ,
କାନ୍ଦି କାନ୍ଦି ହରି ଗଲିଣି ତ ସରି
ପୋଡ଼ୁ ଏ ହୀନ କରମ । ୧।

ହେଲି ମୁଁ ସଂସାରେ
ଘୋର ଅଭିଶାପ,
ଯହିଁ ଗଲି ତହିଁ
ବିଞ୍ଚିଅଛି ପାପ;
ଜଗତର ତପ୍ତ ଲୋତକ-ପ୍ରବାହେ
ହେଉଅଛି ଭାସମାନ । ୨।

ଅଶାନ୍ତିର ମନ୍ତ୍ର
ପଢ଼ିଲି ଜଗତେ,
ବୁଡ଼ିଅଛି ଏବେ
ସ୍ୱଦେଶ ରକତେ;
ଧିକ ମୋର ରୂପ, ଧିକ ଯଉବନ
ଧିକ ମୋର ଏ ଜୀବନ । ୩ ।

ଅସାର ସଂସାର
ଅପାର ଯାତନା
ଦେଉଅଛି ମୋତେ
ବିଷମ ଲାଞ୍ଛନ;
ପ୍ରେମମୟ ହରି କରୁଣା ବିସ୍ତାରି
ପାଦପଦ୍ମେ ଦିଅ ସ୍ଥାନ । ୪ ।

ଶ୍ମଶାନ କ୍ରୋଡ଼ରେ ଶାୟିତ ଯନ୍ତ୍ରଣାକାତର ପ୍ରସନ୍ନକୁମାର ଏ ସୁମଧୁର ସଙ୍ଗୀତ ଶୁଣି ମୁଗ୍ଧ ହୋଇଥିଲେ। ତାଙ୍କର ରୁଧିରାକ୍ତ ମୁଖରେ ହାସ୍ୟର ବିମଳ ରେଖା ଝଲସି ଦିଶିଲା। କେଉଁ ଅଜ୍ଞାତ ପ୍ରଦେଶରୁ ଅମୃତ ଝଙ୍କାର ଆସି ତାଙ୍କୁ ଗୋଟିଏ ମୋହମୟ ଶାନ୍ତିମୟ ରାଜ୍ୟକୁ ନେଇଗଲା। ସେଠାରେ ସେ ସ୍ୱର୍ଗ ଚିତ୍ର ଦେଖିବାକୁ ପାଇଲେ। କିଏ ଯେପରି ତାଙ୍କ ନିକଟକୁ ଆସି ଚିରପରିଚିତ ବୀଣାଜିଣା ସ୍ୱରରେ ତାଙ୍କୁ ଡାକି ଗୋଟିଏ ସ୍ବପ୍ନମୟ କୁଞ୍ଜରେ ତାଙ୍କୁ ବସାଇ ନିଜେ ତାଙ୍କ ନିକଟରେ ବସିଲା। ପ୍ରସନ୍ନକୁମାରଙ୍କ ଶରୀର ପୁଲକିତ ହୋଇଗଲା।

ସେ ଅଲୌକିକ ସୌନ୍ଦର୍ଯ୍ୟ, ଅପ୍ସରା ସମ୍ଭବ ଜ୍ୟୋତି, କିନ୍ନର କଣ୍ଠ ତାଙ୍କ ମନରେ ଯେପରି ପ୍ରାଚୀନ ସ୍ମୃତି ଅଙ୍କିତ କଲା। ସେ ଚକ୍ଷୁ ଖୋଲି ଦେଖିଲେ, ତାଙ୍କ ନିକଟରେ ଜଣେ ମୁକୁଳିତ କେଶପାଶା, ଗୈରିକବସନୀ, ଅନିନ୍ଦ୍ୟସୁନ୍ଦରୀ ସନ୍ନ୍ୟାସିନୀ – ମୂର୍ତ୍ତି ବସିଛନ୍ତି। ତାଙ୍କୁ ଦେଖି ପ୍ରସନ୍ନକୁମାରଙ୍କ ଶରୀରରେ ସିଂହ-ବିକ୍ରମ ଉଦିତ ହେଲା। ସେ ଗାତ୍ରୋତ୍‌ଥାନ କରି ସନ୍ନ୍ୟାସିନୀଙ୍କୁ ଆଲିଙ୍ଗନ କରି କହିଲେ, ‘ବିମଳା ! ବିମଳା…’ ଆଉ କହିପାରିଲେ ନାହିଁ। ତାଙ୍କ ଶରୀର ଅବସନ୍ନ ହୋଇଗଲା। ଶରୀରର କ୍ଷତସ୍ଥାନମାନଙ୍କରୁ ପ୍ରବଳ ବେଗରେ ରୁଧିର ବହିବାକୁ ଲାଗିଲା। ପ୍ରାଣହୀନ ପିଣ୍ଡ ଧରା ଲୁଣ୍ଠିତ ହେଲା।

ବିମଳା ଏହା ଦେଖି ବିକଳରେ ରୋଦନ କରିବାକୁ ଲାଗିଲା। ତାହାର ଜୀବନର ଧ୍ରୁବତାରା ଅସ୍ତମିତ ହେଲା। ସେ ଉତ୍ତରୀୟ ମଧ୍ୟରୁ ତୀକ୍ଷ୍ଣ ଛୁରିକା ବାହାର କରି ନିଜ ବକ୍ଷ ଦେଶରେ ବିଦ୍ଧ କଲା।

ଯନ୍ତ୍ରଣା ପ୍ରତି ଲକ୍ଷ୍ୟ ନ କରି ରୁଧିରାକ୍ତ କଳେବରରେ ପ୍ରସନ୍ନକୁମାରଙ୍କ ରୁଧିରାକ୍ତ ଶରୀରକୁ ଆଲିଙ୍ଗନ କଲା। ଆହା! ସେ ଅନ୍ତିମ ଆଲିଙ୍ଗନ…ସେ ଅନ୍ତିମ ଚୁମ୍ବନ କେତେ ପବିତ୍ର…କେତେ ମଧୁର! ସେ ଲୋତକରେ ଅମୃତ, ରକ୍ତରେ ମନ୍ଦାକିନୀ।

ଏ ସ୍ବାର୍ଥତ୍ୟାଗର ପବିତ୍ର ତପୋବନ ହିଁ ସ୍ବର୍ଗ।

ପାଠକୀୟ ଆଦୃତି

୩୩୮ ଦୃଷ୍ଟି ଆକର୍ଷଣ
ମତାମତ ସଂଖ୍ୟା

ତୁଣ୍ଡ ବାଇଦ

୰ ଦୟାନିଧି ମିଶ୍ର

ଓଡ଼ିଆ କଥା ସାହିତ୍ୟରେ ଦୟାନିଧି ମିଶ୍ର(୧୮୯୧-୧୯୫୫) ଜଣେ ନିଆରା ଲେଖକ ଭାବେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲେ। ସେ ଜଣେ ଶିକ୍ଷକ, ଆଇନଜୀବୀ ଓ ରାଜନେତା ଭାବେ ସ୍ବାଧୀନତା ପୂର୍ବବର୍ତ୍ତୀ ଓଡ଼ିଶାରେ ନିଜର କର୍ମମୟ ଜୀବନ ଅତିବାହିତ କରିଥିଲେ।

ଏକତ୍ର ବିରତ୍ବ ଓ ପ୍ରଣୟର ଉପସ୍ଥାପନା କୌଶଳ, ବିଷୟବସ୍ତୁଗୁଡ଼ିକର ବିଭାଗୀକରଣ, ଆରମ୍ଭର ବୈଚିତ୍ର୍ୟ, ବିଷୟ ଗ୍ରନ୍ଥିର କ୍ରମ ଉନ୍ମୋଚନ, ବିଭିନ୍ନ ପରିସ୍ଥିତିରେ ଆବେଗ ଓ ଉତ୍ତେଜନାର ସମାବେଶ ହେଉଛି ଦୟାନିଧିଙ୍କ ଲେଖାର ବିଶେଷତ୍ୱ। ତାଙ୍କ ରଚିତ ଏବଂ ପ୍ରକାଶିତ ଗ୍ରନ୍ଥ ମଧ୍ୟରେ ‘କଥାକଦମ୍ବ’, ‘ସଂଯୁକ୍ତା’, ‘ରୋହିଣୀ’, ‘ସୁଭଦ୍ରା’ ଓ ‘ବିରହବଂଶୀ’ ଆଦି ଅନ୍ୟତମ।

କ୍ରମେ ସବିଶେଷ →
-: ଆଉ କେତୋଟି ଗଦ୍ୟ ଓ ଗଳ୍ପ :-
-: ପାଠକୀୟ ମତାମତ :-

 ଏହି ୱେବ୍‌ସ୍ଥଳୀରେ ଓଡ଼ିଆରେ କିପରି ଲେଖିବେ!
ଏହି ପୃଷ୍ଠାର ଶୀର୍ଷ ଭାଗରେ ଦିଆଯାଇଥିବା <ଫୋନେଟିକ୍ ବା ଅନ୍ୟ କି-ବୋର୍ଡ୍ > ଚୟନକରି ଓଡ଼ିଆରେ ଟାଇପ୍ କରନ୍ତୁ। ସେଥି ମଧ୍ୟରୁ ଫୋନେଟିକ୍ କି-ବୋର୍ଡ୍ ରେ ଟାଇପ୍ କରିବା ଖୁବ୍ ସହଜ। ପ୍ରଦତ୍ତ Inscript ଓ Modular କି-ବୋର୍ଡ୍ ଅଭିଜ୍ଞ ବ୍ୟକ୍ତିଙ୍କ ନିମନ୍ତେ ପ୍ରଯୁଜ୍ୟ। ଓଡ଼ିଆରେ ଟାଇପ୍ କରିବା ପାଇଁ, ଏହି ୱେବ୍‌ସ୍ଥଳୀରେ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ।

ଇଂରାଜୀରୁ-ଓଡ଼ିଆରେ କିପରି ଟାଇପ୍ କରିବେ, ନିମ୍ନ ମାର୍ଗଦର୍ଶିକା ଇ-ପୁସ୍ତିକାରେ ସବିଶେଷ ସୂଚନା ଦିଆଯାଇଛି (୩ଟି ପ୍ରକାର ଓଡ଼ିଆ କି-ବୋର୍ଡ୍ ଅନୁଯାୟୀ)।

F12 (କିମ୍ବା Fn + F12) ବୋତାମ୍‌ ଟିପି, ଇଂରାଜୀ ଓ ଓଡ଼ିଆ କି-ବୋର୍ଡ୍ ମଧ୍ୟରେ ଅଦଳବଦଳ କରିପାରିବେ।

ଆପଣଙ୍କ ନାମ *

ଇ-ମେଲ୍ *

ସହର ଓ ରାଜ୍ୟ/ଦେଶର ନାମ *

ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP