ଯା’ ଯା’ରେ ଜୀବପକ୍ଷୀ
ଉଡ଼ିଯା’ ଉଡ଼ିଯା’
ହାଉଲେ, ହାଉଲେ ନୁହେଁ
ଡେଣା ତେନ୍ତାରୀ ଉଡ଼ିଯା’।

କାହିଁ ଦୂର ଆକାଶରେ
ଆଲୁଅ ନଥିବା ଦୂର ଆକାଶରେ
ଆଖି ପାଉନି ଜାଣିପାରୁଛି
ଗୋଟିଏ ଜୀବବୃକ୍ଷ ଘୂରି ବୁଲୁଛି
କ’ଣ ତାର ନାଁ?
ଯା’, ସେଠିକି ଉଡ଼ି ଯା’

ଅମରଣର ଅଭିଶାପରେ
ଅଙ୍କୁରିତ ସେ ଅଦୃଶ୍ୟ ବୃକ୍ଷ
ଏବେ ମାଡ଼ି ବସିଛି ଆଖପାଖ
ମରୁଭୂମି, ମାଟି ଓ ସମୁଦ୍ର
ପୁଣି ପୂରା ଆକାଶ।
ଗୋଟିଏ ଅଦୃଶ୍ୟ ଭୟ
ଯେପରି ଗୋଡ଼ାଇ ଆସୁଛି
ନିଃଶ୍ୱାସ ପ୍ରଶ୍ୱାସରେ, ଛୁଇଁଦେଲେ
ଛାତି ଭିତରେ ଯେପରି ପଶିଯାଉଛି
ଶୋଷି ନେଉଛି ରକ୍ତ,
ଏ ଖୋଲା ମେଲା ମଣିଷ ବଞ୍ଚିବ କିପରି?

ଛାଇ ତାର ଏପରି ଯେ
ହିମାଳୟ ମାଗିବ କମ୍ବଳ
ବେଳେ ବେଲେ ସବୁ ନଦୀ ଶୁଖିଯିବେ
ତା ଶୋଷରେ, ଶୁଖିଯିବେ।

କେତେବେଳେ ସେ ଭୟ ବୃକ୍ଷଟିଏ
ହୋଇଯାଏ। ସାରିଦିଏ ସମସ୍ତଙ୍କୁ
ଏପରି ବୃକ୍ଷକୁ କେବେ ଜାଣିଥିଲୁ?
ଅକସ୍ମାତ ଦେଖାହେଲେ ତାକୁ
ସେ ଡାକିବ ତତେ
ଓ ତୋର ବେଗ ହୋଇଯିବ
ଶତ ସହସ୍ର କୋଶ,
ତାର ବି ତୋଠାରୁ ଅଧିକ।

ଜାଣିଛୁ? ସେ ବୃକ୍ଷରୁ ପତ୍ର ଝଡ଼େ ନାହିଁ
ଫୁଲ, ଫଳ ଖସେ ନାହିଁ
ଡାଳ, ଗଣ୍ଡି ଶୁଖେ ନାହିଁ;
ସିଏ ଡାକୁଛି ତ! ଯା’ ଉଡ଼ିଯା’
ତାର ଅନ୍ତରାତ୍ମା ହୋଇଯା’।

ସେଠି ମୃତ୍ୟୁ ନାହିଁ କି
ପୂନର୍ଜନ୍ମ ନାହିଁ। ଖାଲି ହତାଶା

ଚାଲ ଆମେ ଭସ୍ମ କି ଭୂତାଣୁ ଭୟରୁ
ଏକାକିତ୍ୱର ଭୟରୁ ମୁକ୍ତି ପାଇଁ ଉଡ଼ିଯିବା
ସେଇ ଗଛକୁ ଯେଉଁଠି ଜୀବନ ନ ଥାଇପାରେ,
ମୃତ୍ୟୁ ବି ନ ଥାଇପାରେ।
ଥାଏ ଖାଲି ଆକସ୍ମିକ ଆଶ୍ଚର୍ଯ୍ୟ।

**************************
ମାନବୀୟ ଚେତନା ଓ ମାନବିକ ସମ୍ବେଦନାର ଏକ ଅନନ୍ୟ ପ୍ରତିଭାବାନ କବି ହରପ୍ରସାଦ ପରିଚ୍ଛା ପଟ୍ଟନାୟକଙ୍କର ଦେହାନ୍ତ ହୋଇଯାଇଛି। ରାଜଧାନୀର ଏକ ଘରୋଇ ହସ୍ପିଟାଲ୍‌ରେ ଫେବ୍ରୁଆରୀ ମାସ ୧୬ ତାରିଖ ଦିନ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା। ଓଡ଼ିଆ ସାହିତ୍ୟ ଡଟ୍‌ କମ୍‌ ପାଇଁ ଅତିଥି ସମ୍ପାଦକଭାବେ କିଛି ବର୍ଷ କାର୍ଯ୍ୟ କରିଥିବା ସ୍ୱର୍ଗତ ହରପ୍ରସାଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ରଚିତ କବିତା ‘ଉଡ଼ିଯାରେ ଜୀବପକ୍ଷୀ’। ତାଙ୍କ ରଚିତ କବିତା ‘ଦୁଲ୍‌ ମିଆଁ ପ୍ରତି କୁକୁଡ଼ାର ଉକ୍ତି’ ଖୁବ୍ ଚର୍ଚ୍ଚିତ ହୋଇଥିଲା। ସେହି କବିତାର କିଛି ଅଂଶ ଏହିଭଳି ;

‘‘ଧୀରେ ଧୀରେ କରି ବେକ କାଟିବୁରେ ଦୁଲ୍‌ମିଆଁ, ଦୁଲ୍‌ମିଆଁ
ମାଇପି ଲୁହରେ ବନ୍ୟା ହୋଇଲେ, ମେଦିନୀ ଥରିବ ବୁଡ଼ିଯିବ ଯେତେ କୋଠାଘର ସବୁ,
ଅପଦସ୍ତ ହେବ ମାଲିକ ତୋହର ବିଧାନ ସଭାରେ ଜଳିବ ନିଆଁ,
ଦୁଲ୍‌ମିଆଁ, ଦୁଲ୍‌ମିଆଁ୤’’