ଦିନେ ବି ଆଖିରେ ଦେଖିନି ତୁମକୁ
ପାଇଛି ତମର ମାଳା ଗୋ,
ହେ ଦୂରଭାଷିନୀ, କୁସୁମ ହାସିନୀ
ଦୂର ଜନପଦ ବାଳା ଗୋ!

ହେବ କି ନହେବ କେବେ ଆମ ଦେଖା
ତା ବି ତ ଜାଣେନା ପଥୁକୀ ମୁଁ ଏକା
ଜୀବନ ମୋ ଏକ ରକ୍ତ ତାରକା
ବିଦ୍ରୋହ ତପେ ଭରା ଗୋ!

କେଉଁ ଗ୍ରହରୁ ମୁଁ ଛିଡ଼ିଥିଲି କେବେ
ସେହି ମୋ ଜନ୍ମ ଜାତକ
ମାନବିକତାର କ୍ରନ୍ଦନ ରୋଳ
ସଉନ୍ଦର୍ଯ୍ୟର ଲୋତକ।

ସବୁର ମୁଁ ଏକ ତପ୍ତ ପ୍ରକାଶ
ମୋର ଚାରିଧାରେ ଗଳିତ ଆକାଶ
ଛାଡ଼ିଛି ମଦନ-ମନୋହର ବେଶ
ଚିର ଯାଯାବର ଚାତକ।

ମୁଁ ସିନା ଜଳୁଛି ଦୂର ଆକାଶରେ
ରାତିର କବରୀ ଭେଦି ଗୋ
ଜଳିବା ଭିତରେ କି ଯେ ଯନ୍ତ୍ରଣା
ତମେ ଜାଣନ୍ତ ଯଦି ଗୋ!

ପୋଡ଼ା ଯାଇଛି ମୋ ଯଉବନ-ବନ
ଏ ମୋ ଆତ୍ମାର ନୀରବ-ଦହନ
ଅସୁନ୍ଦର ବିଷ-ଦଂଶନ
ଘେରିଛି ସାଧନା ବେଦୀ ଗୋ !

ମୋତେ ତମେ ସିନା ଦେଖିଛ ଦୂରରୁ
ତନ୍ଦ୍ରା ଜଡ଼ିତ ନୟନେ
କଳପନା ଫୁଲ ଫୁଟାଇଛ କେତେ
ଆପଣା ନିଶୀଥ ଶୟନେ।

ମୋ ପାଇଁ ଗୁନ୍ଥି ବନଫୁଲ ହାର
ସଜାଇ ନିଜର କୁଟୀର ଦୁଆର
ତୋଳି ପୀରତିର ଫେନିଳ ଜୁଆର
ଅନାଇଛ ମୋର ଆୟନେ।

ସବୁ ମୁଁ ଦେଖିଛି, ସବୁ ନିରେଖିଛି,
ତଥାପି ଯାଇନି ପାଖକୁ
ସୁଦୂରିକା ହୋଇ ଥାଏ ଚିରଦିନ
ଶୁଣି ଶୁଣେନାହିଁ ଡାକକୁ।

ସାଗରିକା, ସଦା ଥାଅ ଅଶାନ୍ତ
ଉପରେ ଜଳେ ମୁଁ ଚନ୍ଦ୍ରକାନ୍ତ
ମିଳନର ଆଶା ଅବିଶ୍ରାନ୍ତ
ମଧୁର କରିବ ସୁଖକୁ।

ଆଉ ଟିକେ ପରେ ସୂର୍ଯ୍ୟ ଉଇଁବ
ନିଶା ଅବସାନ ହେଲାଣି
ଆଗାମୀ ସଂଜେ ଦେଖାହେବ ସଖି
ଆଜି ପାଇଁ ଦିଅ ମେଲାଣି,

କେତେ ମୁହୂର୍ତ୍ତ ମୋତେ ଭୁଲିଯାଅ
ସପନ ମୁଲକୁଁ ନିଅ ଗୋ ବିଦାୟ
ପୁଣି ମନେ ତବ ହେବି ଗୋ ଉଦୟ
ନିଭିଲେ ସୂର୍ଯ୍ୟ-ରୋଷଣି।