ବ୍ରଜକୁ ଚୋର ଆସିଛି ଘେନିଯିବ,
ଶୁଅ ତୁନି ହୋଇ ରେ।
ରଙ୍କର ଧନ ମୋ’ ଗୋକୁଳ-ଚନ୍ଦ୍ରମା,
ନିଶି ପାଇ ନାହିଁ ରେ। ।୧।

ରାତି ଗୋଟାଯାକ ମାତିଲୁ ନାଟରେ,
ପଲକ ନ ପକାଇ ରେ।
ଗ୍ରାମ ନିଶବଦ ହେଲାନି କି ତୋତେ,
ନିଦ୍ରା ଆସୁ ନାହିଁ ରେ। ।୨।

କେ ଶିଖାଇ ଦେଲା ଡୋଳା ଢାଳିବାର,
ତାଳ ଉକୁଟାଇ ରେ।
ପାଦ ବଥାଇବ ପରା ଆଉରିକି
ନାଟ ଅଣ୍ଟିନାହିଁ ରେ। ।୩।

ନିର୍ମଞ୍ଚନ ଯିବି କେତେ ଝାଳବହି-
ଗଲା କ୍ଷୁଧା ପାଇ ରେ।
ଆସ ଆସ ସ୍ତନ୍ୟପାନ କରାଇବି
ବାବୁ କାଖିଆଇ ରେ। ।୪।

ପଶୁପେନ୍ଦ୍ରକୁଳ-ପ୍ରଦୀପ ତୁ ଦେଖ
ଖେଳ ଛାଡ଼ି ଦେଇ ରେ।
କେତେବେଳ ହେଲା ଶୟନ କଲାଣି
ବଳରାମ ଯାଇ ରେ। ।୫।

ଚୁମ୍ବନ ଶିରେ ଦେଇ ନେଲେ ଯଶୋଦା
ହୃଦରେ ଲଗାଇ ଯେ।
କର୍ଣ୍ଣମୂଳେ ଧୀରେ ଧୀରେ କରମାରି
ଦେଲେ ପହୁଡ଼ାଇ ଯେ। ।୬।

ନିମ୍ବପର୍ଣ୍ଣ ହରିଦ୍ରାଚୂର୍ଣ୍ଣ ହସନ୍ତୀ
ଅନେକ ପକାଇ ଯେ।
ଗୋପାଳକୃଷ୍ଣ କହଇ ଧୂପଦେଲେ
ଧନିଷ୍ଠିକା ନେଇ ଯେ। ।୭।
-O-

ଉକ୍ତ କବିତାଟି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ୧୯୮୩ ମସିହାରେ ନବମ ଓ ଦଶମ ଶ୍ରେଣୀ ନିମନ୍ତେ ପ୍ରକାଶିତ ‘ସାହିତ୍ୟ’ ପୁସ୍ତକରୁ ଆନୀତ।