ଶେଫାଳି!
କେଉଁ ଦୂର ତରୁବରେ ଫୁଟିଅଛୁ ଗୋପନେ,
ଭୁରୁଭୁରୁ ଗନ୍ଧ ତୋର ଭାସି ଆସେ ପବନେ,
ବାତାୟନ ପାଶେ ବସି ଚାହେଁ ନବୋଦିତ ଶଶୀ
ହସି ହସି ସତେ ଉଇଁ ଆସେ ଦୂର ଗଗନେ,
ଭବାବେଶେ ମୁଗ୍ଧ ମୁଁ କି ମଜ୍ଜି ଅଛି ସ୍ବପନେ!  ।୧।
ଭାବରାଜ୍ୟେ ବୁଲେଁ ସତେ ହଜିଅଛି ଚେତନା,
ଅନନ୍ତ ଅନନ୍ତ ରାଜ୍ୟେ ପୂରିଅଛି କଳ୍ପନା,
ବିଶାଳ ଏ ବିଶ୍ବକ୍ଷେତ୍ରେ ଅର୍ଦ୍ଧନିମୀଳିତ ନେତ୍ରେ
ଦେଖେଁ ସତେ ଶୋଭାରାଶି ପଡୁଅଛି ଉଛୁଳି,
ତହିଁ ସୁଧା ଢାଳୁ କିରେ ଗନ୍ଧେ ଗଙ୍ଗଶିଉଳି?  ।୨।
ଶରଦ ଦିନାନ୍ତେ ବସି ବାତାୟନ ପାଶରେ
ବୁଡ଼ିଅଛି ମନ ମୋର କିବା ପ୍ରେମ ରସରେ,
ଆବେଗେ ପୁଲକେ ମୋର ନୟନରୁ ବହେ ଧାର,
ହୃଦ ତନ୍ତ୍ରୀ ବାଜିଉଠେ କି ଅମୃତ ସ୍ୱର୍ଗରେ,
ନିମିଷେ ଭାବଇଁ ମୁଁ ତ ଅଛି ଅବା ସ୍ବର୍ଗରେ!  ।୩।
ସାରାଦିନ ପରିଶ୍ରମ କ୍ଳେଶ କ୍ଳାନ୍ତି ଅଶେଷ,
ନାନା ଚିନ୍ତା ରୋଗ ଶୋକ କଷ୍ଟ ଦେଲା ବିଶେଷ,
ତହୁଁ ରବି ଅସ୍ତାଚଳେ ଧୀରେ ଧୀରେ ଢଳିଗଲେ,
ସନ୍ଧ୍ୟାଗାଥା ଗାଇ ପକ୍ଷୀ ଫେରିଲେ ସ୍ବ ସଦନେ,
ତମୋରାଶି ବୋଳିଦେଲା ନିଶା ଧରା ଆନନେ।  ।୪।
ଶେଫାଳି!
ମୃଦୁ ମୃଦୁ ଗନ୍ଧ ତୋର ଭାସିଆସେ ପବନେ,
ଛନ ଛନ ପ୍ରାଣ ମୋର କି ଆକୁଳ ଗୋପନେ!
ସତେ ମୋର ଦୁଃଖରାଶି କ୍ଷଣେ କାହିଁ ଗଲା ଭାସି,
କେତେ କି କଳ୍ପନା ମନେ ଆସୁଅଛି ବିଜନେ,
କ୍ଷଣେ ପହଞ୍ଚିଲି ସତେ ଯାଇଁ ସ୍ବର୍ଗ ଭୁବନେ! ।୫।
ନୀଳ ନଭ ମଣ୍ଡି ଧୀରେ ହସି ଦୀପ୍ତ ଲୋଚନେ
ଦେଖା ଦେଲେ ଶତ ଶତ ତାରା ଜ୍ୟୋତି ବସନେ;
ଅଙ୍ଗେ ବୋଳି ସୁଧାରାଶି ଶଶାଙ୍କ ଉଇଁଲା ଆସି,
ଝରି ଝରି ପଡ଼ିଲା କି ଭୁବନରେ ଅମୃତ,
ସତେ କି ଧରଣୀରାଣୀ ଦୁଃଖ ହେଲା ବିସ୍ମୃତ!  ।୬।
ରବି ବିରହରେ ଧନୀ କାନ୍ଦିଥିଲା ମଉନେ
ଅନ୍ଧକାରେ ନତନେତ୍ର ବିଷାଦିତ ବଦନେ,
ଚାନ୍ଦ କି ଆସିଲା ଉଇଁ, ଚାନ୍ଦିନୀ ଚୁମ୍ବିଲା ଭୂଇଁ
ହସିଲା କି ବସୁମତୀ ଚାରୁ ଶୁଭ୍ର ଦୁକୂଳେ,
ଫୁଟିଲୁ ଶେଫାଳୀ ରହି ତୁ କି ପ୍ରେମ ଆକୁଳେ!  ।୭।
ଶେଫାଳି!
କ୍ଷୁଦ୍ର ତୋର ତନୁ, ତହିଁ ଭରା ଏତେ ଅମୃତ,
ବିହି ଲୀଳା କେ ବୁଝିବ, ଜ୍ଞାନାତୀତ ଅଦ୍ଭୁତ!
ଗୋପନେ ଫୁଟିଛୁ ଦୂରେ ତରୁପତ୍ର ଗହଳରେ,
ତଥାପି ତୋ ବାସେ ମୋର ପ୍ରାଣ ହୁଏ ଆକୁଳ,
କହ କେଉଁ ଶିଳ୍ପୀ ତୋତେ ଗଢ଼ିଅଛି ରେ ଫୁଲ!  ।୮।
କି କୋମଳ କି ଲଳିତ କି ମଧୁର ସୁରଭି,
କର୍କଶ କୁତ୍ସିତ ପତ୍ରେ ଶୋଭେ କିନ୍ତୁ ଅଟବୀ;
ରୁକ୍ଷ ପତ୍ରରାଶି କୋଣେ ଫୁଲ ଫୁଟୁ ଏତେ ଗୁଣେ,
ଲୁଚି ଲୁଚି ବାସେ ତାର ମୁଗ୍ଧ କରୁ ସଂସାର,
ନୀଚ ମଧ୍ୟେ ଉଚ୍ଚ ସୃଷ୍ଟି ବିଧାତାର ବିଚାର।  ।୯।
ଶେଫାଳି!
ପଙ୍କେ ପଦ୍ମ ଗଢ଼ିଅଛି ବିଧାତା କି ଯତନେ,
ଶାମୁକା ଗରଭେ ନିହିଅଛି ମୁକ୍ତା ରତନେ,
କଳାମେଘ କଳେବରେ ସୌଦାମିନୀ ଶୋଭା ଧରେ,
କଳ କୋକିଳ କଣ୍ଠରେ ପୂରିଅଛି ପୀୟୁଷ,
ତୁଚ୍ଛ ଭବେ ନୋହେ କିଛି, କ୍ଷୁଦ୍ର ତୋର ସଦୃଶ।  ।୧୦।
ମନେ ମନେ ରୂପ ତୋର କଳ୍ପନାରେ ଆସେ କି,
ଭାବି ଭାବି କଥା ତୋର ଉଲ୍ଲାସରେ ଭାସେ କି,
ଏକ ରାତ୍ରି, ପାଇଁ ଫୁଟି ସୁବାସେ ଯାଉଛୁ ଲୋଟି,
କ୍ଷୁଦ୍ର ତୋର ଜୀବନରେ ସୁମହତ ବିକାଶ,
କ୍ଷୁଦ୍ର ବୋଲି ମୁହିଁ କିମ୍ପା ହୋଇବିରେ ନିରାଶ ।୧୧।
ଶେଫାଳି!
କ୍ଷୁଦ୍ର ମୁହିଁ, ଦୀନ ମୁହିଁ ରେଣୁକଣା ଜଗତେ,
ଚାହିଁଲେ ବିଶାଳ ବିଶ୍ୱ ଆସୁଛି କି ପରତେ,
କ୍ଷୁଦ୍ର ହେଲେ ସୁଦ୍ଧା ମୁହିଁ ଅକାରଣେ ଜନ୍ମି ନାହିଁ
ଅନନ୍ତ ବିନାଶ ମୋର ଲେଖା ନାହିଁ କପାଳେ,
ଏକ ରାତି ପାଇଁ ଫୁଟି ଝଡ଼ି ଯିବି ସକାଳେ।  । ୧୨।
ନିତି ପ୍ରାତେ ଦେଖେ ପଡ଼ିଅଛୁ ତରୁମୂଳରେ,
ଢଳ ଢଳ ହିମ ବିନ୍ଦୁ ଶୋଭେ ଶୁଭ୍ର ଦଳରେ,
ସ୍ଫଟିକେ ପ୍ରବାଳ ପରା ଗଠିତେ ତୋ ତନୁ ତୋରା,
ମନୋନ୍ମାଦକର ତହିଁ ପୂରିଅଛି ସୁବାସ,
କି କୋମଳ କି ମୋହନ କି ଲଳିତ ବିକାଶ । ୧୩। 
କି ଯତନରେ ଆହରି ମୁଁ ଗୁନ୍ଥେ ମାଳା ଆଦରେ,
ପୁଲକିତ ପ୍ରେମ ସ୍ପର୍ଶେ ଦୋଳାଏ ମୋ କଣ୍ଠରେ,
ଧୀରେ ପରଶି ଅଧରେ କେତେ ମୁଁ ତୋତେ ଆଦରେ
କି ବୁଝିବୁ ପ୍ରାଣହୀନ ଆକୁଳତା ମୋହର,
କେତେ ପ୍ରେମ କରେ ତୋତେ ଗୋପନେ ମୋ ଅନ୍ତର। ।୧୪।
ଶେଫାଳି!
କହେ ତୋ ଆଗରେ ସବୁ, ତୁ କି ବନ୍ଧୁ ଜୀବିତ,
ହେଲେ ମୋ ହୃଦୟ ଶତ ବେଦନାରେ ବ୍ୟଥିତ,
ଆପଣା ମନେ ମୁଁ ଭାଷେ ତୋତେ ଶୁଣାଇବା ଆଶେ
ଶୁଣୁ କି ନ ଶୁଣୁ ଏକା ଜାଣୁ ତୁହି ସୁମନ,
ବୁଝୁ କି ନ ବୁଝୁ ମୋର ଶତ ପ୍ରୀତି ବଚନ।  ।୧୫।
କହି କହି କିନ୍ତୁ ମୁହିଁ ଲଭେ ପ୍ରାଣେ ଆରାମ,
ତୋ ବୁଝିବା ନ ବୁଝିବା ମୋର ପକ୍ଷେ ସମାନ।
କହୁଥିବି ଦିବାରାତି ପ୍ରାଣେ ତ ଲଭିବି ଶାନ୍ତି
ତୋ ଉଦ୍ଦେଶେ ଆରେ ଫୁଲ ମୋ ପ୍ରାଣର ଏ ବ୍ୟଥା,
ତୁ ନ ଶୁଣୁ, ଆଉ ଜଣେ ଶୁଣିବ ତ  ମୋ କଥା।  ।୧୬। 
ମୋ ଜୀବନ ଶେଷକାଳେ ପଡ଼ିବି ତ ମୁଁ ଝରି,
ତୋଳିନେବ ନାହିଁ କି ସେ ମୋତେ ଯତ୍ନେ ଆହରି,
ମୋର ଆତ୍ମାଫୁଲ ଚାରୁ ଚରଣେ ଦଳିବା ଠାରୁ,
ତାର ପ୍ରିୟ ନିକେତନ ସଜାଇବ ନେଇ ସେ,
ତୋଷିବ ପ୍ରାଣତି ମୋର ଯେତେ ପ୍ରେମ ଦେଇ ସେ।  ।୧୭।
ଶେଫାଳି!
ତୋହ ପରି କ୍ଷୁଦ୍ର ମୁହିଁ, ତୋହ ପରି କ୍ଷଣିକ,
ହସେ ବାସେ ରସେ ମାତ୍ର ଫୁଟି ଅଛି ଘଡ଼ିକ,
ମାଟିରେ ମିଶିବୁ ତୁହି, ମାଟିରେ ମିଶିବି ମୁହିଁ,
ତଥାପି ମୋ ଆତ୍ମା ଫୁଲ ନ ଯିବରେ ମଉଳି,
ତେଣୁ ଆଶା ବହି ଦିନ କାଟେ ଗଙ୍ଗଶିଉଳି।  ।୧୮।
ଶେଷ ଗତି ନୁହେଁ ମୋର ମୃତ୍ୟୁ କେଉଁ କାଳରେ,
ମରିବାକୁ ଫୁଟି ନାହିଁ ଭବ-ତରୁ ଡାଳରେ,
ଅଛି ରମ୍ୟ ଉପବନ ଯହିଁ ଫୁଟି ଚିରଦିନ
ଅନନ୍ତ ଅମୃତ ପ୍ରେମ ସୁଧାମୟ ସୁବାସେ
ମୋହିତ ମୋ ପ୍ରାଣପ୍ରିୟ ଦେବତାଙ୍କୁ ଉଲ୍ଲାସେ।  ।୧୯। 
ଶେଫାଳି!
ମୃଣ୍ମୟ ଶରୀର ତୋର ଏଡ଼େ ଚାରୁଶୋଭିତ,
ନ ଜାଣି ମୋ ଆତ୍ମା ଫୁଲ କି ସୌନ୍ଦର୍ଯ୍ୟେ ଚିତ୍ରିତ,
ତୁ ଯଦି ମୋ ନେତ୍ର ପ୍ରିୟ ତାଙ୍କ ନେତ୍ରେ ହେବି ହେୟ
ମୁଁ କି, କେଉଁକାଳେ ମୋର ନ ହୁଏ ତ ବିଶ୍ୱାସ?
ଫୁଟିବି ମୁଁ ଚିରଦିନ ନ ହେବ ମୋ ବିନାଶ।  ।୨୦।  
 
             
                            
 
                                                                                                    
 
                                  
                                  
                                  
                                  
                              
                                  
                                  
                                  
                  
                  
                  
                  
                 
ନାରୀକବି କୁନ୍ତଳାଙ୍କର ଏହି ଲେଖା ଅତ୍ୟନ୍ତ ସରଳ ଏବଂ ଭାବଗର୍ଭକ।
ଶେଫାଳୀ ର ଆକାର ର କ୍ଷୁଦ୍ରତା ଏବଂ ତା ଆତ୍ମା ର ବିଶାଳତା କୁ କବିରାଣୀ ସୁନ୍ଦର ଶୈଳୀରେ ବର୍ଣ୍ଣନା କରିଛନ୍ତି ।
ଏହିଭଳି ଲେଖା ପ୍ରକାଶ ନିୟମିତ ଭାବେ କରୁଥିବାରୁ , ଆମ୍ଭେ ଓଡ଼ିଆସାହିତ୍ୟ.କମ୍ ପରିବାର ନିକଟରେ କୃତଜ୍ଞ ।
ଏହିଭଳି ପ୍ରୟାସ ଜାରୀ ରହିଥାଉ……
ମୋର ଆଶା ଆଗକୁ ମଧ୍ୟ ଆମ ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରରେ ସମସ୍ତେ ଏହି ସାଇଟ୍ ମାଧ୍ୟମରେ ସହଯୋଗ ପାଇ ପାରିବେ ତେଣୁ ଏଭଳି ବିଭିନ୍ନ କବିତା, ଗଳ୍ପ ,ଉପନ୍ୟାସ ର ବଜାୟ ରହୁ ଧନ୍ୟବାଦ ।
ଶେଫାଳି ପ୍ରତି କବିତା ହୃଦୟକୁ ଛୁଇଁ ମନକୁ ରୁନ୍ଧି ଦିଏ ଆଉ ବିବଶ କରିଦିଏ ବୁଝିବାକୁ ଯେ ଜୀବନ କ୍ଷଣିକ ହେଲେବି ଅର୍ଥହୀନ ନୁହେଁ। ବିଭୁ ପ୍ରେମରେ ଭିଜେଇ ଦେବାକୁ ହୁଏ ତନୁ ଆଉ ମନ। ମନୁଷ୍ୟ ଜନ୍ମ କେବେ ଅକାରଣରେ ଝଡ଼ିଯିବା ପାଇଁ ଆସିନି ବରଂ ତାର ଜନ୍ମ ସବୁବେଳେ ସୁମହତ ଓ ସୁବିକାଶ।
ଆନନ୍ଦ ହେଉ ବା ଅବଶାଦ ଶେଫାଳି ପ୍ରତି କବିତା ସବୁବେଳେ ମୋ ହୃଦୟରେ ସ୍ୱତନ୍ତ୍ର ଭାବେ ସ୍ଥାନିତ। ହୃଦୟରୁ ଭଲପାଏ ମୁଁ ଏହି କବିତାକୁ।
କବିତା ସଙ୍କଳନ ପାଠ ପଢିବା ସମୟରେ ମନରେ ଗଭୀର ଭାବରେ ପ୍ରଭାବିତ କରିଥିଲା।
ପ୍ରକୃତରେ ଏହା ଏକ ପ୍ରେରଣା ଯୁକ୍ତ କବିତା।
ଅଭୁତପୂର୍ବ, ଭାବାବେଶ, ଜୀବନ ଦର୍ଶନ ରେ ରୁଦ୍ଧିମନ୍ତ କବିତା ଗଭୀର ପ୍ରଶାନ୍ତି ପ୍ରଦାନ କରିବା ସଙ୍ଗେ ସଙ୍ଗେ କଲେଜ ଦିନର ସ୍ମୃତି ଉଜ୍ଜୀବିତ କରିଥାଏ l
ଜିଇଁବାଟା ବଡ଼ କଥା ନୁହେଁ, କାହା ଭିତରେ ଜିଇଁବାର ଭୋକ କେତେ ଅଛି, ସେଇଟା ଇ ମୁଖ୍ୟ କଥା। କବିର ଜୀବନ ବି ପାଖାପାଖି ସେଇଆ। ଗୋଟେ ରାତିପକ୍ଷୀର ଉଡ଼ାଣରେ ଅନ୍ଧାର ବି ଛାଡ଼ିଦିଏ ବାଟ, ଆଲୁଅ ବି ଡାକେ ଆ’…। Affliction is the good man’s shining scene. କୁନ୍ତଳା କୁମାରୀଙ୍କ ଜୀବନକୁ ଟିକେ ନିରିଖେଇ ଦେଖିଲେ ଆଉ କବିତା ପ୍ରତି ତାଙ୍କ ଅଙ୍ଗୀକାରବଦ୍ଧତା ଦେଖିଲେ ମତେ ସେଇଭଳି ହିଁ ଲାଗେ। ନିଜ ସାମର୍ଥ୍ୟଠୁ ଅଧିକ ବୋଝ ବୋହିବାର ସାମର୍ଥ୍ୟ ସମସ୍ତଙ୍କ ପାଖରେ ନଥାଏ।
ଯାହା ଯାହା ପାଖରେ ଥାଏ, ସେମାନଙ୍କ ଭିତରୁ କବି ହେଇପାରନ୍ତିନି ସମସ୍ତେ। ଆଉ ସେମାନଙ୍କ ଭିତରୁ ଯେଉଁମାନେ ବି କବିତା ଲେଖନ୍ତି, ସେମାନେ ସମସ୍ତେ ଦେଖିପାରନ୍ତି ନାହିଁ ଯେ ଆକାଶର ନିବିଡ଼ ଅନ୍ଧାର ସେପାଖେ ଅଛି ଗୋଟେ ଆଲୋକିତ ଧୂସରତା। ହୁଏତ ସେଠି ବାଘ ପରି ହେଣ୍ଟାଳୁଥିବା ମେଘର ଗର୍ଜନ ସେପାଖେ ଥାଏ ଧାରେ ବିଜୁଳି ଆଲୁଅ ପରି କବିତା। ସମସ୍ତେ ଅନେଇପାରନ୍ତି ନାହିଁ ସେଆଡ଼େ। ହେଲେ, କେହିକେହି ସେ ଆଲୁଅକୁ କରିଦିଅନ୍ତି କଲମର ଧାର।
ମୋ ମତରେ, କୁନ୍ତଳା କୁମାରୀ ସେଇପରି ଜଣେ ବିସ୍ମୟ-କବି…!
ମହୀୟସୀ କବୟିତ୍ରୀ (କୁନ୍ତଳା କୁମାରୀ ସାବତ)ଙ୍କର ଶେଫାଳି ପ୍ରତି କବିତା ବହୁତ ଉଚ୍ଚକୋଟିର ଏବଂ ତତ୍ତ୍ବ ଭିତ୍ତିକ। ଏଠାରେ କବୟିତ୍ରୀ କ୍ଷୁଦ୍ର ମଧ୍ୟରେ ବିଶାଳତାର ପରିପ୍ରକାଶ କରିଛନ୍ତି। କ୍ଷୁଦ୍ର ହେଲେବି କେହି ନିଜକୁ ହୀନ ଅବା ନ୍ୟୁନ ନ ମଣିବାକୁ ପ୍ରେରଣା ଦେଇଛନ୍ତି।