-: ମାଗୁଣି :-
ମାଗୁଣି ମୋହର ଅନ୍ତ ହେଉ ଆଜି
ଶାନ୍ତ ଚରଣ ତଳରେ,
ଶ୍ରାନ୍ତ ଅନ୍ତର ଶାନ୍ତି ଲଭୁ
ମୋ ନବୀନ କରମ ବଳରେ
କରମ ଭୁବନେ ଦେଇଛ ଜନମ
ସରମେ ନସରେ ଯେସନେ,
ହିସାବ ନିକାଶ ଶେଷ ଦିବସକୁ
ଊଣା ନ ପଡ଼ୁ ଏ ଜୀବନେ।
ମରିବି ଦିନେ ମରିଣ ବଞ୍ଚିବି
ଏତିକି କରୁଣା କରହେ,
ରାଜ ଅଇଶ୍ୱର୍ଯ୍ୟ ନ ଦିଅ ପଛକେ
କିଙ୍କର ରୂପ ବର ହେ।
-x- -x- -x-
-: ପ୍ରାର୍ଥନା :-
ସାରା ରାତି ଜଳୁଭାତି ଜୀବନର ଧ୍ରୁବ ତାରା,
ଢାଳ ଢାଳ ମୋ’ ନୟନେ ଆନନ୍ଦ ଅମୃତ ଧାରା।
ଘାନ ତମସ ନିରାଶେ ବିଶ୍ୱାସ ମୋରେ ନାଶେ,
ଫୁଟି ଉଠ ଏ ପରାଣେ ପ୍ରେମାଲେକେ ନେତ୍ର କାରା ।
ଚିର ମୁଁ ତୁମରି ଆଶୀ ମୋ’ ଚିତ୍ତ ଗଗନ ବାସୀ;
ହର ମୋ’ ଦୁର୍ବଳ ଦେହ କଳୁଷ ଜଞ୍ଜାଳ ଭାରା।
ତବ ପରଶ ରତନେ ଗଢ ଏ ପିଣ୍ଡ ଯତନେ,
ଦୂର କର ମୋ’ ଦୂରିତ ନିବାର ଶୋକାଶ୍ରୁ ଧାରା।
-O- -O- -O-
ଉକ୍ତ କବିତାଦ୍ୱୟ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କଦ୍ୱାରା ୧୯୨୯ ମସିହାରେ ଲିଖିତ ଓ ପ୍ରକାଶିତ ପୁସ୍ତକ “ସ୍ଫୁଲିଙ୍ଗ”ରୁ ଆନୀତ।