ଗୌର ଗଉରବ
ବିଧୂର ସଉରଭ
ମଧୁର କୁହୁରବ
ବକ୍ଷପୁଟେ ଧରି
ସପନ-ଶିରୀ ସମା
କବିତା ମନୋରମା
ପାଗଳ ଦିଏ କରି।
ଆଖିକେ ସୁଧାରସ
ଆଖିକେ ସୀଧୁରସ
ଅଧରେ ମଧୁହସ
ବକ୍ଷେ ଯଉବନ,
ବନିତା ଧରାତଳେ
ପୁରୁଷ ପୁରୁଷରେ କରଇ ରସ-ଘନ।
ଲତାଟି ଘନ ବନେ
ତରୁଣ ଅପଘନେ
ସମୀର-ଚୁମ୍ବନେ
ବେପଥୁ ଧରେ ପୃଥୁ
ପେଲବ ପଲ୍ଲବ
ପୁଷ୍ପ-ସୌରଭ ଧରଇ ପ୍ରତି ଋତୁ।
କବିତା କାହିଁ? ମନେ
ବନିତା କାହିଁ? ଜନେ
ଲତାଟି କାହିଁ? ବନେ
ଧିଆନ କରି କରି
ତରୁଣ କବି ମୁହିଁ, ତ୍ରିବେଣୀ ରସ ଛୁଇଁ
ଜୀବନ ଦିଏ ଭରି।
-0-
ଗଡ଼ନାୟକ ଗ୍ରନ୍ଥାବଳୀ ଭାଗ-୧(୨୦୦୭), ଗ୍ରନ୍ଥମନ୍ଦିର ଦ୍ୱାରା ପ୍ରକାଶିତ ପୁସ୍ତକରୁ ଏହି କବିତାଟି ଆନୀତ।

