ଉତ୍କଳ କବିଙ୍କ ଭାଗ୍ୟେ ଏ କି ଅଭିଶାପ
ନାହିଁ ଆନ ଲାଭ, ଲାଭ ଦୁଃଖ ମନସ୍ତାପ।
ଦେଇଛନ୍ତି ଏ ଦେଶକୁ ଶାପ କେଉଁ ଦେବ
ଯେ ସେବିବ ବାଣୀପଦ ସେ ହେବ ଦରିଦ୍ର।
ଶୋଷିବେ ଶୋଣିତ ତାର ସଦା ରୋଗ ଶୋକ
କଠୋର ଶୋଷଣେ ଯଥା ଶୋଷେ କ୍ରୂର ଜୋକ।
ତାହା ଦଗ୍ଧ ଦୂରଦୃଷ୍ଟେ ଯଶ ମାନ ଧନ
ପ୍ରଦାନ ବିଷୟେ ବିହି ଏକାନ୍ତ କୃପଣ।
ଅନର୍ଗଳ ଗାଳି ନିନ୍ଦା ଦାରିଦ୍ର୍ୟ ଆବର
ଏ ଦେଶ କବିଙ୍କର ଚିର ପ୍ରିୟ ସହଚର।
ଜାଳିଣ ଉଦର-ଚିନ୍ତା କବି ହୃଦେ ଚିତା,
ପୋଡ଼ି ଭସ୍ମ କରିଦିଏ ଆସନ୍ନ କବିତା।
ଧୈର୍ଯ୍ୟ-ଜଳ ସିଞ୍ଚି ତହୁଁ ବହୁ କଷ୍ଟେ କବି
କଳ୍ପନା-ତୂଳିକା ଧରି ଅଙ୍କେ ନବ ଛବି।
ଅଭାବ ଗ୍ରାହକ କିନ୍ତୁ ଦେଖିବାକୁ ତାହା
ଦେଖିଲେ ହେଁ କେହି ମୂଲ୍ୟ ନ ବୁଝନ୍ତି ଆହା !
ନ ବୁଖନ୍ତୁ ପଛେ, ଦିନେ ବୁଝିବେ ନିଶ୍ଚୟ,
ସେ ଦିନ ରଟିବ ଧ୍ୱନି କବି ନାମେ ଜୟ।
କବି ପ୍ରତିଭାର ହେବ ସେଦିନ ଆଦର
ଅର୍ପିବେ ତହାଙ୍କୁ ପୂଜା ସର୍ବ ନାରୀନର।
ବୁଝିବେ କୋବିଦେ କବି-କାବ୍ୟରସାସ୍ୱାଦ
ଉଠିବ କବିଙ୍କ ନାମେ ଉଚ୍ଚେ ଧନ୍ୟବାଦ॥