(ରାଗ- ଜୟନ୍ତ, କଳାକାଇଁଚ ବାଣୀ)
ଧୀରେ ଘେନ କାନନରେ କୃଷ୍ଣ ବିଳମ୍ୱିତ
ବାତ୍ସଲ୍ୟ ମମତା ଘେନି ଭାଳୁଛନ୍ତି ମାତ।
କଳାମାଣିକ ରେ!
ନିଧନ ସଙ୍ଖାଳି ମୋର ଦରିଦ୍ର ପସରା
ଅନ୍ଧର ଲଉଡ଼ି ବାବୁ ହୃଦରତ୍ନହାରା।
କଳାମାଣିକ ରେ!
ମୋ ଜୀବଜୀବନ ତୁହି ନୟନ ପ୍ରତିମା
ତୋତେ କି ପାସୋରି ହେବ ମୋର ସୁଖସୀମା।
କଳାମାଣିକ ରେ!
ଡରୁଥାଉ ଅନ୍ଧାରକୁ ରଖିଯାଉ ଗୋରୁ
ଜନକଜନନୀ-ସୁଖ କାହିଁପାଇଁ ସାରୁ।
କଳାମାଣିକ ରେ!
ବୃଦ୍ଧକାଳେ ତୁ ମୋହର ଏକଇ ନନ୍ଦନ
ହୃଦ-ତାପ-ବିନାଶନେ, ତୁ ହରି-ଚନ୍ଦନ।
କଳାମାଣିକ ରେ!
ଗୋଟିକା ଅଧାମ ସର ନ ରୁଚଇ ତୋତେ
ନାଚି ଲାଞ୍ଚ ମାଗୁଥାଉ ଲବଣୀ କେମନ୍ତେ।
କଳାମାଣିକ ରେ!
ତୋଳି ମୁଁ ଧଇଲେ ଗୋଳି ହୋଇଯାଉ ତୁହି
ତୋ ଦୁର୍ବଳ ଦେଖି କାହିଁ ପଶିବଇଁ ମୁହି?
କଳାମାଣିକ ରେ!
ଡାକିନୀ ଲୋଭାନ୍ତି ବୋଲି ଡରୁଥାଇ ମନେ
ବାର ବାର ବାରୁଥାଇ ଯିବାପାଇଁ ବନେ।
ନିଶାଚର ମାତିବାର ଶୁଭୁଛି ଶ୍ରୂତିକି
ମୁଁ ଡାଙ୍କୁଣୀ ଛାଡ଼ିଦେଇଲି ବନକୁ କାହିଁକି?
କଳାମାଣିକ ରେ!
ଝାଳ ବହୁଥିବ ଅଙ୍ଗୁ ଲାଗି ଝାଞ୍ଜି ଖରା
ଶ୍ରମ ପାଇ ତରୁତଳେ ବସୁଥିବୁ ପରା
କଳାମାଣିକ ରେ!
ନେଲୁ ନାହିଁ କାହିଁପାଇଁ ତୋ କଠାଉ ଛତା
ବନେ କଣ୍ଟା ଲାଗି ହୋଏ ମୃଦୁ ପାଦଚିନ୍ତା।
କଳାମାଣିକ ରେ!
କାନ ଡେରିଥାଇ ଏକା ତୋ ବେଣୁସ୍ୱନକୁ
ଆଜ କିମ୍ପା ଶୁଭୁ ନାହିଁ ବିଚାରେ ମନକୁ।
କଳାମାଣିକ ରେ!
ତୋଠାରୁ ଅଧିକ ବାଇ ତୋର ବଡ଼ଭାଇ
ବୋଧ କରି ଗଲା ନାହିଁ କାହିଁକି ରଖାଇ।
କଳାମାଣିକ ରେ!
ତୋ ମାଧୂରୀ ସୂଚାତୁରୀ ଦେଖି ସୁଖୀ ଆଖି
ଅନ୍ଧ କରି ଗଲୁ ବଳା କି ମମତା ରଖି।
କଳାମାଣିକ ରେ!
ଛାଇକି ଅନାଇ ଛାତି-ଫୁଲାଇ ତ୍ରିଭଙ୍ଗେ
ମୁରଲୀ ବଜାଉଥାଉ କି ଚାତୁରୀ ରଙ୍ଗେ।
କଳାମାଣିକ ରେ!
କୋଳି ପାଇଁ ଅଳି କରି ଗଡ଼ୁ ତୁ ଧୂଳିରେ
ବେଶ ହୋଇଥାଉ ରସି କୁସୁମ ମାଳିରେ।
କଳାମାଣିକ ରେ!
ନଟବର ପରିପାଟୀ ବେଶ ମନୋହର
ରଙ୍ଗିମା ଅଧରେ ହାସ କି ଜାତି ସୁନ୍ଦର।
କଳାମାଣିକ ରେ!
ନୟନ ହୁନ୍ଦର ମାନେ ଭ୍ରୂଲତା ମଥାକୁ
ଅଳକା ଆବୃତ ଶୋଭା ଲଲାଟ ପଟକୁ।
କଳାମାଣିକ ରେ!
ନାକେ କାବ୍ୟ ତାରା ମୋତି ବସୁଣୀ କି ଶୋଭା
ମୋ ଆଖି ଦେଖିବାପାଇଁ ନିରବଧି ଲୋଭା।
କଳାମାଣିକ ରେ!
-୦-
ଉକ୍ତ କବିତାଟି ଲେଖକଙ୍କ ଦ୍ୱାରା ରଚିତ ‘ବିଦଗ୍ଧ ଚିନ୍ତାମଣି’ କାବ୍ୟର ଏକ ଅଂଶ। ଏହି କବିତାଟି ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱାରା ୧୯୫୮ ମସିହାରେ ପ୍ରକାଶିତ ‘କବିତା ପ୍ରବେଶ’ ପୁସ୍ତକରୁ ଆନୀତ।

