ଧର୍ମ ରଖିଛି ଧରି ଶୁଣିଲି ବ୍ୟାଖ୍ୟା ବହୁ
ଖୋଜିଲି ଶାସ୍ତ୍ର ଚାଖିବାକୁ ଏତେ ଧର୍ମ-ମଧୁର ମହୁ।
ବଡ଼ ଅକ୍ଷର ଭିତରେ ଜଡ଼ିତ ଆଚାର ନିୟମ ଥୋଡ଼ା
ନ ପାଇଲି ଖୋଜି, ଅଛି ଅବା ତହିଁ ଆଉ କେଉଁ ହାତୀ ଘୋଡ଼ା!
ନଗରେ ନଗରେ ପଥେ ଜନପଥେ ଧର୍ମ ଦେଖିବା ପାଇଁ
ହାତ ବଢ଼ାଇଲି ଧରିବି ବୋଲି ମୁଁ ପୁଛିଲି କେତେ କାହିଁ!
ଦେଉଳେ ଦେଖିଲି ଧର୍ମ ଯା ଅଛି, ଗିର୍ଜାରେ ସେତ ଆନ
କିଏ ଅବା ଛେଳି କିଏ ପୁଣି ଗୋରୁ କାଟିନା ପାଇଁକି ଥାନ।
କିଛି ନ କାଟିବା ପାଇଁ ଯେଉଁଠାରେ କହିଲେ ଧର୍ମଗୁରୁ
ଲକ୍ଷ୍ୟ ସେଠାରେ ମଣିଷର ବେକ, ମଣିଷର ପାଦ ଊରୁ।
କାହିଁରେ ସତ୍ୟ, କାହିଁରେ ଧର୍ମ? ଧରିଛି ଧରାକୁ ଯାହା
ଆଦିମ ଯୁଗରୁ ହୋଇଛି ସେ ପରା ମଣିଷ ଜାତିର ସାହା।
ବୁଦ୍ଧ ଯିଶୁର ମନ୍ତ୍ର କାହିଁବା କାହିଁ ମହମ୍ମଦ ଖୋଦା
ସବୁ ଦିଅଁ ଆଜି ବଳି ଲୋଡ଼ିଲେଣି, ମଣିଷ ହୋଇଛି ବୋଦା।
ସକଳ ଧର୍ମ ଯୁକ୍ତି ତରକ ନିୟମ କାନୁନ୍ କାଟି
ଧରିଚି ଧରାକୁ ଜବାବ ଘୋଷୁଛି କମାଣ ବାରୁଦ ଫାଟି।
ଆବର ଧରିଛି ରାଜ ସରକାର ଓକିଲ ବିଚାରପତି
ଅବର ଧନର ମାଲିକ, ଏ ସବୁ ସତ୍ୟର କରାମତି!
ଆଦିମ ଯୁଗରୁ ଦୁନିଆ ଭିତରେ ଗଢ଼ା ଯେତେ ସରକାର
ନିରେଖି ଚାହିଁଲେ ସବୁଗୁଡ଼ିକ ତ ଧର୍ମର ଅବତାର।
ଦୁନିଆଯାକର ମଣିଷ ପାଇଁ ତ ଧର୍ମ ନମିଳେ ଏକ
ସବୁ ପୂଜା ସବୁ ଧିଆନ ଭଜନେ ନୁହେଁ କି ଭୋଜନ-ଭେକ।
ସବୁ ଦେଶେ ଅବା ସମାନ ଧର୍ମ ସତ୍ୟ ଆସିବ କାହୁଁ
ସମାନ ନୁହେଁ ତ ପୋଷାକ ଆହାର ସବୁ ଦେଶ ଜଳବାୟୁ।
ପୁରୁଣା ପୋଷାକ ଫେସନ ଫୋପାଡ଼ି, ନୂଆ ଲୋଡ଼ୁ ଆମେ ଯଥା
ପୁରୁଣା ଧର୍ମ ସତ୍ୟର ମାନେ ଅବିକଳ ଏକା କଥା।
ଧର୍ମ, ସତ୍ୟ, ଯାଉଛି ବଦଳି, ରହିଛି କେବଳ ନାମ
ବାସ୍ତବ ରୂପ ନମିଳଇ ଖୋଜି, ନାହିଁ ତା’ର ଗୁଣ ଧାମ।
ଧର୍ମ-ଘୋଡ଼ଣୀ ଭିତରେ ପଶିଲେ ସାତଖୁଣୀ ହେବ ମାପ
ଦରକାର ଯେଣୁ କରିବା ଆମେ ସଦ୍ୟ ଶହେଟା ପାପ!
ଦରକାର ଯେଣୁ ଶହେ ତୋଟି ଚିପି ବୋଲାଇବା ଆମେ ଧନୀ
ଶହେଟା ନାରୀର ଦେହ ଭୋଗକରି ନୈଷ୍ଠିକ ସନାତନୀ!
ମଣିଷ ଭିତରେ ଧାର୍ମିକ ବୋଲି ଶୁଣିଲି ଯାହାର ନାମ
ବଳିଲା ବାସନା ନିକଟକୁ ଯାଇ ଦେଖିବା ପାଇଁ ତା’ କାମ।
ଦେଖିବା ପାଇଁ ତା’ ରୀତି ଆଚରଣ ଖୋଲି ତ’ ଧରମ ଝୁଲି,
ଦୁଃଖ ଆସିଲା ଚାବୁକ୍ ଖଣ୍ଡେ ଆଣିବାକୁ ଗଲି ଭୁଲି।
ଜୀବର ରାଇଜେ ଧର୍ମ ସେ ଖାଲି ଜୀବହୀନ ଯାଦୁଘର
ନୁହେଁ କିଛି ଆଉ ସଞ୍ଚିତ ତହିଁ କଙ୍କାଳ ଜଗତର।

