ହେ ମୋର କଲମ! ଚିର ବିପ୍ଳବୀ, ହେ ଚିର ମୌନୀ କହ
ସାଥୀ ଥିଲ ଅବା ଜୀବନେ ଯୁଗେ ଯୁଗେ ଅହରହ!
ମୂଲ୍ୟ ତୁମର କେତୋଟି ପଇସା, ତନୁ ତବ ଦୁର୍ବଳ
ଥରାଇଚ କେତେ ହୃଦ-ମନ୍ଦିର, ବନ୍ଧୁର ଧରାତଳ!
ଆଜି ଏତେବେଳେ ବନ୍ଦୀ କି ତୁମେ ପ୍ରାକ୍ତନ ଉତ୍କଳେ?
ଜାଗ୍ରତ କର, ଉଦ୍ୟତ କର, ଏ ମଡ଼ା ଜାତିକି ଥରେ।
ଅତି ଆପଣାର ବନ୍ଧୁ ହେ ମମ, ଅତି ବିଶ୍ୱାସୀ ସଖା
ତୁମରି ତୀକ୍ଷ୍ଣ ମୁନରେ ଫୁଟିଛି କେତେ ମୋର ମନଲେଖା।
କରି ମୁଖରିତ କେତେ ପୁରତଳ ବରିଚ ଅମର ଯଶ
ଧରିବ ଅଳୀକ ଧରଣୀ ବୁକୁରେ କେତେ ସୁଧା କେତେ ବିଷ!
ଆଜି ଏତେବେଳେ ହେ କଲମ! ବାରେ ଚର୍ ଚର୍ ଚର୍ ଚାଲ
ଜାଗ୍ରତ କର, ଉଦ୍ୟତ କର, ମୁକ୍ତି-ଦୁଆର ଖୋଲ।
ଭାଜେ କରବାଳ, ବଜ୍ର, ମୂଷଳ କେତେ ଏଇ ମହୀତଳେ
ବାଡ଼ବ ଉଠଇ, ଗିରି ଓଲଟଇ ଭାସେ ମରୁ ଧରାଜଳେ।
ଆସେ ଚେଙ୍ଗିସ୍, ଯାଏ ହିଟ୍ଲର୍, ମାତେ କେତେ ମତବାଦ
ଦି’ଦିନର ଏକ ଧରଣୀ-ଦୁଆରେ ସଭ୍ୟତା ବୁଦ୍ବୁଦ୍!
ସବୁରି ଉପରେ ତୁମେ ଅଛ ଥରେ ଦେବାକୁ ଅମର ଗାର
ଆଜି ଏତେବେଳେ ଜଡ଼ କି କଲମ, ମୁଣ୍ଡା କି ହେଲା ଧାର!
ହେ କଲମ ମୋର, ଅତି ଆପଣାର ଅନ୍ତର କଥା କହ-
ଦେଖିଚ କି ଏତେ ସତ୍ୟ ନାମରେ ଛଳନା ଦୁର୍ବିସହ!
କେତେ ଅବତାରେ ଧରଣୀ-ବୁକୁରେ ଦେବତା ହୋଇଲା ନର
କାଳ ଇଙ୍ଗିତେ ଲୁଚିଗଲେ ସବୁ, ରହିଲା ତୁମର ଗାର।
ତୁମେ ଗୌତମ, ଶଙ୍କର, ଯୀଶୁ ବଚନ ରଖିଚ ଧରି
ଜାଗ୍ରତ କର, ଉଦ୍ୟତ କର, ଆଉ ଥରେ ସେଇପରି।
ତୁମେ ତ ଚାଲିନ ଛଳନାରେ କେବେ, ଥକିନ ଗୁଣ୍ଡାମିରେ
ପେଷଣ, ଶୋଷଣ, ଦୁଷଣ ଦେଇଛ ଆଡ଼େଇ ଏକଇ ଗାରେ
ଛେଦନ କରିଚ ବନ୍ଧନ ଯେତେ, ଅନ୍ଧେ ଦେଇଚ ଆଖି
କାଳ ବକ୍ଷରେ ମହା ଅକ୍ଷରେ ପଦେ ପଦେ ଲେଖି ଲେଖି
ବିପ୍ଳବ ତବ ସତ୍ୟ ଶାନ୍ତି ଶିବ ସୁନ୍ଦର ରସେ,
ଯୁଗ ଯୁଗାନ୍ତ ଅନ୍ଧାର ଭେଦି ତୁମରି ପ୍ରଦୀପ ହସେ।
– o –
ଏହି କବିତାଟି କବିଙ୍କ ରଚିତ ‘ହେ ମୋର କଲମ’ ସଙ୍କଳନରୁ ଆନୀତ। ଏହି କବିତା ମାଧ୍ୟମରେ କବି ଅସିଠାରୁ ମସୀ ବା ଖଡ୍ଗଠାରୁ କଲମ ଶକ୍ତିଶାଳୀ ବୋଲି ଦର୍ଶାଇଛନ୍ତି।

