ଉତ୍କଳ-କମଳା ବିଳାସ-ଦୀର୍ଘିକା,
ମରାଳ ମାଳିନୀ ନୀଳାମ୍ବୁ ଚିଲିକା,
ଉତ୍କଳର ତୁହି ଚାରୁ ଅଳଙ୍କାର
ଉତ୍କଳ-ଭୁବନେ ଶୋଭାର ଭଣ୍ଡାର;

ସ୍ବଭାବେ ଭାବୁକ-ମାନସ-ଉଲ୍ଲାସୀ
ଦିଗନ୍ତ-ବିସ୍ତାରୀ ତୋର ବାରିରାଶି,
ପ୍ରସନ୍ନ ବଦନୀ ଉଜ୍ଜ୍ବଳ ବରଣା
ମୁଖଶ୍ରୀ ଦେଖନ୍ତି ଯହିଁ ଦିଗଙ୍ଗନା।

ନୀଳ ଅଙ୍ଗ ତୋର ଚିତ୍ର ଅନ୍ତରାଳେ
ନାସି, ନଳବନ, ଶୈଳ, ଦ୍ବୀପମାଳେ
ଦକ୍ଷିଣେ ମିଶିଛି ତୋର ଗର୍ଭେ ଆସି
ସୌର କରୋଭାସି ନୀଳ ରମ୍ଭାନାସୀ
ବିମାନ ଆକାରେ ଭାସେ ଶତ ଶତ
ନୀଳୋରସେ ତୋର ଶୈଳ ମାରକତ।

ପକ୍ଷଚ୍ଛେଦି-ଶତ୍ର-ଭୟେ କି ଶଇଳେ
ଲୁଚି ରହିଥିଲେ ତୋହରି ସଲିଳେ?
ସନ୍ନିଧି ଲଭିଣ ଭଗବତୀଙ୍କର
ତୋଳିଛନ୍ତି ଗୁଳ୍ମ-ଜଟିଳ ଶିଖର?

ଦେଉଳ କିରୀଟୀ କାଳୀଜାଈ ଗିରି
ମରକତ-ସେତୁ ପ୍ରାୟେ ଯାର ଶିରୀ
ଶ୍ବେତାଙ୍ଗ ଚଢ଼ାଇ ଗୁହା ସମୁଦ୍‌ଗତ
ନୀର ଭେଦି କିବା ଉଠେ ଐରାବତ!

ତରଙ୍ଗ ବେଷ୍ଟିତ କାଙ୍କଣ ଶିଖରୀ
ଆଦ୍ୟଫଳେ ଯାର ତରୀ ପୂର୍ଣ୍ଣ କରି
ବର୍ଷେ ବର୍ଷେ ହ୍ରଦବିହାରୀ ଧୀବରେ
ଆଦରେ ପ୍ରେରନ୍ତି ଲକ୍ଷ୍ମୀ-ରୋଷଘରେ।

ସ୍ଥାନେ ସ୍ଥାନେ ନୀର ଭେଦିଛି ସୈକତ
ଶାରଦ ଆକାଶେ ଯେହ୍ନେ ଛୟାପଥ।
ତାରାପୁଞ୍ଜେ ଯଥା ଶୋଭେ ହରିତାଳୀ,
ପୁଲିନ ତେସନ ଶୁଭ୍ର ଶୁକ୍ତି-ଶାଳୀ।

ଏହି କବିତାଟି କବିଙ୍କ ଦ୍ୱାରା ରଚିତ
‘ଚିଲିକା ମହାକାବ୍ୟ’ର ଏକ କ୍ଷୁଦ୍ର ଅଂଶ।