ତମ ଗାଁରେ ଝିପିଝିପି ମେଘ ବରଷିଲେ
ମୋ ଗାଁ ଅନେଇ ରହେ
ତମ କିଆ ଗୋହିରୀରେ ମୟୁର ନାଚିଲେ
ମୋ ଗାଁ ଉଦାସ ହୁଏ।
ତମେ ଚଉଁରାମୂଳେ ଜାଳିଦେଲେ ଦୀପ
ମନ ମୋ ମହକିଯାଏ
ତମେ ଯେବେ ଗାଅ ଶ୍ରାବଣର ଗୀତ
ହୃଦୟ ମୋ ଭିଜିଯାଏ।
ତମ ଗାଁ ନଦୀ
ତରତର ଚାଲି
ବାଟ ଯଦି ଭୁଲି ଯାଏ
ନିଦ ନଭାଙ୍ଗୁଣୁ
ରାତିର ଯୌବନ ସ୍ବପ୍ନ ସବୁ ବୁଡ଼ିଯାଏ।
ତମ ଗାଁ ନଦୀ
ଛଳ ଛଳ ସୁଅ,
ହାତ ଠାରି ଡାକୁଥାଏ
ମୋ ଗାଁ ନୀତି
ମଠେଇ ମଠେଇ,
ଦେହକୁ ପଖାଳୁଥାଏ।
ତମ ଗାଁ ର ନାଲି ଟୁକୁ ଟୁକୁ ସାଧବବୋହୂ
ଟିପେଇ ଟିପେଇ ଆମରି ଗାଁ ରେ ଚାଲେ
ଆମରି ଗାଁ ର ଦୁଷ୍ଟ ପ୍ରଜାପତି
ତମ ବଗିଚାର ଫୁଲରେ ଫଳରେ ବସେ।
ତମ ଗାଁ ଗୋଟେ ଦୁଷ୍ଟ କଳାଜାଇ
ମୋ ଗାଁ ଚିବୁକରେ
ମୋ ଗାଁ ଗୋଛେ ଲାଲ୍ କଇଁଫୁଲ
ତମ ଗାଁ ସରସୀରେ।
ଦେହଟା ମୋ ରହିଅଛି ଖାଲି ଆମ ଗାଁ ରେ
ହେଲେ ହୃଦୟଟା ପରା ପ୍ରିୟା, ତୁମ ଗାଁରେ……..
ବହୁତ ସୁନ୍ଦର କବିତା……………ସତରେ ତମ ଗାଁ ଆଉ ଆମ ଗାଁର ଦୂରତ୍ବ କମି କମି ଯାଏ……….ବର୍ଷା….ବସନ୍ତ…ବୈଶାଖରେ……ଧନ୍ୟବାଦ।