ନଈ ଥାଇ ଯଦି ନଈର ଛାତିରେ
ନଥାଏ ଟିକିଏ ଜଳ
ଜଳ ଥାଇ ଯଦି ନଉକା ନଥାଏ
କେମିତି ଛୁଇଁବ କୂଳ
ନଇ ଓ ନଉକା ଦୁଇଟିକୁ ନେଇ
ନାଉରି ତାହାର ବଳ
ନଈଟି ଲାଗିବ ଭଲ।
ନଈ ଦୁଇକୂଳେ ଜଙ୍ଗଲ ନ ଥିଲେ
ସୁନ୍ଦର ନୁହଁଇ ଶୋଭା
ନଈର ଭିତରେ ଖେଳୁଥିଲେ ମାଛ
ଦିଶେ କେଡ଼େ ମନଲୋଭା
ନଈରେ ନାଉରୀ ଗୀତ ନ ଶୁଭିଲେ
ନଈ ମରୁଭୂମି ତୁଲ।
ନଈ ଖୋଜୁଥାଏ ସାଗର
ଠିକଣା ସାଥିରେ ଯିବାକୁ ଭିଜି
ସାଗରର ଶୋଷ ମେଣ୍ଟିଯାଏ
ଶେଷେ ନଈର ପ୍ରେମରେ ଭିଜି
ନଈ ଆଉ ନୀଳ ସାଗର ଭିତରେ
ଚାଲିଛି ପ୍ରେମର ଖେଳ।
ନଦୀ ଖୋଜୁଥାଏ ସାଗରକୁ ସିନା
ସାଗର ଖୋଜଇ ନଦୀ
ନଦୀ ଚାଲିଥାଏ ଆପଣା ବାଟରେ
ସାଗର ଠିକଣା ଖୋଜି
ଠିକଣା ହୁଡ଼ିଲେ ସାଗର ସାଥିରେ
କେମିତି ହୋଇବ ମେଳ।
ନାରୀ ହୋଇ ଯଦି ରମଣୀ ସାଜଇ
ହରାଏ ନିଜର ଚେତା
ଏରୁଣ୍ଡିକୁ ଡେଇଁ ରାଜଦାଣ୍ଡଟାରେ
ଚାଲୁଥାଏ ଯେବେ ଏକା
ସଂସାର ଲାଗଇ ଫିକା।
ରାଜଦାଣ୍ଡଟାରେ ନାରୀର ପଣତ ଉଡ଼େ
ଯେବେ ଫର ଫର
ପର ପୁରୁଷଙ୍କ ପାପ ଆଖି ଯେତେ
ମାରୁଥାନ୍ତି ଆଖିଠାର
ନାରୀ ନାଶ ଯାଏ ହାଟରେ ବାଟରେ
ସାହିତ୍ୟରେ ଅଛି ଲେଖା।
ନାରୀ ବୁଝିଗଲେ ସଂସାର ଭିତରେ
ଅଟେ ସିଏ ଅଧିଶ୍ବରୀ
ସୃଷ୍ଟିର ସିଏ ଶ୍ରେଷ୍ଠ ସମ୍ଭାର
ଅନୁପମ କାରିଗରୀ
ଠିକଣାଟି ତା’ର ଅଟଇ ସଂସାର
ନାରୀତ୍ବର ପରିଭାଷା।
ରମଣୀରୁ ଯେବେ ନାରୀ ମନେ ଜାଗେ
ନାରୀତ୍ବର ଅହଂକାର
ସେତେବେଳେ ତା’ର ମହାମାୟା ରୂପ
ଆହା କି ଲାଗେ ସୁନ୍ଦର
ବିଶ୍ବ ଜନନୀ ରୂପ ଦେଖି
ତା’ର ନଇଁଯାଏ ପାଦେ ମଥା।