କେହି ଜଣେ କହିଥିଲେ
ଦୁଇଟି ନିଆଁର ସମାହାର ଦୁନିଆ
କେବେ ଏନ୍ତୁଡ଼ି କେବେ
ଚିତାର ରଡ଼ ନିଆଁ।

ଏବେ କିନ୍ତୁ ଜାଣି ହେଲାଣି
ଅଲଗା ଅଲଗା ଦୁଇଟି ଦୁନିଆ ହିଁ ଦୁଇ ଦୁନିଆ
ଗୋଟିଏ ତମର, ଗୋଟିଏ ମୋର।

ଏଠି ସମସ୍ତେ ଜାଣି ଗଲେଣି
ମୁଁ ଗୋଟାପଣେ ତମର
ସକାଳୁ ସଞ୍ଜଯାଏ
ତମ କଥା ହିଁ ଭାବି ହେଉଥାଏ
ଜପି ହେଉଥାଏ
ତୁମ ଦୁନିଆରେ ତୁମେ ଖୁସି?

କାଳେ ତୁମେ ଖାଇବାକୁ ମଣୋହି
ଶୋଇବାକୁ ପହୁଡ଼
ଓ ପ୍ରେମେଇବାକୁ ରାହାସ କୁହାଯାଏ।

ତୁମର ଖୁବ୍‌ ସୁନ୍ଦର ଆଖି ଅଛି
ସତରେ ଭାରି ସୁନ୍ଦର,
କିନ୍ତୁ, ମୋର ସନ୍ଦେହ
ସେ ଆଖିରେ ତମେ ଦେଖିପାର କି, ନପାର!

କେତେ ବିଲିବିଲା, ଆବୁଡ଼ା ଖାବୁଡ଼ା
ସାରା କାନ୍‌ଭାସ୍‌
ତୁମର ହିଁ ଚିତ୍ର ଆଉ ଚିତ୍ର।

ତୁମ ଓଠ ଭାରି ରୋମାଣ୍ଟିକ୍‌
କେଜାଣି ତମେ କଥା କହି ଶିଖିଛକି ନାହିଁ
ଗୋଟିଏ ଶବ୍ଦର ଉଚ୍ଚାରଣ ଶୁଣି ନାହିଁ କେବେ
ହସ କଥା ତ ଛାଡ଼!

ଏବେ ତ ମୋର ଘୋର ସନ୍ଦେହ
ତୁମ କାନକୁ ବି ଶୁଭୁଛିକି ନାହିଁ,
ଝାଞ୍ଜ, ଢୋଲକିର ସିମ୍ଫୋନିରେ
ଅଝଡ଼ା ନୀରବତାରେ
ତୁମ ନାଁ କେତେଥର ଧରିଛି
ଥରେ ବି’ ତ ମୋ ଆଡ଼େ ଚାହିଁନ?

ତଥାପି ସେମାନେ କହନ୍ତି
ସାରା ବଜାର, ସାରା ସହର ତୁମର
ଏମିତିକି
ମୋର ଇହ ଆଉ ପରକାଳ।

ସେଦିନ ତମ ସହ
ମନ୍ଦିରରେ ଦେଖା ହେଇଗଲା ଯେ’
ତୁମେ ତ ବେଶ୍‌ ଅଚିହ୍ନା ମଣିଲ?

ରାଜରାସ୍ତାରେ ଗଲାବେଳେ
ସମୁଦ୍ର କୂଳେ ଦୂରଠୁ ଦୂରକୁ
ଚାହିଁ ରହିଲାବେଳେ
ତମେ ତ ମୋ ସାଙ୍ଗରେ ଥାଇ ବି ନ’ଥିଲ।

ଦେଖ ମୋ ଦୁନିଆ
କେତେ ମାୟାରେ ଘେରା,
କେହି ନାହିଁ, କେହି ନାହିଁ
ସତରେ କେହି ନାହିଁ,
ତଥାପି ହୁଲ୍‌ସ୍ଥୁଲ୍‌ ଚୈତନ୍ୟ
ସମ୍ମୋହନରୁ ଗଭୀର ସମ୍ମୋହନ।