ଲଗ୍ନ
ଏବେ
ବିଚିତ୍ର ଅନୁଭବ!
କେତେବେଳୁ
ଶୂନ୍ୟରେ ସମର୍ପି ଦେଇଚି
ଦେହ ମନ ବିବେକ!
ଶୁଭୁନି ମାଙ୍ଗଳିକ
ଛୁଉଁନି ମତୁଆଲି ପବନ
ନିଆଁପାଣି ମାରଣାସ୍ତ୍ର
ଲାଗୁଚି ପ୍ରତ୍ୟେକ ମୁହୂର୍ତ୍ତ
ମନ୍ତ୍ରସିଦ୍ଧ
ବଳକା ସମୟ ପାଇଁ
ନୂଆ ନୂଆ ଦିଗ!
ଏଇଠି ଅନ୍ଧାର ଆଲୁଅ
ସାକାର ନିରାକାର
ଫୁଲ ଅନ୍ଧ ମହୁମାଛି
ଜୀବନ ମୃତ୍ୟୁ
ନିଜ ନିଜ ସଂଜ୍ଞା ସତ୍ତା ଭୁଲି
ନିଷ୍କପଟ ନିରହଙ୍କାର ସ୍ବରେ ସଂଯୋଜିତ
ଯାହା କିଛି ଅଚିନ୍ତ୍ୟ!
ପଚାରୁଚ ଯେ
କେମିତି କହିବି
ମାଟିଠୁ କେତେ ଊର୍ଦ୍ଧ୍ବରେ
ମୁଁ: ମୋର ଅସ୍ତିତ୍ବ
ଯେତେ ହାତ ଉଠିଲେ
ସ୍ବର୍ଗ!
ଜାଣେନି
କେଉଁଠି ନନ୍ଦନକାନନ
ଦେବସଭା: ଉର୍ବଶୀର ପାଦ
ପାରିଜାତ ଫୁଲ
ଟୋପା ଟୋପା ଅମୃତ
ଛଳ ଛଳ ପ୍ରେମ!!
ଲାଗୁଚି
ନିଜକୁ ପାସୋରି
ଅନ୍ୟକୁ ବୁଝିବାର ଗୋଟେ
ନିଷ୍ଠୁର ଅବଲମ୍ବନ
ଶୂନ୍ୟ!
ଶୂନ୍ୟ କହିଲେ କ’ଣ ଯେ,
ଶବ୍ଦରେ ନିଃଶବ୍ଦ
ନିଃଶବ୍ଦରେ ଶବ୍ଦର
ମଧୁ ଗୁଞ୍ଜରଣ
ତୁରୀୟରେ
ସମର୍ପଣ ନୁହେଁ ତ
ଆଉ କ’ଣ?
ନିଜକୁ ନିଜ ବାଟେ
ନିଃଶେଷ କଲାପରେ
ବାସ୍ନାରେ ବିମୋହିତ
କବିତା କବିତା ଲଗ୍ନ!
ଏମିତି ଏକ ଲଗ୍ନ ଯାହା ପାହାନ୍ତା ପରି ଲାଗେ।