ବଞ୍ଚିବାର ସରଳ ଅଭ୍ୟାସ
ଯେତେଥର ହଜିଛି ସେତେଥର
ଆମେ ଅଚିହ୍ନା ବାରିଛୁ ପରସ୍ପରକୁ
ମୋର ଦର୍ପଣ ଓ ମୁଁ

ଦର୍ପଣ ଦେଖିଲେ ଲାଗେ
ଲୋକଟିକୁ ଦେଖିଛି କେଉଁଠି ବୋଧେ

ଦର୍ପଣ ଆଗକୁ ଗଲେ
ବିକଟାଳ ମୁହଁଟିଏ ପ୍ରତିଥର
ସମୁଦ୍ର ଭଳି କୂଳକୁ ସେ ଫିଙ୍ଗେ
ମଡା ଓ କଙ୍କାଳ ପ୍ରତିଟି ଲହଡି ସହିତ
ଅଂଧାର ଭଳି ଫେରାଇଦିଏ ଛାଇ
ଆଲୁଅ ଯାହା ଅଲଗା କରିଥିଲା ମୋ ଠାରୁ

ମୋର ବିଂବ ଧରି ରଖିବାକୁ
ଦର୍ପଣ ସକ୍ଷମ କି ନା ଜାଣେନି
ଅଥବା କେଜାଣି ମୁଁ ନିଜେ ହିଁ
ଧାରେ ଅଦୃଶ୍ୟ ରେଖା କି
ଝାପ୍‌ସା ବିନ୍ଦୁଟିଏ ଭଳି ସବୁଥର
ହଜିଯାଇଛି ଦର୍ପଣ ଭିତରେ

ଏତେ ବର୍ଷ ପରେ ବି
ଚିହ୍ନି ହେଲାନି ନିଜକୁ୤
ଦର୍ପଣ ଦେଖିଲେ ଲାଗେ, ହଁ
ଲୋକଟିକୁ ଦେଖିଛି କେଉଁଠି ନିଶ୍ଚେ
ନିଜର ହିଁ ବିଂବକୁ ଅଚିହ୍ନା ବାରିବା ଭଙ୍ଗୀ
କେମିତି ଦିଶେ ପ୍ରତିଫଳନରେ

ବେଶୀରୁ ବେଶୀ ଦୋଦୋଚିହ୍ନା ମୁହଁଟିଏ
ପ୍ରତିଥର ଦର୍ପଣ ଦେଖିଲେ
ଦର୍ପଣ ଦେଖିଲେ ଲାଗେ, ହଁ
ଲୋକଟିକୁ ଦେଖିଛି କେଉଁଠି ବୋଧେ।