ଯେଉଁଠି ବାଜେନି ଚୁଡ଼ି
ସେ ଘର, ଘର ନୁହେଁ ନର୍କ
ଯେଉଁଠି ଶୁଭେନି ଚୁଡ଼ିର ରୁଣୁଝୁଣୁ ଗୀତ
ସେ ଘର, ଘର ନୁହେଁ
ମନେ ହୁଏ ସତେ ଯେମିତି
ଏକ ନିର୍ଜ୍ଜନ ଦ୍ବୀପର କରୁଣ ବିଳାପ!
ମାଛି ଅନ୍ଧାରରୁ ସିନ୍ଦୂରା ଫାଟିବା ଆଗରୁ
ଆରମ୍ଭ ହୁଏ ଚୁଡ଼ିର କର୍ତ୍ତବ୍ୟ,
ସଜ ଗୋବର ପାଣିରେ
ଚୁଡ଼ିର ଜଳ ତରଙ୍ଗର ବାଦ୍ୟ
ଏକ ଭିନ୍ନ ଅନୁଭବ।
ଜଳ ତରଙ୍ଗର ତାଳେ ତାଳେ ଚୁଡ଼ି ଗାଏ
ଶୁଦ୍ଧ ଭାବନା ଓ ସୁସ୍ଥ ପରିବେଶର ଗୀତ
କାଚରେ ଗଢ଼ା ଚୁଡ଼ିର ଗୀତ ଶୁଣି
ବିଚରା ଲାଜେଇ ଯାଏ ହାତର ସୁବର୍ଣ୍ଣ କଙ୍କଣ
ଚୁଡ଼ି ହୁଏ ଧନ୍ୟ, କର୍ତ୍ତବ୍ୟର ଗୀତ ଗାଇ ଗାଇ॥
ରୋଷ ଘରେ ଚୁଡ଼ିର ଗୀତ ନିଆରା
ସ୍ବାଦିଷ୍ଟ ବ୍ୟଞ୍ଜନର ମହମହ ବାସ୍ନା ଠାରୁ
ଖାସ୍ ଲାଗେ ଚୁଡ଼ିର ସଙ୍ଗୀତ
ରାତିର ପାହାନ୍ତ ପ୍ରହରରୁ ବିଳମ୍ବିତ ରାତି ଯାଏଁ
ଚୁଡ଼ି କେବେ ହୁଏ ନାହିଁ କ୍ଲାନ୍ତ।
ଚୁଡ଼ିର ବିରାମ ନାହିଁ ସାରା ଜୀବନରେ
ଚୁଡ଼ିଟି ନୀରବ ହୁଏ କ୍ଷଣିକ ପାଇଁ
ସଭିଏଁ ଶୋଇଗଲା ପରେ॥

ଚୁଡ଼ି ତ ସମସ୍ତେ ପିନ୍ଧନ୍ତି, ଆଜି ମୁଁ ଭାବୁଛି ଚୁଡ଼ି ର ଭୁମିକା ଏବଂ ମର୍ଯ୍ୟଦା।
ମୁଁ ଗର୍ବ ଅନୁଭବ କରେ। ସୁନ୍ଦର କବି ଙ୍କ ଅଭିବ୍ୟକ୍ତି ଜାହାକି ଅତ୍ୟନ୍ତ ହୃଦୟସ୍ପର୍ଶୀ। କବି ଙ୍କୁ ଶୁଭ କାମନା।
ଚୁଡ଼ିର ଅନ୍ତରାଳେ ଭାରତୀୟ ପାରମ୍ପରିକ ନାରୀର କର୍ତ୍ତବ୍ୟପରାୟଣତା କବିତାର ପ୍ରତିଟି ପଙ୍କ୍ତି ରେ ବିଦ୍ୟମାନ। ସୁନ୍ଦର ଲେଖା କବିଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା।
କବିତାଟି ବହୁତ ଭଲ ଲାଗିଲା। ସତରେ କେବଳ ଘରେ ନୁହେଁ, ବେଳେ ବେଳେ ମନ ମଧ୍ୟରେ ସେଇ ଚୁଡିର ଶବ୍ଦ ପ୍ରତିଧ୍ବନିତ ହୁଏ। ଅତୀତ ତ ଆଖି ଆଗରେ ଭାସିଯାଏ।