ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ଦାରିଦ୍ର୍ୟ ବୃଦ୍ଧିକରଣ ଦିବସ

ଆଜିକାଲି ବହୁତ ଡେ ପାଳନ କରାଯାଉଛି। ଫାଦରସ୍‌ ଡେ, ମଦରସ୍‌ ଡେ, ଡକ୍ଟରସ୍‌ ଡେ, ଚିଲ୍‌ଡ୍ରେନ୍‌ସ ଡେ, ଭ୍ୟାଲେଣ୍ଟାଇନ୍‌ ଡେ। ପୁଣି ପରିବେଶ ଦିବସ, ସ୍ବାସ୍ଥ୍ୟ ଦିବସ, ସମ୍ପ୍ରୀତି ଦିବସ ଇତ୍ୟାଦି। ବର୍ଷର ଆଉ ବେଶୀ ଦିନ ଖାଲି ନାହିଁ, ସବୁଦିନ କିଛି ନା କିଛି ଡେ। ଏ ଡେ ରୁ ଅଧିକାଂଶ ଫିରିଙ୍ଗିମାନେ ଆମ ଉପରେ ଲଦି ଦେଇଛନ୍ତି। ତ ଆମ୍ଭେ ଆଉ କେତେକ ଡେ ଆଉ ନାଇଟ୍‌ (ସବୁ କଥାରେ ଖାଲି ଦିବସ କାହିଁକି ହେବ, ରଜନୀ କିଆଁ ନହେବ!) ଆରମ୍ଭ କରିବାକୁ ଚାହୁଁଛୁ। ଏଗୁଡିକ ଏଠି ପାଳିତ ହୋଇ ପପୁଲାର ହେଲାପରେ ତାକୁ ଫିରିଙ୍ଗିମାନଙ୍କ ଉପରେ ଲଦିଦେବାକୁ ଚାହୁଁଛୁ। କି କି ଡେ ପାଳନ କରାଯାଇପାରେ, ଏ ବିଷୟରେ ବଙ୍ଗଳାର ଏକ ନମ୍ବର ଖବର କାଗଜ ‘ଆନନ୍ଦ ବଜାର ପତ୍ରିକା’ ବି ପାଠକମାନଙ୍କଠୁଁ ପରାମର୍ଶ ମାଗିଥିଲେ। ପାଠକମାନେ କେତେକ ପରାମର୍ଶ ଦେଇଥିଲେ। ସେଥିରୁ କିଛି ବି ଏଥିରେ ସାମିଲ କରିଦେଇଛି। ଆରମ୍ଭ କରିବା ଦାରିଦ୍ର୍ୟ ବୃଦ୍ଧିକରଣ ଦିବସରୁ।

ଦାରିଦ୍ର୍ୟ ଦୂରୀକରଣକୁ ନେଇ ବର୍ଷରେ ଅନେକ ଦିବସ ପାଳନ କରାଯାଏ। ଭାବି ଦେଖନ୍ତୁ ବନ୍ଧୁଗଣ, ଦାରିଦ୍ର୍ୟ ଆମର ସ୍ବାଭାବିକ ସ୍ଥିତି। ଆମର ସଂସ୍କୃତି। ଗୀତ ଅଛି-କିଛି ମାଗୁନାହିଁ ତୋତେ, ଧନ ମାଗୁନାହିଁ, ଜନ ମାଗୁ ନାହିଁ, ମାଗୁଛି ଶରଧା ବାଲିରୁ ହାତେ। ଶାସ୍ତ୍ର ପୁରାଣ ଦେଖନ୍ତୁ। ଲେଖାହୋଇଛି, ଈଶ୍ବର ଦରିଦ୍ରର ବନ୍ଧୁ। ଶାସ୍ତ୍ରପୁରାଣ ଛାଡ଼ି, ପ୍ରାକ୍‌ଟିକାଲ ଲାଇଫ୍‌ରେ ଦେଖନ୍ତୁ, ଦାରିଦ୍ର୍ୟ ଦୂର ହୋଇଗଲେ ଆମର କେତେ ଅସୁବିଧା ହେବ।

ଦାରିଦ୍ର୍ୟ ଅଛି ବୋଲି ଦାରିଦ୍ର୍ୟ ଦୂରୀକରଣ ଯୋଜନାଗୁଡ଼ିକ ଅଛି। ସେଥିରେ କେତେ ଲୋକ ଓ ସ୍ବେଚ୍ଛାସେବୀ ସଂସ୍ଥାମାନେ ସାମିଲ ଅଛନ୍ତି। ସେମାନଙ୍କ ଅନ୍ନସଂସ୍ଥାନ ହେଉଛି। ସେମାନେ ସହରରେ କାର୍ଯ୍ୟାଳୟ ଖୋଲି, ଥଣ୍ଡାଗାଡ଼ି ମଟରରେ ବୁଲି ବୁଲି ଦାରିଦ୍ର୍ୟ ଦୂର କରନ୍ତି- ସେସବୁ କ’ଣ ହେବ? ଦାରିଦ୍ର୍ୟ ଦୂରୀକରଣ ପାଇଁ ବିଭିନ୍ନ ଯୋଜନା କରାଯାଉଛି। ସେଥିରେ କେତେ ବୁଦ୍ଧିଜୀବି ଯୋଗ ଦେଇ ଏ ବିଷୟରେ ମୁଣ୍ଡ ଖେଳାଉଛନ୍ତି। ଦାରିଦ୍ର୍ୟ କେମିତି ଦୂର ହେବ ସେ ସମ୍ପର୍କରେ ପଞ୍ଚତାରକା ହୋଟେଲମାନଙ୍କରେ କେତେ କର୍ମଶାଳା, ସେମିନାର ଆଦି ଆୟୋଜନ ହେଉଛି। ଦାରିଦ୍ର୍ୟ ଦୂର ହୋଇଗଲେ ହୋଟେଲମାନଙ୍କ କାରବାର କମିଯିବ। ଦେଶର ଅର୍ଥନୀତି ଉପରେ ଏହାର କେତେ କୁପ୍ରଭାବ ପଡ଼ିବ ଥରେ ଚିନ୍ତା କରନ୍ତୁ। ଦରିଦ୍ରମାନଙ୍କୁ ନେଇ କେତେ ଗଳ୍ପ କବିତା ଉପନ୍ୟାସ ଲେଖାହେଉଛି। ଦାରିଦ୍ର୍ୟ ଦୂର ହୋଇଗଲେ ସେ ଲେଖକମାନଙ୍କର କ’ଣ ହେବ? ସେମାନେ କ’ଣ ଲେଖିବେ? ଦାରିଦ୍ର୍ୟକୁ ନେଇ କେତେ ରାଜନୀତି ହେଉଛି। ଦାରିଦ୍ର୍ୟ ଦୂର ହୋଇଗଲେ ସେ ରାଜନୀତି କରୁଥିବା ଲୋକମାନଙ୍କର କ’ଣ ହେବ? ଦାରିଦ୍ର୍ୟ ଦୂର ହୋଇଗଲେ ଅଳ୍ପଟଙ୍କାରେ ମୂଲ ଲାଗିବାକୁ, ବାସନ ମାଜିବାକୁ, ରିକ୍ସା ଟାଣିବାକୁ ଲୋକ କେଉଁଠୁ ମିଳିବେ? ଗଣମାଧ୍ୟମରେ ପିଲାବିକ୍ରି, ଅନାହାର ମୃତ୍ୟୁର ଖବର କେମିତି ମିଳିବ? ବିଧାନସଭା, ସଂସଦରେ ତୁମ୍ବିତୋଫାନ କେମିତି ହେବ?

ତେଣୁ ଦାରିଦ୍ର୍ୟ ଦୂରୀକରଣ ନୁହେଁ, ଦାରିଦ୍ର୍ୟ ବଢ଼େଇବା ଦରକାର। ଏ ସମ୍ପର୍କରେ ଜନସଚେତନତା ସୃଷ୍ଟି ପାଇଁ ପାଳନ କରାଯିବ ଦାରିଦ୍ର୍ୟ ବୃଦ୍ଧିକରଣ ଦିବସ। ଏହି ଦିନ ବୁଦ୍ଧିଜୀବି, ସ୍ବେଚ୍ଛାସେବୀମାନେ ବସି ଚିନ୍ତା କରିବେ ଏ ଦେଶରେ ଦାରିଦ୍ର୍ୟ ବଢ଼ାଯିବ କେମିତି?

ପାଠକୀୟ ଆଦୃତି

77 ଦୃଷ୍ଟି ଆକର୍ଷଣ
ମତାମତ ସଂଖ୍ୟା

ତୁଣ୍ଡ ବାଇଦ

ମୃଣାଳ ଚାଟାର୍ଜୀ

ପ୍ରଥମେ ଜଣେ ସାମ୍ବାଦିକ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିବା ମୃଣାଳ ଚାଟାର୍ଜୀ ସମ୍ପ୍ରତି ଢେଙ୍କାନାଳ ସ୍ଥିତ ଭାରତୀୟ ଗଣଯୋଗାଯୋଗ ପ୍ରତିଷ୍ଠାନର ମୁଖ୍ୟ ଭାବେ କାର୍ଯ୍ୟରତ। ମୁଖ୍ୟତଃ ରମ୍ୟ ରଚନା ଏବଂ ବ୍ୟଙ୍ଗ ଗଳ୍ପ ଲେଖୁଥିବା ମୃଣାଳ ଏବେ ରାଜ୍ୟର ବିଭିନ୍ନ ଓଡ଼ିଆ ସମ୍ବାଦପତ୍ରରେ ନିୟମିତ ସ୍ତମ୍ଭ ଲେଖିବା ସହ ଏକାଧିକ ପତ୍ରିକାରେ ମଧ୍ୟ ଲେଖନୀ ଚାଳନା ଜାରି ରଖିଛନ୍ତି।

ନିଜର ଲେଖା ପାଇଁ ଅଜସ୍ର ପାଠକୀୟ ସ୍ବୀକୃତୀ ହାସଲ କରିଥିବା ମୃଣାଳ ବହୁ ପୁରସ୍କାର ଓ ସମ୍ମାନରେ ସମ୍ବର୍ଦ୍ଧିତ। ତାଙ୍କର ପ୍ରକାଶିତ ପୁସ୍ତକ ଗୁଡ଼ିକ ମଧ୍ୟରେ “ଜଗତେ ଥିବ ଯେତେଦିନ”, “ଯମରାଜ-୫୦୦୩ ଉପନ୍ୟାସ”, “ରଙ୍ଗଢଙ୍ଗ” ଆଦି ବେଶ୍ ପରିଚିତ।

କ୍ରମେ ସବିଶେଷ →
ଆଉ କେତୋଟି ସଂଗ୍ରହ

ଗମ୍ଭାରୀ ଗଛ

ବିଛଣାରେ ପଡି ପଡି ଶମ୍ଭୁନାଥ ବିଳିବିଳି ହେଉଥିଲେ। ଅସ୍ପଷ୍ଟ ପାଟିରେ ପୁଅକୁ କହୁଥିଲେ, ଗମ୍ଭାରୀ ଗଛଟାକୁ ଆଇତିରେ ରଖିଥିବୁରେ ବେନୁଆ, ସେଇଟା ତୋ ବୋଉର ଶେଷ ସନ୍ତକ।…

ଇଚ୍ଛା ପୁରଣ

ବିଶାଳ ଘଞ୍ଚ ବଣ। ବଣ ଭିତରେ ଥାଆନ୍ତି ଜଣେ ସିଦ୍ଧ ଯୋଗୀ। ଅନ୍ୟାନ୍ୟ ବହୁ ଜଙ୍ଗଲ ସହ ସେ ବଣଟି ବି କଟା ଚାଲିଥାଏ ନିର୍ବିଚାରରେ। ବିଶ୍ବ…

-: ପାଠକୀୟ ମତାମତ :-

ଆପଣଙ୍କ ମତାମତ କ’ଣ?

କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡ଼ିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ପୃଷ୍ଠାର ଶୀର୍ଷ ଭାଗରେ ପ୍ରଦତ୍ତ ଓଡ଼ିଆ କି-ବୋର୍ଡ୍ ନିର୍ଦ୍ଧାରଣ କରି ଲେଖନ୍ତୁ। ଓଡ଼ିଆରେ ଲେଖିବା ପାଇଁ, ଏହି ବ୍ୟବସ୍ଥା କେବଳ କମ୍ପ୍ୟୁଟର ଓ ଲାପ୍‌ଟପ୍ ରେ ଉପଲବ୍ଧ।

ଆପଣଙ୍କ ନାମ *

ଇ-ମେଲ୍ *

ସହର ଓ ରାଜ୍ୟ/ଦେଶର ନାମ

ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

ପାକ୍ଷିକ ସାହିତ୍ୟ ଇ-ପତ୍ର
ads
ସର୍ବାଧିକ ଦୃଷ୍ଟି ଆକର୍ଷଣ
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP