ବତାସୀ ଠେକିଟାକୁ ଖଜୁରୀ ଗଛରୁ ଓହ୍ଲାଇ ଖୁବ୍ ସନ୍ତର୍ପଣରେ ତଳକୁ ଆସିଲା୤ ସଜ ତାଡ଼ି ପିଇବାକୁ ଢେର ଗରାଖ୤ ହାଁ କରି ଉପରକୁ ଅନେଇ ଠିଆ ହେଇଛନ୍ତି କେତେବେଳୁ୤ ଗରାଖଙ୍କ ଭିତରେ ଧନୀ, ଗରିବ, ଦୀନମଜୁରିଆଙ୍କଠୁ ଆରମ୍ଭ କରି ନେତାଙ୍କ ଚେଲାଚାମୁଣ୍ଡା ଆଉ ତାଙ୍କ ଛୁଆମାନେ ବି ଅଛନ୍ତି୤ ଏଇ ଇଲେକ୍ସନ୍ ସମୟରେ ଗରାଖଙ୍କ ସଂଖ୍ୟା ବଢ଼ିଯାଏ୤ ଗାଁ ଗଣ୍ଡାରେ ଯଦିଓ ଦେଶୀ ମାଲ ଅଧିକ ପରିମାଣରେ ବିକ୍ରୀ ତଥାପି ତାଡ଼ିର ଆଦର କମିନାହିଁ୤ ଆଜି ଠାକୁରାଣୀ ଛକରେ ମିଟିଙ୍ଗ ଅଛି ଆମ୍ବଚି଼ହ୍ନ ବାଲାଙ୍କର୤ ଦଶଟା ଖଜୁରୀ ଗଛରୁ ତାଡ଼ି ସଂଗ୍ରହ କରିଛି ସେ୤ ବାସୀ ସହ ମିଶେଇ ବିକିଯିବ୤ ଯେଉଁ ଗିଲାସକୁ ଦଶଟଙ୍କା ନିଏ ଆଜି ସେଇଟା ଡବଲରେ ଯିବ୤ ଅତିକମ୍ରେ ଦି’ ହଜାର ପାଇବ୤ ରାସ୍ତା କଡ଼େ କଡ଼େ ଖଜୁରୀ ଗଛ ଭର୍ତ୍ତି୤ ସେ ଖଜୁରୀ ରସ ନେଲାବେଳେ ପିଞ୍ଛା ବି କାଟିନିଏ୤ ସେଥିରେ କୁସୁମୀ ଝାଡୁ ଆଦି କ’ଣ କ’ଣ ବନାଏ୤ ତା’ ବାଦେ ବାଉଁଶରେ ନାଳିଆ, କୁଲା, ପାଛିଆ ବୁଣେ୤ ଏଇଥିରୁ ଗୁଜୁରାଣ ମେଣ୍ଟାନ୍ତି ପାଞ୍ଚ ପ୍ରାଣୀ କୁଟୁମ୍ବ୤ ବତାସୀର ବାପ ହାଡ଼ିଆ କୋଉ କାଳରୁ ମଲାଣି୤ ମାଆ ତ ଆହୁରି ଆଗରୁ ଯାଇଥିଲା୤ ସାଆନ୍ତରାବାବୁ ଘର ତା’ ବାପାକୁ ଏଇ ଜାଗାଖଣ୍ଡକ ଦେଇଥିଲେ୤ ଗାଁର ଶେଷ ମୁଣ୍ଡରେ ଆମ୍ବ, ଜାମୁ, ବରଗଛ, ଆହୁରି କେତେଟା ଜଣାଶୁଣା ଗଛ୤ ସେଇ ଭିତରେ ବଡ଼ ବଡ଼ ଚାଳିଆ ଦି’ଖଣ୍ଡ ତାଙ୍କର୤ ଗୋଟାକରେ ଛେଳି, ଜାଳକୁଟା, ଖଜୁରୀ ପିଞ୍ଛା, ଚୁଲୀ ଚଉକା, ଆରଟିରେ ସେମାନେ ଶୁଆବସା କରନ୍ତି୤ ଖରାଦିନ ରାତିଟା ବାହାରେ ବିତେ୤ ଫର୍ଚ୍ଚା ଜହ୍ନ ଆଲୁଅରେ କୁସୁମୀ ସବୁ କାମ କରିନିଏ୤ ତାଙ୍କର ହାତ ପଙ୍ଖା ଲୋଡ଼ା ହୁଏନାହିଁ୤ ବଢ଼ିଆ ସୁଲୁସୁଲିଆ ପବନ ପୋଖରୀ ଆଡୁ ହୁଲୁହୁଲୁ ହେଇ ମାଡ଼ିଆସେ୤ ଆଉ ଶୀତ ମାସର ଦିନଟା ବିତେ ଖରାରେ୤ ଚାଳିଆ ଆଗକୁ ଆଉ ଗୋଟେ ଚୁଲୀ ବିଛେଇ କୁସୁମୀ ସେଇଠି ରୋଷେଇବାସ କରେ୤ ଗୋବରରେ ପୂରା ଦାଣ୍ଡଟାକୁ ଲିପିଦେଇଥାଏ୤ ସେଇ ନରମ ଉଷୁମ ଖରାରେ ସମସ୍ତଙ୍କର ଖାଇବାପିଇବା କାମ ହୋଇଯାଏ୤ ବର୍ଷା ଦିନରେ ଯାହା ଖାଲି ଚାଳିଆ ଭିତରେ ରନ୍ଧାବଢ଼ା ହୁଏ୤

ଘର ବାହାରେ ଦି’ଖଣ୍ଡ ଦଉଡ଼ିଆ ଖଟ୤ ଗରାଖ ସେଇ ଖଟରେ ବସନ୍ତି୤ ବଡ଼ ବଡ଼ ସିଲ୍ଭର୍ ଗ୍ଲାସ୍ରେ ତାଡ଼ି ପିଅନ୍ତି୤ ପରସ୍ପରକୁ ଅଶ୍ରାବ୍ୟ ଭାଷାରେ ଗାଳିଫଜିତ୍ କରନ୍ତି୤ ଯେତେବେଳେ ନିଶାଟା ଗାଢ଼ ହୁଏ କିଏ କାହାକୁ କୁଣ୍ଢୋଉଥାଏ, ଗେଲ କରୁଥାଏ ତ ପୁଣି କେତେବେଳେ ମାଡ଼ପିଟ୍ ଲହୁଲୁହାଣ୤ ଏ ସବୁକୁ ଦେଖିଦେଖି ବତାସୀର ଦିହ ପଥର ହେଇଯାଇଛି ସିନା କୁସୁମୀ ସେଇ ସମୟରେ ଘରୁ ବାହେରେନି୤ ସେ ତା’ର ତିନି ଛୁଆଙ୍କୁ ନେଇ ଭିତରେ ବସିଥାଏ୤ ସୋଲା, ରାଗ ମଟର, ମୁଢ଼ି ଓ କଞ୍ଚାଲଙ୍କା ସବୁ ଜିନିଷ ବତାସୀ ପାଖରେ ଥୋଇଦେଇଥାଏ ଆଗରୁ୤ ବଡ଼ପୁଅ ଝିଅ ଦି’ଟା ଗାଁ ସ୍କୁଲରେ ପାଠ ପଢୁଛନ୍ତି୤ ସାନଟି ମା’ କ୍ଷୀର ଛାଡ଼ିନି୤ ବତାସୀ ସିନା ତାଡ଼ି ବିକୁଛି ହେଲେ କୁସୁମୀର ସ୍ବପ୍ନ ଅସରନ୍ତି୤ ବାହାରେ ହୋ’ହାଲ୍ଲା ଚାଲିଥିବା ବେଳେ ସେ ତା’ର ଚାଳିଆ ଭିତରେ ବସି ବୁଣୁଥାଏ ସ୍ବପ୍ନର ବୁଢ଼ିଆଣୀ ଜାଲ୤ ତା’ ପିଲାଏ ବଡ଼ ହେବେ୤ ପାଠ ଦି’ଅକ୍ଷର ପଢ଼ି ସାଆନ୍ତରାବାବୁ ଘର ଛୁଆଙ୍କ ଭଳି ବଡ଼ ବଡ଼ ଅଫିସ୍ରେ ଚାକିରୀ କରିବେ୤ ସହରରୁ ଚାରିଚକବାଲା ଗାଡ଼ି ଚଢ଼ି ଆସିବେ୤ ସେ ନିଇତି ନୂଆ ନୂଆ ଶାଢ଼ୀ ପିନ୍ଧି ଗାଁ ଭିତରକୁ ଯିବ୤ ଗାଁ ମାଇପେ ସବୁ ତାକୁ ଘେରିଯାଇ ପଚାରିବେ- ତୋ’ ପୁଅ ଆଣିଛି କିଲୋ ଏ ଶାଢ଼ୀ, ଢେରେ ଟଙ୍କା ପଡ଼ିଥିବ୤ ସେ ତା’ ପୁଅଙ୍କ ସାଙ୍ଗରେ ଗାଡ଼ିରେ ବସି ସହରକୁ ଯିବ୤ ଏ ଚାଳିଆ ଦି’ଖଣ୍ଡକୁ ଭାଙ୍ଗି କୋଠା ଘର ପାଞ୍ଚ ବଖରା ବନେଇବ୤ ଗୋଟାକରେ ସେ ଓ ବତାସୀ ଆଉ ତିନିଟାରେ ପୁଅଝିଅ, ଗୋଟିଏରେ କୁଣିଆ ବନ୍ଧୁବାନ୍ଧବ ବସାଉଠା କରିବେ୤ ଏଇମିତି ଭାବୁଭାବୁ ରାତି ମାଡ଼ିଆସେ୤ ଗରାଖ ଫେରିଯାନ୍ତି ଆପଣା ବାଟରେ୤ ବେଳେବେଳେ କିଏ କିଏ ପଡ଼ିଥାନ୍ତି ସେଇ ଦଉଡ଼ିଆ ଖଟରେ ନହେଲେ ତଳେ ରାତି ଅଧଯାଏ, ବିଳିବିଳେଇ ହଉଥାନ୍ତି୤ ନେତାଙ୍କୁ, ଶ୍ବଶୁର ଘରକୁ, ପୁଅ ମାଇକିନାଙ୍କୁ ଶୋଧୁଥାନ୍ତି କାନ ନ ଶୁଣିଲା ଭଳିଆ ଭାଷାରେ୤

ବତାସୀ ଭାରରେ ତାଡି ଠେକିଗୁଡ଼ାକ ବୋହିଆଣି ବାହାରୁ ଡାକ ପକେଇଲା- ଏ କୁସୁମୀ ! ଆଣ ଲୋ ପାଣି ଢାଳେ୤ ଓଃ କି ଗରମ, ଚଇତରୁ ଏତେ ତାତି, ଆହୁରି ଦିନକାଳ ଅଛି୤ ଉଚ୍ଛୁଣି ସୁଲୁସୁଲୁ ପବନରେ ଦିହମନ ଉଲୁସିଯାଉଥାନ୍ତା୤ ଦକ୍ଷିଣା ବାଆ କାଇଁ ? ଗମଗମ ଝାଳ ବାହାରୁଛି ଦିହରୁ…. କୁସୁମୀ ପାଣି ଢାଳେ ଆଣି ଥୋଇଲା୤ କହିଲା- ପଖାଳ ବାଢ଼ିଦେମି ? ଆଜି ନବା ମା ଆସିଥିଲା୤ ଶିଳା ଶୁଖୁଆ ଅଧାକେଜି ରଖିଚି ତା’ଠୁ୤ ବଡ଼ି, ଶୁଖୁଆପୋଡ଼ା ନଗେଇ ପଖାଳ ଖାଇଦିଅ୤ ଗରାଖ ଆଇଲେ ଆଉ ତର ସହିବନି….୤ ଦେଖୁନ ଗାଡ଼ିଗୁଡ଼ାକ କେମିତି ଘାଉଁଘାଉଁ ହେଇ ଘୂରୁଛନ୍ତି୤

– ହଁ.. ଇଲେକ୍ସନ୍ ବଜାର, ଘୂରିବେନି! ଦିନକୁଦିନ ଦଳ, ଚି଼ହ୍ନ ସବୁ ବଢ଼ିଚାଲିଛି୤ ସମସ୍ତଙ୍କୁ ହଁ ହାଁ ମାରିଚାଲିବା କଥା୤ ଆମଠୁ ସବୁ ତଳବାଲା ପିଉଛନ୍ତି୤ ଆଜି ତ ଠାକୁରାଣୀ ଛକରେ ଆମ୍ବଚି଼ହ୍ନ ବାଲାଙ୍କର ମିଟିଙ୍ଗ୍ ଅଛି୤ ଆଲୋ କୁସୁମୀ ଆମ ଆମ୍ବ ଗଛରେ କେତେ ବଉଳ, କଷି ଭର୍ତ୍ତି ହେଇଛି ଲୋ୤ ଏସନ ଢେରେ ଆମ୍ବ ଫଳିବ୤
– ସେ କଥା କ’ଣ କହିହବ୤ ଆମ୍ବ ପାଚିବାକୁ କେତେ ବାଧା୤ ବଇଶାଖୀ ଝଡ଼ ବତାସ ଆଗକୁ ଅଛି, କୁହୁଡ଼ିରେ ତ ଅଧା ଜଳିଗଲା୤ ଏଇନେ କଷି ବାହାରୁଛି୤ ପାଚିବାକୁ ଆଉରି କେତେ ବାଟ୤

– ହଉ ତୁ ଛାଡ଼ ସେ କଥା୤ ଶୁଖୁଆ ଯେବେ କିଣିଚୁ ଭାଜିଦେ୤ ତାଡ଼ି ସାଙ୍ଗରେ ଶୁଖୁଆ ଜମିବ୤ ମୁଁ ଆଉ ପାଞ୍ଚଟଙ୍କା ଲେଖାଏଁ ଅଧିକା ନେମି୤

( ପରବର୍ତ୍ତୀ ପୃଷ୍ଠା ଦେଖନ୍ତୁ → ) …………………..
(ସ୍ନେହଲତା ନାୟକ, ରାଉରକେଲା)