ନ୍ୟାୟ ନିଶାପ ସରିଲା
ଚଉପାଢ଼ିରେ ଭାଗ ହୋଇଗଲା ଜୀବନ
ଚା ପାନ ଖାଇ ହିସାବ ଦେଲେ ସାଆନ୍ତମାନେ
ବର୍ଷ ବର୍ଷର ଶ୍ରଦ୍ଧାର ଦୁଆରେ
ଉଠିଲା ଈର୍ଷାର ପାଚେରି।

ଘର କଣର ଗୋଟି ଗୋଟି ଜିନିଷ
ଥୁଆଗଲା ଦାଣ୍ଡରେ
ଫିତା ପଡ଼ିଲା
ସୂତେ ସୂତେରେ ମାପ ହେଲା
ଜମିବାଡି, ଘରଡିହ, ହୃଦୟ।

ବହୁ ଦିନରୁ ବାପାଙ୍କ ସଞ୍ଚିତ ସିନ୍ଧୁକ
ହରକୁଲେସ୍ ସାଇକେଲ, ହାତଘଡ଼ି
ଅନେକ ଆଶା, ଆକାଙ୍କ୍ଷା
ସବୁକିଛି ମଝିରୁ ଦି ଭାଗ ହେଲା।

ଭଲରେ ଭଲରେ ଚାଲିଥିବା ଜୀବନ
ବେଳେବେଳେ ଲଘୁଚାପ ପରି ଦିଗ ବଦଳାଏ।
କପାଳର ବଳିରେଖା କୁଞ୍ଚିତ ହୁଏ
ମନ ଚାହେଁ ସମୁଦ୍ରରୁ ଦୁଇ ଆଞ୍ଜୁଳା ଜଳ
ଇଚ୍ଛା ହୁଏ ଚାଳରୁ ଗଡୁଥିବା ବର୍ଷାପାଣିରେ
ଘଷି ମାଜି ଧୋଇ ଦେବାକୁ ହୃଦୟ।

କିନ୍ତୁ ଏସବୁ ସ୍ବପ୍ନର ଧାର୍ ଧାରନ୍ତି ନାହିଁ ସାଆନ୍ତେ
ଚଉପାଢ଼ିରେ ଚା-ପାଣି ଖାଇ
ସାହି ମାମଲତକାର ଉଠାଇଲେ ବୁଝାମଣାର ନୂଆ ପାଚେରି।

କିନ୍ତୁ ସମସ୍ତେ ତାଟକା
ଶେଷରେ ବଳିଲା ଗୋଟିଏ ଜିନିଷ
ଆରେ! ଇଏ କୋଉଠି ଥିଲା?
ମାପ..ମାପ..ଫିତା ପକାରେ..

କିଛି ଦୂରରେ ଦାଣ୍ଡପିଣ୍ଡାର
ଠିକ୍ ସେଇ ଜାଗାରେ
କାନ୍ଥକୁ ଆଉଜି ବସିଥିଲା ବୋଉ
ଯେଉଁଠି ଉଠିବାର ଥିଲା ଈର୍ଷାର ପାଚେରି।